ପୁଣି ରାଜଧାନୀରେ ଅପରାଜିତା ଷଢ଼ଙ୍ଗୀଙ୍କୁ ବିରୋଧ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥକଙ୍କ ଗୁଣ୍ଡାଗିରି । ମହିଳାଙ୍କୁ ଗାଡ଼ି ମଡାଇଲେ, ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ ସହିତ ଅସଦାଚରଣ କଲେ ଅପରାଜିତାଙ୍କ ସମର୍ଥକ । ଖୋଦ୍ ଅପରାଜିତାଙ୍କ ଉପସ୍ଥିତିରେ ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଦାଦାଗିରି କରିଛନ୍ତି ତାଙ୍କ ସମର୍ଥକମାନେ । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଅପରାଜିତା ଯୋଗଦେବାକୁ ଯାଉଥିବାବେଳେ ଜଣେ ମହିଳାଙ୍କୁ ତାଙ୍କ ସମର୍ଥକଙ୍କ ଗାଡ଼ି ଧକ୍କା ଦେଇଥିଲା । ଏହାପରେ ସମବେଦନା ଦେଖାଇବା ବଦଳରେ ସଂପୃକ୍ତ ମହିଳାଙ୍କୁ ଅପରାଜିତାଙ୍କ ସମର୍ଥକ ଜଣଙ୍କ ଗାଳିଗୁଲଜ କରିବା ସହ ଶାଢୀ ଚିରିଦେଇଥିବା ଅଭିଯୋଗ ହୋଇଛି ।

ଏପରିକି ବିଜେପି ନେତା ଜଣଙ୍କ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଇଦେଇଥିଲା । ତୁରନ୍ତ ନ୍ୟାୟ ଦାବିରେ ଅଡି ବସିଥିଲେ ମହିଳା । ଏହି ସମୟରେ ଅପରାଜିତା ଗାଡ଼ି ଭିତରେ ବସି ନିରବଦ୍ରଷ୍ଟା ସାଜିଥିଲେ । ଏତେ କାଣ୍ଡ ପରେ ବି ଜଣେ ମହିଳା ହୋଇ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପାଖକୁ ସୁଦ୍ଧା ଯାଇନଥିଲେ । କଟକ ରୋଡ୍ ଲକ୍ଷ୍ମୀସାଗର ନିକଟରେ ଦୀର୍ଘ ସମୟ ଧରି ଖଣ୍ଡଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା । ଏହି ଘଟଣା ଚାଲିଥିବାବେଳେ ଅପରାଜିତାଙ୍କ ଆଉ କିଛି ସମର୍ଥକ ପହଞ୍ଚି ଗଣ୍ଡଗୋଳକୁ ବଢାଇବା ସହ କିଛି ସମୟ ଧରି ରାସ୍ତାରୋକ ଭଳି ପରିସ୍ଥିତି ସୃଷ୍ଟି କରିଥିଲେ ।

ଫଳରେ କଟକ ରୋଡ୍ ଅଞ୍ଚଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ ହୋଇଯାଇଥିଲା । ଟ୍ରାଫିକ ଜାମ ଲାଗି ରହିଥିଲା । ଏତେ ସବୁ ପରେ ମଧ୍ୟ ଅପରାଜିତା ଗାଡ଼ିରୁ ଓହ୍ଲାଇନଥିଲେ । ସ୍ଥାନୀୟ ଅଞ୍ଚଳର ମହିଳାମାନେ ନ୍ୟାୟଦାବୀ କରିଥିଲେ ମଧ୍ୟ ଅପରାଜିତା କର୍ଣ୍ଣପାତ କରିନଥିଲେ । ଘଟଣାସ୍ଥଳରେ ଏବେ ମଧ୍ୟ ପ୍ରବଳ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ଏସିପି ଓ ଲକ୍ଷ୍ମୀସାଗର ଥାନା ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।