କଲମ୍ବୋ: ଏସିଆ କପର ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ବର୍ଷା ମ୍ୟାଚ ଗୁଡ଼ିକରେ ବାଧକ ସାଜିଥିଲେ ସୁଦ୍ଧା ପରବରରର୍ତ୍ତୀ ସମୟରେ ମ୍ୟାଚ ଅନୁଷ୍ଠିତ ହୋଇଛି ଏବଂ ଭାରତ ସପକ୍ଷରେ ମ୍ୟାଚ ଯାଇଛି । ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୪୧ ରନରେ ବିଜୟ ହାସଲ କରିଛି ରୋହିତ ବାହିନୀ । ଦଳ ଫାଇନାଲରେ ପ୍ରଥମ ଦଳଭାବେ ପ୍ରବେଶ କରିଥିବାବେଳେ ଦ୍ବିତୀୟ ଦଳଭାବେ ଶ୍ରୀଲଙ୍କା ଏବଂ ପାକିସ୍ତାନ ରେସରେ ରହିଛନ୍ତି । ଶ୍ରୀଲଙ୍କାରେ ବର୍ଷା ହେବାର ସମ୍ଭାବନା ଅଧିକ ଥିବାବେଳେ ଯଦି ବର୍ଷା ହୁଏ ତାହେଲେ ନେଟ ରନରେଟ ହିସାବରେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବ । ଉଭୟ ଦଳ ବାଲାଂଦେଶକୁ ହରାଇ ୨ ପଏଣ୍ଟ ଲେଖାଏଁ ପାଇଥିବାବେଳେ ନେଟ ରନରେଟରେ ପଛରେ ରହିଛି ପାକିସ୍ତାନ । ଯଦି ମ୍ୟାଚ ଅନୁଷ୍ଠିତ ହୁଏ ଏବଂ ପାକିସ୍ତାନ ଜିତେ ତାହେଲେ ଫାଇନାଲ ଆଶା ଉଜ୍ଜିବିତ ହେବ ।
ସ୍ବର୍ଗତ ସୂର୍ଯ୍ୟପାତ୍ରଙ୍କର ଦ୍ବାଦଶାହରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଆଜି ଦ୍ବାଦଶାହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାଦଶାହରେ ଯୋଗଦେଇ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ସୂର୍ଯ୍ୟପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଅନ୍ୟ ରାଜନେତା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ନେଇ ଅନେକ ନେତା ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି ସୁଶାନ୍ତ ରାଉତ, ନୃସିଂହ ସାହୁ, ସୁର ରାଉତରାୟ ପ୍ରମୁଖ ଭୁବନେଶ୍ବର ବାସଭବନରେ ପହଞ୍ଚି ସୂର୍ଯ୍ୟପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ
ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ । ଆସିକା ନିର୍ବାଚନ ମଣ୍ଡଳୀର ସଦସ୍ୟ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ଆଜି ବିଜେପି ଦଳ ଛାଡିଛନ୍ତି । ଆଜି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ସେ ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେଡିକୁ ସ୍ୱାଗତ କଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ମାନସ ମଙ୍ଗରାଜ । ପ୍ରଣବ କହିଛନ୍ତି ଯେ, ରଞ୍ଜନ ଆଜି ଘରକୁ ଫେରିଛନ୍ତି । ସେମାନେ ବୁଝିଲେ ଯେ ନବୀନ ପଟ୍ଟନାୟକ ହି ରାଜ୍ୟ ଓ ଗଞ୍ଜାମର ବିକାଶ କରି ପାରିବେ । ରଞ୍ଜନଙ୍କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଣିଛନ୍ତି । ବିଜେଡି ଏକ ମାତ୍ର ଦଳ ଯିଏ ଓଡ଼ିଶା ପାଇଁ କାମ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମୋ ପରିବାର ।
ଏ ନେଇ ମାନସ ମଙ୍ଗରାଜ କହିଛନ୍ତି ଯେ, ରଞ୍ଜନ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଆଜି ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେମାନେ ଯୋଗ ଦେଇଛନ୍ତି ।
ବିଜେଡିରେ ମିଶିବା ପରେ ରଞ୍ଜନ ପଲେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶାଳ ହୃଦୟ ରଖି ସେ ମତେ ଗ୍ରହଣ କରିଛନ୍ତି । ବିଜେଡି ନୀତି ଆଦର୍ଶ ଓ ଓଡ଼ିଶା ଉନ୍ନତିରେ ମୋର ସହଯୋଗ ରହିବ । ଆଶୀର୍ବାଦ ଓ ସହଯୋଗ ପାଇଁ ଧନ୍ୟବାଦ । ବିନା ଦ୍ଵିଧାରେ ଲତିକା ପ୍ରଧାନ ମତେ ବିଜେଡି ଆଣିଛନ୍ତି । ମୁଁ ଓ ବିକ୍ରମ ପଣ୍ଡା ଛାତ୍ର ରାଜନୀତିରୁ କାମ କରିଛୁ । ମୁଁ ବିଜେଡିରେ ଥିଲି । ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ମନମାନୀକୁ ପ୍ରତିବାଦ କରି ୨୦୧୭ରେ ବିଜେପିରେ ଯୋଗ ଦେଇଥିଲି । ହେଲେ ବିଜେପି ରାଜ୍ୟ ଉନ୍ନତି ପାଇଁ ନୁହେଁ, ନିଜ ପାଇଁ ଲଢ଼ୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଉ କୌଣସି ଦଳରେ ନାହିଁ । ଏଠି ଲୋକଙ୍କ ପାଖକୁ ଯାଇ ସହଯୋଗ କରି କାମ କରିବାରେ ସୁଯୋଗ ଅଛି ।
ଏ ନେଇ ଲତିକା ପ୍ରଧାନ କହିଛନ୍ତି ଯେ, ରଞ୍ଜନଙ୍କ ଘର ବାହୁଡ଼ା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପୁଣି ଘରକୁ ଫେରିଛନ୍ତି । ଆମେ ମିଳିମିଶି କାମ କରିବୁ ।
କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, ଏ ପର୍ଯ୍ୟନ୍ତ ୨୩ ଜଣ ହାରିଲେଣି ଜୀବନ
ଜୟପୁର: ରାଜସ୍ଥାନ କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଝାଡ଼ଖଣ୍ଡ ରାଞ୍ଚିର ଜଣେ ଛାତ୍ରୀ ବାଛିନେଇଛନ୍ତି ଚରମ ପଥ । ଏହା ସହ ଗତବର୍ଷ ଓ ଚଳିତ ବର୍ଷ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୨୩ରେ । ୧୬ ବର୍ଷ ବୟସ୍କା ଏହି ଛାତ୍ରୀ ନିଟ୍ ଲାଗି ପ୍ରସ୍ତୁତି ଚଳାଇଥିଲେ । ବିଜ୍ଞାନ ନଗର ଅନ୍ତର୍ଗତ ଛାତ୍ରୀନିବାସରେ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ରିଚା ସିହ୍ନା ନାମ୍ନୀ ଏହି ଛାତ୍ରୀଙ୍କ ମରଶରୀର ଛାତରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଗତକାଲି ରାତି ସାଢେ ୧୦ଟାରେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ଜାଣିବାକୁ ପାଇଥିଲା । ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଏକାଦଶ ଶ୍ରେଣୀର ଛାତ୍ରୀ ଥିଲେ ଏବଂ ନିଟ ଲାଗି ପ୍ରସ୍ତୁତ ହେବା ନିମନ୍ତେ କୋଟାକୁ ଯାଇଥିଲେ ।
ଗତବର୍ଷ କୋଟାରେ ୧୫ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଚଳିତ ବର୍ଷ ୮ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ।
ଏସିଆନ ଗେମ୍ସ: ୧୩ ଖେଳାଳିଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଏସିଆନ ଗେମ୍ସ ପାଇଁ ଚୟନ ହୋଇଥିବା ୧୩ ଖେଳାଳିଙ୍କ ପାଇଁ ସହାୟତା ଘୋଷଣା । ପ୍ରତି ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ରାଶି ଘୋଷଣା କରିଛନ୍ତି ।
ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ସହାୟତା ରାଶି ଘୋଷଣା ହୋଇଛି । ଆସନ୍ତା ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ଗେମ୍ସ ।
ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକେ
ସୋର: ସାମ୍ବାଦିକଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ମୃତ ସାମ୍ବାଦିକଙ୍କ ପରିବାର। ସୋର କାର୍ଯ୍ୟରତ ଥିବା ସାମ୍ବାଦିକ ଧୀରେଶ ଚନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ମିଳିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ମୃତକଙ୍କ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି ।
ବିଜେପି ଛାଡ଼ିଲେ ରଞ୍ଜନ ପଲାଇ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
ଗଞ୍ଜାମ: ରାଜ୍ୟ ବିଜେପିକୁ ଶକ୍ତ ଝଟକା । ବିଜେପି ଛାଡ଼ିଲେ ଗଞ୍ଜାମର ଯୁବ ବିଜେପି ନେତା ରଞ୍ଜନ ପଲାଇ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଞ୍ଜନ ପଲାଇ । ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ ରଞ୍ଜନ ପଲାଇ । ଗତ ନିର୍ବାଚନରେ କବିସୂର୍ଯ୍ୟନଗରରୁ ହୋଇଥିଲେ ବିଧାୟକ ପ୍ରାର୍ଥୀ । କବିସୂର୍ଯ୍ୟନଗରର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚିତ ରଞ୍ଜନ ପଲାଇ ।
ସାରା ଜିଲ୍ଲାରେ ବିଜେପିକୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ରଞ୍ଜନ । ଦଳୀୟ ବିଶୃଙ୍ଖଳା ସହିତ ରାଜ୍ୟ ବିଜେପି ସଭାପତିଙ୍କ ନୈରାଶ୍ୟଜନକ ମନ୍ତବ୍ୟକୁ ବିରୋଧ କରି ସମସ୍ତେ ଦଳ ଛାଡିଛନ୍ତି । ରଞ୍ଜନଙ୍କ ସହ ମଣ୍ଡଳ ସଭାପତି ଅଶୋକ ସାହୁ, ଅଶୋକ ପ୍ରଧାନ, ମୀନକେତନ ପାଣିଗ୍ରାହୀ, ସୁଦର୍ଶନ ସାହୁ ଓ ପ୍ରଶାନ୍ତ ସାହୁ ମଧ୍ୟ ବିଜେପି ଛାଡ଼ିଛନ୍ତି ।
ସେହିପରି କୋଦଳା ଏନଏସିର ୫ କାଉନସିଲରଙ୍କ ପ୍ରତିନିଧିଙ୍କ ସହ ପଞ୍ଚାୟତ ଓ ବୁଥ୍ ସଭାପତି, ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ସହ ଶତାଧିକ କର୍ମୀ ବିଜେପିରୁ ଇସ୍ତଫା ଦେଇଛନ୍ତି ।
ଲଘୁଚାପର ରୂପ ନେଲା ସୃଷ୍ଟ ଘୂର୍ଣ୍ଣିବଳୟ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରର ମଧ୍ୟଭାଗରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ୨୪ ଘଣ୍ଟାରେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଛତିଶଗଡ଼ ମୁହାଁ ହେବ ।
ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୨୨ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଢେଙ୍କାନାଳ ଓ କଟକରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି ।
ସେହିପରି ୧୨ ଜିଲ୍ଲାରେ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଏବଂ ୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ଚାଲିଛି ରେଡ
ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ପି.ଏଚ ଡିଭିଜନ-୧ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ବାଣେଶ୍ବର ନାଏକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ ।
ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ରଘୁନାଥପୁରରେ ଥିବା ୩ ମହଲା କୋଠା, ତାଳନ୍ଦାରେ ଥିବା ଦୁଇ ମହଲା କୋଠା ଓ ବାସଭବନରେ ଚଢ଼ାଉ ହୋଇଛି । ସେହିପରି ମାଣିତ୍ରୀରେ ଥିବା ସଂପର୍କୀୟଙ୍କ ଘର ସମେତ ଅଫିସରେ ଚାଲିଛି ଛାନିବନ୍ । ଚଢ଼ାଉରେ ୨ ASP, ୩ DSP, ୭ IIC, ଜଣେ SI, ୭ ASI ସାମିଲ ହୋଇଛନ୍ତି ।
ଆଜି ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା
ଭୁବନେଶ୍ବର: ଆଜି ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ । କର୍ମଶାଳା ଜରିଆରେ କଲେଜର ସମସ୍ୟା ଉପରେ ଆଲୋଚନା ହେବା ସହ ଡିଗ୍ରୀ କଲେଜ ଗୁଡ଼ିକରେ ରାଜ୍ୟ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ନେଇ ମନିଟରିଂ କରାଯିବ ।
ପାଖାପାଖି ୩୦୦ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷ କର୍ମଶାଳାରେ ଯୋଗଦେବେ । କାର୍ଯ୍ୟକ୍ରମରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ସମସ୍ୟାର ସମାଧାନ ଦିଗରେ ବାଟ ବାହାର କରାଯିବ । ଉଚ୍ଚଶିକ୍ଷା ପାଇଁ 5T ରୂପାନ୍ତର ପରି ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପର କାର୍ଯ୍ୟକାରିତା ଉପରେ ବି ସମୀକ୍ଷା କରାଯିବ । କଲେଜକୁ ନିୟମାନୁଯାୟୀ ସମୟ ଦେଇ ରିସର୍ଚ୍ଚ ଅନୁକୁଳ ବାତାବରଣ ସୃଷ୍ଟି କରିବା ନେଇ ବି କର୍ମଶାଳାରେ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ପାରିବ ।
ରାଜ୍ୟ ସରକାର ଶିକ୍ଷାରେ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରିବା ମୁଡରେ ନାହାନ୍ତି । ବହୁ ଦିନ ବ୍ୟବଧାନ ପରେ ଅଧ୍ୟକ୍ଷ କର୍ମଶାଳା ହେଉଥିବାରୁ ଅଧ୍ୟକ୍ଷମାନେ ସ୍ବାଗତ କରିଛନ୍ତି ।

