କୋର୍ଟ ଦେଲେ ନିର୍ଦ୍ଦେଶ, ‘ଜ୍ଞାନବାପି’ ପରିସରରେ ସର୍ବେକ୍ଷଣ କରିବ ଏଏସଆଇ

ବାରାଣସୀ: ବିବାଦୀୟ ଜ୍ଞାନବାପି ମସଜିଦ ପରିସରରେ ସର୍ବେକ୍ଷଣ କରିବ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) । କେବଳ ବିବାଦୀୟ ସ୍ଥାନକୁ ଛାଡ଼ି ଅନ୍ୟ ସବୁ ଅଞ୍ଚଳର ସର୍ଭେ କରିବ ଏଏସଆଇ । ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ବିନା କ୍ଷତିରେ ସର୍ଭେ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବାରାଣସୀ ଜିଲ୍ଲା ଜଜ୍ । ଜିଲ୍ଲା କୋର୍ଟଙ୍କ ଏଭଳି ନିଷ୍ପତ୍ତି ହିନ୍ଦୁ ପକ୍ଷରୁ ପିଟିସନଧାରୀଙ୍କୁ ଉତ୍ସାହିତ କରିଥିଲା ବେଳେ ମୁସଲିମ ପକ୍ଷ ହାଇକୋର୍ଟ ଯାଇପାରନ୍ତି ବୋଲି ସୂଚନା ମିଳୁଛି ।

ଏ ସଂପର୍କିତ ପିଟିସନର ବିଚାର କରି ଜିଲ୍ଲାଜଜ ସ୍ପଷ୍ଟ କରିଛନ୍ତି, ପ୍ରକୃତ ସତ୍ୟ ଜାଣିବାକୁ ହେଲେ ବୈଜ୍ଞାନିକ ପଦ୍ଧତିରେ ସର୍ଭେ କରିବାକୁ ହେବ । ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଆସନ୍ତା ଅଗଷ୍ଟ ୪ ସୁଦ୍ଧା ସ୍ବତନ୍ତ୍ର କମିଟି ଗଠନ କରିବ । ଏଏସଆଇ ବିବାଦୀୟ ସ୍ଥଳକୁ ଛାଡ଼ି ଜ୍ଞାନବାପି ପରିସରରେ ଥିବା ସବୁ ଅଞ୍ଚଳର ସର୍ଭେ କରିବ । ସର୍ଭେ ରିପୋର୍ଟ କୋର୍ଟଙ୍କ ହସ୍ତଗତ ହେବା ପରେ ଏ ସଂପର୍କରେ ପରବର୍ତ୍ତୀ ଶୁଣାଣି କରାଯିବ । ଶୁଣାଣି ବେଳେ ମୁସଲିମ ପକ୍ଷରୁ ପିଟିସନକୁ ବିଚାରପତି ଖାରଜ କରିଦେଇଥିଲେ ।

ସୂଚନାଯୋଗ୍ୟ, କାଶୀ ବିଶ୍ବନାଥ ମନ୍ଦିରକୁ ଲାଗି ଥିବା ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ରହିଛି । କାଶୀ ବିଶ୍ବନାଥ ମନ୍ଦିରର ଏକ ଅଂଶକୁ ଧ୍ବସଂ କରାଯାଇ ମସଜିଦ ନିର୍ମାଣ କରାଯାଇଛି । ମୁସଲିମ ଶାସକ ଔରଙ୍ଗଜେବଙ୍କ ଶାସନକାଳରେ ଷୋଡ଼ଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ ହୋଇଥିବା ନେଇ ୧୯୯୧ ମସିହାରେ ବାରାଣସୀର ଏକ କୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଏହାର ପରିସରକୁ ଏଏସଆଇ ସର୍ଭେ କଲେ କାନ୍ଥରେ ସ୍ବସ୍ତିକ ଚିହ୍ନ ସହ ଶିବଙ୍କ ଶ୍ଲୋକ ମିଳିବ ବୋଲି ପିଟିସନରେ ଦର୍ଶାଯାଇଥିଲା । ଏହି ମାମଲା ଏଯାଏ ବିଚାରାଧୀନ ରହିଥିଲା ବେଳେ ଜିଲ୍ଲା କୋର୍ଟର ଆଜିର ରାୟ ହିନ୍ଦୁ ପକ୍ଷଙ୍କ ବଡ଼ ବିଜୟ ବୋଲି କୁହାଯାଉଛି ।