spot_img
Home Blog Page 2643

ଭାରତ-ବାଂଲାଦେଶ ହାଇଭୋଲଟେଜ୍ ମ୍ୟାଚ୍ : ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

ପୁଣେ :  ବିଶ୍ବକପରେ ହାଇଭୋଲଟେଜ୍ ଟକ୍କର। ମୁହାଁମୁହିଁ ହୋଇଛନ୍ତି ଭାରତ-ବାଂଲାଦେଶ। ପୁଣେରେ ଚାଲିଛି ମ୍ୟାଚ୍। ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଚଳିତ ବିଶ୍ବକପରେ ଏଯାଏଁ ଭାରତ ଅପରାଜିତ ରହିଛି । ୩ଟି ମ୍ୟାଚ ଖେଳି ବିଜୟ ସହିତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ସେପଟେ ବାଂଲାଦେଶ ୩ଟିରୁ ଗୋଟିଏ ମ୍ୟାଚ ଜିତିଛି ।

ଆଜି ଭାରତ ମ୍ୟାଚ ଜିତି ଅପରାଜୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଦ୍ବିତୀୟ ବିଜୟ ଆଶାରେ ରହିଛି ବାଂଲାଦେଶ । ବିଶ୍ବକପରେ ୪ଟି ସଂସ୍କରଣରେ ମାତ୍ର ୪ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ବାଲାଦେଶ । ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ବାଂଲାଦେଶ ଗୋଟିଏରେ ବିଜୟ ହାସଲ କରିଛି । ୨୦୦୭ ବିଶ୍ବକପରେ ଉଭୟ ଦେଶ ମଧ୍ୟରେ ପ୍ରଥମ ମୁକାବିଲା ହୋଇଥିଲା ।

ଏଥିରେ ବାଂଲାଦେଶ ଭାରତକୁ ୫ ଓ୍ବିକେଟରେ ପରାଜିତ କରିଥିଲା । ପରେ ୨୦୧୧ରେ ଭାରତ ୮୭ ରନରେ ବାଂଲାଦେଶକୁ ହରାଇ ପ୍ରଥମ ପରାଜୟର ପ୍ରତିଶୋଧ ନେଇଥିଲା । ୨୦୧୫ ବିଶ୍ବକପରେ ମଧ୍ୟ ଭାରତ ୧୦୯ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା । ବର୍ତ୍ତମାନ ସ୍ଥିତିରେ ଭାରତର ପଲ୍ଲା ଭାରି ରହିଥିବାବେଳେ ବାଂଲାଦେଶ ବିପର୍ଯ୍ୟୟ ସୃଷ୍ଟି କରିବାର ଦକ୍ଷତା ରଖିଛି । ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି ।

ଆଜିଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିଜୟଭେରୀ ଯାତ୍ରା

ନୂଆଦିଲ୍ଲୀ :  ବିଧାନସଭା ନିର୍ବାଚନକୁ ନେଇ ତେଲଙ୍ଗାନାରେ କଂଗ୍ରେସର ପ୍ରଚାର । ଆଜିଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିଜୟଭେରୀ ଯାତ୍ରା । ହଜାର ହଜାର ସଂଖ୍ୟାରେ ସମର୍ଥକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ପାନୁର ଗାଁରୁ ଆରମ୍ଭ ହୋଇଛି ଏହି ବିଜୟଭେରି ଯାତ୍ରା।୩ ଦିନ ଧରି ଚାଲିବ ରାହଲୁଙ୍କ ଏହି ବିଜୟଫେରି ଯାତ୍ରା ।

ଆଜି ଅପରାହ୍ନ ୪ଟାରେ ପେଦାପଲ୍ଲୀରେ ସାଧାରଣ ସଭାକୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏହାପରେ ପେଦାପଲ୍ଲୀରୁ କରିମନଗର ଯାଏଁ ବସଯାତ୍ରା କରିବେ । କରିମନଗର ହାଉସିଂ ବୋର୍ଡ ସର୍କଲରୁ ରାଜୀବ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିବେ ରାହୁଲ । ଏହାପରେ ରାହୁଲଙ୍କ ରାଜୀବ ଛକରେ ସାଧାରଣ ସଭାକୁ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି। ଆସନ୍ତା ନଭେମ୍ବର ୩୦ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ । ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।

ଭାରତକୁ ହରାଇବାକୁ ବାଂଲାଦେଶକୁ ଦେଲେ ପାକ୍ ଅଭିନେତ୍ରୀ ଏମିତି ଅଫର

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପରେ ଗତ ଶନିବାର ଖେଳାଯାଇଥିବା ମ୍ୟାଚରେ ଭାରତ ଠାରୁ ଶୋଚନୀୟ ଭାବେ ହାରିଛି ପାକିସ୍ତାନ ଟିମ୍‌  । ୭ ୱିକେଟରେ ପାକିସ୍ତାନୀ ଟିମ୍‌କୁ ପରାଜୟ କରିଛି ରୋହିତ ଶର୍ମାଙ୍କ ଟିମ୍‌  । ଏହି ବିଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପାକିସ୍ତାନର ନେତାଙ୍କ ଠୁ ନେଇ ଅଭିନେତା  । ଆଜି ପୁଣେରେ ହେବାକୁ ଥିବା ମ୍ୟାଚର ଠିକ୍‌ ପୂର୍ବରୁ ବାଂଲାଦେଶକୁ ବଡ ଅଫର୍‌ ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ।

ଭାରତକୁ ହରାଇବାକୁ ବାଂଲାଦେଶକୁ ଦେଲେ ପାକ୍ ଅଭିନେତ୍ରୀ ଏମିତି ଅଫରବାଂଲାଦେଶ ସହ ଭାରତର ମୁକାବିଲା ଅଛି  । ହେଲେ ମ୍ୟାଚରେ ବାଂଲାଦେଶର ବିଜୟ ହେଲେ ପାକିସ୍ତାନର ପରାଜୟ ବୋଝ ଟିକେ ହାଲୁକା ହେବ ବୋଲି କହିଛନ୍ତି ପାକିସ୍ତାନର ସୁନ୍ଦର ଅଭିନେତ୍ରୀ ସହର ଶିନୱାରୀ  । ସହର ଏକ୍ସ ଡଟ କମ୍‌ରେ ପୋଷ୍ଟ କରିଛନ୍ତି ଯେ ଇନସାଅଲ୍ଲହା ମୋ ବଙ୍ଗାଳୀ ବନ୍ଧୁ ଆଗାମୀ ମ୍ୟାଚରେ ଆମର ପ୍ରତିଶୋଧ ନିଶ୍ଚିତ ନେବେ  । ଯଦି ଆଜି ବାଂଲାଦେଶ ଟିମ ଭାରତୀୟ ଦଳକୁ ହରାଇବାରେ ସକ୍ଷମ ହେବେ ମୁଁ ଢାକା ଯିବି ଆଉ ବାଂଲାଦେଶ ଟିମ୍‌ ସହ ମାଛ ଡିନର କରିବି  ।

ସେପଟେ ପାକିସ୍ତାନକୁ ପୁଣିଥରେ ଭାରତ ସହ ମୁକାବିଲା କରିବା ପାଇଁ ସେମିଫାଇନାଲ ପର୍ଯ୍ୟନ୍ତ କ୍ବାଲିଫାଏ କରିବାକୁ ପଡିବ  । ଆଗାମୀ ମ୍ୟାଚ୍‌ରେ ପାକିସ୍ତାନର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ  ।

 

ଟିଭି ବିରୋଧରେ ପୁଣି ତେଜିଲା ଦଳିତଙ୍କ ଆନ୍ଦୋଳନ ; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶହ ଶହ ଦଳିତ

ଭୁବନେଶ୍ୱର :  ଟିଭି ବିରୋଧରେ ପୁଣି ତେଜିଲା ଦଳିତଙ୍କ ଆନ୍ଦୋଳନ। ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଖୋର୍ଦ୍ଧା ଜିଲ୍ଲା ସାରୁଅ ପଞ୍ଚାୟତର ଶହ ଶହ ଦଳିତ। ବାରମ୍ବାର ପ୍ରତିଶ୍ରୁତି ଦେଇ ନିରାଶ କରୁଥିବାରୁ ପୁଣି ଓଟିଭି ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଖୋର୍ଦ୍ଧା ଜିଲ୍ଲା ସାରୁଅ ପଞ୍ଚାୟତର ଦଳିତ ରାଜରାସ୍ତାକୁ ଓହ୍ଲାଇ ଓଟିଭି ବିରୋଧରେ ନାରାବାଜି କରିଛନ୍ତି। ୨୦୧୩ମସିହାରୁ ପ୍ରାୟ ୨୨ଏକର ଜମିକୁ ଓଟିଭିର ଅନ୍ୟ ଏକ ସଂସ୍ଥା ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ୍ ଲିମିଟେଡ ଶାଗ ମାଛ ଦରରେ ହଡ଼ପ କରି ନେଇଛି।

ପ୍ରତିଶ୍ରୁତି ମୁତାବକ ଜମିକୁ ପାଣି ନଛାଡ଼ିବାରୁ ଏବଂ ଚାକିରି ନଦେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦଳିତ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ପୁଣି ଫେରାଦ ହୋଇଛନ୍ତି। ଜମିକୁ ରବୀନ୍ଦ୍ର ସେଠୀ ନାମକ ବ୍ୟକ୍ତିଙ୍କ ନାଁରେ ପ୍ରଥମେ କିଣି ପରେ ଚଞ୍ଚକତା କରି ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ କରାଇ ନେଇଛି । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ୍ ଓଟିଭି ନେଟୱର୍କର ଆଉ ଏକ ସଂସ୍ଥା ।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଓଟିଭି ଏମଡି ତଥା ବୈଜୟନ୍ତଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା ଏହାର ମାଲିକ। ବିଭିନ୍ନ ସମୟରେ କିଛି ଲୋକଙ୍କୁ ପ୍ରଲୋଭିତ କରି, ଅନ୍ଧାରରେ ରଖି ଓ ଚାକିରି ଦେବାକୁ କହି ସେମାନଙ୍କ ଜରିଆରେ ଜମି ହଡ଼ପ କରିନେଇଛନ୍ତି । ଏଭଳି ଚଞ୍ଚକତା ସମ୍ପର୍କରେ ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଇଥିଲେ କ୍ଷତିଗ୍ରସ୍ତ ଦଳିତ। ଏହାପରେ ଜିଲ୍ଲାପାଳ ଖୋର୍ଦ୍ଧା ଏଡିଏମଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ଏଡିଏମ ଦେଇଥିବା ରିପୋର୍ଟର ଗୁରୁତ୍ୱ ଉପଲବ୍ଧି କରି ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଦିଆଯାଇଥିଲା।

ଇଓଡବ୍ଲୁର ତଦନ୍ତ ବେଳେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ଅନେକ କର୍ମଚାରୀଙ୍କୁ ଜେରା କରାଯାଇଥିଲା। ପରେ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଓ ଏଜେଣ୍ଟ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଥିଲା। ଜମି ହରାଇ ଦଳିତ ଏବେ ନିଃସ୍ବ। ଦୀର୍ଘ ଦିନ ହେଲା ଅଭିଯୋଗ ପରେ ବି ଜମି ଫେରସ୍ତ ପାଇନାହାନ୍ତି । ବିଧିବଦ୍ଧ ଭାବେ ଜମି ଫେରସ୍ତ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସାରୁଅ ବାସିନ୍ଦା।

କେନ୍ଦୁଝର ପେଟ୍ରୋଲ ପମ୍ପରୁ ବଡ଼ଧରଣର ଲୁଟ୍ , ଗୁଳିମାଡ଼ କରି ଲୁଟିନେଲେ ୫ ଲକ୍ଷ ଟଙ୍କା

କେନ୍ଦୁଝର :  କେନ୍ଦୁଝରର ଫୁଲଝର ପେଟ୍ରୋଲ ପମ୍ପରୁ ଲୁଟ୍ । ୫ ରାଉଣ୍ଡ ଗୁଳି ଫୁଟାଇ ଭୟଭୀତ କରି ଲୁଟି ନେଇଛନ୍ତି ୫ ଲକ୍ଷ ଟଙ୍କା । ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ ହୋଇଛି ଏହି ବଡଧରଣର ଡକାୟତି । ପେଟ୍ରୋଲ୍ ପମ୍ପରେ ଥିବା ଲକରରୁ ଟଙ୍କା ନେଇଯିବା ସହ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ପୋଲିସ ଓ ଫୋରେନସିକ ଟିମ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଗତକାଲି ରାତିରେ ଘଟିଛି ଏ ଲୁଟ୍ । ସଦର SDPO ଓ ଫୋରେନସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗିରଫ ହେଲେ ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ପାଣି ; ଘରୁ ମିଳିଥିଲା ପୁଳାପୁଳା ଟଙ୍କା

ଅନୁଗୁଳ :  ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀଙ୍କ ପୁଳା ପୁଳା ଟଙ୍କା । ଯେତେ ଖୋଜିଲେ ସେତେ ବାହାରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଅନୁଗୁଳ ପାଲଲହଡ଼ାରେ କାର୍ଯ୍ୟରତ ଅଛନ୍ତି ଜେଇ ପ୍ରସନ୍ନ ପାଣି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ଚଢ଼ାଉ ବେଳେ ୫ଟି କୋଠା ଥିବା ଜଣାପଡିଛି । ସେଥିରୁ ୩ଟି ବହୁତଳ କୋଠା ରହିଛି । ତାଙ୍କ ଓ ତାଙ୍କ ପରିବାର ନାଁରେ କଟକ, ଭୁବନେଶ୍ବର, ପିପିଲି, ନିମାପଡ଼ା, ଜଙ୍କିଆ ଓ ଜଟଣୀରେ ୧୭ଟି ପ୍ଲଟ ରହିଥିବା ଜଣାପଡିଛି । ରେଡ୍ ବେଳେ ନଗଦ ୩ ଲକ୍ଷ ୨୧ ହଜାର ଟଙ୍କା ଜବତ ହୋଇଛି । ସେହିପରି ୫୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ରହିଛି । ଗୋଟି ୪ ଚକିଆ କାର ଓ ୩ଟି ମୋଟର ସାଇକେଲ ଜବତ ହୋଇଛି ।

ସୁନ୍ଦରପଦା ଏବରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ସୁନ୍ଦରପଦା ପ୍ରେଣ୍ଡସ୍ କ୍ଲବ ନିକଟରେ ଥିବା ୩ ମହଲା ଘର, ହାଇଟେକ ପ୍ଲାଜା ଆପାର୍ଟମେଣ୍ଟରେ ଫ୍ଲାଟ, ନିମାପଡ଼ାରେ ଗୋଟିଏ ୩ ମହଲା କୋଠା ରହିଛି । ଅଧିକ ଚଢ଼ାଉ ଜାରି ରହିଥିବା ବେଳେ, କୋଠା ଓ ପ୍ଲଟର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସର ଟେକ୍ନିକାଲ ଟିମ୍ ।

ଦଶହରା ପାଇଁ କଡ଼ା ସୁରକ୍ଷା : ରାଜଧାନୀ ଜଗିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ଦଶହରା ପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା । ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ ହେବ କଡାକଡି  । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ ଏବଂ ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି ।

୬ଟି ଜାଗାରେ କଣ୍ଟ୍ରୋଲ ରୁମ କରିଛି କମିଶନରେଟ ପୋଲିସ । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହର ର ଛକ ଓ ଗଳିକନ୍ଦି । ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କଲେ ପୋଲିସ କମିଶନର ।

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ, ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର :  ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ । ଲକ୍ଷ୍ମୀ ପୂଜା ପଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ସଂଘ । ମହାସଂଘର ଆନ୍ଦୋଳନ ଡାକରା ପରେ ଗତ କାଲି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୈଠକରେ ବିଏମ୍‌ସି ଡେପୁଟି କମିସନର୍ କମିସନରେଟ୍ ପୋଲିସର ଜୋନ-1 ଏସିପି, ଆଇଆଇସି ଓ ଜେଡିସି ପ୍ରମୁଖ ଉପସ୍ଥିତ ଥିଲେ। ମହାସଂଘର ଦାବିଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ସେପଟେ ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି। ସେହିପରି ପାର୍ବଣ ଚାଲିଥିବାରୁ ହଠାତ ପରିବାର ବ୍ୟବସାୟ ବନ୍ଦ କଲେ ଜନସାଧାଣ ଲୋକ ଅସୁବିଧାର ସମ୍ମୁଖୀନ ହେବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ୭ଦଫା ଦାବି ଉପରେ ଆଲୋଚନା ହୋଇଛି । ୨୦ ତାରିଖରୁ ବନ୍ଦ ଡାକରା ଦେଇଥିଲା ସଙ୍ଘ । ଆନ୍ଦୋଳନ ସ୍ଥଗିତ ନେଇ ରାଜଧାନୀ କଞ୍ଚା ପନି ପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁ ସୂଚନା ଦେଇଛନ୍ତି ।

 

ବାଇଡେନଙ୍କ ପରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ :  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୂନକ ଇସ୍ରାଏଲ ଯିବେ । ସେଠାରେ ଯୁଦ୍ଧର କ୍ଷୟକ୍ଷତି ଓ ହମାସ ବିରୋଧରେ ଚାଲିଥିବା ଯୁଦ୍ଧ ପରିଣାମ ସମ୍ପର୍କରେ ଆଲୋଚନା କରିବେ । ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ଋଷି ସୁନକ । ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଏହି ଗସ୍ତରେ ଯାଉଛନ୍ତି ସୂନକ ।
ଆମେରିକା ଭଳି ଭୁଲ ନକରିବାକୁ ଇସ୍ରାଏଲକୁ ଚେତାଇ ଦେଲେ ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ଉପରେ ହୋଇଥିବା ୯-୧୧ ଆତଙ୍କବାଦୀ ଆକ୍ରମଣ ପରେ ରାଗରେ ବହୁ ଭୁଲ କରିଛି ଆମେରିକା । ଏଭଳି ଭୁଲକୁ ଆଦୌ ନକରୁ ଇସ୍ରାଏଲ । ଆମେରିକା ଉପରେ ହୋଇଥିବା ଆକ୍ରମଣଠୁ ହମାସର ଆକ୍ରମଣ ବହୁତ ବଡ଼ । ଇସ୍ରାଏଲ ଗୋଟିଏ ଛୋଟିଆ ଦେଶ ।

ସେଠାରେ ଗୋଟିଏ ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ଆଦୌ ଠିକ୍‌ ହୋଇନାହିଁ । ଏଥିସହ ପାଲେଷ୍ଟାଇନ ସମର୍ଥନରେ ମଧ୍ୟ କହିଛନ୍ତି ବାଇଡେନ । ହମାସକୁ ସମର୍ଥନ କରୁନାହିଁ ପାଲେଷ୍ଟାଇନ୍‌ । ହମାସ ପାଲେଷ୍ଟାଇନକୁ ପ୍ରତିନିଧିତ୍ବ କରେ ନାହିଁ । ଏହା ଗୋଟିଏ ଆତଙ୍କୀ ସଂଗଠନ । ଗାଜାରେ ସାଧାରଣ ଲୋକଙ୍କର ହୋଇଥିବା କ୍ଷତିକୁ ସୁଧାରିବା ପାଇଁ ୧୦୦ ମିଲିୟନ ଡଲାରର ସହାୟତା ଘୋଷଣା କରିଛନ୍ତି ଜୋ ବାଇଡେନ । ଏହି ଅର୍ଥ ଯେମିତି ହମାସ ପାଖରେ ନପହଞ୍ଚେ ସେଥିପାଇଁ ଏକ ମେକାନିଜିମ ପ୍ରସ୍ତୁତ ହେବ ବୋଲି କହିଛନ୍ତି ବାଇଡେନ ।

ତେବେ ଇସ୍ରାଏଲ ଆମେରିକା ଭଳି ଭୁଲ କରିବାକୁ ଚେତାଇଛନ୍ତି ବାଇଡେନ । ୯-୧୧ର ଘଟଣା ପରେ ଆମେରିକାବବାସୀ କ୍ରୋଧିତ ହୋଇଥିଲେ । ନ୍ୟାୟ ଚାହିଁଥିଲେ ଏବଂ ନ୍ୟାୟ ପାଇଥିଲେ ମଧ୍ୟ ସେତେବେଳେ ଅନେକ ଭୁଲ୍ କରିଥିଲା ଆମେରିକା । ଏହାର ପୁନରାବୃତ୍ତି କରନ୍ତୁନାହିଁ ବୋଲି ଇସ୍ରାଏଲକୁ କହିଛନ୍ତି ବାଇଡେନ । ଅନ୍ୟ ପଟେ ଗାଜା ଡାକ୍ତରଖାନା ଆକ୍ରମଣ ଘଟଣାରେ ଇସ୍ରାଏଲକୁ କ୍ଲିନ୍ ଚିଟ୍ ଦେଇଛି ଆମେରିକା । ମହାକାଶରୁ ପ୍ରାପ୍ତ ଚିତ୍ର ଏବଂ ହସ୍ତଗତ ହୋଇଥିବା ଗୁଇନ୍ଦା ତଥ୍ୟକୁ ଆଧାର କରି ଆମେରିକୀୟ ଗୁପ୍ତଚର ଏଜେନ୍ସି ଦର୍ଶାଇଛନ୍ତି ଯେ ଗାଜା ଡାକ୍ତରଖାନା ଉପରେ ହୋଇଥିବା ରକେଟ୍ ଆକ୍ରମଣ ପଛରେ ଇସ୍ରାଏଲର ହାତ ନାହିଁ। ଏଠାରେ ଘଟିଥିବା ଶହ ଶହ ଲୋକଙ୍କ ମୃତ୍ୟୁ ପାଇଁ ଇସ୍ରାଏଲର ଦାୟୀ ନୁହେଁ।

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । କ୍ୟାବିନେଟରେ ୧୨ ରୁ ଅଧିକ ପ୍ରସ୍ତାବ ଆସିବ । ମେଟ୍ରୋ ଟ୍ରେନ୍ କ୍ୟାଡର୍ ପୁନଃଗଠନ ସହ ନଗର ଉନ୍ନୟନ ଗଣଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗର ପ୍ରସ୍ତାବ ଆସିବ । ନିକଟରେ ରାଜ୍ୟସରକାର ମେଟ୍ରୋ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ ବରାଦ କରିବା ସହ ଡିପିଆର୍କୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ୪ ବର୍ଷ ଭିତରେ ମେଟ୍ରୋ ପ୍ରକଳ୍ପକୁ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ କ୍ୟାବିନେଟ୍ରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।.