spot_img
Home Blog Page 2815

ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ, ନୂଆ ଦିଲ୍ଲୀ  ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ  

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ଗୋପବନ୍ଧୁପ୍ରଶାସନିକ ଏକାଡେମୀ  (ଜିଏଏ) ମଧ୍ୟରେ ଏକ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷରିତ ହୋଇଯାଇଛି । ଏହିଦୁଇ ଅନୁଷ୍ଠାନ ମଧ୍ୟରେ ଏକ ସହଯୋଗୀ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଜିଏଏର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା  ଆଇଆଇପିଏର ମହାନିର୍ଦ୍ଦେଶକ ସୁରେନ୍ଦ୍ରନାଥତ୍ରି ପାଠୀଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ ।  ଫଳ ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।  ମିଳିତ ଦୂରଦୃଷ୍ଟି ଏବଂ ନିରନ୍ତର ପ୍ରୟାସ ଉଭୟ ଅନୁଷ୍ଠାନର ଶିକ୍ଷାଦାନ ଏବଂ ଶିକ୍ଷଣ ଅଭିଜ୍ଞତାର ଗୁଣବତ୍ତା ବୃଦ୍ଧି କରିବ । ସମସ୍ତ ସମ୍ଭାବ୍ୟ ପାରସ୍ପରିକ ସହଯୋଗ ଓ ସୁଯୋଗ ଥିବା ବିଭିନ୍ନ କ୍ଷେତ୍ରରେ ରାଜ୍ୟ ତଥା ଦେଶରେ ପ୍ରଶିକ୍ଷଣ ଇକୋ-ସିଷ୍ଟମ୍ ର କ୍ଷମତା ବୃଦ୍ଧିରେ ଏହା ସହାୟକ ହେବଏହି ସହଯୋଗ ରାଜ୍ୟର ସରକାରୀ କର୍ମଚାରୀଙ୍କ ଜ୍ଞାନ, ମନୋଭାବ ଓ ଦକ୍ଷତାରେ ଉନ୍ନତି ଆଣିବା ସହ  ସୁଶାସନର ଗତିରେ  ଗଠନମୂଳକ ପ୍ରଭାବ ପକାଇବ ।

         

 

ମିଳିମିଶି ଚଳୁ କଲେ  କୋଟିଏରୁ ଉର୍ଦ୍ଧ୍ବ ଟଙ୍କା

ଢ଼େଙ୍କାନାଳ: ମିଳିମିଶି ଚଳୁ କଲେ  କୋଟିଏରୁ ଉର୍ଦ୍ଧ୍ବ ଟଙ୍କା । ଷ୍ଟ୍ରିଟ ଲାଇଟ୍ କିଣା ସହ ହୋଲଡିଂ ଟ୍ୟାକ୍ସ ଓ ଅନ୍ୟାନ୍ୟ କାର୍ଯ୍ୟ ବାବଦରେ ବ୍ୟୟ ହୋଇଥିବା ଅର୍ଥର ନାହିଁ ହିସାବ । ଅଡିଟିରୁ ଧରା ପଡ଼ିଲା ସ୍ଥାନୀୟ ସରକାରୀ ବାବୁ ମାନଙ୍କ ମହା ଗୁମର । ଯାହାକୁ ନେଇ ଡେଙ୍କାନାଳ ପୌର କାର୍ଯ୍ୟାଳୟରେ ରେଡ୍ କରିଛି ଭିଜିଲାନ୍ସ  ।

ଖୋଲିଲା ଢେଙ୍କାନାଳ ପୌର କର୍ମଚାରୀଙ୍କ ଅସଲ ମୁଖା  । ଉନ୍ନତିକରଣ ନାଁରେ ଚଳୁ କରିଦେଇଛନ୍ତି କୋଟିଏରୁ ଉର୍ଦ୍ଧ ଟଙ୍କା  । ସରକାରୀ ଅର୍ଥକୁ ଆତ୍ମସାତ କରି ଫେରାର କର୍ମଚାରୀ । ତଦନ୍ତ ପାଇଁ କାର୍ଯ୍ୟାଳୟରେ ଭିଜିଲାନ୍ସ  ।….୨୦୨୦-୨୧ ଓ ୨୦୨୧-୨୨ରେ ଢେ଼ଙ୍କାନାଳ ପୌର ସଂସ୍ଥାର ପ୍ରମୁଖ ରାସ୍ତା ,ବିଭିନ୍ନ ଓ୍ବାର୍ଡରେ ଷ୍ଟ୍ରିଟ ଲାଇଟ୍ ଲାଗିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯାଇଥିଲା  । ୨୦୨୨ରେ ଏହି ସବୁ କାର୍ଯ୍ୟରେ ଖର୍ଚ୍ଚ ନେଇ ଅଡିଟ ବେଳେ ୯ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଓ ଏଥିରେ ଜଣେ କର୍ମଚାରୀଙ୍କ ସଂପୃକ୍ତି ଥିବା ଜଣା ପଡିଥିଲା । ପରେ ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଠିକାଦାରମାନେ ଆଇଡି ବାବଦ ଜମା କରିଥିବା ୫୧ ଲକ୍ଷ ଟଙ୍କା ପୌର ସଂସ୍ଥା ଆକାଉଁଣ୍ଟରେ ପୈଠ ହୋଇ ନଥିବା ପଦାକୁ ଆସିଥିଲା । ଏହାକୁ ମଧ୍ୟ କୌଶଳ କ୍ରମେ ହଡ଼ପ କରା ଯାଇଥିବା ଅଭିଯୋଗ ହୋଇଥିଲା  । ଲାଇଟ୍ କିଣା ବାବଦରେ ଯୋଗାଣକାରୀ ସଂସ୍ଥା ଦାଖଲ କରିଥିବା ୧୭ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଫାଇଲରେ ଚଢି ନଥିବା ଜଣା ପଡ଼ିଛି । ସହରରେ ଲୋକ ମାନଙ୍କୁ ଠାରୁ ଆଦାୟ ହୋଇଥିବା ହୋଲଡିଂ ଟ୍ୟାକ୍ସ  ଓ ଅନ୍ୟାନ୍ୟ କର ବାବଦ ୫୦ ଲକ୍ଷ  ଟଙ୍କାର ବି ହିସାବ ମିଳୁ ନାହିଁ ।

ଅଡିଟରେ ୨୦୨୨ ଡିସେମ୍ବରରୁ ୨୦୨୩ ମାର୍ଚ୍ଚ ୨୫ ଯାଏ ଖୋଲତାଡ଼ କରା ଯାଇଥିଲା  ।  ଗତ ମେ ମାସ ୧୨ ତାରିଖରେ ଏହାର ରିପୋର୍ଟ ଦାଖଲ କରାଯାଇଥିଲା । ଷ୍ଟକ ରେଜିଷ୍ଟର ଯାଞ୍ଚ ସମୟରେ ମଧ୍ୟ ୧୦ଟି ମନି ରିସିପ୍ଟ ଗାଏବ ରହିଚି ବୋଲି ଜଣା ପଡିଥିଲା ।  ଏହାପରେ ପୌର କାର୍ଯ୍ୟାଳୟରେ ଚଢାଉ କରିଛି ଭିଜିଲାନ୍ସ । ଘଟଣାକୁ ଗୁରୁତ୍ବର ସହ ନେଇ ଫାଇଲ ଓ କିଛି କାଗଜ ପତ୍ରକୁ ଜବତ କରାଯାଇଛି । ତଦନ୍ତ ଆରମ୍ଭ ପରଠୁ ନିର୍ବାହୀ ଅଧିକାରୀ, ଅନ୍ୟ କିଛି କର୍ମଚାରୀ ଲମ୍ବା ଛୁଟିରେ ଅଛନ୍ତି । ଯାହାକୁ ନେଇ ଭିଜିଲାନ୍ସ ତଦନ୍ତରେ ବାଧା ସୃଷ୍ଟି ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି  ।

 

କଲବଲ କରିବ ଗୁଳୁଗୁଳି!

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ନାହିଁ ବର୍ଷା । ରାଜ କରିବ ଗରମ ଗୁଳୁଗୁଳି । ଉପାନ୍ତରୁ ଉପକୂଳ ସବୁଠି ଜାରି ରହିବ ଏଭଳି ସ୍ଥିତି । ମୌସୁମୀ ଦୁର୍ବଳ ହେବା ପରେ ସାରା ଓଡ଼ିଶାରେ ବଦଳିଛି ପାଣିପାଗର ମିଜାଜ୍ । ଅଧିକାଂଶ ଜିଲ୍ଲାରେ ସ୍ବାଭାବିକ ତୁଳନାରେ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ପାରଦ । ୩୧ ତାରିଖ ପରେ ପୁଣି ବଦଳିବ ପାଗ । ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ପୁଣି ଭିଜିବ ଓଡ଼ିଶା । ବିଶେଷ କରି ଉତ୍ତର ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । କାଁ ଭାଁ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ୩୧ ତାରିଖ ପରେ ବଦଳିବ ପାଗ । ପ୍ରଭାବରେ ପୁଣି ଭିଜିବ ଓଡ଼ିଶା । ଖରା ବର୍ଷାର ଲୁଚକାଳୀ ଖେଳ ମଧ୍ୟରେ ରାଜ୍ୟରେ ରାଜ୍ କରୁଛି ତାତି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଏବେ ସ୍ବାଭାବିକ ଠାରୁ ଅଧିକ ରହୁଛି ତାପମାତ୍ରା । ରାଜଧାନୀ ଭୁବନେଶ୍ବରରେ ୩୦ ରୁ ୩୨ ଡିଗ୍ରୀ ତାପମାତ୍ରା ସ୍ବାଭାବିକ ଥିବା ବେଳେ ଏବେ ୩୫ ରୁ ୩୬ ଡିଗ୍ରୀ ମଧ୍ୟରେ ରହୁଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।

 

ବିଜେଡିରେ ମିଶିଲେ ବିଜେପି କର୍ମୀ

ବରଗଡ଼: ବରଗଡ଼ ଜିଲ୍ଲା ପଦମପୁର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୬୦ଜଣ ବିଜେପି କର୍ମୀ । ପାଇକମାଳ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେଡିରେ ମିଶିଥିବା କହିଛନ୍ତି । ଆଗାମୀ ଦିନରେ ପଦମପୁରରେ ବିଜେଡି ଅଧିକ ସୁଦୃଢ ହେବା ସହିତ ବିକାଶ କାର୍ଯ୍ୟ ଆଗେଇବ ବୋଲି ନୂତନ ବିଜେଡି କର୍ମୀ କହିଛନ୍ତି । ମିଶ୍ରଣ ପର୍ବରେ ବରଗଡ଼ ପୂର୍ବତନ ସାଂସଦ ପ୍ରଭାସ ସିଂ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଗଞ୍ଜାମ ଜିଲ୍ଲାରେ 5T ସଚିବ, ବ୍ରହ୍ମପୁର, ସାନଖେମୁଣ୍ଡି, ଦିଗପହଣ୍ଡି ଓ ଚିକିଟିରେ ବିକାଶର ସମୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଗସ୍ତର ତୃତୀୟ ଦିନରେ ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ । ଆଜି ବ୍ରହ୍ମପୁରରେ ପହଞ୍ଚି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି 5T ସଚିବ । ଲୋକଙ୍କୁ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି । ଟାଟା ଏସଇଜେଡରେ ୪୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଚୁକ୍ତିନାମା ହୋଇଛି । ଯାହାଦ୍ବାରା ୧୦ ହଜାର ନିଯୁକ୍ତି ମିଳିବ । ମନ୍ଦିର ମସଜିଦ ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଆସିଛି, ତାହା ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ପୂରଣ ହେବ । ଯାହା ବି ଅନୁଦାନ ମିଳିବ, ତାକୁ ଭଲ ଭାବେ କାମ କରିବାକୁ ପରାମର୍ଶ ଦେଇଛନ୍ତି 5T ସଚିବ ।

ପିଇବା ପାଣି ନେଇ ଯାହା ସମସ୍ୟା ଅଛି, ତାହା ୨ ଦିନ ମଧ୍ୟରେ ସମାଧାନ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଞ୍ଜିନିୟର ପହଞ୍ଚିବେ । ଆପଣମାନଙ୍କ ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି 5T ସଚିବ । ସେହିପରି ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଶ୍ରମିକମାନଙ୍କ ମଜୁରୀ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ୧୦୦ କୋଟି ଟଙ୍କା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜାତୀୟ ପୁରସ୍କାର ଗଂଜାମ ପାଇଛି । ଦିବ୍ୟାଙ୍ଗ ଚିହ୍ନଟରେ ରେକର୍ଡ କରି ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ମିଳିଛି । ଏହାସହ ଏଚଆଇଭି କମାଇବାରେ ଗଂଜାମ ଜିଲ୍ଲା ରେକର୍ଡ କରି ଜାତୀୟ ପୁରସ୍କାର ପାଇଛି । ସାରା ଦେଶରେ ପ୍ରଥମ ଜିଲ୍ଲା ଭଣେ ଗଞ୍ଜାମରେ ଏଚଆଇଭି ସଂକ୍ରମିତଙ୍କୁ ଭତ୍ତା ଦିଆଯାଉଛି । ଗିରିସୋଲା ଚେକ୍ ଗେଟକୁ ଦୁର୍ନୀତି ମୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳ ମେଧାବୀ ପିଲାଙ୍କୁ ସହରରେ ମାଗଣା ପଢ଼ିବାର ଯୋଜନା ଅନ୍ୱେସା ପାଇଁ ଗଂଜାମରୁ ପ୍ରେରଣା ମିଳିଥିଲା । ସାରା ରାଜ୍ୟ ଓ ସାରା ଦେଶ ପାଇଁ ଗଂଜାମ ଉଦାହରଣ ସାଜିଛି ବୋଲି କହିଛନ୍ତି 5T ସଚିବ । ସେହିପରି ମିଶନ ଶକ୍ତି ମା’ମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ରଖିଛନ୍ତି । ପ୍ରତି ବର୍ଷ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ମିଳିବ । ପ୍ରତି ମାସ ସରକାର ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ଅନ୍ୟ କୌଣସି ରାଜ୍ୟରେ ନାହିଁ ବୋଲି କହିଛନ୍ତି 5T ସଚିବ । ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦିଆଯାଉଛି । ତାସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି। ଗଂଜାମ ଜିଲ୍ଲାର ୧ ଲକ୍ଷ ୨୫ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି ସେ କହିଛନ୍ତି ।

ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ ମାମଲା, ଧରାପଡ଼ିଲା ଅଭିଯୁକ୍ତ

କଟକ: ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ ମାମଲା । ଘଟଣାର ପର୍ଦ୍ଦାଫାସ କଲା କଟକ ସାଇବର ଥାନା ପୋଲିସ । ଘଟଣାରେ ଜଣେ ଅଭିନେତାଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମିଥୁନ ଭୋଇ । ମିଥୁନ ଚଳଚିତ୍ର ଜଗତରେ ଜଣେ ପାର୍ଶ୍ବ ଖଳନାୟକ ଭାବେ ଅଭିନୟ କରନ୍ତି । ତାଙ୍କ ନିକଟରୁ ଦୁଇଟି ସିମ୍ କାର୍ଡ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ମିଥୁନ ଚଳଚ୍ଚିତ୍ର ପ୍ରଯୋଜକଙ୍କ ନାଁରେ ନକଲି ହ୍ବାଟସଆପ୍ ଆକାଉଣ୍ଟ ଖୋଲି  ହ୍ୱାଟସଆପ ଚାଟ କରୁଥିଲା । ସେହି ଆକାଉଣ୍ଟରୁ ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରୁଥିଲା । ୨୦ରୁ ଅଧିକ ଅଭିନେତ୍ରୀଙ୍କୁ ହ୍ବାଟସଆପରେ ଅଶ୍ଳୀଳ ଚାଟିଂ କରୁଥିଲା ମିଥୁନ । ବଦନାମ କରିବା ଉଦ୍ଦେଶ୍ୟରେ ମିଥୁନ ଏଭଳି କରୁଥିବା  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର ।

ଢେଙ୍କାନାଳରେ କୁମ୍ଭୀର ଆତଙ୍କ

ଢେଙ୍କାନାଳ: ଢେଙ୍କାନାଳରେ କୁମ୍ଭୀର ଆତଙ୍କ । ମହାବୀର ରୋଡ୍ ରେଞ୍ଜ ଅନ୍ତର୍ଗତ ବାସୁଲେଇଠାରେ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି । ନଦୀରେ କୁମ୍ଭୀର ଥିବା ଚର୍ଚ୍ଚା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି । ବିନ ବିଭାଗ ତରଫରୁ ଲୋକଙ୍କୁ ସଚେତନ କରାଯାଉଛି । ନଦୀକୁ ନଯିବାରୁ ଲୋକଙ୍କୁ ସତର୍କ କରିଛି ବନ ବିଭାଗ ।

ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ଵତନ୍ତ୍ର ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ l କେ. ବଳାଙ୍ଗ ଥାନା ଲଙ୍ଗଳକଟା ଗାଁର ଯୁବକ ଶୁକରାମ ମୁଣ୍ଡା ଗତ ୨୦୨୦ ମସିହାରୁ ହତ୍ୟା ଅଭିଯୁକ୍ତ ଭାବେ ବଣାଇ ସ୍ଵତନ୍ତ୍ର ଉପ-କାରାଗାରରେ ଥିଲେ । ରବିବାର ମଧ୍ୟାହ୍ନରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହେଇଛି l ହଠାତ ଅସୁସ୍ଥ ହେବାରୁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ବଣାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି l

ବିଜେଡିରୁ ବାହାରିଥିବା ନେତାଙ୍କ ପ୍ରତି ମନମୋହନ ସାମଲଙ୍କ ଦୁର୍ବଳତା: ଲେନିନ ମହାନ୍ତି

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କ ପ୍ରତି ରହିଛି ମନମୋହନଙ୍କ ଦୁର୍ବଳତା । ଲୋକଙ୍କ ପଇସା ଖାଇଥିବା ନେତାଙ୍କୁ ତାଙ୍କ ଦଳରେ ମିଶାଇବା ପାଇଁ ସେ ବ୍ୟାକୁଳ । ଯୁବକଙ୍କୁ ଚାକିରୀ ଦେବା ନାଁରେ କୋଟି କୋଟି ଟଙ୍କା ଠକିଥିବା ନେତାଙ୍କୁ ଦଳରେ ମିଶାଇବାକୁ ବ୍ୟାକୁଳ ହେଉଛନ୍ତି । ପୂର୍ବ ନିର୍ବାଚନରେ ମଧ୍ୟ ବିଜେଡିରୁ ପ୍ରତ୍ୟାଖାତ ନେତାଙ୍କୁ ଦଳରେ ମିଶାଇଥିଲେ । ଜନତା ଏହାର ଉଚିତ ଜବାବ ଦେଇଛନ୍ତି । ବିଜେଡି ଲୋକପ୍ରିୟତାକୁ ସେ ସହିପାରୁନାହାନ୍ତି । ଗତବର୍ଷ ୩୦ଟି ଜିଲ୍ଲାରେ ବିଜେପି ପ୍ରତ୍ୟାଖ୍ୟାତ ହୋଇଛି । ପ୍ରତ୍ୟେକ ସର୍ଭେ ସୂଚାଇଛି ନଂ-୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ଫୁଲବାଣୀ: ଅସୁସ୍ଥ ଛାତ୍ରଙ୍କ ମୃତ୍ୟୁ ପାଇଁ ଅବହେଳାକୁ ଦାୟୀ କରି ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍କୁଲ ସମ୍ମୁଖ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳବାସୀ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ବ ହୀନତା ଯୋଗୁ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ଅପରାହ୍ନରେ ଷଷ୍ଠ ଶ୍ରେଣୀର ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ତଳେ ପଡ଼ି ଅଚେତ ହୋଇପଡ଼ିଥିଲେ । ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ୍ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।