ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଫାଷ୍ଟ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ ବେହେରା । ଗାଡିରେ ୧ ଲକ୍ଷ ୩୫ ହଜାର ନେଇ ଯିବାବେଳେ ସୁନୀଲଙ୍କୁ ଧରିଲା ଭିଜିଲାନ୍ସ । ସିଡିଏ ସେକ୍ଟର-୧୧ ମଧୁସୂଦନ ସେତୁ ନିକଟରେ ଭିଜିଲାନ୍ସ ରେଡ୍ କରିଥିଲା । ପାଖରେ ଏତେ ଟଙ୍କା ନେଇ କୁଆଡ଼େ ଯାଉଥିଲେ ଓ ଟଙ୍କା କେଉଁଠୁ ଆଣିଲେ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସୁନୀଲ । ପରେ ଟଙ୍କା ଜବତ କରିବା ସହିତ ସୁନୀଲଙ୍କ ୫ଟି ଠିକଣାରେ ରେଡ୍ କରିଛି ଭିଜିଲାନ୍ସ । ଚଢାଉ ବେଳେ ତାଙ୍କ ଘରୁ ୮ଲକ୍ଷ ୭୦ ହଜାର ଟଙ୍କା ସହିତ ମୋଟ ୧୦ ଲକ୍ଷ ୧୫ଶହ ୩୫ ଟଙ୍କା ଜବତ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୯ଟି ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ବିକାଶରେ ସ୍ବର୍ଣ୍ଣିମ ଯୁଗ । ୧୨୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୯ଟି ପ୍ରକଳ୍ପକୁ ଅନୁମୋଦନ । ମୋଟ୍ ୩ ହଜାର ୬ ଶହ ୬୩ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବ । ଏହାଦ୍ବାରା ପ୍ରାୟ ୧୩ ହଜାର ୬ ଶହ ୬୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି । ଏହା ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ନିରନ୍ତର ବିକାଶ ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ହଂକଂର ପୋଷାକ ନିର୍ମାତା “ଏପିକ୍ ଗ୍ରୁପ୍” ଓଡ଼ିଶାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଯାଉଛି ।
“ଏପିକ୍ ଗ୍ରୁପ୍” ଗ୍ରୁପର ସହାୟକ ସଂସ୍ଥା “ଟ୍ରାଇମେଟ୍ରୋ ଗାର୍ମେଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍” ଏହାର ପୋଷାକ ଉତ୍ପାଦନ ସୁବିଧା ପାଇଁ ୩୭୬ ଦଶମିକ ୮୫ କୋଟି ଟଙ୍କା ବିନିଯୋଗ କରିବ । ଖୋର୍ଦ୍ଧାରେ ୭ ହଜାର ୫୦ ଜଣଙ୍କୁ ନିଯୁକ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି । ଟାଇମ୍ ଟେକ୍ନୋପ୍ଲାଷ୍ଟ ଲିମିଟେଡ୍ ଏବଂ ଓରିକନ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ଖୋର୍ଦ୍ଧାରେ ଉତ୍ପାଦନ ୟୁନିଟ୍ ସହିତ ପ୍ଲାଷ୍ଟିକ୍ କ୍ଷେତ୍ରର ଉନ୍ନତି କରିବାକୁ ଯାଉଛନ୍ତି । ନେଜୋନ୍ ଷ୍ଟିଲ୍ ଉତ୍କଳ ଏଲଏଲପି, ଆଡଭାନ୍ସ ଷ୍ଟିଲ୍ ଟ୍ୟୁବସ୍ ଲିମିଟେଡ୍, ନିର୍ମଳ ଷ୍ଟିଲସ୍ ପ୍ରାଇଭେଟ୍ ଲିମିଟେଡ ଭଳି ଅନେକ କମ୍ପାନୀର ପୁଞ୍ଜିନିବେଶ ଯୋଗୁଁ ରାଜ୍ୟରେ ଇସ୍ପାତ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ।
କଳିଙ୍ଗନଗର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ଏହି କମ୍ପାନିଗୁଡ଼ିକ ସାମଗ୍ରିକ ଭାବେ ୨ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି । ଅକ୍ଷୟ ଶକ୍ତି କ୍ଷେତ୍ରରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ ଏବଂ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ଯଥାକ୍ରମେ ୨୯୭ ଦଶମିକ ୬୧ କୋଟି ଟଙ୍କା ଏବଂ ୨୧୫ କୋଟି ଟଙ୍କା ବିନିଯୋଗ କରି ସୌର ଶକ୍ତି ପ୍ଲାଣ୍ଟ ଆରମ୍ଭ କରୁଛନ୍ତି । ଓଡ଼ିଶାର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରୁଥିବା ପୋଷାକ ଏବଂ ବୟନ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି ।
ଆଧୁନିକ ଉତ୍ପାଦନ ଓ ସ୍ଥାୟୀ ସାମଗ୍ରୀ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ପ୍ଲାଷ୍ଟିକ ଶିଳ୍ପକୁ ମିଳିଛି ପ୍ରୋତ୍ସାହନ । ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ ଅଞ୍ଚଳ ଏବଂ ଧାତବ ବିଜ୍ଞାନ ଦକ୍ଷତା ଉପରେ ବୈଠକରେ ଆଲୋକପାତ କରାଯାଇଥିଲା । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାର ସାଂସ୍କୃତିକ ଓ ପ୍ରାକୃତିକ ଆକର୍ଷଣର ଫାଇଦା ଉଠାଇବା ପାଇଁ ପ୍ରୋତ୍ସାହିତ କରାଯାଇଛି । ୧୦ଟି ଜିଲ୍ଲାରେ ଏହି ସବୁ କ୍ଷେତ୍ରରେ ବ୍ୟାପକ ଶିଳ୍ପ ବିକାଶ ରଣନୀତିର ସଙ୍କେତ ଦେଉଛି ।
ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣର ନକଲି କସମେଟିକ ସାମଗ୍ରୀ ଜବତ
ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ । 5ଟି ଦୋକାନରୁ ବିପୁଳ ପରିମାଣର ନକଲି କସମେଟିକ ସାମଗ୍ରୀ ଜବତ । ହିନ୍ଦୁସ୍ତାନ ୟୁନିଲିଭର କାମ୍ପାନୀର କର୍ମଚାରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସର ଚଢ଼ାଉ । ବିଭିନ୍ନ ଦୋକାନ ଓ ସପିଂ ମଲରେ ଚଡାଉ କରି ନକଲି କସମେଟିକ୍ ସାମଗ୍ରୀ ଜବତ କରାଯାଇଛି ।
ବଡ଼ ବଜାର ଖାସପା ସାହିରେ ଥିବା ଓମ ଷ୍ଟୋରରୁ ୪୬୧ଟି ନକଲି ଲାକମି କସମେଟିକ୍ , ଶ୍ରୀ ସାଇ ଟ୍ରେଡିଂ କୋ’ ରୁ ୫୫୩ଟି ଲାକମେ ନକଲି କସମେଟିକ୍, ଭାପୁର ବଜାରର ମନ ପସନ୍ଦ ଦୋକାନରୁ ୮୦୭ଟି ନକଲି କସମେଟିକ୍, ଖୁସି ଲେଡିସ କର୍ଣ୍ଣର ଓ ଭି-୨ ମଲରୁ ୫୧ଟି ନକଲି କସମେଟିକ୍ ସାମଗ୍ରୀ ଜବତ କରିଛି ପୋଲିସ । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି ପୋଲିସ ପକ୍ଷରୁ ସୂଚନା । ଦାମୀ କମ୍ପାନୀର ବ୍ରାଣ୍ଡ ଲଗାଇ ନକଲି ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ଉଭୟ ବଡ଼ ବଜାର ଓ ଟାଉନ ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜ୍ଜୁ ପରେ ତଦନ୍ତ ଜାରି ରହିଛି ।
ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ବିଧାନସଭାରୁ ନିଲମ୍ବନ ଯଥାର୍ଥ: ପ୍ରତାପ ଦେବ
ଭୁବନେଶ୍ୱର: ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନକୁ ଯଥାର୍ଥ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ବିଜେପି ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣ ପାଇଁ ନିଲମ୍ବନ ଯଥାର୍ଥ । ଗୃହରେ ସବୁ କଥା ଉଠାଇବାର ସୁଯୋଗ ଅଛି । ଶାଳୀନତା ରଖା କରି ଗୃହର ମର୍ଯ୍ୟାଦା ରଖିବା ସଦସ୍ୟଙ୍କ କର୍ତ୍ତବ୍ୟ । ହେଲେ ସେମାନଙ୍କ ଆଚରଣ ଦୁଃଖଦାୟକ । ମହିଳା ବାଚସ୍ପତିଙ୍କ ପ୍ରତି ବିଜେପି ଯେଉଁ ଆଚରଣ କଲା, ସେଥିରୁ ସେମାନଙ୍କ ମାନସିକତା ଜଣାପଡୁଛି । ଏହା ନିନ୍ଦନୀୟ ବୋଲି ପ୍ରତାପ କହିଛନ୍ତି ।
ଏହା ବ୍ୟତୀତ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସମାଲୋଚନା କରିଛନ୍ତି । ପ୍ରତାପ କହିଛନ୍ତି, ଜୟନାରାୟଣ ଜୀବନ ପ୍ରତି ଯେଉଁ ବିପଦ କଥା କହୁଛନ୍ତି, ତାହା ପଲିଟିକାଲ ଡ୍ରାମା । ଏହା ବିହାର କି କାଶ୍ମିର ନୁହେଁ । ବିଜେପି ବିଧାୟକମାନେ ବିଧାନସଭାରେ ଯେଉଁ ବ୍ୟବହାର କରୁଛନ୍ତି, ତାହା ଶାଳୀନତା ବାହାରେ । ତାକୁ ଭିନ୍ନ ମୋଡ଼ ଦେବାକୁ ଜୟନାରାୟଣ ଏପରି କହୁଛନ୍ତି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

