spot_img
Home Blog Page 2569

ବଲିଉଡର ପ୍ରସିଦ୍ଧ ଗାୟକ ସୋନୁ ନିଗମ କାହିଁକି ପାକିସ୍ତାନୀ ଗାୟକକୁ କ୍ଷମା ମାଗିଲେ

ବ୍ୟୁରୋ ରିପୋର୍ଟ :  ବଲିଉଡର ଫେମସ ସିଙ୍ଗର୍ ସୋନୁ ନିଗମ। ସୁମଧୁର ଗୀତ ଗାଇ ଦଶନ୍ଧି ଦଶନ୍ଧି ଧରି ଦର୍ଶକୁମାନଙ୍କୁ ବାନ୍ଧି ରଖିଛନ୍ତି । ବର୍ତ୍ତମାନ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ପାକିସ୍ତାନୀ ଗାୟକକୁ କ୍ଷମା ମାଗିଛନ୍ତି ପ୍ରସିଦ୍ଧ ଗାୟକ ସୋନୁ। ତେବେ କାହିଁକି କ୍ଷମା ମାଗିଛନ୍ତି ଚାଲନ୍ତୁ ଜାଣିବା ।  

ନିକଟରେ ସୋନୁଙ୍କ ବିରୋଧରେ ପାକିସ୍ତାନୀ ଗାୟକ ଓମାର ନାଦିମ ଏକ ବଡ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଓମାର କହିଛନ୍ତି ଯେ, ସୋନୁ ନିଗମ ତାଙ୍କ ଗୀତକୁ କପି କରିଛନ୍ତି। ବାସ୍ତବରେ, ଏହି ବିଷୟଟି ନିକଟରେ ରିଲିଜ୍ ହୋଇଥିବା ଗୀତ ‘ଶୁନ୍ ଜରା’ ସହିତ ଜଡିତ। ଡିସେମ୍ବର ୨ ରେ ଟି-ସିରିଜ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ‘ଶୁନ୍ ଜରା’ ଗୀତ। ଏହି ଗୀତଟିକୁ SRK ଲେଖିଥିବା ବେଳେ ସୋନୁ ନିଗମ ଏହାକୁ ଗାଇଥିଲେ। ଅଭିଯୋଗ ପରେ ସୋନୁ ନିଗମ ବର୍ତ୍ତମାନ ଓମାରଙ୍କୁ କ୍ଷମା ମାଗିଛନ୍ତି ।

ଓମାର ନାଦିମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କହିଛନ୍ତି ଯେ, ‘ଶୁନ୍ ଜରା’ ଗୀତଟି ତାଙ୍କର ୨୦୦୯ରେ ରିଜିଜ ହୋଇଥିବା ଗୀତ ‘ଏ ଖୁଦା’ରୁ କପି କରାଯାଇଛି। ତାଙ୍କର ଅଭିଯୋଗ ଥିଲା ଯେ, ତାଙ୍କ ଗୀତକୁ କପି କରାଯାଇଛି ହେଲେ ଏଥିପାଇଁ ତାଙ୍କୁ କ୍ରେଡିଟ ଦିଆଯାଇ ନାହିଁ। ଏହାସହ ସୋନୁଙ୍କର ବଡ ଫ୍ୟାନ ବୋଲି ଓମାର କହିଥିଲେ।

ଓମାରଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ସୋନୁ ନିଗମ କହିଛନ୍ତି ଯେ, ଏହି ଗୀତଟିକୁ KRK ଲେଖିଛନ୍ତି। ସେ ଜଣେ ମୋର ଭଲ ବନ୍ଧୁ ଅଟନ୍ତି। ସେ ମୋତେ ଅନୁରୋଧ କରିବାରୁ ମୁଁ ଏହି ଗୀତଟିକୁ ଗାଇଥିଲି। ଆଗରୁ ସେ କେବେ ଓମାରଙ୍କ ଏହି ଗୀତ ଶୁଣି ନଥିଲେ। ଯଦି ଶୁଣିଥାନ୍ତେ ତେବେ କେବେ ହେଲେ ଗୀତଟିକୁ ଗାଇନଥାନ୍ତେ ବୋଲି ସୋନୁ କହିଛନ୍ତି। ମୁଁ ଦୁଃଖିତ ତମ ଗୀତ ଶୁଣିନଥିଲି। ଏବେ ଶୁଣିଲି ମୋ ଅପେକ୍ଷା ତମେ ଭଲ ଗାଇଛ ବୋଲି ସୋନୁ ଓମାରଙ୍କୁ କହିଛନ୍ତି ।

ସୋନୁ ନିଗମଙ୍କ କଥା ଉପରେ ଓମେର ମଧ୍ୟ ପ୍ରତିକ୍ରିୟା କଖିଛନ୍ତି। ସେ କହିଥିଲେ, “ଯଦି ଆପଣ ଏହା କହୁଛନ୍ତି ତେବେ ଏହା ମୋ ପାଇଁ ଏକ ବଡ଼ କଥା। ତେବେ ସୋନୁଙ୍କ ଏହି ପୋଷ୍ଟକୁ ସ୍କ୍ରିନସଟ ନେଇ ଓମେର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ଫୁଲୁଛି ପେଟ, ଭିମସାରର SNCUରେ ଚିକିତ୍ସା ଜାରି ରହିଛି

ସମ୍ୱଲପୁର: ବୋରଓ୍ବେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା। ବୁର୍ଲା ଭିମସାରର SNCUରେ ଶିଶୁକନ୍ୟାର ଚିକିତ୍ସା ଜାରି ରହିଛି। ଶିଶୁର ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାର ପେଟ ଫୁଲୁଥିବା ଜଣାପଡ଼ିଛି । ଅଲଟ୍ରାସାଉଣ୍ଡ ରିପୋର୍ଟରେ ଇଣ୍ଟରନାଲ ବ୍ଲିଡିଂ ହେଉଥିବା ସୂଚନା ମିଳିଛି। ଶିଶୁକୁ ହାଇପୋଥର୍ମିଆ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ଡାକ୍ତରୀ ଟିମ୍। ଏଥିପାଇଁ ତାକୁ ଅବଜରଭେସନରେ ରଖାଯାଇଛି । ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଅନଃନଳୀରେ ରକ୍ତସ୍ରାବ ହେଉଥିବାରୁ ଶିଶୁ ଭବନ ସହ ଯୋଗାଯୋଗ ରଖାଯାଇଛି। ସ୍ଥିତି ଦେଖି କଟକ ସ୍ଥାନାନ୍ତର ନିଷ୍ପତ୍ତି ନିଆଯିବ ବୋଲି ବୁର୍ଲା ଭୀମସାର ମେଡିକାଲ ସୁପରିନଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ,  ଶିଶୁଟିକୁ ଉଦ୍ଧାର କରାଯିବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତକର କୌଣସି ପତ୍ତା ମିଳିପାରିନିହିଁ । ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମ କରିଥିବା ଅଜଣା ଅଭିଯୁକ୍ତ ବିରୋଧରେ ରେଙ୍ଗାଲି ଥାନାରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

ଓଡ଼ିଶାରେ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶାରେ ହେବ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସ। ଦେଶରେ ସାମ୍ବାଦିକମାନଙ୍କ ଅର୍ଥନୈତିକ, ସାମାଜିକ ଓ ବୃଦ୍ଧିଗତ କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଭୁବନେଶ୍ବରରେ ଆୟୋଜିତ ହେବ ଇଣ୍ଡିଆନ ଜର୍ଣାଲିଷ୍ଟ କଂଗ୍ରେସ। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କା, ଦୁବାଇ ସମେତ ଭାରତର ବିଭିନ୍ନ ରାଜ୍ୟ ତଥା ସମଗ୍ର ଓଡ଼ିଶାରୁ ଦୁଇ ହଜାରରୁ ଅଧିକ ସାମ୍ବାଦିକ ଯୋଗଦେବେ। ଏନେଇ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ସୂଚନା ଦିଆଯାଇଛି। ତିନିଦିନିଆ କାର୍ଯ୍ୟକ୍ରମରେ ସାମ୍ବାଦିକତାର ପରିପୃଷ୍ଠତା ତଥା ସାମ୍ବାଦିକ ସମୂହଙ୍କ କଲ୍ୟାଣ, ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଉଦ୍ଦେଶ୍ୟରେ ସେମିନାର ଆୟୋଜନ ହେବ। ଏଥିରେ ଦେଶର ପ୍ରତିଷ୍ଠିତ ସାମ୍ବାଦିକ ମାନଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଗଠନର ପ୍ରତିନିଧି ବିଚାରବିମର୍ଷ କରିବେ। ଏହି ଅବସରରେ ସାମ୍ବାଦିକତାର ପ୍ରତୀକ ଭାବେ ଏକ ‘ଲୋଗୋ’ ଉନ୍ମୋଚିତ ହୋଇଛି।

ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ କଂଗ୍ରେସର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ  ଜାନୁଆରୀ ପ୍ରଥମ ସପ୍ତାହରେ ଏକ ସୁଦୃଶ୍ୟ ମାସ୍କଟର ଉନ୍ମୋଚନ କରାଯିବ। ଆୟୋଜିତ ସାମ୍ବାଦିତ ସମ୍ମିଳନୀରେ ଜେଡ଼ିସିଆଇର ଅଧ୍ଯକ୍ଷ କିଶୋର ଦ୍ବିବେଦୀ, ସଭାପତି ଗୋପାଳକୃଷ୍ଣ ମହାପାତ୍ର, ସହ-ଅଧ୍ଯକ୍ଷ ବିଭୂତି ଭୂଷଣ କର, ମହାସଚିବ ସନତ ମିଶ୍ର, ଯୁଗ୍ମ ସଚିବ ପବିତ୍ର ମହାରଥା, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ମହୁଆଙ୍କ ଆବେଦନର ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ବହିଷ୍କାର ପ୍ରସଙ୍ଗ। ଆଜି ମହୁଆଙ୍କ ଆବେଦନର ବିଚାର କରିବେ ସୁପ୍ରିମକୋର୍ଟ। ଲୋକସଭାରୁ ବହିଷ୍କାର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମହୁଆ। ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଓ ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ବିନା କୌଣସି ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ମହୁଆ କହିଛନ୍ତି, ମୁଁ କୌଣସି ଅପରାଧ କରିନି। ଏଥିକ୍ସ କମିଟିର କୌଣସି ଅଧିକାର ନାହିଁ କାହାକୁ ବହିଷ୍କାର କରିବ। ଏପରି କରି ନାରୀ ଶକ୍ତିକୁ ସଂସଦରେ ଅପମାନିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ବିଜେପି ସରକାରଙ୍କୁ ହରଡ଼ଘଣାରେ ପକାଇବା ଲାଗି ପ୍ରଶ୍ନ କରିବାରୁ ମହୁଆ ୨ କୋଟି ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଏଥିକ୍ସ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି। ୫୦୦ ପୃଷ୍ଠାର ଏଥିକ୍ସ ରିପୋର୍ଟରେ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରାଯାଇଥିଲା । ଗତ ୮ତାରିଖରେ ସଂସଦରେ ରିପୋର୍ଟ ଉପସ୍ଥାପନ ହେବାପରେ ଭଏସ ଭୋଟରେ ବହିଷ୍କାରକୁ ସମର୍ଥନ କରିଥିଲେ ବିଜେପି ଓ ସମର୍ଥିତ ସାଂସଦ।

ରାଉରକେଲାରେ ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା

ରାଉରକେଲା: ସିଆଇଏସଏଫ ଯବାନଙ୍କ ଆତ୍ମହତ୍ୟା। ରାଉରକେଲା ସିଆଇଏସଏଫ କ୍ୟାମ୍ପସ ପରିସରରେ ଏକ ଗଛରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜାମ୍ମୁ କାଶ୍ମୀର କାଠୁଆ ଅଞ୍ଚଳର ୩୧ ବର୍ଷୀୟ ସାହିଲ କୁମାର।

ତେବେ ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ସାହିଲଙ୍କ ବିବାହ ତାରିଖ ଠିକ୍ ହୋଇଥିଲା। କିଛିଦିନ ତଳେ ସେ ନିର୍ବନ୍ଧ ସାରି ପୁଣି ରାଉରକେଲା ଫେରି କାର୍ଯ୍ୟରେ ଯୋଗଦେଇଥିଲେ। ଆଜି ସକାଳୁ ଗଛରେ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦିଆଯାଇଥିଲା। ପ୍ଲାଣ୍ଟ ସାଇଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଲଗାତାର ତାପମାତ୍ରା କମିବାରେ ଲାଗିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବର୍ତ୍ତମାନ ଗୋଟିଏ ପାଖରେ ପଶ୍ଚିମାଝଡ଼ ସକ୍ରିୟ ରହିଛି। ତେଣୁ ଓଡ଼ିଶାକୁ ଥଣ୍ଡା ବାୟୁ ପ୍ରବେଶ କରିପାରୁନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଏହା ଦୁର୍ବଳ ହେବ ଓ ଏହା ପରେ ପୁଣି ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହ ବଢ଼ିବ। ଫଳରେ ପ୍ରବଳ ଶୀତ ହୋଇପାରେ। ଏବେ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଫୁଲବାଣୀ, କୋରାପୁଟରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।  ଆଗକୁ ବିଭିନ୍ନ ସ୍ଥାନରେ ଶୀତ ସହ କୁହୁଡ଼ି ମଧ୍ୟ ପଡ଼ିପାରେ। ବିଶେଷକରି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ସୁଟିଂ ସେଟରେ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ 

ମୁମ୍ୱାଇ: ଫିଲ୍ମ ସୁଟିଂ ବେଳେ ହାର୍ଟଆଟାକ୍। ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ । ଫିଲ୍ମର ସୁଟିଂ କରୁଥିବାବେଳେ ହୃଦଘାତ ହୋଇଥିବା ସୂଚନା ମିଳିଛି। ଆକ୍ଟର ଅକ୍ଷୟ କୁମାରଙ୍କ ସହ ‘ୱେଲକମ ଟୁ ଦ ଜଙ୍ଗଲ’ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଛି। ସୁଟିଂ ଶେଷ କରିବା ପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ବାଇ ବେଲେଭ୍ୟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରିବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ସ୍ବତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛି।

ନିକଟରେ ଅକ୍ଷୟ କୁମାର ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଠାରେ ଶ୍ରେୟସ୍ ଅପରାହ୍ନରେ ତାଙ୍କ ସହିତ ୱେଲକମ୍ ଟୁ ଜଙ୍ଗଲ ଫିଲ୍ମର ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା।

ଆଜି ଶପଥ ନେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର : ଆଜି ଶପଥ ନେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ। ରାଜସ୍ଥାନରେ ଆରମ୍ଭ ହେବ ଭଜନ ଲାଲ ସରକାର। ଜୟପୁରର ଆଲବର୍ଟ ହଲ ପରିସରରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲଲଙ୍କ ସହ ଦୀୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରଓ୍ବା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଉତ୍ସବରେ ବିଜେପିର ବରିଷ୍ଠ ନେତାମାନେ ଯୋଗଦେବେ। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି।

ଭଜନ ଲାଲ ଶର୍ମା ବ୍ରାହ୍ମଣ ସମାଜରୁ ଆସୁଥିବା ଜଣେ ମଜଭୁତ ଚେହେରା। ଦୀର୍ଘ ୫୦ ବର୍ଷ ପରେ ରାଜସ୍ଥାନରେ ଜଣେ ବ୍ରାହ୍ମଣ ଚେହେରା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ସାଙ୍ଗନେରରୁ ବିଧାୟକ ହୋଇଛନ୍ତି ଭଜନଲାଲ ଶର୍ମା। ଚାରି ଥର ରାଜ୍ୟ ବିଜେପିର ମହାସଚିବ ଭାବେ ସେ ଦାୟିତ୍ବ ତୁଲାଇଥିଲେ । ସଂଘ ସହ ତାଙ୍କର ପରିବାରର ଘନିଷ୍ଠତା ମଧ୍ୟ ତାଙ୍କୁ ଟପ୍ ପୋଷ୍ଟ ପ୍ରଥମ ପସନ୍ଦ ସାଜିଥିବା ଚର୍ଚ୍ଚା ହେଉଛି।

 

 

ଆଜି ଏକାମ୍ରକୁ ୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଏକାମ୍ର ବିକାଶରେ ଯୋଡ଼ି ହେବ ନୂଆ ଫର୍ଦ୍ଦ। ଗାଁର କୋଣଅନୁକୋଣରେ ବିକାଶ ହେବ ଆହୁରି ତ୍ବରାନ୍ବିତ। ଆଜି ଏକାମ୍ର ଭୁବନେଶ୍ବରରେ ୨ ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାନୀୟ ଜଳରୁ ଆରମ୍ଭ କରି ପର୍ଯ୍ୟଟନ ବିକାଶ ପାଇଁ ଏହି ମେଗା ପ୍ରକଳ୍ପ ହାତକୁ ନିଆଯାଇଛି । ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବେ। ଲିଙ୍ଗିପୁର ପଞ୍ଚାୟତର ଜାଡୁମଲ୍ଲି ମନ୍ଦିର ନିକଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଦୟା ଦକ୍ଷିଣ ପାର୍ଶ୍ବ ନଦୀ ବନ୍ଧର ସାଢେ ଆଠ କିଲୋମିଟର ରାସ୍ତାର ସୁଦୃଢିକରଣ ଓ ପ୍ରସସ୍ଥିକରଣ ପାଇଁ ୨୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଯାହା ଏକାମ୍ର ସମେତ ପିପିଲି ଓ ଜଟଣୀ ଲୋକଙ୍କ ଗମନାଗମନରେ ସହାୟକ ହେବ।

ଜଳ ସମ୍ପଦ ବିଭାଗ ପକ୍ଷରୁ ୯୧ କୋଟି ଟଙ୍କାରେ ଧଉଳି ନିକଟସ୍ଥ ଦୟା ନଦୀ ଗର୍ଭରେ ଜଳ ସଂରକ୍ଷଣ ବ୍ୟବସ୍ଥା ଗଠନ ବା ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟକଚର୍ ନିର୍ମାଣ କରାଯିବ। ଏହାଦ୍ଵାରା ଆଖ ପାଖ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ ଚାଷ ପାଇଁ ଜଳ ସମସ୍ୟା ଦୂରହେବ। ସେଠାରେ ଭବିଷ୍ୟତରେ ବୋଟିଂ ବ୍ୟବସ୍ଥା ବି କରାଯାଇ ଧଉଳିର ପର୍ଯ୍ୟଟନ ବିକାଶ କରାଯିବ।

ସେହିପରି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୪୨ କୋଟି ଟଙ୍କାରେ ବାସୁଆଘାଇ, ଧଉଳି, ଲିଙ୍ଗିପୁର, ଶିଶୁପାଳ, ଶିଶୁପାଳଗଡ, ଇଟିପୁର, ଟିକରପଡ଼ା ପ୍ରଭୁତି ୬ଟି ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାସୁଅଘାଇ ଦୟାନଦୀ ଠାରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଇଟିପୁରଠାରେ ଟିପିସିଏଲ ପକ୍ଷରୁ ୧୭ କୋଟି ଟଙ୍କାର ଏକ ୩୩ କେ.ଭି. ଗ୍ରିଡ ସବ୍-ଷ୍ଟେସନ ନିର୍ମାଣ କାର୍ଯ୍ୟର ବି ଶିଳାନ୍ୟାସ କରାଯିବ ।

ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର :  ଆଜି ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଶଙ୍ଖଭବନରେ ବୈଠକ ବସିବ। ଏଥିରେ ସମସ୍ତ ବିଧାୟକ, ସାଂସଦଙ୍କ ସହ ଛାମୁଆ ସଂଗଠନ, କର୍ମକର୍ତ୍ତା, ଆମନ୍ତ୍ରିତ କର୍ମକର୍ତ୍ତା ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୬ ତାରିଖରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବ। ଗଣଦୌଡ଼ ସହ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ କରାଯିବ। ୨୬ ବର୍ଷ ଅବସରରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଯୁବ ଓ ଛାତ୍ର କର୍ମକର୍ତ୍ତାଙ୍କ ନେତୃତ୍ବରେ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ସାଇକେଲ ରାଲି ଅନୁଷ୍ଠିତ ହେବ। ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହେବ।

ଅନ୍ୟପଟେ ରାଜ୍ୟରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ସଫଳ ହୋଇଛି। ପ୍ରତିନିର୍ବାଚନ ମଣ୍ଡଳୀରୁ ୨୦୦ ଲେଖାଏଁ ମୋଟ ୩୦ ହଜାର ସକ୍ରିୟ ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜୋନାଲରେ ୨ ଲକ୍ଷ ୮୦ ହଜାର କର୍ମକର୍ତ୍ତା ପ୍ରଶିକ୍ଷଣ ନେଇସାରିଲେଣି। ଗତ ୨୬ ବର୍ଷ ଧରି ନିଷ୍ଠାପର ଭାବେ ଲୋକଙ୍କର ସେବା କରିଆସୁଛି ବିଜୁ ଜନତା ଦଳ। ରାଜନୈତିକ କାର୍ଯ୍ୟକ୍ରମ ସହ ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଦଳ ସବୁଠି ପ୍ରଶଂସିତ ହେଉଛି। ଦଳର କର୍ମକର୍ତ୍ତା, ଜନପ୍ରତିନିଧି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ଲଗାତାର ବିଭିନ୍ନ ସାଧାରଣ ନିର୍ବାଚନ, ଉପନିର୍ବାଚନ, ସମବାୟ ନିର୍ବାଚନ, ସମେତ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଭଲପାଇବା  ପ୍ରମାଣିତ ହୋଇଛି । ୩୦ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ୮୦ ପ୍ରତିଶତ ପୌରାଞ୍ଚଳରେ ବିଜେଡି ବିଜୟୀ ହୋଇଛି । ଯାହାକି ଓଡ଼ଶାବାସୀଙ୍କ ସେବାରେ ନିୟୋଜିତ ହୋଇ ବିକାଶ ଧାରାକୁ ବଜାୟ ରଖିବା ପାଇଁ ଶକ୍ତି ଦେଇଛି ।