କଲମ୍ବୋ: ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ଶ୍ରୀଲଙ୍କାକୁ ହରାଇ ଏସିଆ କପ ଫାଇନାଲରେ ରୋହିତ ବାହିନୀ । କୁଲଦୀପ ଯାଜବଙ୍କ ଦମଦାର ବୋଲିଂ ଏବଂ ୪ ଓ୍ବିକେଟ ଦଳକୁ ବିଜୟରେ ସହାୟକ ହୋଇଛି । ୪୧ ରନରେ ଭାରଜ ଜିତିଥିବାବେଳେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଭାରତ ପକ୍ଷରୁ ଶ୍ରୀଲଙ୍କା ଆଗରେ ୨୧୪ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ଓ୍ବାଲାଲାଙ୍ଗେ ସର୍ବାଧିକ ୪୨ ରନ କରିଥିବାବେଳେ ଧନଞ୍ଜୟ ଡିସିଲଭା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୂଳଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଜେଡ୍ ଓ୍ବାନ ମାଲିକ ସଂଘର ଅଭିଯୋଗ, ଠକିଛି ଜେଡ୍ ଇଷ୍ଟେଟ୍ !
ଭୁବନେଶ୍ବର: କଷ୍ଟ ଅର୍ଜିତ ଅର୍ଥରେ ଘର କିଣିବାର ସ୍ବପ୍ନ କେମିତି ପାଣିଫୋଟକା ପରି ମିଳେଇଯାଏ, ତାର ପ୍ରକୃଷ୍ଟ ଉଦାହାରଣ ହେଉଛି ‘ଜେଡ୍ ଓ୍ବାନ ହାଉସିଂ’ ପ୍ରକଳ୍ପ । ମହାକାଳ ଫଳ ଭଳି ଜେଡ ଇଷ୍ଟେଟ ଲୋକଙ୍କୁ ଏକ ରଙ୍ଗୀନ ଚିତ୍ର ଦେଖାଇ ଠକି ଦେଇଛି । ଜେଡ୍ ଓ୍ବାନ ମାଲିକ ସଂଘ ପକ୍ଷରୁ ଏଭଳି ଅଭିଯୋଗ ଆସିଛି । ଏନେଇ ଇଓଡବ୍ଲୁରେ ମଧ୍ୟ ଏକ ଅଭିଯୋଗ ହୋଇଛି । ୨୦୧୧ରେ ୨୬ ଏକର ୧୮୪ ଡିସିମିଲ ଜମିରେ ଜେଡ୍ ୱାନ ପ୍ରକଳ୍ପ ପାଇଁ ବିଡିଏରୁ ଅନୁମତି ମିଳିଥିଲା । ୨୧ଟି ଟାୱାର, ୨୬ଟି ଭିଲା, କ୍ଲବ ହାଉସ, କମ୍ୟୁନିଟି ସେଣ୍ଟର, କ୍ରେଚ୍ ଓ ଅନ୍ୟାନ କମନ ଅମେନିଟି ପାଇଁ ଅନୁମତି ମିଳିଥିଲା । ବୁକିଂ ସମୟରେ ଫେଜୱାରୀ କାମ ହେବ ବୋଲି କୁହାଯାଇଥିଲା ।
ଏଗ୍ରିମେଣ୍ଟ ଅନୁଯାୟୀ ଘରର ମାଲିକାନା ସହ କମନ ଏରିଆରେ ମଧ୍ୟ ସେୟାର ରହିବ ବୋଲି କୁହାଯାଇଥିଲା । ନିର୍ଦ୍ଧାରିତ ସମୟର ବର୍ଷେ ପରେ ସେଲ ଡିଡ୍ ଆରମ୍ଭ ହୋଇଥିଲା । ଯେଉଁ ଆଧାରରେ ସେଲ ଡିଡ୍ ହେବା କଥା ତାର ଉଲଂଘନ କରାଯାଉଥିଲା । ଏକଥା ଘର କ୍ରୟ କରୁଥିବା ବ୍ୟକ୍ତିମାନେ ଜାଣୁଥିଲେ ମଧ୍ୟ ବାଧ୍ୟବାଧକତାରେ ସେଲ ଡିଡ୍ କରିଥିବା ଅଭିଯୋଗ ହୋଇଛି । ଘର କିଣିବା ପରେ ଆସୋସିଏସନ ମଧ୍ୟ ଗଠନ କରାଗଲା ନାହିଁ । ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ୨୦୨୧ରେ ଆସୋସିଏସନ ଗଠନ କରାଗଲା । କିନ୍ତୁ ଘରର ମାଲିକାନା ସତ୍ତ୍ବ ଦିଆଗଲାନି । ଏଭିତରେ ବିଡିଏରେ ମୂଳ ପ୍ଲାନ ପରିବର୍ତ୍ତନ ମଧ୍ୟ କରାଯାଇଛି ।
ଏନେଇ ବିଡିଏରେ ଅଭିଯୋଗ ସହ ହାଇକୋର୍ଟରେ ଏକ ମାମଲା କରିଥିଲେ ଜେଡ୍ ୱାନ ଓନର୍ସ ଆସୋସିଏସନ । ପରିବର୍ଦ୍ଧିତ ପ୍ରକଳ୍ପରେ ମଧ୍ୟ ଆଇନର ଉଲଂଘନ କରାଯାଇଥିବାରୁ ରେରା ମଧ୍ୟ ନିଜ ଆଡୁ ମାମଲା କରିଛି । ଏନଜିଟି ଆଇନ ଅନୁଯାୟୀ ପ୍ରକଳ୍ପ ଏରିଆର ୨୦ ପ୍ରତିଶତ ଅର୍ଥାତ ୫ ଏକର ଜାଗାରେ ଗ୍ରୀନ ବେଲ୍ଟ କରିବା କଥା । ୫ ପ୍ରତିଶତ ବିଦ୍ୟୁତ ସୋଲାରରୁ ଉତ୍ପାଦିତ ହେବା କଥା । ରେନ ୱାଟର ହାର୍ଭେଷ୍ଟ ବି ହୋଇନି ।
ଏନେଇ ଏନଜିଟିରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ଘର ମାଲିକଙ୍କ ପ୍ରତି ଜେଡ୍ ଇଷ୍ଟେଟର ବେପରୁଆ ମନୋଭାବ ସହ ଲୋକଙ୍କୁ ସିଧାସଳଖ ଠକୁଥିବା ଅଭିଯୋଗ କରିଛନ୍ତି ଓନର୍ସ ଆସୋସିଏସନ । ବିଡିଏରୁ ଅନୁମତିପ୍ରାପ୍ତ ବିଲ୍ଟ ଅପ ଏରିଆ ଓ ୟୁଟିନୱାରୀ ଫ୍ଲାଟ ବିକ୍ରିକୁ ହିସାବ କଲେ ମଧ୍ୟ ବିଡିଏ ଆଇନର ଉଲଂଘନ କରି ଗ୍ରାହକଙ୍କୁ ଠକାଯାଇଛି । ୮ ଲକ୍ଷ ୩୬ ହଜାର ୬୫୨ ବର୍ଗ ଫୁଟ ଅଞ୍ଚଳ ବିକ୍ରି କରାଯାଇଛି । କିନ୍ତୁ ବିଡିଏରେ ୭ ଲକ୍ଷ ୪୬ ହଜାର ବର୍ଗଫୁଟ ନିର୍ମାଣର ହିସାବ ଦିଆଯାଇଛି । ଆଇନର ଗୋଲକ ଧନ୍ଦାରେ ବିନା ପ୍ଲାନ ଅନୁମୋଦନରେ କ୍ଲବ ଟାଉନ ପ୍ରକଳ୍ପ ତିଆରି କରି ବିକ୍ରି କରାଯାଇଛି ବୋଲି ଓନର୍ସ ଆସୋସିଏସନ ଅଭିଯୋଗ କରିଛି ।
ଜେନ ୱାନ ପ୍ରକଳ୍ପରେ ଏଫଡିଆଇ ଇନଭେଷ୍ଟମେଣ୍ଟ ହୋଇଥିବା ଦାବି କରାଯାଉଛି । କିନ୍ତୁ ଏଫଡିଆଇ ଇନଭେଷ୍ଟମେଣ୍ଟ କେଉଁଠି ବିନିଯୋଗ ହୋଇଛି ତାର ହିସାବ ମାଗୁଛନ୍ତି ଘର କିଣିଥିବା ବ୍ୟକ୍ତି । କ୍ଲବ ହାଉସ ପାଇଁ ପ୍ରତ୍ୟେକ କ୍ରେତାଙ୍କ ଠାରୁ ୭୫ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଛି । କିନ୍ତୁ କ୍ଲବରେ କ୍ରେତାଙ୍କ ମାଲିକାନା ନାହିଁ । ପାର୍କିଂ ଏରିଆକୁ ମଧ୍ୟ ବିକ୍ରି କରାଯାଇଛି । କମ୍ୟୁନିଟି ହଲକୁ ମଧ୍ୟ ବାଉନସର ଲଗେଇ ବନ୍ଦ କରାଗଲା । ଏନେଇ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି । ଫନିରେ ହୋଇଥିବା କ୍ଷୟକ୍ଷତି ଅର୍ଥ ବି ଘର ମାଲିକଙ୍କୁ ଦେବା ବଦଳରେ ଜେଡ୍ ଇଷ୍ଟେଟ ମାଲିକ ନିଜେ ଆତ୍ମସାତ କରିଦେଇଛନ୍ତି । ରାଜନୈତିକ ଓ ମିଡିଆ ବଳରେ ସେ ଗ୍ରାହକଙ୍କୁ ଧମକଚମକ ଦେଉଛନ୍ତି । ଅଭିଯୋଗ କରିବାରୁ ଅନେକ ପରିବାରକୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ଓନର୍ସ ଆସୋସିଏସନ ଅଭିଯୋଗ କରିଛି । ଜେଡ୍ ୱାନ ବିରୋଧରେ ଏମିତି ମାଳ ମାଳ ଅଭିଯୋଗ ସାମ୍ନାକୁ ଆସିଛି ।
ଚୀନ ପ୍ରେମରେ କେନ୍ଦ୍ର, ସୀମା ବିବାଦ ନେଇ ଡ୍ରାଗନ ସହ ମୁହାଁମୁହିଁ
ଭୁବନେଶ୍ବର: ଚୀନ ପ୍ରେମରେ କେନ୍ଦ୍ର । ସୀମାରେ ବିବାଦ ନେଇ ଡ୍ରାଗନ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି । ଅନ୍ୟପଟେ ବେଧଡ଼କ ଭାବେ ଚୀନ୍ ସାମଗ୍ରୀ ଭାରତକୁ ଆମଦାନୀ ହେଉଛି । ସ୍ଥିତି ଏମିତି ହେଲାଣି, ଆମଦାନୀ ପରିମାଣ ୮ ଲକ୍ଷ ୧୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି । ଆମଦାନୀ ତୁଳନାରେ ରପ୍ତାନୀ କମ୍ ଯୋଗୁ ଦେଶର ବାଣିଜ୍ୟିକ ନିଅଣ୍ଟ ୪.୭ ବିଲିୟନ୍ ଡଲାରରେ ପହଞ୍ଚିଛି । ବାଣିଜ୍ୟିକ ଚୁକ୍ତି ରଦ୍ଦ ନ କରି ଲୋକଙ୍କୁ ଚୀନ ଉତ୍ପାଦ ବର୍ଜନ କରିବା ଆହ୍ବାନ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ଚୀନ ସହିତ ଲାଗି ରହିଛି ସୀମା ବିବାଦ । ତଥାପି ଡ୍ରାଗନ୍ ପ୍ରେମରେ କେନ୍ଦ୍ର ସରକାର । ଚୀନ ସହିତ ତୁଟାଇ ନାହାନ୍ତି ବାଣିଜ୍ୟିକ ସମ୍ପର୍କ । ଦିନକୁ ଦିନ ବଢୁଛି ଚୀନ ଉପରେ ନିର୍ଭରଶୀଳତା । ରେଳ ଉପକରଣଠୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ, ମୋବାଇଲ ସମେତ ବିଭିନ୍ନ ଖାଉଟି ଉତ୍ପାଦନ ଆମଦାନୀ ବୃଦ୍ଧି ହେବାରେ ଲାଗିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଚୀନରୁ ଆମଦାନୀ ପରିମାଣ ୮ ଲକ୍ଷ ୧୭ ହଜାର ୨୮୪ କୋଟି ୧୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି । ଯାହାକି ଗତ ଆର୍ଥିକ ବର୍ଷ ଅପେକ୍ଷା ୪.୧୬ ପ୍ରତିଶତ ଅଧିକ ।
ଅନ୍ୟପଟେ ଚୀନକୁ ରପ୍ତାନୀ ପରିମାଣ କମିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ ଭାରତୀୟ ସାମଗ୍ରୀର ରପ୍ତାନୀ ପରିମାଣ ୨୮ ପ୍ରତିଶତ କମିଛି । ସ୍ଥିତି ଏମିତି ହେଲାଣି ଚୀନ ସହିତ ବାଣିଜ୍ୟିକ କାରବାର ଯୋଗୁ ଦେଶରେ ସାଂଘାତିକ ବାଣିଜ୍ୟିକ ନିଅଣ୍ଟ ବଢିଛାଲିଛି । ରପ୍ତାନୀ କମ୍ ହେଉଥିବାରୁ ବାଣିଜ୍ୟିକ ନିଅଣ୍ଟ ପରିମାଣ ୭୨.୯ ବିଲିୟନ୍ ଡଲାରରୁ ବୃଦ୍ଧି ଘଟି ୭୭.୬ ବିଲିୟନ୍ ଡଲାରରେ ପହଞ୍ଚିଲାଣି । ବିରୋଧୀ ଅଭିଯୋଗ କରିଛନ୍ତି, ସୀମା ବିବାଦ ଲାଗି ରହିଥିବା ବେଳେ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ନିଜ ମାନଚିତ୍ରରେ ଦେଖାଉଛି ଚୀନ । ଲୋକଙ୍କୁ ଚୀନ ସାମଗ୍ରୀ ବର୍ଜନ ପାଇଁ କହୁଥିବା କେନ୍ଦ୍ର ସରକାର ଚୀନ ସହିତ ବାଣିଜ୍ୟିକ ସଂପର୍କ ଛିନ୍ନ ନ କରିବା ଦୁର୍ଭାଗ୍ୟଜନକ । ଏହା ହିଁ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ।
ରପ୍ତାନୀ ତୁଳନାରେ ଆମଦାନୀ ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛନ୍ତି ଅର୍ଥନୀତିଜ୍ଞ । ଏପରି ହେଲେ ଦେଶର ବାଲାନସ୍ ଅଫ୍ ପେମେଣ୍ଟ୍ ବିଗିଡିଯିବ । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଚାଲୁ କଲେ ବି ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚୀନ ଉପରେ ନିର୍ଭରଶୀଳତାକୁ ଛାଡ଼ିପାରିନାହାନ୍ତି । ଚୀନରୁ କମ୍ ଦାମରେ କଞ୍ଚାମାଲ ମିଳୁଥିବାରୁ ଭାରତୀୟ ବ୍ୟବସାୟୀ ବେଧଡ଼କ ଚୀନରୁ ଆମଦାନୀ କରୁଛନ୍ତି । ଯେତେ ପରିମାଣରେ ଆମଦାନୀ ହେଉଛି ସେହି ତୁଳନାରେ ଯଦି ରପ୍ତାନୀ ହୁଅନ୍ତା ତାହେଲେ ବାଣିଜ୍ୟିକ ନିଅଣ୍ଟ ହୁଅନ୍ତା ନାହିଁ । ଏପରି ସ୍ଥିତି ଜାରି ରହିଲେ ଚୀନର ବଡ଼ ଭାଇ ପଣିଆ ଆହୁରି ବଢିଯିବ ବୋଲି ସମୀକ୍ଷକ ଆଶଙ୍କା ପ୍ରକାଶ କରିଛନ୍ତି ।
ସିଏମ୍ଆଇ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଚୀନରୁ ଆମଦାନୀ ବୃଦ୍ଧି ଯୋଗୁ ବାଣିଜ୍ୟିକ ନିଅଣ୍ଟ ଆହୁରି ବୃଦ୍ଧି ହୋଇଚାଲିଛି । ଗତ ଜୁଲାଇ ସୁଦ୍ଧା ଏହି ନିଅଣ୍ଟ ୨୦.୭ ବିଲିୟନ୍ ଡଲାରରେ ପହଞ୍ଚିଛି । ଏହି ହିସାବ କହୁଛି ଏବେ ବି ଭାରତୀୟମାନେ କେତେ ପରିମାଣରେ ଚୀନ ସାମଗ୍ରୀ ବ୍ୟବହାର କରୁଛନ୍ତି । ତାହେଲେ କେନ୍ଦ୍ର ସରକାରଙ୍କ ଚୀନ ସାମଗ୍ରୀ ବର୍ଜନ କଣ କେବଳ ସ୍ଲୋଗାନ୍ରେ ସୀମିତ? ତାକୁ ନେଇ ଉଠିଛି ପ୍ରଶ୍ନ ।
ଚାଷୀ ଭାଇ ସାବଧାନ! ବିଲରେ ମାତିଛି ସ୍କ୍ରବ ଟାଇଫସ
ନନ୍ଦିଘୋଷ ବ୍ୟୁରୋ: ଚାଷୀ ଭାଇ ସାବଧାନ! ବିଲକୁ ଯିବା ପୂର୍ବରୁ ସବୁ ଦିଗ ଦେଖିକି ଯାଅ । କାରଣ ବିଲରେ ମାତିଛି ସ୍କ୍ରବ ଟାଇଫସ । ଏହି ବ୍ୟାକ୍ଟେରିଆଲ ଇନଫେକ୍ସନ ଚିଗର ନାମକ କୀଟ କାମୁଡ଼ିଲେ ହେଉଛି । ଜ୍ବର ଆସୁ ଆସୁ ପରୀକ୍ଷା କରି ପ୍ରତିଶେଧକ ସେବନ ନ କଲେ, ମୃତ୍ୟୁ ହେବାର ଆଶଙ୍କା ରହିଛି । ସବୁ ହସ୍ପିଟାଲରେ ଏହାର ପରୀକ୍ଷା ପାଇଁ ସୁବିଧା ରହିଛି । ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ପରି ଜିଲ୍ଲାରେ ସ୍କ୍ରବ ଟାଇଫସ୍ ବ୍ୟାପିଛି । ହେଲେ ସର୍ବାଧିକ କେସ୍ କେନ୍ଦୁଝରରୁ ଆସୁଛି ।
ବିଲ କି ଜଙ୍ଗଲକୁ ଯିବା ସମୟରେ ଧ୍ୟାନ ଦିଅନ୍ତୁ । ଛୋଟ ପୋକଟିଏ କାମୁଡ଼ିଲେ ବି ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହି ଛୋଟ ପୋକ ଆପଣଙ୍କ ଜୀବନ ନେଇପାରେ । ଚିଗର ନାମକ କୀଟ ବିଲ ଓ ଜଙ୍ଗଲରେ ସ୍ଥିତି ବଢାଇଲେଣି । ଫସଲ କି ପତ୍ରରେ ଲୁଚି ରହୁଛନ୍ତି । ଏହି କୀଟର କାମୁଡ଼ା ଏତେ ବିଷାକ୍ତ ଯେ ଶରୀରର ସେହି ଚର୍ମ ମରି ସ୍କ୍ରବ ଟାଇଫସରେ ରୋଗୀକୁ ଆକ୍ରାନ୍ତ କରୁଛି । ଏହାର କିଛି ସମୟ ଭିତରେ ଦେହହାତ ବିନ୍ଧା ହୋଇ ଜର ହେବା ସହ ଶରୀର ଲାଲ୍ ପଡ଼ିଯାଏ । ଧୀରେ ଧୀରେ ମୁଣ୍ଡବିନ୍ଧା ଆରମ୍ଭ ହୋଇ ଶରୀରର ତାପମାତ୍ରା ବଢିବାରେ ଲାଗେ ।
ଯାହା ୧୪ରୁ ୨୧ ଦିନ ଯାଏ ରୋଗୀକୁ ଅସୁସ୍ଥ କରିବା ସହ ଶରୀରରେ ଲାଲ୍ ଓ କଳା ପଡ଼ିଯିବା ଭଳି ବଡ଼ ବଡ଼ ଚିହ୍ନ ହୋଇଯାଏ । ଏହି ସମୟରେ ସ୍କ୍ରବ ଟାଇଫସ୍ ଏତେ ଭୟାଭୟ ହୋଇଯାଏ ଯେ ରୋଗୀକୁ ମୃତ୍ୟୁ ମୁଖକୁ ଠେଲି ଦେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଜରର ପ୍ରଥମ ଷ୍ଟେଜରେ ହିଁ ଏହାର ପରୀକ୍ଷଣ ଆବଶ୍ୟକ । ପ୍ରଥମ ଷ୍ଟେଜରେ ରୋଗ ଚିହ୍ନଟ ହୋଇଗଲେ, ସାଧାରଣ ଆଣ୍ଟିବାୟୋଟିକ୍ କାମ ଦେବ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲର ଡିପିଏଜଏଲରେ ଏଲିଶା ପଦ୍ଧତିରେ କରିବାର ବ୍ୟବସ୍ଥା ରହିଛି ।
ସ୍କ୍ରବ ଟାଇଫସ୍ ଯୋଗୁ ଚାଷୀଙ୍କ ଚିନ୍ତା ହଜି ଯାଇଛି । ଗୋଟାଏ ପଟେ ଜୀବିକା ପାଇଁ ବିଲ ଯିବାକୁ ପଡ଼ୁଛି, ତ ଅନ୍ୟପଟେ ବିଲରେ ଛକି ବସିଛି ଅଜଣା କୀଟ । ଓଡ଼ିଶାର ଭାତହାଣ୍ଡି ବରଗଡ଼ରେ ସ୍କ୍ରବ ଟାଇଫସ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଦେଇଛନ୍ତି ।
ପୁଣି କେରଳକୁ ନିପା ଭୟ
ନନ୍ଦିଘୋଷ ବ୍ୟୁରୋ: କେରଳକୁ ପୁଣି ଫେରିଲା ନିପା ଭୟ। କୋଝିକୋଡ଼ ଜିଲ୍ଲାରେ ଜ୍ବରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ପୁଣି ଥରେ ରାଜ୍ୟରେ ନିପା ଭାଇରସ ବ୍ୟାପିବା ଆଶଙ୍କା ଦେଖାଦେଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ନେଇ ସମୀକ୍ଷା କରିଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ଏଥିସହ ଏକ କେନ୍ଦ୍ରୀୟ ଟିମ୍ କେରଳ ପଠାଇଯାଇଛି । ଉଭୟଙ୍କ ମୃତ୍ୟୁ ଏକ ଘରୋଇ ହସପିଟାଲରେ ହୋଇଛି । ନିପା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଣେ ମୃତକଙ୍କ ସଂପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। କୋଝିକୋଡ ହସପିଟାଲରେ ଆଇସୋଲେସନ୍ ଓ୍ବାର୍ଡ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଜୀବଜନ୍ତୁଙ୍କଠାରୁ ମଣିଷଙ୍କୁ ବ୍ୟାପେ ନିପା ଭାଇରସ । ବିଶେଷ କରି ବାଦୁଡ଼ିଠୁ ଏହା ବ୍ୟାପୁଥିବା କୁହାଯାଉଛି । ସଂକ୍ରମିତଙ୍କୁ ପ୍ରବଳ ଜ୍ବର, ମୁଣ୍ଡବିନ୍ଧା, ଶ୍ବାସକ୍ରିୟାରେ ସମସ୍ୟା ହୁଏ ।
ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର
ଭୁବନେଶ୍ବର: ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର । ଲୋକସେବା ଭବନରେ ଆୟୋଜିତ ହୋଇଥିବା ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉତ୍ତମ ମାନର ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଲକ୍ଷ ପୂରଣ ହୋଇପାରିବ । ମୋ ପାଇଁ ସବୁ ଜୀବନ ମୁଲ୍ୟବାନ । କେହି ବି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଇଏସଆଇ ହସ୍ପିଟାଲ ଏବେ ୮ ଲକ୍ଷ ଲୋକଙ୍କ ଚିକିତ୍ସା ଭାର ବହନ କରୁଛି । ମେଡିକାଲରେ କ୍ୟାରିୟର କରିବା ଏକ ନୋବେଲ ପ୍ରଫେସନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକେ ଡାକ୍ତରଙ୍କୁ ଜୀବନଦାତା ବୋଲି ଭାବନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉନ୍ନୟନ୍ନ କମିଶନର ଅନୁଗର୍ଗ, ବିଭାଗୀୟ ସଚିବ ଆରଏସ ଗୋପାଲନ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରମ ଓ ଇଏସଆଇ ବିଭାଗ ଅଧିନରେ ଏବେ ୪୫ଟି ହସ୍ପିଟାଲ ଓ ୧୨ଟି ଡିସେପନସରି କାମ କରୁଛି । ଆଗକୁ ଆଉ ୫ଟି ହସ୍ପିଟାଲ ସାମିଲ ହେବା ନେଇ ସରକାରଙ୍କୁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି ହୋଇଥିବା ମେଡିକାଲ ଅଧିକାରୀଙ୍କୁ ଡିଏସିପି ଓ ଡିଏନବି ବ୍ୟବସ୍ଥାର ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୌମ୍ୟଙ୍କୁ ବିଜେଡିର ଚେତାବନୀ, ନିଜକୁ ସୁଧୁରେଇ ନିଅନ୍ତୁ
ଭୁବନେଶ୍ବର: ନିଜକୁ ସୁଧୁରେଇ ନିଅନ୍ତୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏବେ ଦଳର ଉପସଭାପତି ପଦରୁ ବହିଷ୍କୃତ ହୋଇଛନ୍ତି । ଆଗକୁ ଯଦି ଏଭଳି ଦଳବିରୋଧୀ କାର୍ଯ୍ୟ ଜାରି ରଖିବେ ତେବେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛି ବିଜୁ ଜନତା ଦଳ । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସୌମ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ହରାଇସାରିଛନ୍ତି । ଏଣୁ ନିଜେ ବିଧାୟକ ପଦରୁ ଇସ୍ତଫା ଦେଇଦିଅନ୍ତୁ । ସୌମ୍ୟ ଦୀର୍ଘଦିନ ଧରି ଦଳବିରୋଧୀ ମତ ଦେଉଛନ୍ତି ।
ଏହାପଛରେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମନ୍ତ୍ରୀ ହେବା । ମନ୍ତ୍ରୀ ହେବା ପାଇଁ ସେ ବିଜେଡିକୁ ବ୍ଲାକମେଲିଂ କରୁଛନ୍ତି । ଯେଉଁଥିପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଉପସଭାପତି ପଦରୁ ବିଦା କରିଛନ୍ତି । ସାଂସଦ ଅମର ପଟ୍ଟନାୟକ ମଧ୍ୟ ସମାଲୋଚନା କରି ଇସ୍ତଫା ଦେବାକୁ ସୌମ୍ୟଙ୍କୁ ଆହ୍ବାନ ଦେଇଛନ୍ତି । ନିଜର ଅଭିସନ୍ଧି ପୂରଣ ହେଲାନି ବୋଲି ଦଳରେ ରହି ବ୍ଲାକମେଲ କରିବା ଚିନ୍ତାଧାରାକୁ ନବୀନ ଗ୍ରହଣ କରିନାହାନ୍ତି । ନବୀନଙ୍କୁ ବିଜେଡି ନେତା ଭେଟି ପାରୁନାହାଁନ୍ତି ବୋଲି ସୌମ୍ୟଙ୍କ ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସୌମ୍ୟଙ୍କୁ ଆଣି ରାଜ୍ୟସଭା ଓ ପରବର୍ତ୍ତୀ ସମୟରେ ବିଧାୟକ କରିଛି ବିଜେଡି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସୌମ୍ୟ ବିଧାୟକ ହେବାର ସୁଯୋଗ ପାଇଲେ । ପରେ ମନ୍ତ୍ରୀ ହେବାର ଇଚ୍ଛାକୁ ଚରିତାର୍ଥ କରିବାକୁ ବ୍ଲାକମେଲ କଲେ । ଯଦି ନୀତିନୈତିକତାର ଚର୍ଚ୍ଚା କରିବାର ଥିଲା ତେବେ ଦଳରେ ଯୋଗଦେଲା ବେଳେ କାହିଁକି ଭାବିନଥିଲେ ବୋଲି ଲେନିନ ପ୍ରଶ୍ନ କରିଛନ୍ତି । ସବୁ ସହାୟତା ପରେ ବି ସୌମ୍ୟ ଦଳକୁ ଯେଭଳି ବ୍ଲାକମେଲ କଲେ ତାହା ଦଳ ଗ୍ରହଣ କରିବନି । ଏଥିପାଇଁ ଉପସଭାପତି ପଦରୁ ବହିଷ୍କୃତ କରାଯାଇଛି ।
ବ୍ଲାକମେଲିଂ ପାଇଁ ଗଲା ସୌମ୍ୟଙ୍କ ଉପସଭାପତି ପଦ !
ଭୁବନେଶ୍ବର: ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପଦରୁ ହଟାଇଛନ୍ତି। ଗତ କିଛିଦିନ ଧରି ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ସଂପାଦକୀୟ ଆଳରେ ମିଛ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଅପଚେଷ୍ଟା କରୁଥିଲେ। ମନ୍ତ୍ରୀପଦ ଲୋଭରେ ନେତୃତ୍ବକୁ କରୁଥିଲେ ବ୍ଲାକମେଲ । ନା ଥିଲା ଦଳ ପ୍ରତି ଆନୁଗତ୍ୟ ନା ନେତୃତ୍ବ ପ୍ରତି କୃତଜ୍ଞତା । ନିଜର ରାଜନୈତିକ ଅଭିସନ୍ଧିକୁ ପୂରଣ କରିବାକୁ ଦଳକୁ କରୁଥିଲେ ବ୍ଲାକମେଲ । ଏଥିପାଇଁ ଦେଉଥିଲେ ଦଳ ବିରୋଧୀ ମନ୍ତବ୍ୟ । ଯେଉଁଥିପାଇଁ ତାଙ୍କ ବିରୋଧରେ ବିଜେଡି ସଭାପତି କାର୍ଯାନୁଷ୍ଠାନ ନେଇଛନ୍ତି ।
ବ୍ଲାକମେଲିଂ ପାଇଁ ଗଲା ପଦ ! ଉପସଭାପତି ପଦରୁ ସୌମ୍ୟ ବିଦା। ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ। ବିଜେଡି ସୁପ୍ରିମୋଙ୍କ ବଡ଼ ଆକ୍ସନ୍ । କୌଣସି ପଦପଦବୀ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ଲୋଭ ନଥିବା କହି ବିଜେଡିରେ ଯୋଗ ଦେଇଥିବା ସୌମ୍ୟଙ୍କ ରାଜନୈତିକ ଲାଳସାରେ ଲାଗିନଥିଲା ରୋକ୍ । ଯେଉଁଥିପାଇଁ ପ୍ରଥମେ ରାଜ୍ୟସଭା, ତାପରେ ବିଧାୟକ ଆଉ ବିଧାୟକ ହେବା ପରେ ମନ୍ତ୍ରୀ ପଦ ପାଇଁ ଲାଳାୟିତ ହୋଇଥିଲେ । ମନ୍ତ୍ରୀପଦ ଲୋଭ ହିଁ ତାଙ୍କୁ ବ୍ଲାକମେଲର ଭାବେ ଛିଡା କରାଇଥିଲା ।
ନେତୃତ୍ବକୁ ବ୍ଲାକ ମେଲ କରିବାକୁ ଆଲେଖ୍ୟ ମାଧ୍ୟମରେ ଦଳର ସବୁ ନିଷ୍ପତ୍ତିକୁ ଚ୍ୟାଲେଂଜ କରୁଥିଲେ । ଆଲେଖ୍ୟକୁ ଅସ୍ତ୍ର କରି ଦଳକୁ ବ୍ଲାକମେଲିଂ କରୁଥିଲେ। ଦଳରେ ରହି ଦଳ ବିରୋଧରେ ମତ, ମନ୍ତବ୍ୟ ଦେଇ ଗତ କିଛି ଦିନ ହେଲା ବିବାଦରେ ରହୁଥିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସ୍ବାର୍ଥ ପାଇଁ ସଂପାଦକୀୟରେ ଲେଖିଛନ୍ତି ସୁବିଧାବାଦର ଭାଷା। ବିନା ତଥ୍ୟ ପ୍ରମାଣରେ ଆଲେଖ୍ୟରେ ଆକ୍ଷେପ କରିଛନ୍ତି। ନିଜ ମାଲିକାନାରେ ଥିବା ଖବରକାଗଜକୁ ଢାଲ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ଆଉ ମିଛର ପ୍ରମାଣ ମାଗିଲେ ଚୁପ୍ ରହିଛନ୍ତି ସୌମ୍ୟ। ସୌମ୍ୟଙ୍କ ଏଭଳି ଦଳବିରୋଧୀ କାର୍ଯ୍ୟକୁ ସମାଲୋଚନା କରିଛନ୍ତ ଖଣ୍ଡପଡାବାସୀ। ସେହିଭଳି ରାଜ୍ୟସଭା ସାଂସଦ ତଥା ଦଳର ସାଧାରଣ ସଂପାଦକ ମାନସ ମଙ୍ଗରାଜ କହିଛନ୍ତି, ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ ।
ବିଜେଡି ଉପସଭାପତି ପଦରୁ ସୌମ୍ୟ ବିଦା ପ୍ରସଙ୍ଗରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । କୃତଜ୍ଞତା ନଥିଲେ ଈଶ୍ବର ସହାୟତା କରନ୍ତିନି ବୋଲି ପ୍ରଣବ କହିଛନ୍ତି । ପ୍ରଣବଙ୍କ ଏହି ଉକ୍ତିକୁ ସମୀକ୍ଷକ ବି ସମର୍ଥନ କରିଛନ୍ତି । କଂଗ୍ରେସରୁ ସାଂସଦ ହେଲେ, କିନ୍ତୁ ଦଳ ବିରୋଧୀ ଅଭିଯାନ କରି ବିଦା ହେଲେ । ବିଜେପିରେ ଥାଇ ବି ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଦା ହୋଇଥିଲେ । ରାଜନୈତିକ କ୍ୟାରିୟର ଆରମ୍ଭରୁ ସୌମ୍ୟ ରଂଜନ ଯେଉଁ ଦଳରେ ରହିଛନ୍ତି ସେହି ଦଳରେ ନେତୃତ୍ବ ବିରୋଧରେ ସ୍ବର ଉଠାଇଛନ୍ତି । ୨୦୧୮ ମାର୍ଚ୍ଚ ମାସରେ ବିଜେଡିରେ ଯୋଗ ଦେବା ସମୟରେ ସେ କହିଥିଲେ ଯେ, ସେ ପ୍ରତ୍ୟକ୍ଷ ରାଜନୀତି ପାଇଁ ଆଶାୟୀ ନୁହଁନ୍ତି । କେବଳ ଜନସଭା ପାଇଁ ବିଜେଡିରେ ଯୋଗ ଦେଇଥିବା କହିଥିଲେ । ଯେଉଁଥିପାଇଁ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । …
ଜନସେବା ପାଇଁ ବିଜେଡିରେ ଯୋଗ ଦେଇଥିବା ସୌମ୍ୟଙ୍କ ଅସଲ ଉଦ୍ଦେଶ୍ୟ ନଥିଲା ସେବା । ସେ ବିଜେଡିକୁ ଶିଢି କରି ନିଜର ରାଜନୈତିକ ସ୍ପପ୍ନକୁ ସାକାର କରିବାକୁ ଚେଷ୍ଟା କରୁଥିଲେ । ଯେଉଁଥିପାଇଁ ରାଜ୍ୟସଭା ସାଂସଦ ହେବା ପରେ ପୁଣି ଥରେ ବିଧାୟକ ହେବାକୁ ମନ ବଳାଇଥିଲେ । ଦିନକ ପାଇଁ ହେଲେ ବି ବିଧାୟକ ହେବାକୁ ଅଡି ବସିଥିଲେ ସୌମ୍ୟ । ତାଙ୍କ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ୨୦୧୯ରେ ତାଙ୍କୁ ଖଣ୍ଡପଡାରୁ ପ୍ରାର୍ଥୀ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କ୍ରେଜ ଓ ବିଜେଡି ସରକାରର ବିକାଶମୂଳକ କାର୍ଯ୍ୟର ଫଳସ୍ବରୂପ ସୌମ୍ୟ ରେକର୍ଡ ସଂଖ୍ୟକ ଭୋଟରେ ଜିତିଥିଲେ । ନିର୍ବାଚନ ଜିତିବା ପରେ ତାଙ୍କ ଲୋଭ ପୁଣି ବଢିଥିଲା । ମନ୍ତ୍ରୀପଦ ପାଇଁ ଆରମ୍ଭ ହୋଇଥିଲା ଦାବି ।
ଏଥିପାଇଁ ସେ ବିଭିନ୍ନ ଢଙ୍ଗରେ ଦଳର ସୁପ୍ରିମୋ ଓ ନେତୃତ୍ବକୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ନିର୍ବାଚିତ ହେବା ପରେ ଗତ ସାଢେ ଚାରି ବର୍ଷ ମଧ୍ୟରେ ଥରେ ହେଲେ ନିର୍ବାଚନମଣ୍ଡଳୀକୁ ଯାଇନାହାଁନ୍ତି । ପୌର ଓ ପଂଚାୟତ ନିର୍ବାଚନରେ ବି ଦାୟିତ୍ବ ନେଇନଥିଲେ । ତାଙ୍କ ବିରୋଧରେ ବିଧାୟକ ହାତପାଣ୍ଠି ବିକ୍ରି ଅଭିଯୋଗ ମଧ୍ୟ ଆସିଥିଲା । ନିର୍ବାଚନମଣ୍ଡଳୀର ବିକାଶର ଦାୟିତ୍ବ ନେଉନଥିବା ନେତା ମନ୍ତ୍ରୀ ହେବାକୁ ଅଡିବସି ହତାସ ହେବା ପରେ ଆରମ୍ଭ କରିଥିଲେ ଦଳବିରୋଧୀ ଅଭିଯାନ ।
ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସିଧାସଳଖ ଲୋକଙ୍କ ପାଖକୁ ଯାଉଛି। ଲୋକଙ୍କ ସମସ୍ୟା ବୁଝୁଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏସବୁ କଥା ଜାଣି ମଧ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ। ଏବେବି ସୌମ୍ୟଙ୍କ ହାତରେ ସମୟ ଅଛି, ଆଗକୁ ଯଦି ନିଜ ଆଭିମୁଖ୍ୟ ପରିବର୍ତ୍ତନ କରନ୍ତି, ତାହାଲେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରନ୍ତି । କିନ୍ତୁ ଆଭିମୁଖ୍ୟ ନବଦଳାଇଲେ, ବଡ଼ କାର୍ଯ୍ୟାନୁଷ୍ଠାନ ହୋଇପାରେ ।
ତେବେ ପ୍ରଶ୍ନ ଉଠୁଛି, ସ୍ବାର୍ଥ ପାଇଁ କେମିତି ଏତେ ତଳକୁ ଖସିଗଲେ ସୌମ୍ୟ? ଯେଉଁ ଦଳରୁ ସାଂସଦ, ବିଧାୟକ ହେଲେ, ତାକୁ କେମିତି ବ୍ଲାକମେଲିଂ କଲେ? କୃତଜ୍ଞତା ଦେବା ବଦଳରେ କୃତଘ୍ନ ହୋଇଗଲେ ସୌମ୍ୟ । ନିଜ ସ୍ବାର୍ଥ ପାଇଁ ଦଳୀୟ ଅନୁଶାସନକୁ ଭୁଲିଗଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦାକୁ ବି ପାଶୋରି ଦେଲେ । ନିଜ ମାଲିକାନାରେ ଥିବା ଖବରକାଗଜକୁ ଅସ୍ତ୍ର କରି ଲୋକଙ୍କୁ ଭୁଆଁ ବୁଲାଇବାକୁ କରୁଥିଲେ ହୀନ ପ୍ରୟାସ ।
ଆଉ ରହିବନି ଲୋକଙ୍କ ସମସ୍ୟା, ଯୁଦ୍ଧକାଳୀନ ଭିତ୍ତିରେ ହେବ ସମାଧାନ
ଭୁବନେଶ୍ବର: ଆଉ ରହିବନି ଲୋକଙ୍କର ସମସ୍ୟା । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭ କରି 5T ସଚିବଙ୍କ ଜିଲ୍ଲାଗସ୍ତ ବେଳେ ଯେଉଁ ଅଭିଯୋଗ ଆସିଛି ତାହାର ତୁରନ୍ତ ସମାଧାନ କରାଯାଉଛି । 5T ସଚିବଙ୍କ ଜିଲ୍ଲାଗସ୍ତ ସମୟରେ ଆସିଥିବା ଅଭିଯୋଗର ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜନସେବାକୁ ମୂଳମନ୍ତ୍ର କରି ଲୋକଙ୍କ ସମସ୍ୟାକୁ ଫୋକସ କରି କାମ କରାଯାଇଛି ବୋଲି ଶାସକ ଦଳ କହିଛି ।
ଦୀର୍ଘକାଳୀନ ସମସ୍ୟା, ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ । ଲୋକଙ୍କ ଅଭିଯୋଗକୁ ତ୍ବରାନ୍ବିତ କରୁଛି ସିଏମଓ । 5T ସଚିବଙ୍କ ଜିଲ୍ଲାଗସ୍ତରୁ ମିଳିଛି ୫୩ହଜାର ୯୫୩ ଅଭିଯୋଗ । ୩୦ ହଜାରରୁ ଅଧିକ ସମସ୍ୟା ସମାଧାନର ଫିଟିଛି ବାଟ । ରାଜ୍ୟ ସରକାରଙ୍କ ଫୋକସରେ ଲୋକଙ୍କ ଅଭିଯୋଗ । ନବୀନ ଶାସନର ମୂଳମନ୍ତ୍ର ଜନସେବା । ଲୋକଙ୍କ କଥାରେ ଚାଲିବ ସରକାର । ସମସ୍ୟା ଯେଉଁଠି, ସରକାର ସେଇଠି । ସମୟ ଭିତରେ ଲୋକଙ୍କ ଅଭିଯୋଗର କରାଯିବ ସମାଧାନ ।
ଏହି ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ୩୦ ଜିଲ୍ଲା ଗସ୍ତ କରି ୫୩ହଜାର ୯୫୩ ଅଭିଯୋଗ ପାଇଥିଲେ । ଯାହାର ତୁରନ୍ତ ସମାଧାନ ନେଇ ପ୍ରକ୍ରିୟା ତ୍ବାରାନ୍ବିତ ହୋଇଛି । ସିଏମଓଙ୍କୁ ମିଳିଥିବା ମୋଟ ୫୩ହଜାର ୯୫୩ଟି ଅଭିଯୋଗରୁ ଏଯାଏ ୩୧ ହଜାର ୨୩୫ଟି ସମସ୍ୟାର ସମାଧାନ କରାଯାଇଛି । ସେହିପରି ୨୨ ହଜାର ୭୧୮ଟି ସମସ୍ୟା ବିଚାରାଧୀନ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ମଙ୍ଗ ଧରିବା ଠାରୁ ଲୋକଙ୍କ ଅଭିଯୋଗର ସମାଧାନ କରିବା ପ୍ରଥମ କର୍ତ୍ତବ୍ୟ ବୋଲି ନିର୍ଦ୍ଦେଶ ରହିଛି । ସେଥିପାଇଁ ଲୋକଙ୍କ ଆଶୀର୍ବାଦ ସବୁ ନିର୍ବାଚନରେ ଦଳକୁ ମିଳୁଛି ବୋଲି ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ ଜିଲ୍ଲାସ୍ତର ଯାଏଁ, ଯେଉଁଠି ବି ଲୋକଙ୍କ ଅଭିଯୋଗ ଆସୁଛି ତାହାକୁ ସ୍ବତନ୍ତ୍ର ଭାବେ ବିଚାର କରି ସମାଧାନ କରାଯାଉଛି । ହୀରାକୁଦ ବିସ୍ଥାପିତଙ୍କୁ ୫୦ବର୍ଷ ପରେ ଜମିପଟ୍ଟା ମିଳିବା ସହ ଜଟଣୀ, ଗଂଜାମ ସମେତ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇଛି । ଚାଷୀ, ଚାଷ ସମ୍ପର୍କୀତ ସମସ୍ୟାର ସମାଧାନ ୭ ଦିନରେ କରାଯିବ । ଯେଉଁ ବିଭାଗରେ ସମସ୍ୟା ରହିଛି ତାର ସମାଧାନ ପାଇଁ ଡେଡଲାଇନ ଫିକ୍ସ କରାଯାଇଛି । ଫଳରେ ଲୋକଙ୍କ ସମସ୍ୟା ଦୂର କରିବା ସହଜ ହୋଇଛି ।
ଜାଣନ୍ତୁ ଦେଶରେ କେବେ ହେବ ନିର୍ବାଚନ?
ନନ୍ଦିଘୋଷ ବ୍ୟୁରୋ: ଦେଶରେ ଆଗୁଆ ନିର୍ବାଚନ ନେଇ ଜାରି ରହିଛି ସସପେନ୍ସ । ରାଜନୈତିକ ଦଳ ଗୁଡିକ କିନ୍ତୁ ନିର୍ବାଚନକୁ ଲକ୍ଷ୍ୟ ରଖି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହାରି ଭିତରେ ନିର୍ବାଚନ କମିଶନଙ୍କ ଟିମ୍ ସବୁ ରାଜ୍ୟକୁ ଗସ୍ତ କରୁଛନ୍ତି। ବୁଧବାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବେ ନିର୍ବାଚନ ଆୟୋଗଙ୍କ ଏହି ଟିମ । ଅନ୍ୟପଟେ ଦେଶ ଓ ରାଜ୍ୟରେ ଆଗୁଆ ନିର୍ବାଚନ ହେବ କି ନାହିଁ, ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।
ଦେଶରେ ହେବ କି ଆଗୁଆ ନିର୍ବାଚନ ? ଏବେ ସମ୍ଭବ କି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍? ପ୍ରସ୍ତୁତି ଭିତରେ ସସପେନ୍ସ ଜାରି। ବୁଧବାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା। ପୁଣି ତାଜା ହୋଇଛି ଆଗୁଆ ନିର୍ବାଚନୀ ପ୍ରସ୍ତୁତି। ଯଦି ଦେଶରେ ଆଗୁଆ ନିର୍ବାଚନ ହୁଏ, ତେବେ ଓଡ଼ିଶା କେତେ ପ୍ରସ୍ତୁତ, ତାର ସମୀକ୍ଷା ହେବ। କାଲି ଖାରବେଳ ଭବନରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କ ବୈଠକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଯୋଗଦେବେ। ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଲୋଚନା ହେବ। ଭୋଟର ତାଲିକା ସଂଶୋଧନ ପାଇଁ ଚାଲିଛି ପ୍ରକ୍ରିୟା।
ସେପଟେ ଓଡିଶାକୁ ନିର୍ବାଚନ କମିଶନଙ୍କ ଟିମ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ଆଗୁଆ ନିର୍ବାଚନ ଓ ୱାନ ନେସନ ୱାନ ଇଲେକ୍ସନ ଚର୍ଚ୍ଚା ଭିତରେ ଲୋକେ ଦ୍ୱନ୍ଦ୍ବରେ ଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେଇ ଆଶଙ୍କାରେ ସବୁ ରାଜନୈତିକ ଦଳ ନିର୍ବାଚନ ପ୍ରସ୍ତୁତିରେ ଲାଗିଛନ୍ତି। କଂଗ୍ରେସ ବି ପ୍ରସ୍ତୁତ ହେଉଛି ।
ସବୁ ନିର୍ବାଚନ ମଣ୍ଡଳୀରେ କାମ ଆରମ୍ଭ ହୋଇଛି। ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି । ଯେତେବେଳେ ନିର୍ବାଚନ ହେବ ଦଳ ପ୍ରସ୍ତୁତ ବୋଲି ବରିଷ୍ଠ ବିଜେଡି ନେତା ସୁବାସ ସିଂହ କହିଛନ୍ତି। ଅନ୍ୟପଟେ ନିର୍ବାଚନ ଆଗୁଆ ହେବ କି ଠିକ ସମୟରେ ହେବ କେନ୍ଦ୍ର ସ୍ପଷ୍ଟ କରୁନାହିଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ନିର୍ବାଚନ କମିଶନଙ୍କ ଟିମର ଗସ୍ତ ଆଗୁଆ ନିର୍ବାଚନ ନେଇ ସଙ୍କେତ ଭାବେ କୁହା ଯାଇପାରିବ ବୋଲି ସମୀକ୍ଷକ କହିଛନ୍ତି।

