ଭୁବନେଶ୍ୱର : ବିଦ୍ୟୁତ୍ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବୈଦ୍ୟୁତିକ ଯାନ-ଇଭି ପ୍ରଦର୍ଶନ ତଥା କର୍ମଶାଳା ଆୟୋଜିତ ହୋଇଯାଇଛି ଏଥିରେ ବିଭିନ୍ନ ମଡେଲର ଇଭି କାର୍, ଅଟୋ, ବାଇକ୍, ସ୍କୁଟି ଓ ସାଇକେଲ ପ୍ରଦର୍ଶିତ ହୋଇଥିଲା । ଇଭି ବ୍ୟବହାର ଦ୍ଵାରା ପରିବେଶ ସୁରକ୍ଷା ପାଇଁ ସଚେତନ କରାଯାଇଥିଲା। ବୈଦ୍ୟୁତିକ ଯାନ ସମ୍ପର୍କରେ ଲୋକଙ୍କ ମନରେ ଥିବା ଭୁଲ ଧାରଣାକୁ ଏହି ପ୍ରଦର୍ଶନୀରେ ଦୂର କରାଯାଇଥିଲା। ବୈଦ୍ୟୁତିକ ଯାନ ଚାର୍ଜ ହେବା ପାଇଁ ଦୀର୍ଘ ସମୟ ଲାଗେନାହିଁ। ଏଥିରେ ଆବଶ୍ୟକ ଅନୁସାରେ ଦ୍ରୁତ ଗତିରେ ଚଲାଇ ହେବ। ବାରମ୍ବାର ବ୍ୟାଟେରି ବଦଳାଇବାର ଆଦୌ ଆଶଙ୍କା ନାହିଁ। ଏହା ସହିତ ବହୁତ ଇଭି ଚାର୍ଜିଂ ଷ୍ଟେସନ ଖୋଲିବାରେ ଲାଗିଲାଣି। ସମଗ୍ର ବିଶ୍ଵରେ ପ୍ରଦୂଷଣକୁ କମାଇବା ଏବଂ ବିଦ୍ୟୁତ୍ ସଂଚୟ ପାଇଁ ଉଦ୍ୟମ ଚାଲିଛି। ସେହି କ୍ରମରେ ଓଡ଼ିଶା ସରକାର ମଧ୍ୟ ନିଜସ୍ଵ ଇଭି-ନୀତି ପ୍ରସ୍ତୁତ କରିବା ସହ ବୈଦ୍ୟୁତିକ ଯାନ କ୍ରୟକୁ ପ୍ରୋତ୍ସାହିତ କରୁଛନ୍ତି। ଏହା କିଣିବା ପାଇଁ ସୁଧ ହାରରେ ରିହାତି ସହ ୫ ହଜାରରୁ ୪ଲକ୍ଷ ଟଙ୍କା ଯାଏ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ରିହାତି ରାଶି ପାଇବା ପାଇଁ ସ୍ଵତନ୍ତ୍ର ପୋର୍ଟାଲ ମଧ୍ୟ ରହିଛି। http://odishatransport.gov.in ଲିଙ୍କ୍ ରେ ରିହାତି ପାଇଁ ଆବେଦନ କରିହେବ।
ବୈଦ୍ୟୁତିକ ଯାନ ବ୍ୟବହାର ଦ୍ଵାରା ଅଙ୍ଗାରକାମ୍ଳ ନିର୍ଗମକୁ ହ୍ରାସ କରାଯାଇପାରିବ। ଶବ୍ଦ ବିହୀନ ଓ ପ୍ରଦୂଷଣମୁକ୍ତ ହୋଇଥିବା ବେଳେ ଏଥିରେ ଡିଜେଲ କିମ୍ବା ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନର ଆବଶ୍ୟକତା ନାହିଁ। ଏହାକୁ ଚାର୍ଜ କରିବା ପାଇଁ ବିଦ୍ୟୁତ୍ ବିଲ୍ ବାବଦକୁ ବହୁତ କମ ଅର୍ଥ ଖର୍ଚ୍ଚ ହୋଇଥାଏ। ଘରେ ମଧ୍ୟ ଚାର୍ଜ କରିହେବାର ବ୍ୟବସ୍ଥା ରଖାଯାଇଛି। ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସ୍ଵଳ୍ପ ଅର୍ଥ ଖର୍ଚ୍ଚ ହୁଏ। ଏହାର ପଞ୍ଜୀକରଣ ନିଶୁଳ୍କ ହୋଇଥିବା ବେଳେ ରୋଡ୍ ଟାକ୍ସ ମଧ୍ୟ ଦେବାକୁ ପଡ଼େନାହିଁ। ଏହି କର୍ମଶାଳା ତଥା ପ୍ରଦର୍ଶନୀକୁ ସର୍ବୋଚ୍ଚ ଯନ୍ତ୍ରୀ ତଥା ପ୍ରମୁଖ ମୁଖ୍ୟ ବିଦ୍ୟୁତ୍ ନିରୀକ୍ଷକ ସୁରେଶ ଚନ୍ଦ୍ର ମହାରଣା ଉଦ୍ଘାଟନ କରିଥିଲେ। ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ବିଭିନ୍ନ ନାମୀଦାମୀ କମ୍ପାନି ସେମାନଙ୍କ ବୈଦ୍ୟୁତିକ ଯାନର ପ୍ରଦର୍ଶନ କରିଥିଲେ।
ବୈଦ୍ୟୁତିକ ଯାନ-EV ର ପ୍ରଦର୍ଶନ ମେଳା ଅନୁଷ୍ଠିତ
INDIA ସହଯୋଗୀ ଦଳ ପାଇଁ କଂଗ୍ରେସର ନିର୍ବାଚନ ଫଳ ବିଗିଡ଼ିବ କି ?
ନନ୍ଦିଘୋଷ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ । ଏହି ନିର୍ବାଚନକୁ ସେମିଫାଇନାଲ ଭାବରେ ବିବେଚନା କରାଯାଉଛି । ଯଦି ଏହି ରାଜ୍ୟଗୁଡିକରେ କଂଗ୍ରେସ ଜିତେ ତେବେ ଏହା କେବଳ ବିଜେପି ପାଇଁ ଅସୁବିଧା ହେବ ନାହିଁ ବରଂ ସାଧାରଣ ନିର୍ବାଚନରେ ଏହା ମଧ୍ୟ ଇଣ୍ଡିଆ ମେଣ୍ଟକୁ ମଜବୁତ କରିବ। ଯଦି ବିରୋଧୀ ଦଳ ମଧ୍ୟରେ ସମନ୍ୱୟ ଏବଂ ସହଯୋଗ ପାଇଁ INDIA ମିଳିତ ମଞ୍ଚ ଗଠନ କରାଯାଇଥିଲା, କିନ୍ତୁ ଏହି ନିର୍ବାଚନରେ କଂଗ୍ରେସ ଦଳ ପାଇଁ ଏହି ମେଣ୍ଟ ଏକ ବଡ ସମସ୍ୟା ପାଲଟିଛି। ବାସ୍ତବରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାରେ କଂଗ୍ରେସ ବିଜେପି ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛି। ତେବେ ତେଲେଙ୍ଗାନାରେ ଶାସକ ବିଆରଏସ ସହ କଂଗ୍ରେସ ଦୃଢ ପ୍ରତିଦ୍ୱନ୍ଦି ଭାବେ ସାମ୍ନାକରୁଛି । ଯେତେବେଳେ INDIA ମିଳିତ ମଞ୍ଚ ଗଠନ ହେଲା, ସମସ୍ତ ବିରୋଧୀ ଦଳ ଏହାକୁ ବାରମ୍ବାର ଦୋହରାଇଲେ ଯେ ପାରସ୍ପରିକ ବିବାଦକୁ ଭୁଲିଯିବା ଏବଂ ପରସ୍ପରର ସହଯୋଗରେ ବିଜେପିକୁ ପରାସ୍ତ କରିବା ଏହାର ଏକମାତ୍ର ଉଦ୍ଦେଶ୍ୟ। କିନ୍ତୁ ବର୍ତ୍ତମାନ ଏହି ମିଳିତ ମଞ୍ଚ କଂଗ୍ରେସ ପାଇଁ ଏକ ବଡ ସମସ୍ୟା ପାଲଟିଛି । 
ବିଶେଷକରି ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ବିଜେପି ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହି ରାଜ୍ୟଗୁଡିକରେ ଇଣ୍ଡିଆ ଆଲାଇନ୍ସର ସମସ୍ତ ଦଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଯଦି କଂଗ୍ରେସର ଗ୍ରାଉଣ୍ଡ ସ୍ଥିତିକୁ ବିଶ୍ୱାସ କରାଯାଏ, ତେବେ ଦଳ ଅନୁଭବ କରୁଛି ଯେ ମେଣ୍ଟରେ ଥିବା ଦଳଗୁଡ଼ିକ ଏହି ରାଜ୍ୟଗୁଡ଼ିକରେ କଂଗ୍ରେସକୁ କ୍ଷତି ପହଞ୍ଚାଇବ | ରାଜ୍ୟ ଗୁଡ଼ିକ ଉପରେ ନଜର ପକାଇବା….
ରାଜସ୍ଥାନ
ଶାସକ କଂଗ୍ରେସ ପାଇଁ ଏଠାରେ ସରକାର ପୁନରାବୃତ୍ତି କରିବା ଏକ ବଡ ଆହ୍ୱାନ । ତେବେ ଦଳ ଅନୁଭବ କରୁଛି ଯେ ବିଜେପିର ଗୋଷ୍ଠି କନ୍ଦଳ ଏବଂ ସିଏମ ଅଶୋକ ଗେହଲୋଟଙ୍କ ଜନ କଲ୍ୟାଣ ଯୋଜନା ଦଳ ପାଇଁ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିଛି। କିନ୍ତୁ ବର୍ତ୍ତମାନ ଏହାର ନିଜର ସହଯୋଗୀ ଅର୍ଥାତ୍ INDIA ସହଯୋଗୀ ଦଳ ପାଇଁ ଏକ ବଡ ଅସୁବିଧା ପାଲଟିଛି। ଏଠାରେ ଏସପି, ଏଏପି, ବାମ, ବିଏସପି, ଏଆଇଏମ୍ଏମ୍ ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ସିଧାସଳଖ ବିଜେପିକୁ ଲାଭ ଦେବ।
ମଧ୍ୟପ୍ରଦେଶ
୧୮ ବର୍ଷ ଧରି କ୍ଷମତାରେ ଥିବା ବିଜେପିକୁ ପରାସ୍ତ କରିବାକୁ କଂଗ୍ରେସ ଚେଷ୍ଟା କରିଛି କିନ୍ତୁ ଏସପି, ବିଏସପି ଏବଂ ଏଏପି ଅନେକ ଆସନରେ କଂଗ୍ରେସ ପାଇଁ ଏକ ବଡ଼ ଆହ୍ୱାନ ଦେଇଛି। ଏଠାରେ ବରିଷ୍ଠ ନେତୃତ୍ୱ ଅନୁଭବ କରୁଛନ୍ତି ଯେ ନିର୍ବାଚନ ପରେ ମଧ୍ୟ ଏଠାରେ ଆସନ ସମାନ କିମ୍ବା ନିକଟତର ହୋଇଥିଲେ ମଧ୍ୟ ବିଜେପି ଉପକୃତ ହୋଇପାରିବ।
ଛତିଶଗଡ
ଶାସକ କଂଗ୍ରେସ ଏଠାରେ ପ୍ରତ୍ୟାବର୍ତ୍ତନ ପାଇଁ ଆତ୍ମବିଶ୍ୱାସୀ କିନ୍ତୁ ଯଦି AAP ଏଠାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ ତେବେ କଂଗ୍ରେସ ପାଇଁ କ୍ଷତି ହେବାର ସମ୍ଭାବନା ଅଛି |
ତେଲେଙ୍ଗାନା
ଏଠାରେ କଂଗ୍ରେସ ପାଇଁ BRS ଏବଂ MIM କୁ ବିଜେପିର B ଦଳ ବୋଲି କୁହାଯାଏ | କିନ୍ତୁ କଂଗ୍ରେସ ଏଠାରେ ମଜବୁତ ସ୍ଥିତିରେ ଫାଇଟ୍ କରୁଛି ।
କଟକ ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ପୋଲିସ ସ୍ତରରେ ଚାଲିଛି ପ୍ରସ୍ତୁତି
କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଏଥର ସରସ ସୁନ୍ଦର କରିବା ପାଇଁ ଏବେଠାରୁ ପ୍ରଶାସନିକ ତଥା ପୋଲିସ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଗୋଟିଏ ପଟେ ପ୍ଲଟ ନିଲାମ ପାଇଁ ପଞ୍ଜୀକରଣ ଚାଲିଥିବା ବେଳେ ଆଜି ଜିଲ୍ଲାପାଳ ପୋଲିସ ଅଧିକାରୀ ଓ ଅନ୍ଯ ଅଧିକାରୀଙ୍କୁ ଧରି ବାଲିଯାତ୍ରା ପଡିଆ ବୁଲି ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି । ପ୍ରସ୍ତୁତି ନେଇ ଅନ୍ଯ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ସିଏମସି ଓ ପୋଲିସ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନଭେମ୍ବର ୨୭ ରୁ ହେବାକୁ ଥିବା ଏହି ବିରାଟ ମେଳା ଯେପରି ଶାନ୍ତିଶୃଙ୍ଖଳାର ସହ ଆୟୋଜନ ହେବ ସେ ନେଇ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ବାଲିଯାତ୍ରାରେ ଗାଡି ପାର୍କିଂ ପାଇଁ ଅଧିକ ସ୍ଥାନ ଚିହ୍ନଟ କରିବାକୁ ଭୁଆଷୁଣୀ ପଠା, ହାଡିଆ ପଠା ଓ ଅନ୍ଯ ସ୍ଥାନକୁ ଫିଲଡ୍ ଭିଜିଟ କରିଛନ୍ତି । ଭିଡରେ ଚୋରି, ପକେଟମାର, ଛିନତାଇ ରୋକିବାକୁ ସାଧା ପୋଷାକଧାରୀ ପୋଲିସ ନିୟୋଜିତ ହେବେ । ସେପଟେ ୧୧ ତାରିଖରୁ ବାରବାଟୀ ପ୍ୟାଲେସ ଠାରେ ପ୍ଲଟ ନିଲାମ ଆରମ୍ଭ ହେବ।
ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ WiFi ଯୁକ୍ତ
ଭୁବନେଶ୍ୱର : ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ WiFi ଯୁକ୍ତ । ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା WiFi । ଯାହାକି ଛାତ୍ରଛାତ୍ରୀଙ୍କୁ ପାଠପଢିବାରେ ସୁବିଧା ଯୋଗାଇବ । ପିଲାଙ୍କ ଶିକ୍ଷାଆହରଣରେ ସୁବିଧାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତି ନେଇଛି । ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ ଲାଇନରେ ରହିଛି । ମାଗଣା ଓ୍ବାଇଫାଇ ସୁବିଧା ଦ୍ବାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସହାୟକ ହେବ । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ।
ଏହି ଖବର ପଢନ୍ତୁ : https://nandighoshatv.com/israeli-airstrike-on-gaza-refugee-camp-kills-50-people/
ଏଥିପାଇଁ କ୍ୟାମ୍ପସ ରେ ଓ୍ବାଇଫାଇ ନେଟଓ୍ବର୍କ ଇନଷ୍ଟଲ କରିବା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।
କଇଁଛଙ୍କ ସୁରକ୍ଷା ପାଇଁ ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା
ପାରାଦୀପ : ଆସନ୍ତା ୭ ମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ କଟକଣା ଜାରି କରିଛି ବନ ବିଭାଗ । ତେବେ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଆବଶ୍ୟକୀୟ ସାଧନ ସେମାନଙ୍କ ନିକଟରେ ନଥିବା ବେଳେ ସେପଟେ ମହାନଦୀ ମୁହାଣ ପୋତି ହୋଇଯିବା କାରଣରୁ ବରୁଣେଇ ମୁହାଣ ଦେଇ ଆସିବାକୁ ଅଧିକ ୩ ଘଣ୍ଟାର ତେଲ ପୋଡିବାକୁ ପଡୁଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ । ଅଲିଭରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଏପରି ପ୍ରତିବନ୍ଧକକୁ ସ୍ବାଗତ କରିଥିଲେ ସୁଦ୍ଧା ଦୀର୍ଘ ୭ ମାସ ଧରି ପରିବାର ପ୍ରତିପୋଷଣ ପାଇଁ ସେମାନେ ଅସୁବିଧାରେ ପଡ଼ିବେ ବୋଲି କହିଛନ୍ତି ।
ପାରାଦ୍ଵୀପ ମାଛଧରା ବନ୍ଦର ଉପରେ ପାଖାପାଖି ୫୦ ହଜାର ମତ୍ସ୍ୟଜୀବି ପରିବାର ନିର୍ଭର କରିଥାନ୍ତି । ତେବେ ଏ ସମ୍ପର୍କରେ ଆମେ ଅବଗତ ଅଛୁ, ମୁ଼ହାଣ ମୁହଁ ଖୋଳିବା କାର୍ଯ୍ୟ ପାରାଦୀପ ବନ୍ଦର ପକ୍ଷରୁ ଜାରି ରହିଥିବା କହିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ଏହାସହ ଫରେଷ୍ଟ ବିଭାଗ ସହିତ ମଧ୍ୟ କଥା ହୋଇଛି, ବରୁଣେଇ ଦେଇ ଆସୁଥିବା ବୋଟ୍ ଗୁଡ଼ିକୁ ଛାଡି ଦେବା ପାଇଁ ସେମାନେ ପ୍ରତିଶୃତି ଦେଇଥିବା ପାରାଦୀପ ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି ।
ରାଜ୍ୟରେ ମିଲେଟ ସମ୍ବନ୍ଧୀୟ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଦ୍ଵାରା ମିଲେଟ ସମ୍ବନ୍ଧୀୟ ଏକ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ। ଭୁବନେଶ୍ବର ଜନତା ମିଇଦାନରେ ନଭେମ୍ବର ୯ ଓ ୧୦ ତାରିଖରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠତ ହେବ। ଗତ ବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଏବଂ ଏଥିପ୍ରତି ଜନସଚେତନତା ବୃଦ୍ଧି କରିବା ନିମନ୍ତେ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ରାଉଣ୍ଡ ଟେବୁଲ ସହ, ବାହାର ରାଜ୍ୟର ଲୋକ ମଧ୍ୟ ଏହାକୁ ଦେଖିବାକୁ ଆସିବେ। ସମ୍ମିଳନୀକୁ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଆସିବେ। ଏଥିରେ ୩୨ ଟି ସେସନ ହେବ। ମାଣ୍ଡିଆ ଉପରେ ଅନ୍ତରଜାତୀୟ ସମ୍ମିଳନୀ ଆୟୋଜନ ଓଡ଼ିଶା ସାରା ଭାରତରେ ପ୍ରଥମ। ଦୁଇ ଦିନିଆ ଅନ୍ତରଜାତୀୟ ସମ୍ମିଳନୀର ଥିମ ସୁସ୍ଥ ମିଲେଟ ସୁସ୍ଥ ଜୀବନ ରଖାଯାଇଛି। ଏବେ ଧାନ ପରି ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି। ୨ ଲକ୍ଷ ୬୦ ହଜାର ହେକ୍ଟରରେ ଏବେ ଚାଷ ହେଉଛି। ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି। 
ରାଜ୍ୟର ମଡେଲକୁ ନୀତି ଆୟୋଗ ଗ୍ରହଣ କରି ଅନ୍ୟ ରାଜ୍ୟକୁ କରିବାକୁ କହିଛି। ଏହାକୁ ଅନ୍ତର୍ଜାତୀୟ ସ୍ଥରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଆଦିବାସୀମାନେ ପ୍ରଥମ ଥର ପାଇଁ ଏମଏସପି ପାଉଛନ୍ତି। ଲୋକଙ୍କ ଭିତରେ ଆଦୃତ କରିବା ପାଇଁ ଏ କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆପେକ୍ସ କମିଟି ଗଠନ କରାଯାଉଛି। ଏ କାର୍ଯ୍ୟକ୍ରମ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇ ପାରିବ। ବର୍ତ୍ତମାନ ୧୭୭ ଟି ବ୍ଲକରେ ମିଲେଟ ଚାଷ ହେଉଛି।
ଦୁଇ ଶିଶୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ସାବତ ମାଆ ଓ ବାପା ଗିରଫ
କଟକ : ଆଠଗଡ଼ରେ ଦୁଇ ଶିଶୁଙ୍କୁ ସାବତ ମାଆର ନିର୍ଯାତନା ଘଟଣା । ଜନ୍ମଦାତ୍ରୀ ମାଆର ଅଭିଯୋଗ ପରେ ଅଭିଯୁକ୍ତ ସାବତ ମାଆ ଓ ବାପାକୁ ଗିରଫ କରିଛି ପୋଲିସ । ବାପା ସୁନୀଲ ନନ୍ଦ ଓ ସାବତ ମାଆ ପୁଷ୍ପଲତାକୁ ଗିରଫ କରିଛି ଆଠଗଡ଼ ପୋଲିସ । ସେମାନଙ୍କ ବିରୋଧରେ ଦଫା ୩୦୭,୨୯୪,୩୨୩,୩୨୫, ୫୦୬, ୩୪ ରେ ଧାରାରେ ମାମଲା ରୁଜୁ ହୋଇଛି । ସେପଟେ ଦୁଇ ଛୁଆଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ବାଙ୍କୀ ପାର୍ଥପୁର ଅଞ୍ଚଳର ସୁନୀଲ ନନ୍ଦ ନିଜ ସ୍ତ୍ରୀକୁ ଛାଡି ଅନ୍ୟଜଣେ ମହିଳାଙ୍କୁ ନେଇ ଆଠଗଡ ଅଶୋକ ନଗରରେ ରହୁଥିଲେ । ଜୋର ଜବରଦସ୍ତ ପ୍ରଥମ ସ୍ତ୍ରୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିଜ ପାଖରେ ରଖି ନିର୍ଯାତନା ଦେଉଥିଲେ ।
ଦୁଇ ଭାଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଥିଲା ସାବତ ମାଆ । ଜନ୍ମକଲା ବାପା ବି ଦ୍ବିତୀୟ ସ୍ତ୍ରୀର ସାଥ ଦେଇଥିଲା । ଅସହ୍ୟ ନିର୍ଯାତନାରୁ ତ୍ରାହି ପାଇବାକୁ ଦୁଇ ଛୁଆ ସେଠାରୁ ଖସିଆସିଥିଲେ । ଦୁହିଁଙ୍କ ଶରୀର ସାରା ମାଡ଼ ଚିହ୍ନ ରହିଥିଲା । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ରାଜ୍ୟ କୃଷିମନ୍ତ୍ରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା କିନ୍ନର ଗିରଫ
କଟକ : ରାଜ୍ୟ କୃଷିମନ୍ତ୍ରୀ ବୋଲି ନିଜକୁ ଫୋନରେ ପରିଚୟ ଦେଇ ଲୋକଙ୍କୁ ଠକୁ ଥିବା ଜଣେ କିନ୍ନରକୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି। ୪୬ ହଜାର ୫୦୦ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଅନୁଗୁଳ ଜିଲ୍ଲାର ସୌମ୍ୟ ରଂଜନ ପ୍ରଧାନ ଓରଫ ଲକି-ଓରଫ ସୁଲଗ୍ନା। ଅଭିଯୁକ୍ତ ଠାରୁ ପୋଲିସ ଗୋଟିଏ ଫୋନ, ଦୁଇଟି ସିମ କାର୍ଡ ଜବତ କରିଛି। ତାର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୋଲିସ। ସୂଚନା ଅନୁଯାୟୀ କଟକର ଏକ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କୁ କିନ୍ନର ଜଣକ ଫୋନ କରି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ମା ଶିବାନୀ ଦୁର୍ଗା ନାମକ ଜଣେ ମାତାଜୀ, ଏକ ଘରୋଇ ହସ୍ପିଟାଲର ମଙ୍ଗଳ ଓ ଉନ୍ନତି ପାଇଁ ଯଜ୍ଞ କରିବେ, ତେଣୁ ୩୧ କେଜି ଘିଅ ପାଇଁ ଡିଜିଟାଲ ପେମେଣ୍ଟ କରି ଟଙ୍କା ପଠାଇବାକୁ କହିଥିଲେ। ଦୁଇ ବର୍ଷ ତଳେ ସେ ଦିଲ୍ଲୀ ଯାଇ ସାଇବର ଆର୍ଥିକ ଠକେଇ କିପରି କରିବାକୁ ହୁଏ ଶିଖି ଥିଲେ।
ଏହା ପରେ ଓଡିଶା ଆସି ଏକ କିନ୍ନର ଗ୍ରୁପକୁ ନେଇ କୃଷି ମନ୍ତ୍ରୀଙ୍କ ନିକଟକୁ ଡୋନେସନ ପାଇଁ ଯାଇଥିଲା ଅଭିଯୁକ୍ତ। ସେହି ସମୟରେ କୃଷି ମନ୍ତ୍ରୀଙ୍କର କଥା କହିବା ଶୈଳୀ ଏବଂ ସ୍ୱର ନକଲ କରିବା ଶିଖିଥିଲା ଅଭିଯୁକ୍ତ। ଏହା ପରେ ଏହି ଠକେଇ କରିବାକୁ ଯୋଜନା କରିଥିଲା। ଏହିପରି ଶହେ ରୁ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।
ବଙ୍ଗୋପ ସାଗର ଉପକୂଳରେ ଭାରତୀୟ ନୌସେନାର ବ୍ରହ୍ମୋସ ପରୀକ୍ଷଣ ସଫଳ
ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ। ବଙ୍ଗୋପ ସାଗର ଉପକୂଳରେ ଭାରତୀୟ ନୌସେନା ପକ୍ଷରୁ ବ୍ରହ୍ମୋସର ପରୀକ୍ଷଣ କରାଯାଇଛି । ଭାରତୀୟ ନୌସୈନାର ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଯୁଦ୍ଧ ଜାହାଜରୁ ଏହି ପରୀକ୍ଷଣ କରାଯାଇଛି । ଭାରତ ମହାସାଗରରେ ଶତ୍ରୁପକ୍ଷ ଜାହାଜକୁ ମାତ ଦେବାକୁ ଭାରତୀୟ ନୌସେନା ପକ୍ଷରୁ ଏହି ଅଭ୍ୟାସ କରାଯାଇଥିଲା । ଏଥିରେ ବ୍ରହ୍ମୋସ ମିସାଇଲର ଉନ୍ନତତର ସଂସ୍କରଣର ପରୀକ୍ଷଣ କରାଯାଇଥିଲା। ବ୍ରହ୍ମୋସ ମିସାଇଲ ତୁଳନାରେ ଏହାର ଉନ୍ନତତର ସଂସ୍କରଣ ଅଧିକ ଘାତକ ଏବଂ ଶକ୍ତିସମ୍ପନ୍ନ ।
ବ୍ରହ୍ମୋସ ହେଉଛି ସୁପରସୋନିକ୍ କ୍ରୁଜ ମିସାଇଲ । ଭାରତ ଓ ରୁଷିଆ ସହଭାଗିତାରେ ଏହି ମିସାଇଲର ପ୍ରସ୍ତୁତ କରାଯାଇଛି । ଏହାକୁ ଯୁଦ୍ଧପୋତ, ଜାହାଜ, ଫାଇଟର ଜେଟ୍ ଏବଂ ସ୍ଥଳଭାଗରୁ ଶତ୍ରୁପକ୍ଷକୁ ଟାର୍ଗେଟ କରାଯାଇପାରିବ । ଶବ୍ଦ ବେଗର ପ୍ରାୟ ୩ ଗୁଣା ଅଧିକ ବେଗରେ ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ରଖିଛି ବ୍ରହ୍ମୋସ ମିସାଇଲ । ଭାରତ ଏହି ମିସାଇଇଲକୁ ଫିଲିପିନ୍ସ ସହ ଅନ୍ୟ କିଛି ଦେଶକୁ ମଧ୍ୟ ରପ୍ତାନୀ କରୁଛି।
ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ୫୦ ଜଣଙ୍କର ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ : ଗାଜା ଉପରେ ଇସ୍ରାଏଲର ଜୋରଦାର ହମଲା । ଏକ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ୧୫୦ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ପରେ କୌଣସି କ୍ୟାମ୍ପ ଉପରେ ଇସ୍ରାଏଲ ସେନାର ଏହା ବଡ଼ଧରଣର ହମଲା । ଗାଜାରେ ହମାସ ଆତଙ୍କୀ ସହ ସଂଘର୍ଷରେ ଇସ୍ରାଏଲର ୯ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଜବାଲିଆ ରିଫ୍ୟୁଜି କ୍ୟାମ୍ପ ଉପରେ ହୋଇଥିଲା ଏୟାରଷ୍ଟ୍ରାଇକ୍ । ଗାଜାରେ ମୋବାଇଲ ଓ ଇଣ୍ଚପନେଟେ ସେବା ଠପ୍ ହୋଇଯାଇଛି । ପାଲେଷ୍ଟାଇନର ଟେଲିକମ କମ୍ପାନୀ ପାଲଟେଲ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସେପେଟ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛି ପଡୋଶୀ ଇଜିପ୍ଟ । ଜନବସତି ଉପରେ ଏୟାରଷ୍ଟ୍ରାଇକ ହମଲାକୁ ଅମାନବୀୟ କହିବା ସହ ଗାଜାକୁ ଲାଗି ରହିଥିବା ରାଫା ସୀମାକୁ ଆହତ ପାଲେଷ୍ଟାଇନ ବାସୀଙ୍କ ଖୋଲି ଦେଇଛି । ସେପଟେ ଯୁଦ୍ଧ ଆରମ୍ଭ ହେବାପରଠାରୁ ନିଜ ଦେଶର ସୀମାକୁ ଗାଜା ଶରଣାର୍ଥୀଙ୍କ ଲାଗି ଖୋଲିବ ବୋଲି କହିଛି କାଇରୋ । ଗାଜାରେ ଯୁଦ୍ଧ ବିରତି ପାଇଁ ସାରା ବିଶ୍ବରୁ ସ୍ବର ଉଠୁଥିବାବେଳେ ଏହି ସମୟରେ ଏଭଳି ଜୋରଦାର ହମଲା କରିଛି ଇସ୍ରାଏଲ ।
ଏହି ଖବର ପଢନ୍ତୁ : https://nandighoshatv.com/eco-retreat-starting-today/
ଇସ୍ରାଏଲ ସେନା ଆକ୍ରମଣରେ ଆନ୍ତର୍ଜାତିକ ଗଣମାଧ୍ୟମ ସଂସ୍ଥାର ଜଣେ ପ୍ରତିନିଧିଙ୍କ ପରିବାରର ୧୯ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଏହି କ୍ୟାମ୍ପରେ ଆଶ୍ରୟ ନେଇଥିଲେ। ଇସ୍ରାଏଲ ହମଲାରେ ଗାଜାରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୮ ହଜାର ୫୨୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୩ ହଜାର ୫୪୨ ଶିଶୁ ଥିବାବଳେ ୨ ହଜାର ୧୮୭ ମହିଳାଙ୍କ ମୃତ୍ୟୁ ହୋଇଥିବା କହିଛି ପାଲେଷ୍ଟାଇନ ପ୍ରଶାସନ। ଯୁଦ୍ଧର ବିଭୀଷିକା ମଧ୍ୟରେ ଅସ୍ତ୍ରବିରତି କରିବେନି ବୋଲି ଦୃଢତାର ସହ କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ସେପଟେ ଆସନ୍ତା ଶୁକ୍ରବାର ଆମେରିକା ବେଦେଶିକ ବ୍ୟାପାର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲ ଗସ୍ତରେ ଆସୁଛନ୍ତି। ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ଯୁଦ୍ଧ ପ୍ରସଙ୍ଗ ନେଇ କରିବେ ଆଲୋଚନା।

