ଯଦି ମୁଁ ଦୋଷୀ ତେବେ ଦଣ୍ଡ ସ୍ବୀକାର୍ଯ୍ୟ, ନିର୍ଦ୍ଦୋଷ ଥିଲେ ମୋତେ ଭାରତରେ ରହିବାକୁ ଅନୁମତି ଦିଅ: ସୀମା ହାଇଦର

ନୂଆଦିଲ୍ଲୀ: ଯଦି ମୁଁ ଦୋଷୀ ତେବେ ଦଣ୍ଡ ସ୍ବୀକାର୍ଯ୍ୟ । କିନ୍ତୁ ନିର୍ଦ୍ଦୋଷ ଥିଲେ ମୋତେ ଭାରତରେ ରହିବାକୁ ଅନୁମତି ଦିଅନ୍ତୁ । ଭାରତରେ ମୋ ଜୀବନ ଥିବାବେଲେ ପାକିସ୍ତାନରେ ଲୁଚି ରହିଛି ମୃତ୍ୟୁ । ଦୁଇ ଦିନ ଧରି ୟୁପି ଏଟିଏସର ଜେରା ପରେ ଆଜି ଏପରି ନିବେଦନ କରିଛି ପାକିସ୍ତାନୀ ମହିଳା ସୀମା ହାଇଦର । ପାକିସ୍ତାନ ଗଲେ ସେଠାରେ ତାକୁ ମାରିଦେବେ ବୋଲି ସେ ଆଶଂକା କରିଛି । ଏପରିକି ବେଆଇନ ଅନୁପ୍ରବେଶକାରୀ ଅଟକ କେନ୍ଦ୍ରରେ ମଧ୍ୟ ସେ ରହିବାକୁ ରାଜି ବୋଲି କହିଛି ।

ଯେଉଁଠି ରହିଲେ ବି ଆପତ୍ତି ନାହିଁ କହିବା ସହ ସେ କିନ୍ତୁ ସ୍ବାମୀ ସଚିନ ଓ ଚାରି ପିଲାଙ୍କ ସହ ଏକାଠି ରହିବାକୁ ନିବେଦନ କରିଛି । ଦୁଇ ଦିନର ଏଟିଏସର ଜେରା ପରେ ସୀମା ଓ ସଚିନ ଗ୍ରେଟର ନୋଇଡା ଘରକୁ ଫେରିଛନ୍ତି । ଯଦି ତାଙ୍କୁ ପାକିସ୍ତାନ ପଠାଇ ଦିଆଯାଏ ତେବେ ସେ ଭାରତରେ ଯେକୌଣସି ସ୍ଥାନରେ ରହିବାକୁ ରାଜି । କିନ୍ତୁ ପାକିସ୍ତାନ ଯିବାକୁ ମନା କରିଦେଇଛି । କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା ଅଛି । ସେମାନେ ଏପରି କିଛି କରିବେ ନାହିଁ ବୋଲି ସୀମା ଆଶା କରିଛି ।

ପଶୁପତିନାଥ ମନ୍ଦିରରେ ବିବାହକୁ ପୂଜାରୀ ମନା କରିଥିବା କଥାକୁ ସେ ଟାଳି ଦେଇଛି । ଅତ୍ୟଧିକ ଭିଡ ଥିବାରୁ ସେ ମନ୍ଦିରର ପଛପଟେ ସଚିନକୁ ବିବାହ କରିଥିଲା ବୋଲି କହିଛି । କିନ୍ତୁ ସେଠାରେ ଭିଡିଓ ହୋଇପାରୁନଥିଲା । ତେଣୁ ସିନ୍ଦୂର ଓ ବରଣମାଳା ପକାଇ ବିବାହ କରିବାର ପ୍ରମାଣ ନାହିଁ । କିନ୍ତୁ ବିବାହ ମନ୍ଦିରରେ ହିଁ ହୋଇଛି । ହୋଟେଲରେ ନୁହେଁ ବୋଲି କହିଛି ସୀମା । ଅନ୍ୟପଟେ ପାକିସ୍ତାନରୁ ଦୁବାଇ, ତାପରେ ନେପାଳ ରାସ୍ତା ଦେଇ ଭାରତ ପ୍ରବେଶ ରୁଟର ନେଟୱର୍କକୁ ନେଇ ଖୋଳତାଡ଼ ଜାରି ରଖିଛି । କିଏ କିଏ ସୀମାକୁ ସହଯୋଗ କରିଛନ୍ତି, କେଉଁ ମୋବାଇଲ ନମ୍ବର ବ୍ୟବହାର ହୋଇଥିଲା ତାକୁ ନେଇ ଅନୁସନ୍ଧାନ ଚଲାଇଛି ।