ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି

ବରଗଡ଼: ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଗତ ୨୨ରେ ମଥୁରା ନଗରୀରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ ଆଜି ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ସମଲେଶ୍ବରୀ ମନ୍ଦିରରେ ପରମ୍ପରା ରୀତିରେ ପୂଜାର୍ଚ୍ଚନା ପରେ କୃଷ୍ଣ ଓ ବଳରାମଙ୍କୁ ବରଣ କରାଯାଇ ସାଂସ୍କୃତିକ ଶୋଭାଯାତ୍ରା ସହ ଜୀରା ନଦୀ କୂଳରେ ଥିବା କଦମ୍ବ ବନ ନିକଟକୁ ନିଆଯାଇଥିଲା । ଧନୁଯାତ୍ରାରେ ଯମୁନା ନଦୀ ପାଲଟୁଥିବା ଜିରା ନଦୀ କୂଳର କଦମ୍ବ ବୃକ୍ଷରେ ଧାର୍ଯ୍ୟ ଲଗ୍ନ ସମୟରେ ପୂଜାର୍ଚ୍ଚନା କରାଯାଇ ଶୁଭଧ୍ବଜା ଲଗାଯାଇଛି । ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ମିଶ୍ର ପୂଜାର କର୍ତ୍ତା ସାଜିଥିବାବେଳେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ହର ପ୍ରସାଦ ଭୋଇ, ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ବର ଶତପଥିଙ୍କ ସହ ଗୋପପୁର କମିଟି ଓ ମଥୁରା କମିଟିର ବିଭିନ୍ନ ସଦସ୍ୟ ଓ ବହୁ କଳାକାର ସାମିଲ ହୋଇଥିଲେ । ଜାନୁଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବରଗଡର ୭୬ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ।