ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଜମିଲାଣି ଭକ୍ତଙ୍କ ଭିଡ଼

ପୁରୀ: ଡିସେମ୍ବର ମାସର ଅନ୍ତିମ ସପ୍ତାହରେ ଛୁଟି କଟାଇବା ପାଇଁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ୨୦୨୩ ବର୍ଷ ସରି ଆସୁଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ଶୃଙ୍ଖଳିତ ଦର୍ଶନ ନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ ଦେଖି ଖୁସି ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।

ଶ୍ରୀକ୍ଷେତ୍ରରେ ଖଚାଖଚ ଭିଡ଼ । ବର୍ଷର ଶେଷ ଦିନ ହୋଇଥିବାରୁ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ । ଛୁଟି ପଡ଼ିଥିବାରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ । ଶ୍ରୀଜୀଉଙ୍କ ଦର୍ଶନ କରି ପରିବାର ଓ ନିଜର ମଙ୍ଗଳ କାମନା କରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଭାବେ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ବେଳାଭୂମି ଓ ଗହଳି ସ୍ଥାନରେ ସ୍ବତନ୍ତ୍ର ନଜର ରଖାଯାଇଛି ।

ସବୁ କ୍ଷେତ୍ର ଭିତରେ ଶ୍ରୀକ୍ଷେତ୍ରର ରହିଛି ଅନନ୍ୟ ବୈଶିଷ୍ଟ । ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ତଥା ପୁରୀରେ ଛୁଟି କଟାଇବା ସମସ୍ତଙ୍କୁ ଶ୍ରୀକ୍ଷେତ୍ରକୁ ଟାଣି ଆଣିଛି । ଲାଇନରେ ଯାଇ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଖି ପ୍ରଶଂସା କରିଛନ୍ତି ସଭିଏଁ ।