ସେବାୟତ ଦେଲେ ନିମନ୍ତ୍ରଣ, ଚାଉଳ ଗୁଆ ଦେଇ ସମ୍ମତି ରଖିଲେ ନବୀନ

ଭୁବନେଶ୍ବର: ନବୀନଙ୍କୁ ନିମନ୍ତ୍ରଣ । ପରିକ୍ରମା ପ୍ରକଳ୍ପରେ ଯୋଗଦାନ ଓ ଶୁଭ ଉଦଘାଟନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଆ ଓ ମୁଠାଏ ଚାଉଳ ଦେଇ ନିଜର ସମ୍ମତି ପ୍ରଦାନ କରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର । ସେହିପରି ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ସମାରୋହ ଲାଗି ସାରା ରାଜ୍ୟ ଓ ରାଜ୍ୟ ବାହାର ଜଗନ୍ନାଥପ୍ରେମୀଙ୍କୁ ଗୋଟିଏ ଗୁଆ ଓ ମୁଠାଏ ଚାଉଳ ଦେବାକୁ ରାମଚନ୍ଦ୍ର ଆହ୍ବାନ ଦେଇଛନ୍ତି ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ଭବ୍ୟ ଲୋକାର୍ପଣ ଉତ୍ସବ । ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହୋଇଛି ପରିକ୍ରମା ନିମନ୍ତ୍ରଣ। ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ନିକଟରୁ ୩୩ଟି ଗାଡ଼ିରେ ନିମନ୍ତ୍ରଣ ବାର୍ତ୍ତା ନେଇ ବାହାରିଛନ୍ତି ୩୦ଟି ସ୍ବତନ୍ତ୍ର ଦଳ। ପ୍ରଥମେ ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରାଯାଇଛି। ୧୩ଟି ଟିମ୍ ରାଜ୍ୟର ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଗସ୍ତ କରିଛନ୍ତି ।