spot_img
Home Blog Page 2754

ଏଠି ପୂଜା ପାଆନ୍ତି ମୁଗୁନି ପଥର ଗଣେଷ

କଟକ: ପାଖେଇ ଆସୁଛି ପବିତ୍ର ଗଜାନନଙ୍କ ପୂଜା । ଏନେଇ କଟକ ସହରରେ ମୂର୍ତ୍ତି ତିଆରି ଠାରୁ ଆରମ୍ଭ କରି ସାଜସଜା କାମ ଜୋରସୋରରେ ଚାଲିଛି । ହେଲେ ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହର ସହ ଲାଗି ପଡିଛନ୍ତି କଟକ ବକ୍ସିବଜାର ବଢେଇସାହିର ଯୁବକମାନେ । ଲୋକକଥା ଅନୁଯାୟୀ କଳାପାହାଡ ଆକ୍ରମଣରୁ ରକ୍ଷା ପାଇଯାଇଥିବା ୫ ଶହ ବର୍ଷ ପୁରୁଣା  ମୁଗୁନିପଥରର ଆଦ୍ୟ ଗଣେଷ ମୂର୍ତ୍ତିକୁ ପଥୁରିଆମାନେ ଏଠାକୁ ଆଣି ସ୍ଥାପନ କରିବା ସହ ପୂଜା କରୁଛନ୍ତି । ମାନସିକ ପୁରଣ ହେଉଥିବା ବିଶ୍ବାସ କାରଣରୁ ଏଠାରେ ଥିବା ଗଣେଶଙ୍କୁ ପୂଜା କରିବାକୁ ସାରା ଓଡିଶାରୁ ଭକ୍ତମାନଙ୍କ ସମାଗମ ହୋଇଥାଏ।

ଗଣେଶ ପୂଜାରେ କମ୍ପିବ ଭାଇଚାରାର ସହର କଟକ ।  ପୂଜାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି  । ଚଳଚଞ୍ଚଳ ସମସ୍ତ ପୂଜା କମିଟି  । ଗଣେଶ ପୂଜା ପାଇଁ ସବୁଠୁ ବେଶି ଉତ୍ସାହିତ ବକ୍ସିବଜାର ବଢେଇସାହିର ଯୁବକମାନେ । ଏଠାରେ ଥିବା ବିରାଟ ମୁଗୁନି ପଥରରେ ନିର୍ମିତ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଧୁମଧାମରେ ପୂଜା କରାଯାଇଥାଏ  । ଲୋକକଥା ଅନୁଯାୟୀ ବାରବାଟୀ ଦୁର୍ଗ ପରିସରରେ ଥିବା ଆଦ୍ୟ ଗଣେଶ ମୂର୍ତ୍ତିକୁ କଳାପାହାଡ କବଳରୁ ରକ୍ଷା କରିବା ପାଇଁ ଗଡ଼ଖାଇରେ ପାଣି ଭିତରେ ଲୁଚାଇ ରଖାଯାଇଥିଲା । ପରେ ଏହି ସାହିର ପଥୁରିଆ ମାନେ ପ୍ରଭୁ ଗଣେଶଙ୍କ ଏହି ମୂର୍ତ୍ତିକୁ ଆଣି ନିଜ ସାହିରେ ସ୍ଥାପନ କରିଥିଲେ । ସେହି ଦିନଠାରୁ ଏହି ଆଦ୍ୟ ଗଣେଶ ବକ୍ସିବଜାର ବଢେଇସାହିରେ ପୂଜା ପାଇ ଆସୁଛନ୍ତି ।

 

 

ଖୋଲିଲା ମହିଳାଙ୍କ ଭାଗ୍ୟ, ଲାଗିଲା ବଡ଼ ଲଟେରୀ

ନନ୍ଦିଘୋଷ ବ୍ୟୁରୋ: ଭାଗ୍ୟ ଦେଲା ସାଥ୍‌ । ଲାଗିଗଲା ଲଟେରୀ । ମାସକୁ ମିଳୁଛି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ବୟସର ଅପରାହ୍ଣରେ ଜଣେ ବୃଦ୍ଧା ଲଟେରୀ ଜିତି ପ୍ରତି ମାସ ୧୦ ଲକ୍ଷ ୩୭ ହଜାର ଟଙ୍କା ପାଉଛନ୍ତି । ଆଉ ଏହି ଅର୍ଥ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି । ଖାଲି ସେତିକି ନୁହେଁ, ଲଟେରୀରେ ମିଳୁଥିବା ମାସିକ ୧୦ ଲକ୍ଷ ୩୭ ହଜାର ଟଙ୍କା ସେ ୩୦ ବର୍ଷ ପର୍ଯ୍ୟନ୍ତ ପାଇବେ ବୋଲି କୁହାଯାଇଛି । ଯାହାକି ସମସ୍ତଙ୍କୁ ଖୁବ୍‌ ଚକିତ କରିଛି ।

କଥାଟି ଆପଣଙ୍କର ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଜଣେ ୭୦ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ଯିଏକି ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ଲଟେରି ଜିତି ନିଜର ଭାଗ୍ୟ ପରିବର୍ତ୍ତନ କରିଛନ୍ତି । ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି ଇଂଲଣ୍ଡର । ଡୋର୍କିଙ୍ଗ ଅଞ୍ଚଳରେ ରହୁଥିବା ବୃଦ୍ଧା ମହିଳା ଡୋରିସ୍ ଷ୍ଟାନବ୍ରିଜ୍ ଏକ ଲଟେରୀ ଜିତିଥିଲେ । ଯାହାର ସମୟସୀମା ୩୦ ବର୍ଷ ରହିଛି ।

ଲଟେରୀ ତଥ୍ୟ ମୁତାବକ ବୃଦ୍ଧା ମହିଳା ଜଣକ ୩୦ ବର୍ଷ ଯାଏଁ ମାସିକ ୧୦,୦୦୦ ପାଉଣ୍ଡ ପାଇବେ । ଯାହାର ମୂଲ୍ୟ ପ୍ରାୟ ୧୦ଲକ୍ଷ ୩୭ ହଜାର ଟଙ୍କା । ଏହାକୁ ନେଇ ବୃଦ୍ଧା ମହିଳା ଡୋରିସ୍ ଷ୍ଟାନବ୍ରିଜ୍ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ବୟସ ୭୦ ବର୍ଷ । ଏହି ଲଟେରୀ ତାଙ୍କୁ ଶତାୟୁ ହେବାକୁ ଅର୍ଥାତ୍‌ ୧୦୦ ବର୍ଷ ବଞ୍ଚିବାକୁ ପ୍ରେରଣା ଦେଉଛି ।

ଡୋରିସ୍ ଷ୍ଟାନବ୍ରିଜ୍ ତାଙ୍କ ୭୦ତମ ଜନ୍ମଦିନରେ ଏକ ଲଟେରୀ ଟିକେଟ କିଣିବାକୁ ମନସ୍ଥ କରିଥିଲେ । ନ୍ୟାସନାଲ ଲଟେରୀ ଆପ୍ ଜରିଆରେ ସେ ଏକ ସେଟ୍ ଫର୍ ଲାଇଫ୍ ଟିକେଟ୍ କିଣିଥିଲେ । ହେଲେ ସେ ଜାଣି ନଥିଲେ ସେହି ଲଟେରୀ ତାଙ୍କର ଭାଗ୍ୟ ପରିବର୍ତ୍ତନ କରିଦେବ । ଲଟେରି କିଣି ଲଗାଇବାର ୭ଦିନ ପରେ ତାଙ୍କ ନିକଟକୁ ଏକ ମେଲ୍‌ ଆସିଥିଲା । ଯେଉଁଥିରେ ସେ ସୂଚନା ପାଇଥିଲେ କି, ତାଙ୍କୁ ୩୦ ବର୍ଷ ଯାଏଁ ମାସିକ ମାସିକ ୧୦,୦୦୦ ପାଉଣ୍ଡ ମିଳିବ । ଯାହାକୁ ଜାଣି ଡୋରିସ୍ ଷ୍ଟାନବ୍ରିଜ୍ ବହୁତ ଖୁସି ହୋଇଥିଲେ ।

ଏହି ସୂଚନା ପାଇବା ପରେ ସେ ଲଟେରୀ ଟଙ୍କାକୁ ନେଇ ଅନେକ ସ୍ୱପ୍ନ ଦେଖିଛନ୍ତି । ଯେପରିକି ତାଙ୍କର ୫୦ ବର୍ଷର ପୁରୁଣା ଘରକୁ ନୂଆ କରିବାକୁ ଯୋଜନା ରଖିଛନ୍ତି । ତାହା ସହିତ ଅନେକ କିଛି କରିବାକୁ ସ୍ୱପ୍ନ ଦେଖିଛନ୍ତି ଡୋରିସ୍ ଷ୍ଟାନବ୍ରିଜ୍

ଶେଷ ପର୍ଯ୍ୟାୟରେ ମୂର୍ତ୍ତି ତିଆରି କାମ  

ନନ୍ଦିଘୋଷ ବ୍ୟୁରୋ: ଆଉ କିଛି ଦିନର ଅପେକ୍ଷା । ଧରାପୃଷ୍ଠକୁ ଅବତରଣ କରିବେ ଗଜାନନ। ଏଥିପାଇଁ ଚଳ ଚଞ୍ଚଳ ସହର। ଗଣେଶ ମୂର୍ତ୍ତିରେ ଲାଗିଛନ୍ତି କାରିଗର । ଖୋର୍ଦ୍ଧା ଏବଂ ଧର୍ମଗଡର ମୂର୍ତ୍ତି କାରିଗର ମାନେ ରାତି ଦିନ ଏକ କରି ଲାଗିଛନ୍ତି ମୂର୍ତ୍ତି ଗଢିବାରେ । କାରିଗରଙ୍କ ତୁଳୀ ସ୍ପର୍ଶରେ ଜୀବନ୍ତ ହେଉଛି ମୂର୍ତ୍ତି । ପେଚା ଉପରେ ଗଣେଶ, ମୟୁର ଉପରେ ଗଣେଶ ମୂର୍ତ୍ତି କରୁଛି ଲୋକଙ୍କୁ ଆକର୍ଷିତ ।

ଧରାପୃଷ୍ଠକୁ ଅବତରଣ କରିବେ ଗଜାନନ। ବିଦ୍ୟାଦାତାଙ୍କ ପୂଜା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୂର୍ତ୍ତି କାରିଗର ମାନେ ଜୋରସୋରରେ ଲାଗିଛନ୍ତି ମୂର୍ତ୍ତି ତିଆରି କାର୍ଯ୍ୟରେ । ମାଟି ମୂର୍ତ୍ତିରେ ରଙ୍ଗ ଦେଇ ଏହାକୁ ଆକର୍ଷଣୀୟ କରୁଛନ୍ତି ।  କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ପାର୍ବଣ ପୂର୍ବରୁ ଦେଖିବାକୁ ମିଳୁଛି ଗଜାନନଙ୍କ ଭଳିକି ଭଳି ମୂର୍ତ୍ତି l ଦୁଇ ଶହ ଟଙ୍କାଠୁ ଆରମ୍ଭ କରି ୫୦ ହଜାର ଟଙ୍କା ର ରହିଛି ମୂର୍ତ୍ତି l ଏଥିସହ ଗ୍ରାହକ ଯେମିତି ଡିଜାଇନର କହିବେ ସେମିତି ମୂର୍ତ୍ତି ତିଆରି କରୁଛନ୍ତି କାରିଗର ।  ପେଚା ଉପରେ ଗଣେଶ, ମୟୁର ଉପରେ ଗଣେଶ, ପାହାଡରେ ଗଣେଷ ଏବଂ ଗଛ ତଳେ ଗଣେଷ ଥିବା ଡିଜାଇନ୍ ହୋଇଛି । ମୂର୍ତ୍ତି କାମ ନସରୁଣୁ ମୂର୍ତ୍ତି ବରାଦ କରିଦେଇଯାଉଛନ୍ତି ଲୋକେ ।

ସେହିପରି  ଜଟଣୀରେ ଜୋରସୋରରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି। ପ୍ରାୟ ୨୦୦ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ହେବ ଏଠାରେ ଗଣେଶ ପୂଜା ହୋଇଆସୁଛି । ପ୍ରାୟ ୧୧ଦିନ ଧରି ଗଣେଶ ପୂଜା ଜଟଣୀ ସହରକୁ କରିଥାଏ ଚଳଚଞ୍ଚଳ। ଏଥିପାଇଁ ପ୍ରସ୍ତୁତି ବି ଜୋରଦାର ଚାଲିଛି। ଜଟଣୀର କୁଦୀଆରି ଠାରେ ଚାଲିଛି ବିଘ୍ନ ବିନାଶକ ଙ୍କ ମୃଣ୍ମୟ ମୂର୍ତ୍ତି ତିଆରି। ମୂର୍ତ୍ତିର ଉଚ୍ଚତା ୪ଫୁଟ ରୁ ୨୦ଫୁଟ ପର୍ଯ୍ୟନ୍ତ ରହିଛି। ଶିଳ୍ପୀର ଶେଷ ସ୍ପର୍ଶରେ ମୂର୍ତ୍ତୀ ଗୁଡ଼ିକ ଜୀବନ୍ତ ସଦୃଶ ଦେଖାଯାଉଛି।

ଦ୍ରୁତ ଗତିରେ ଆଗେଇ ଚାଲିଛି ଶ୍ରୀସେତୁର ନିର୍ମାଣ କାର୍ଯ୍ୟ

ପୁରୀ: ଦ୍ରୁତ ଗତିରେ ଆଗେଇ ଚାଲିଛି ଶ୍ରୀସେତୁ ନିର୍ମାଣ କାର୍ଯ୍ୟ । ମାଳତିପାଟପୁର ବାଇପାସ ଠାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗୀକରଣ କରୁଥିବା ଏହି ସେତୁ ନିର୍ମାଣ ନେଇ ପାଖାପାଖି ୪୦ ଏକର ଜମି ଅଧିଗ୍ରହଣ ହୋଇଛି । ଏହି ସେତୁର ଲମ୍ବ ୨.୫ କିଲୋମିଟର ରହିଛି | ଏହାଦ୍ବାରା ବହିରାଗତ ଯାତ୍ରୀ, ପର୍ଯ୍ୟଟକ ତଥା ପୁରୀ ବାସିନ୍ଦାଙ୍କ ପାଇଁ ଗମନାଗମନ ବ୍ୟବସ୍ଥା ନେଇ ବେଶ ସୁବିଧା ହୋଇପାରିବ ବୋଲି ଜଣାପଡିଛି | ସରକାରଙ୍କ ଏହି ପ୍ରକଳ୍ପ ନିର୍ମାଣକୁ ନେଇ ସାଧାରଣରେ ସ୍ବାଗତ କରାଯାଇଥିବା ବେଳେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଚଳିତ ବର୍ଷ ଡିସେମ୍ବର ମଧ୍ୟରେ ଶେଷ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି  ।

ବିଶ୍ବ ମାନଚିତ୍ରରେ ବିଖ୍ୟାତ ହେବ ପୁରୀ । ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିବ ଶ୍ରୀସେତୁ । ବଡ ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଜାରି ରହିଛି ଅନେକ ପ୍ରକଳ୍ପ । ସେଥିରୁ ଏକ ପ୍ରମୁଖ ପ୍ରକଳ୍ପ ହେଉଛି ପୁରୀ ଶ୍ରୀସେତୁ । ମାଳତୀପାଟପୁର ବାଇପାସ ରାସ୍ତାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ପର୍ଯ୍ୟନ୍ତ ଏହା ସଂଯୋଗ କରିବ | ଏହି ସେତୁ ମୁଖ୍ୟତଃ ଟ୍ରମ୍ପେଡ଼ ବ୍ରିଜ ଆକାରର । ଏହି ସେତୁର ନିର୍ମାଣ କାର୍ଯ୍ୟ ଦୃତଗତିରେ  ଜାରି ରହିଛି | ଏନେଇ ୪୦ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ସେତୁ ନିର୍ମାଣ ପ୍ରାୟତଃ ୯୦ ପ୍ରତିଶତ ସରିଛି |  ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ବୃହତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇି ।

ପ୍ରାୟ ୧୬୧ କୋଟି ଟଙ୍କାରୁ ଅଧିକ ବ୍ୟୟଅଟକଳରେ ଶୀସେତୁ ନିର୍ମାଣ କାର୍ଯ୍ୟ ଚାଲିଛି  ।  ପ୍ରକଳ୍ପ ଶେଷ ହେଲେ ପୁରୀକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ଯାତ୍ରା ସୁଗମ ହେବା ସହ ଟ୍ରାଫିକ ସମସ୍ୟା କମିବ ବୋଲି ଆଶା କରାଯାଉଛି | ଶ୍ରୀସେତୁ ନିକଟ ସମଙ୍ଗ ମୌଜାରେ ଏକ ପାର୍କିଙ୍ଗ ସ୍ଥଳ ନିର୍ମାଣ ହୋଇଛି | ୪୭ ଏକର ପରିମିତ ଏହି ପାର୍କିଙ୍ଗରେ ୫୦ଟି ବ୍ୟାଟେରୀ ଗାଡ଼ି, ୩୫ଟି ଇଲେଟ୍ରିକ ବସ ରହି ପାରିବ | ରଥଯାତ୍ରା, ସୁନାବେଶ ଭଳି ଯାନିଯାତ୍ରା ସମୟରେ ଗହଳିକୁ ନଜରରେ ରଖି ସହରରେ ଭାରୀଯାନ ଯାତାୟାତ ବନ୍ଦ ରଖାଯିବା ବେଳେ ଏହି ଗାଡ଼ି ଗୁଡିକ ସାହାର୍ଯ୍ୟରେ ପର୍ଯ୍ୟଟକ ମାନେ ସିଧାସଳଖ ଶ୍ରୀ ଜଗନ୍ନାଥ ପାର୍କିଙ୍ଗକୁ ଯାଇ ପାରିବେ | ସରକାରଙ୍କ ଏହି ବୃହତ ପ୍ରକଳ୍ପ ଯୋଜନାକୁ ସାଧାରଣରେ ସ୍ବାଗତ କରାଯାଇଛି  ।

 

କ୍ରୀଡା ବିଭାଗକୁ ହସ୍ତାନ୍ତର କରାଗଲା ନବନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ

ରାଉରକେଲା: ରାଉରକେଲା ସହରରେ ଥିବା ଵିଶ୍ଵର ସର୍ଵ ଵୃହତ ହକି ଷ୍ଟାଡିୟମ୍ ନିକଟରେ ନିର୍ମିତ ହୋଇଛି ଆନ୍ତର୍ଜାତୀୟ ସ୍ତରର ବହୁମୁଖି ଇଣ୍ଡୋର ଷ୍ଟାଡିୟମ।  ରାଉରକେଲା ସହରର ଛେଣ୍ଡ କଲୋନୀରେ ରାଜ୍ୟ ସରକାରଙ୍କ ୧୦ କୋଟି ଟଙ୍କା ଆର୍ଥିକ ଅନୁଦାନରେ ନିର୍ମିତ ହୋଇଥିବା ବହୁମୁଖି ଇଣ୍ଡୋର ଷ୍ଟାଡିୟମକୁ କ୍ରୀଡା ବିଭାଗକୁ ହସ୍ତାନ୍ତର କରାଯାଇଛି।

ଖେଳାଳିଙ୍କ ବିକାଶ ପାଇଁ ରାଜ୍ୟସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ୧୦ କୋଟି ଟଙ୍କା ଆର୍ଥିକ ଅନୁଦାନରେ ଛେଣ୍ଡ କଲୋନୀରେ ନିର୍ମିତ ହୋଇଛି ଏହି ଇଣ୍ଡୋର ଷ୍ଟାଡିୟମ  । ଏହି ହସ୍ତାନ୍ତର ପ୍ରକିୟା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ କ୍ରୀଡ଼ା ଵିଭାଗର ଅଧିକାରୀ । ବହୁମୁଖି ଇଣ୍ଡୋର ଷ୍ଟାଡିୟମରେ ଆନ୍ତର୍ଜାତୀୟ ସ୍ତରର ୩ ଟି ଟେବୁଲ ଟେନିସ, ଦୁଇଟି ଜିମ, ଓ୍ଵେଟଲିପଟିଙ୍ଗ, ଯୋଗରୁମ, , ଜିମନାସିୟମ ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ତିନୋଟି ସ୍ଥାନରେ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି ।  ବୀରମିତ୍ରପୁର ଓ ରାଉରକେଲା  ସହରରେ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ହୋଇଥିବା ବେଳେ ରାଜଗାଙ୍ଗପୁର ଠାରେ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଏହି ବହୁମୁଖି ଇଣ୍ଡୋର ଷ୍ଟାଡିୟମରେ କୋଚମାନେ ମାଗଣାରେ ତାଲିମ ଦେଵାର ଵ୍ୟଵସ୍ଥା କରାଯାଇଛି । ପରେ କିଛି ଅର୍ଥଦେଇ ତାଲିମ ଗ୍ରହଣ କରିଵାର ଵ୍ୟଵସ୍ଥା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଵିଭିନ୍ନ ମହଲରେ ଧନ୍ୟବାଦ ଅର୍ପଣ କରାଯାଉଛି ।

କାର୍ଯ୍ୟକ୍ଷମ ହେଲା ରାୟଗଡ଼ାର କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର

ରାୟଗଡ଼ା: ଦୀର୍ଘ ବର୍ଷ ଧରି ଅଚଳ ଅବସ୍ଥାରେ ପଡି ରହିଥିଲା ରାୟଗଡାର କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର । ଅଳ୍ପ କିଛିଦିନ ଚାଲିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଅଚଳ ହୋଇପଡିଥିଲା।  ୭ ବର୍ଷ ପରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ କାର୍ଯ୍ୟକ୍ଷମ ହୋଇଛି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର। ମାସକୁ ୧୨ ହଜାର କୁକୁଡା ଚିଆଁ ଉତ୍ପାଦନ କରିବାର ଯୋଜନା ରଖିଛନ୍ତି ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ । ଭଲ ବ୍ୟବସାୟର ଆଶା ରଖିଛନ୍ତି ବ୍ୟବସାୟୀ ।

ରାୟଗଡାରେ ୨୦୧୬ରେ ପ୍ରତିଷ୍ଠା ହୋଇଥିଲା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର। ଅଳ୍ପ କିଛିଦିନ ଚାଲିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଅଚଳ ହୋଇପଡିଥିଲା।  ଜରାଜୀର୍ଣ୍ଣ ଅବସ୍ଥାରେ ଦୀର୍ଘ ୭ ବର୍ଷ ପଡ଼ି ରହିଲା। ସ୍ଥାନୀୟ ମହିଳା SHG ସ୍ୱୟଂ ସହାୟକ ଗୋଷ୍ଠୀ , ବ୍ୟବସାୟୀ, କୁକୁଡ଼ା ଚାଷୀ ଋଣ ଆଣି ବ୍ୟବସାୟ କରିବାକୁ ଚିନ୍ତା କରିବା ପାଇଁ ପଡୋସୀ ରାଜ୍ୟ ଏବଂ ଜିଲ୍ଲା ଉପରେ ନିର୍ଭର କରୁଥିଲେ। ଏବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଏହାକୁ କାର୍ଯ୍ୟକ୍ଷମ କରିଛନ୍ତି।

କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ପୁଣି ଥରେ କାର୍ଯ୍ୟ କରିବା ଦ୍ବାରା ସ୍ଥାନୀୟ ଚାଷୀ ଉପକୃତ ହେବାର ଆଶା ରଖିଛନ୍ତି । ଅନ୍ୟ ରାଜ୍ୟ କିମ୍ବା ଜିଲ୍ଲା ଉପରେ ଆଉ ନିର୍ଭର କରିବାକୁ ପଡିବ ନାହିଁ। ମାସକୁ ୧୨ ହଜାର କୁକୁଡା ଚିଆଁ ଉତ୍ପାଦନ କରିବାର ଯୋଜନା ରଖିଥିବା ଏବଂ ଅଧିକ ଚିଆଁ ଉତ୍ପାଦନ କରି ଅନ୍ୟ ଜିଲ୍ଲାକୁ ମଧ୍ୟ ପଠାଇବା ନେଇ ଟାର୍ଗେଟ୍ ରଖିଥିବା ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି।

ଭଙ୍ଗା କୁଡ଼ିଆରେ କଟୁଛି ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

କାମାକ୍ଷାନଗର: ଭଙ୍ଗା କୁଡିଆରେ କଟୁଛି ଜୀବନ। ଶଯ୍ୟାଶାୟୀ ସ୍ବାମୀଙ୍କୁ ଜଗି ରହିଛନ୍ତି ସଞ୍ଜୁଲତା। କାମାକ୍ଷାନଗର ଗୋଡିସାହିର ବୃଦ୍ଧ ଦମ୍ପତ୍ତି ଭରତ ପଧାନ ଓ ସଞ୍ଜୁଲତା ପଧାନ।  ସ୍ବାମୀ ୭ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ପତ୍ନୀ ସଞ୍ଜୁଲତା। ବୟସର ଅପରାହ୍ନରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହିତ ଲଢ଼ୁଛନ୍ତି ଭରତ। ଜନ୍ମ କଲା ପୁଅ ବାପା ମାଆଙ୍କୁ ପର କରି ଛାଡି ଚାଲିଗଲା। ସ୍ୱାମୀଙ୍କ ହାତ ଧରି ଏହି ଅଧା ଭଙ୍ଗା ଘରେ ରହୁଛନ୍ତି ସଞ୍ଜୁଲତା । ଦିନ ମଜୁରିଆ ଭାବେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ଭରତ। ହେଲେ ଗତ ୭ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ସ୍ୱାମୀର ଏଭଳି ସ୍ଥିତିରେ ପରଘରେ ମୂଲ ଲାଗି କାମ କରି ପେଟ ପୋଷୁଛନ୍ତି ସ୍ତ୍ରୀ ସଞ୍ଜୁଲତା। ସରକାରଙ୍କ ପାଞ୍ଚ କିଲୋ ଚାଉଳ ଏବଂ ଭତ୍ତାକୁ ଭରସା କରିଅଛନ୍ତି ସ୍ବାମୀ ସ୍ତ୍ରୀ ।

କନ୍ତିଓପୁଟସାହିରେ କିଡନୀ ରୋଗ ମହାମାରୀର ରୂପ ନେଇଛି। ଜୁଲଙ୍ଗ ,କନ୍ତିଓକାଟେଣୀ , ସାରୁଆଳି, ଯମୁନାକୋଟ ଅଞ୍ଚଳରେ କିଡନୀ ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ତେବେ ଏହି କିଡନୀ ରୋଗ ଭରତଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଭରତଙ୍କ ଡାଏଲିସିସ ପାଇଁ ନେବା ଆଣିବା କରିବା ପାଇଁ ଅର୍ଥ ସାଜିଛି ବାଧକ। ଦୁଇ ଓଳା ଦୁଇ ମୁଠା ଖାଇବାକୁ ପାଉନଥିବା ପରିବାର ବା ଅଧିକ ଟଙ୍କା କେମିତି ଯୋଗାଡ କରିବ । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଏହି ଦୁଇପ୍ରାଣୀଙ୍କୁ ସରକାର ସହଯୋଗ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

 

ଘନୀଭୁତ ହେଉଛି ଘୂର୍ଣ୍ଣିବଳୟ, କାଲିଠୁ କାଚିବ

ଭୁବନେଶ୍ବର: ଘନୀଭୁତ ହେଉଛି ଘୂର୍ଣ୍ଣିବଳୟ । ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ହେବ କେନ୍ଦ୍ରୀଭୁତ । ପ୍ରଭାବରେ ମଙ୍ଗଳବାର ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, ମାଲକାନଗିରିକୁ ରେଡ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ୨୦୦ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ବୌଦ୍ଧ, ସୋନପୁର, ନୂଆପଡାକୁ ସତର୍କତା ଜାରି ହୋଇଛି । ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି ।

ବୁଧବାର ପ୍ରବଳ ବର୍ଷା ନେଇ ୨୨ ଜିଲ୍ଲାକୁ ସତର୍କତା ଜାରି ହୋଇଛି । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ କାଚିବ । ୧୪ ତାରିଖରେ ଭୀଷଣ ବର୍ଷା ନେଇ ୮ ଜିଲ୍ଲାକୁ ରେଡ ଆଲର୍ଟ । କଟକ, ଢେଙ୍କାନାଳ, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, ସୋନପୁର, କନ୍ଧମାଳ, ଗଞ୍ଜାମରେ ଭୀଷଣ ବର୍ଷିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଚି । ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବରଗଡ଼, ସମ୍ବଲପୁରକୁ ସତର୍କତା ଜାରି ହୋଇଛି । ପ୍ରଭାବିତ ହେବ କଚ୍ଚା ଘର, କଚ୍ଚା ରାସ୍ତା । ତଳିଆ ଅଞ୍ଚଳରେ ସୃଷ୍ଟି ହେବ ଜଳମଗ୍ନ ପରିସ୍ଥିତି । କମିବ ଦୃଶ୍ୟମାନ କ୍ଷମତା, ସୃଷ୍ଟି ହେବ ଟ୍ରାଫିକ ସମସ୍ୟା । ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ।୧୦ଟି ଜିଲ୍ଲାରେ ୧୦ ରୁ ୩୮ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କୋରାପୁଟ ସିମିଳିଗୁଡାରେ ୨୦୮ମିମି ବର୍ଷା ରେକର୍ଡ । ଜୟପୁରରେ ୧୬୧.୭ମିମି ବର୍ଷା ରେକର୍ଡ ହୋଇଛି ।

ଶିଳ୍ପ ବିକାଶ ଓ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ସମୀକ୍ଷା

ଭୁବନେଶ୍ବର: ଅବ୍ୟବହୃତ ଶିଳ୍ପାନୁଷ୍ଠାନ ଜମିରେ ଅଧିକ ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା ହେବ। ଶିଳ୍ପ ବିକାଶ ଓ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ନେଇ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରହଣ କରିଥିବା ଅଭିଯୋଗ ଉପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧିଷ୍ଚ ସମୟ ସୀମା ମଧ୍ୟରେ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ କରି ସମାଧାନ କରିବା ନେଇ ସିଏମଓ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମରେ ମଙ୍ଗଳବାର ଶିଳ୍ପର ବିକାଶ ଓ ନିଯୁକ୍ତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା ।

ବୈଠକରେ ସବୁ ଶିଳ୍ପ ପ୍ରକଳ୍ପକୁ ଆବଶ୍ୟକ ଲୋକ ବଳ ଓ କୁଶଳୀ ୱାର୍କଫୋର୍ସ ପାଇଁ ଆଇଟିଆଇ ଓ ପଲିଟେକ୍ନିକ୍‌ ପରି ଦକ୍ଷତା ବିକାଶ ଅନୁଷ୍ଠାନ ସହ ସଂଯୋଗ କରାଯିବ । ବ୍ରଜରାଜନଗର, ଝାରସୁଗୁଡାରେ ଜନଶୁଣାଣୀ ସମୟରେ ଓଡିଏଣ୍ଟ ପେପର ମିଲକୁ ଦିଆଯାଇଥିବା ଲିଜ ଜମିର ବହୁ ଜମି ବ୍ୟବହାର ହୋଇନପାରି ପଡିରହିଥିବା ଲୋକେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଝାରସୁଗୁଡା ଜିଲ୍ଲାପାଳ ଓ ଇଡକୋ ଅନୁଧାନ କରି ବୈଠକରେ ଏକ ରିପୋର୍ଟ ଉପସ୍ଥାପନା କରିଥିଲେ । ଏହି ରିପୋର୍ଟ ଆଧାରରେ ଓଡିଏଣ୍ଟର ଅବ୍ୟବହୃତ ଜମିରେ  ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ପ୍ରକ୍ରିୟା ଏକ ମାସ ମଧ୍ୟରେ ଶେଷ କରିବାକୁ ଇଡକୋକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଚୌଦ୍ବାର ସ୍ଥିତ ଓଟିଏମର ୫୨୧ ଏକର ଜମିକୁ ସରକାର ନିଜ ଦଖଲକୁ ନେଇଛନ୍ତି । ଓଟିଏମର ସବୁ କର୍ମଚାରୀଙ୍କ ବକେୟା ଅର୍ଥ ମଧ୍ୟ ସରକାର ପ୍ରଦାନ କରିସାରିଛନ୍ତି । ଏହି ଜମିରେ ଏବେ ବିଭିନ୍ନ ଟେକ୍ସଟାଇଲ ଓ ଲୋକମୋଟିଭ ଶିଳ୍ପ ପ୍ରତିଷ୍ଠା ପାଇଁ କିଛି ଉଦ୍ୟୋଗୀ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଅଞ୍ଚଳରେ ଜନଶୁଣାଣୀ ସମୟରେ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ଭିତ୍ତିକ ଶିଳ୍ପ ପାଇଁ ଦାବି କରିଥିଲେ । ଇଡକୋ ଓ ଇପିକଲ ଏହି ଜମିର ବ୍ୟବହାରକୁ ନେଇ ଏକ ରିପୋର୍ଟ ପ୍ରଦାନ କରିଛନ୍ତି ।

ଏହି ରିପୋର୍ଟ ଆଧାରରେ ଓଡିଏମ ଜମିର ଏକ ଅଂଶରେ ଏକ ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଇପିକଲ ପକ୍ଷରୁ ଆଗ୍ରହୀ ଶିଳ୍ପାନୁଷ୍ଠାନକୁ ପୁଂଜିନିବେଶ ନେଇ ପ୍ରସ୍ତାବ ଦିଆଯିବ । ପର୍ଯ୍ୟାୟ କ୍ରମେ ଶିଳ୍ପ ପାର୍କ ପ୍ରତିଷ୍ଠା ହେବା ସହ ପାନୀୟ ଜଳ, ବିଦ୍ୟୁତ ଯୋଗାଯୋଗ ଓ ଆପ୍ରୋଚ ରୋଡ କାର୍ଯ୍ୟ ଇପିକଲ କରିବ । ବୈଠକରେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତିନୋଟି ବୃହତ କମ୍ପାନୀ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ପୁଂଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଅକ୍ଟୋବର ୧୫ ସୁଦ୍ଧା ୟୁଟିଲିଟି କରିଡର ପ୍ରତିଷ୍ଠା କରିବାକୁ ଇଡକୋଟି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବରପାଲି ଓ ହିଂଜିଲିରେ ପ୍ରସ୍ତାବିତ ଏମଏସଏମଇ ପାର୍କରେ ପୁଂଜିନିବେଶ ପାଇଁ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦିଆଯିବ ।

 

ସାଇରନ ବାଜିଲେ ଦୁଆର ମୁହଁରେ ସେବା ପାଇବେ ଗୃହପାଳିତ ପଶୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆଉ ପଶୁ ଚିକିତ୍ସା କ୍ଷେତ୍ରରେ ରହିବନି ସମସ୍ୟା। ସିଧା ସାଇରନ ବାଜିଲେ ଦୁଆର ମୁହଁରେ ଚିକିତ୍ସା ପାଇବେ ଗୃହପାଳିତ ପଶୁ । ରାଜ୍ୟରେ ଭ୍ରାମ୍ୟମାଣ ଗାଡି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଫୋନ କଲେ ଘର ଦୁଆରେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ଯୋଗାଇଦେବାକୁ ଆସିବ ଗାଡି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ଲୋକେ । ପଶୁପାଳନ ଚାଷୀଙ୍କୁ ସହାୟତା ପାଇଁ ଓଡିଶା ସରକାର ଅନେକ ଯୋଜନା କରିଛନ୍ତି । ପ୍ରାଣୀଧନଙ୍କ ଚିକିତ୍ସା ପାଇଁ ଜିଲ୍ଲାସ୍ତରରେ ଭେଟେନାରୀ ଅଫିସ ସହ ଚିକିତ୍ସାଳୟ ଖୋଲାଯାଇଛି । ପୂର୍ବରୁ ଗାଈଗୋରୁ କିମ୍ବା ଗୃହପାଳିତ ପଶୁଙ୍କୁ ରୋଗ ହେଲେ ପଶୁ ଚିକିତ୍ସାଳୟକୁ ନେବାକୁ ପଡୁଥିଲା । ଏବେ ଏହି ସମସ୍ୟାର ହେବ ସମାଧାନ ।

ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗୀର, ଟିଟିଲାଗଡ଼, ତୁରେକେଲା, ସଇଁତଳା, ପାଟଣାଗଡ ଓ ଲୋଇସିଂହା ବ୍ଲକ ପାଇଁ ୬ଟି ଗାଡି ଆସିଛି I ଆଗକୁ ଆହୁରୀ ୮ଟି ଗାଡି ଯୋଗାଇଦେବେ ରାଜ୍ୟ ସରକାର । ଫଳରେ ଲୋକେ ନିଜ ଘର ଦୁଆରେ ଗୃହପାଳିତ ପଶୁଙ୍କର ଚିକିତ୍ସା କରାଇପାରିବେ । ୧୯୬୨କୁ ଫୋନ କଲେ ଠିକଣା ଜାଗାକୁ ପହଞ୍ଚିବ ଏହି ଅତ୍ୟାଧୁନିକ ଭ୍ରାମ୍ୟମାଣ ଗାଡି ।