ମୁମ୍ବାଇ ନାଁ କୋଲାକାତା, ଭାରତ କେଉଁଠି ଖେଳିବ ସେମିଫାଇନାଲ ମୁକାବିଲା ?

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବକପ ୨୦୨୩ ସେମିଫାଇନାଲ ପାଇଁ ୪ ଟିମ ମଧ୍ୟରୁ ୩ ଟିମ ନିଜର ସ୍ଥାନ ପକ୍କା କରିସାରିଛନ୍ତି । ଭାରତ, ଦକ୍ଷିଣଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସେମି ଟିକେଟ ହାସଲ କରିଥିବାବେଳେ ଚତୁର୍ଥ ସ୍ଥାନ ପାଇଁ ଜାରି ରହିଛି ଲଢ଼େଇ । ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ଏହି ରେସରେ ରହିଛନ୍ତି । ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବା ଦଳ ଚତୁର୍ଥ ସ୍ଥାନରେ ରହିଥିବା ଦଳ ସହ ଖେଳିବ । ଏହି ନିୟମ ଅନୁସାରେ ଯଦି ଭାରତ ପ୍ରଥମ ସେମିଫାଇନାଲ ମୁମ୍ବାଇରେ ଖେଳିବ । ମାତ୍ର ଯଦି ନ୍ୟୁଜିଲାଣ୍ଡ ବଦଳରେ ସେମି ଫାଇନାଲରେ ପାକିସ୍ତାନ ପ୍ରବେଶ କରେ ତାହେଲେ ସବୁ କିଛି ଗଡ଼ବଡ଼ ହୋଇଯିବ । ମୁମ୍ବାଇରେ କୌଣସି ମ୍ୟାଚ ପାକିସ୍ତାନ ଖେଳିବ ନାହିଁ ବୋଲି ପୂର୍ବରୁ ପିସିବି ପକ୍ଷରୁ ଆଇସିସିକୁ ଅନୁରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଏଭଳି ଅନୁରୋଧ କରାଯାଇଛି । ତେବେ ପାକିସ୍ତାନ ଯଦି ସେମିରେ ଭାରତକୁ ଭେଟେ ତାହେଲେ ଦ୍ବିତୀୟ ସେମି ଫାଇନାଲ ପାଇଁ ରହିଥିବା ଷ୍ଟାଡିୟମ ଇଡେନ ଗାର୍ଡେନରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଏବଂ ଦ୍ବିତୀୟ ସେମି ଫାଇନାଲ ମୁମ୍ବାଇର ଓ୍ବାଖଡେରେ ଅନୁଷ୍ଠିତ ହେବ ।

ପାକିସ୍ତାନ ନିଜର ଶେଷ ମ୍ୟାଚରେ ଇଂଲଣ୍ଡକୁ ଭେଟିବ । ସେପଟେ ଗୁରୁବାର ଶ୍ରୀଲଙ୍କାକୁ ଭେଟୁଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରି ବିଜୟ ଆଶାରେ ରହିଛି । ଏହି ମ୍ୟାଚ ଯଦି ନ୍ୟୁଜିଲାଣ୍ଡ ଜିତେ ତାହେଲେ ପାକିସ୍ତାନ ସେମି ଆଶା ଏକପ୍ରକାର ମଉଳି ଯିବ । ଯଦି ପାକିସ୍ତାନ ଜିତେ ତଥାପି ନେଟ ରନରେଟକୁ ହିସବ କରି ପାକିସ୍ତାନ ଆଗରେ ଏକ ବଡ଼ ଲକ୍ଷ୍ୟ ରହିବ । ଇଂଲଣ୍ଡ ନିଜର ଶେଷ ମ୍ୟାଚରେ ଜିତିଥିବାବେଳେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିବା ସହ ସମ୍ମାନର ସହ ଚଳିତ ବିଶ୍ବକପରୁ ବିଦାୟ ନେବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଆଫଗାନିସ୍ତାନ ନିଜର ଶେଷ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ସମାନା କରିବାକୁ ଯାଉଛି । ଏହି ମ୍ୟାଚରେ ଯଦି ଆଫଗାନିସ୍ତାନ ଆଶ୍ଚର୍ଯ୍ୟଜନକଭାବେ ବଡ଼ ରନ ବ୍ୟବଧାନରେ ଜିତେ ତାହେଲେ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଆଫଗାନିସ୍ତାନ ନିଜର ଶେଷ ମ୍ୟାଚରେ ଏକ ନିଶ୍ଚିତ ବିଜୟ ମ୍ୟାଚକୁ ହାତ ଛଡ଼ା କରିଥିଲା । ମ୍ୟାକ୍ସଓ୍ବେଲଙ୍କ ଦମଦର ଦ୍ବିଶତକ ମାଧ୍ୟମରେ ପରାଜୟ ବରଣ କରିଥିଲା ଆଫଗାନିସ୍ତାନ ।