spot_img
Home Blog Page 2642

ଭାରତ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ

ପୁନେ: ବାଂଲାଦେଶ ଭାରତ ବିପକ୍ଷ ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ୨୫୬ ରନ କରିବାରେ ସକ୍ଷମ ହୋଇଛି । ଭାରତ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ ରହିଛି । ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ୫୦ ଓଭର ମଧ୍ୟରେ ୮ଟି ଓ୍ବିକେଟ ହରାଇ ୨୫୬ ରନ କରିବାରେ ସକ୍ଷମ ହୋଇଛି । ଭାରତ ନିଜର ପ୍ରଥମ ତିନୋଟି ମ୍ୟାଚ ଜିତିଥିବାବେଳେ ଏହି ମ୍ୟାଚରେ ବିଜୟ ହୋଇ ଧାରା ଜାରି ରଖିବା ପ୍ରୟାସ ଜାରି ରଖିବ । ବାଂଲାଦେଶ ପକ୍ଷରୁ ଲିଟନ ଦାସ ସର୍ବାଧିକ ୬୬ ରନ କରିଥିବାବେଳେ ତନଜିକ୍ ହାସନ ୫୧ ରନର ପାଳି ଖେଳିଛନ୍ତି । ଦୁଇ ଓପନର ବ୍ୟାଟ୍ସମ୍ୟାନ ଦମଦାର ପ୍ରଦର୍ଶନ କରିଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ପାଳି ଖେଳିପାରିନଥିଲେ । ମହମଦୁଲ୍ଲା ୩୬ ବଲରୁ ୪୬ ରନର ପାଳି ଖେଳିଥିଲେ । ଅର୍ଦ୍ଧଶତକ କରିବା ପୂର୍ବରୁ ଶେଷ ଓଭରେ ବୁମରାଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଭାରତୀୟ ବିଶ୍ବକପ ଦଳକୁ ଫେରିପାରନ୍ତି ଅକ୍ଷର ପଟେଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳକୁ ଫେରିପାରନ୍ତି ଅକ୍ଷର ପଟେଲ। ଭାରତରେ ଅନୁଷ୍ଠିତ ବିଶ୍ବକପ ପାଇଁ ଭାରତୀୟ ଦଳରେ ଅକ୍ଷର ସ୍ଥାନ ପାଇଥିଲେ । ଏପରିକି ଏସିଆ କପ ମଧ୍ୟ ଖେଳିଥିଲେ । କିନ୍ତୁ ସେ ଆହତ ହେବା ପରେ ଅଶ୍ବିନୀଙ୍କୁ ଦଳରେ ସାମିଲ କରାଯାଇଛି । କିନ୍ତୁ ପୁଣିଥରେ ଚର୍ଚ୍ଚା ହେଉଛି କି, ଅକ୍ଷର ପଟେଲ ଦଳକୁ ଫେରିପାରନ୍ତି । ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣଭାବେ ଫିଟ୍ ନଥିବା ଖବର ମିଳୁଛି । ଯଦି ସେ ଆହତ ବସନ୍ତି ତାହେଲେ ତାଙ୍କ ସ୍ଥାନରେ ଅକ୍ଷର ପଟେଲ ଦଳକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି । ଆହତ ହୋଇଥିବା ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଥିବା କୁହାଯାଉଛି । ସେପଟେ ଯଦି ଅକ୍ଷର ପଟେଲ ପ୍ରଥମ ପସନ୍ଦ ଥିବାବେଳେ ବିଜୟ ଶଙ୍କର କିମ୍ବା ବୋଲରଭାବେ ଶିଭମ ଦୁବେଙ୍କୁ ଦଳରେ ସାମିଲ କରିପାରନ୍ତି । କିନ୍ତୁ ପାଣ୍ଡ୍ୟା ଏଯାବତ ସମ୍ପୂର୍ଣ୍ଣ ଭାବେ ଆହତ ହୋଇନାହାନ୍ତି । ସେ ଗୁରୁବାର ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ଖେଳୁଛନ୍ତି ।

ପାଣ୍ଡ୍ୟା ନୂଆ ବଲରେ ଭଲ ବୋଲିକୁଥିବାବେଳେ ମଧ୍ୟକ୍ରମ ଏବଂ ଶେଷ ଓଭର ଗୁଡ଼ିକରେ ଦମଦାର ବୋଲିଂ କରିବାର ଅଭିଜ୍ଞତା ରହିଛି । ସେପଟେ ଯଦି ବ୍ୟାଟିଂ କଥା କହିବା ତାହେଲେ ବଡ଼ ବଡ଼ ସଟ୍ ମାରି ବୋଲରଙ୍କୁ ନୟାନ୍ତ ମଧ୍ୟ କରିପାରନ୍ତି । ଯାହାକି ପୂର୍ବରୁ ଅନେକ ମ୍ୟାଚରେ ଦେଖିବାକୁ ମିଳିଛି । ଯଦି ସେ ବିଶ୍ବକପରେ ଆହତ ହୋଇ ଦଳରୁ ବାହାରନ୍ତି ତାହେଲେ ଏହା ଭାରତୀୟ ଟିମ ପାଇଁ ମହଙ୍ଗା ସାବ୍ୟସ୍ତ ମଧ୍ୟ ହୋଇପାରେ ।

 

 

ଚଳିତ ବର୍ଷ ଦେଶରେ ହେବାକୁ ଯାଉଛି ପ୍ରାୟ ୩୫ ଲକ୍ଷ ବିବାହ 

ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଦେଶରେ ହେବାକୁ ଯାଉଛି ପ୍ରାୟ ୩୫ ଲକ୍ଷ ବିବାହ । ଏହି ବିବାହ ଯୋଗୁ ଭାରତର ବାଣିଜ୍ୟ ବ୍ୟବସାୟ ଆଖିଦୃଶିଆ ଭାବେ ବୃଦ୍ଧି ପାଇବ । ଚଳିତ ବର୍ଷ ଏନେଇ ୪ ଦଶମିକ ୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସୂଚନା ଦେଇଛନ୍ତି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ବା ସିଏଆଇଟି । ସିଆଇଏଟି ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି- ଆସନ୍ତା ନଭେମ୍ବର ୨୩ରୁ ଡିସେମ୍ବର ୧୫ ଯାଏ ଦେଶରେ ଆଖିଦୃଶିଆ ବିବାହ ଅନୁଷ୍ଠିତ ହେବ । ମାତ୍ର ୨୩ ଦିନ ମଧ୍ୟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭାରତରେ ୪ ଦଶମିକ ୨୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି ।

ଭାରତରେ ପ୍ରତି ବିବାହ ପିଛା ହାରାହାରି ୫ ଲକ୍ଷ ଟଙ୍କା ବ୍ୟୟ ହିସାବରେ ଏହି ଆକଳନ କରାଯାଇଛି । ଗୋଆ, କେରଳ, ଜୟପୁର, ସିମଳାରେ ସବୁଠାରୁ ଅଧିକ ବିବାହ ହେବାକୁ ଯାଉଛି । ସେ କହିଛନ୍ତି ଏହି ବିବାହ ମଧ୍ୟରୁ ପ୍ରାୟ ୬ ଲକ୍ଷ ବିବାହ ୩ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟରେ ହେବା ଆଶା ରହିଛି । ନଭେମ୍ବର ୨୩, ୨୪, ୨୭, ୨୮, ୨୯, ଡିସେମ୍ବର ୩, ୪, ୭, ୮, ୯ରେ ଦେଶରେ ଅଧିକାଂଶ ବିବାହ ସମ୍ପନ୍ନ ହେବ । ଗତବର୍ଷ ଦେଶରେ ୩୨ ଲକ୍ଷ ବିବାହ ହୋଇଥିବାବେଳେ ମୋଟ ଖର୍ଚ୍ଚ ହୋଇଥିଲା ୩ ଲକ୍ଷ ୭୫ ହଜାର କୋଟି ଟଙ୍କା ।

କେନାଲରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ଢ଼େଙ୍କାନାଳ: କେନାଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ପଞ୍ଚୁବଟୀ ଗାଁ ନିକଟସ୍ଥ କେନାଲରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପଞ୍ଚୁବଟୀ ଗାଁର ଅବସରପ୍ରାପ୍ତ ହାବିଲଦାର ଦୁଃଶାସନ ସାହୁ ଓ ତାଙ୍କ ପତ୍ନୀ ପଦ୍ମାବତୀ ସାହୁ। ଗତକାଲି ସକାଳୁ ଉଭୟ ନିଖୋଜ ଥିଲେ । ସନ୍ଧ୍ୟା ସମୟରେ ଗାଁ ନିକଟସ୍ଥ କେନାଲରେ ଦୁଃଶାସନ ଭାସୁଥିବାର କିଛି ଲୋକ ଦେଖିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ସହାୟତାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ତାଙ୍କ ପତ୍ନୀ ପଦ୍ମାବତୀଙ୍କ ମୃତଦେହକୁ ଦମକଳ ବାହିନୀ ଉଦ୍ଧାର କରିଛି । ଗତକାଲି ଦୁଃଶାସନଙ୍କ ପୁଅ ସଦର ଥାନାରେ ବାପାମାଆ କେନାଲକୁ ଗାଧୋଇବାକୁ ଯାଇ ଘରକୁ ଫେରି ନଥିବା ଅଭିଯୋଗ କରିଥିଲେ। ଘରୋଇ କଳିକୁ ନେଇ ଦମ୍ପତି ଆମହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ କରୁଛି ପୋଲିସ।

କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଆଉ ଦୁଇ ଜିଲ୍ଲାରେ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । କଟକ ଓ କେନ୍ଦ୍ରାପଡ଼ାବାସୀଙ୍କୁ ୩୧୧ କୋଟି ଟଙ୍କା ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏ ଦିଆଯାଉଛି । କଟକ ଜିଲ୍ଲାରେ ୫ ହଜାର ୩୫୧ଟି ପ୍ରକଳ୍ପ ପାଇଁ ୧୮୬ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ  କେନ୍ଦ୍ରାପଡ଼ାରେ ୩ ହଜାର ୩୫୩ଟି ପ୍ରକଳ୍ପ ପାଇଁ ୧୨୪ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଛି । କଟକ ଜିଲ୍ଲାର ୧୪ଟି ବ୍ଲକ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସହାୟତା ଘୋଷଣା କରାଯାଇଛି । ନିଆଳୀ ବ୍ଲକର 23ଟି  ପଞ୍ଚାୟତର 328 ପ୍ରକଳ୍ପ ପାଇଁ 11କୋଟି 50 ଲକ୍ଷ ଟଙ୍କା ମଂଜୁର ହୋଇଛି  । ସେହିପରି ବାଙ୍କୀ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଳକକୁ ସହାୟତା ଯୋଗାଇ ଦିଆଯାଇଛି । ସାଲେପୁର ଓ ନିଶ୍ନିତକୋଇଲି ବ୍ଲକ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି । ସେପଟେ କେନ୍ଦ୍ରାପଡ଼ାର ମଧ୍ୟ ବିଭିନ୍ନ ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସହାୟତା ଯୋଗାଇ ଦିଆଯାଇଛି  ।

ଭିଜା ଭିଜା ଦଶହରା

ଭୁବନେଶ୍ବର: ବର୍ଷାରେ ଭିଜିବ ଦୁର୍ଗା ପୂଜା । ଭସାଣିରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ଘନୀଭୂତ ହେଉଛି ଘୂର୍ଣ୍ଣୀବଳୟ। ୨୧ ତାରିଖ ସକାଳ ସୁଦ୍ଧା ନେବ ଲଘୁଚାପର ରୂପ । ପରବର୍ତ୍ତୀ ୪୭ ଘଣ୍ଟାରେ ଅବପାତରେ ପରିଣତ ହେବ । ପ୍ରଭାବରେ ୨୩ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ବର୍ଷିବ । ତେବେ ୨୪ରେ ବଢିବ ବର୍ଷାର ପରିମାଣ ।

୨୫ ତାରିଖରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ ହୋଇଛି । ୨୩ ତାରିଖରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ। ଝଟକା ପବନ ଘଣ୍ଟାପ୍ରତି ୭୦ କିମି ଯାଇପାରେ। ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ।

୨୦ ତାରିଖ ବେଳକୁ ତାହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ସାରା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହୁଛି । ତେବେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, କେନ୍ଦୁଝର ଏବଂ ମୟରୁଭଞ୍ଜରେ ବର୍ଷା ହୋଇପାରେ ।

ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ତେବେ ୨୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢିପାରେ । କିନ୍ତୁ ଲଘୁଚାପଟିର କେନ୍ଦ୍ରସ୍ଥଳ ଏବଂ ତାହାର ଗତି କୁଆଡେ ହେବ ସେ ନେଇ ବର୍ତ୍ତମାନ ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ତାହା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମୁହାଁ ହେବ ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଯଦି ତାହା ପଶ୍ଚିମବଙ୍ଗ –ବାଂଲାଦେଶ ମୁହାଁ ହୁଏ ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ତେବେ ଲଘୁଚାପଟି ଅଧିକ ଘନୀଭୁତ ହୋଇ ଓ୍ବେଲମାର୍କ ଲୋପ୍ରେସର ଏବଂ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବପାତ ହେଲେ ମଧ୍ୟ ଓଡ଼ିଶାରେ ତାର ପ୍ରଭାବ ଅଧିକ ରହିବ ନାହିଁ । କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ସାମାନ୍ୟ ଶୀତ ଅନୁଭୁତ ହୋଇପାରେ ବୋଲି ଆକଳନ କରାଯାଇଛି ।

 

ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଶ୍ବିନୀଙ୍କୁ କାହିଁକି ମିଳିଲାନି ସ୍ଥାନ?

ମୁମ୍ବାଇ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ପୁନେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତର ବୋଲରମାନେ ଦମଦାର ପ୍ରଦର୍ଶନ କରୁଛନ୍ତି । କଳାମାଟି ପିଚ୍ ସ୍ପିନରଙ୍କୁ ସୁହାଉଥିବାବେଳେ ଦଳରେ ସ୍ଥାନ ପାଇନାହାନ୍ତି ଅଭିଜ୍ଞ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ । ଦଳରେ ଜାଡେଜା ଏବଂ କୁଲଦୀପ ଦୁଇ ସ୍ପିନର ଖେଳୁଥିବାବେଳେ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଅଧିନାୟକ ଭୁଲ ନିଷ୍ପତି ନେଇଥିବା କୁହାଯାଉଛି ।

ଜଣେ ଦୃତ ବୋଲରଙ୍କ ସ୍ଥାନରେ ଅଶ୍ବିନୀ ଖେଳିଥିଲେ ଦଳ ପାଇଁ ଲାଭ ଦାୟକ ହୋଇଥାନ୍ତା । କିନ୍ତୁ ଦଳରେ ଚାରିଜଣ ଦୃତ ବୋଲର ଖେଳୁଛନ୍ତି । ବୁମରା, ସିରାଜ, ସାର୍ଦ୍ଧୁଲ ଠାକୁର ଏବଂ ପାଣ୍ଡ୍ୟା ଖେଳୁଛନ୍ତି । ୪ଜଣ ପେସର ବୋଲର ରହିଥିବାବେଳେ ମାତ୍ର ଦୁଇଜଣ ସ୍ପିନର ଖେଳୁଛନ୍ତି । ତେବେ ଜଣେ ପେସରଙ୍କ ସ୍ଥାନରେ ସ୍ପିନର ଖେଳିଥିଲେ ଦଳ ଭଲ ପ୍ରଦର୍ଶନ କରିଥାନ୍ତା । ଯାହାକି ଅେନକ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି । ବିଶ୍ବକପ ଦଳରେ ପ୍ରଥମେ ଅଶ୍ବିନୀଙ୍କୁ ସ୍ଥାନ ମିଳିନଥିଲା । ଅକ୍ଷର ପଟେଲ ଆହତ ହେବା ପରେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଅଶ୍ବିନୀ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା ।

ସେପଟେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦୁଇ ସ୍ପିନର ପ୍ରଥମରୁ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିବା ଦେଖିବାକୁ ମିଳିଛି । ବାଂଲାଦେଶ ୪ଟି ଓ୍ବିକେଟ ହରାଇଥିବାବେଳେ କେବଳ ସ୍ପିନର ୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ଜାଡେଜା ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ କୁଲଦୀପଙ୍କୁ ମିଳିଛି ଗୋଟିଏ ସଫଳତା । ସେପଟେ ସିରାଜ ଆଉ ଗୋଟିଏ ଓ୍ବିକେଟ ନେଇଛନ୍ତି । ବାଂଲାଦେଶର ଯଦିଓ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି ତଥାପି ସହଜ ମଣିବା ବୋକାମି ହେବ । ୨୦୦୭ ବିଶ୍ବକପରେ ଭାରତ ସୁପର ୮ରେ ପହଞ୍ଚିବା ପାଇଁ କାଳ ସାଜିଥିଲା ବାଂଲାଦେଶ । ବାଂଲାଦେଶ ଭାରତକୁ ହରାଇଥିବାବେଳେ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲା ।

 

ଭଦ୍ରକରେ ବସ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା

ଭଦ୍ରକ: ଭଦ୍ରକରେ ବସ-ଆମ୍ବୁଲାନ୍ସ ମୁହାଁମୁହିଁ । ବରପଦା ନିକଟ ଅରଞ୍ଜି ଛକରେ ଯାତ୍ରୀବାହୀ ବସ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଛି । ବସଟି ଭଦ୍ରକରୁ ଯାତ୍ରୀଙ୍କୁ ନେଇ ଆସୁଥିଲା । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର ସହିତ ତଦନ୍ତ ଜାରି ରଖିଛି । ପ୍ରଥମ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିଥିବାବେଳେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ ।

ସ୍ପିଡ୍ ଗାଡ଼ି ଚାଳନା ପାଇଁ ହିଟମ୍ୟାନଙ୍କ ନାମରେ କଟିଲା ଚାଲାଣ

ମୁମ୍ବାଇ: ଖତରୋଁ କେ ଖିଲାଡି ରୋହିତ ଶର୍ମା । ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେରେ କାର ଚଳାଇ ସ୍ପିଡରେ ମାରିଲେ ଡବଲ ସେଞ୍ଚୁରି । ବ୍ୟାଟିଂରେ ବିରୋଧୀ ଶିବିରରେ ଭୂକମ୍ପ ମଚାଉଥିବା ରୋହିତଙ୍କ ଅନ୍ୟ ଏକ ଅବତାର ଦେଖିବାକୁ ମିଳିଛି । ଆମେ କହୁଛୁ ରୋହିତ ଶର୍ମାଙ୍କ ସ୍ପିଡ ଡ୍ରାଇଭିଂ ବିଷୟରେ। ଯାହା ଆପଣଙ୍କ ପରି ପ୍ରଶଂସକଙ୍କ ଛାତି ଥରାଇ ଦେବ। ପାକିସ୍ତାନ ସହ ମ୍ୟାଚ ପରେ ଅହମଦାବାଦରୁ ମୁମ୍ବାଇ ଯାଇ ପରିବାର ସହ ଦୁଇ ଦିନ ବିତାଇବା ପରେ ମଙ୍ଗଳବାର ଖେଳାଳିଙ୍କ ସହ ଯୋଗଦେବାକୁ ପୁନେ ବାହାରିଥିଲେ ରୋହିତ । ନିଜ ବ୍ଲୁ କଲରର ସ୍ପୋର୍ଟସ କାର ଲାମ୍ବୋରଗିନିର ପଛ ସିଟରେ ଡ୍ରାଇଭରକୁ ବସାଇ ଦେଇ ନିଜେ ଡ୍ରାଇଭ କରିଥିଲେ ରୋହିତ। ଶୂନଶାନ ରାସ୍ତାରେ କାରକୁ ଖୁବ ସ୍ପିଡରେ ଦୌଡାଇଥିଲେ ରୋହିତ।

୨ଶହରୁ ଅଧିକ ସ୍ପିଡରେ ଦୌଡିଥିଲା ହାଇ ସ୍ପିଡ କାର ଲମ୍ବୋରଗିନି। ଏପରିକି କିଛି କିଛି ପଏଣ୍ଟରେ କାରର ସ୍ପିଡୋମିଟର ୨୧୫ କିଲୋମିଟର ଟାର୍ଗେଟକୁ ଛୁଇଁଥିଲା । ହେଲେ ଟ୍ରାକ କ୍ୟାମେରା ଏହାକୁ ଛାଡିନଥିଲା  । ହାଇ ସ୍ପିଡରେ ଯାଇ ଧରାପଡିଛନ୍ତି ରୋହିତ ଶର୍ମା । ଆଉ ପାଇଛନ୍ତି  ତିନି ତିନିଟି ଅନଲାଇନ ଚାଲାଣ । ରୋହିତଙ୍କ ଏପରି ସ୍ପିଡ ଡ୍ରାଇଭକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଟ୍ରାଫିକ ପୋଲିସ କର୍ତ୍ତୃପକ୍ଷ  । ଏତେ ସ୍ପିଡରେ ପୁନେ ଯିବା ବଦଳରେ ଟିମ ବସରେ ଯାଇଥିଲେ ଭଲ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି । ରୋହିତ ଖୁବ ସ୍ପିଡରେ କାର ଚଳାନ୍ତି ବୋଲି ଜଣାଶୁଣା ।

ହେଲେ ଏତେ ସ୍ପିଡରେ କାର ଚଳାଇବା ଆଦୌ ଭଲ କଥା ନୁହେଁ ବୋଲି ସେମାନେ ସତର୍କ କରିଦେଇଛନ୍ତି  । ଏଇଠି ଦୁଇଟି ଉଦାହରଣ ଦେଉଛୁ । ସ୍ପିଡ ଡ୍ରାଇଭିଂ କେତେ ଖତରନାକ । ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ସ୍ପିଡ ଡ୍ରାଇଭିଂ କରି ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ମର୍ସିଡେଜ ବେଞ୍ଜ SUVକୁ ଶହେ ସ୍ପିଡରେ ଚଲାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ସାଇରସ ମିସ୍ତ୍ରୀ । ସେହିପରି ଖୁବ ସ୍ପିଡରେ କାର ଚଳାଇ କ୍ରିକେଟର ଋଷଭ ପନ୍ତ ମଧ୍ୟ ଏପର୍ଯ୍ୟନ୍ତ ଖେଳିବାକୁ ଫିଟ ହୋଇନାହାଁନ୍ତି । ତେଣୁ ସ୍ପିଡ ସୁଖ ଦିଏ କନ୍ତୁ ଜୀବନ ବି ନିଏ ।

ଗଙ୍ଗାଧର ମେହେରଙ୍କ ସମାଧି ପୀଠ ନିର୍ମାଣ କାମର ସମୀକ୍ଷା କଲେ WODC ଅଧ୍ୟକ୍ଷ

ବରଗଡ଼ : ପଶ୍ଚିମ ଓଡିଶା ଗସ୍ତରରେ ପଶ୍ଚିମ ଓଡିଶା ବିକାଶ ପରିଷଦ (WODC) ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଗସ୍ତର ଚତୁର୍ଥ ଦିନରେ ସେ ବରଗଡ ଜିଲ୍ଲା ବରପାଲି ଠାରେ ନିର୍ମିତ ହେଉଥିବା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମାଧି ପୀଠର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ଏହି ସମାଧି ପୀଠ ନିର୍ମାଣ ପାଇଁ ପରିଷଦ ପକ୍ଷରୁ ୧କୋଟି ୨୦ ଲକ୍ଷ ଟଙ୍କ ଅନୁଦାନ ଦିଆଯାଇଛି । ଯାହାର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଅନୁମାନ କରାଯାଉଛି । ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ୍ କୁମାର ସାହୁ, ବରଗଡର ଜିଲ୍ଲାପାଳ, ବୈଷୟିକ ପରାଦର୍ଶଦାତା ପ୍ରମୁଖ ଆଦି ଉପସ୍ଥିତ ଥିଲେ ।