ଐତିହାସିକ କଟକ ବାଲିଯାତ୍ରାରେ ଏଥର ମୁଖ୍ୟ ଆକର୍ଷଣ ସାଜିବ ଟନେଲ ଆକ୍ବାରିୟମ

କଟକ: ଐତିହାସିକ କଟକ ବାଲିଯାତ୍ରାରେ ଏଥର ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛି ଟନେଲ ଆକ୍ବାରିୟମ । ଯେଉଁଠି ସମୁଦ୍ର ମଧ୍ୟରେ ଚାଲି ଚାଲି ଯିବାର ଅନୁଭୂତି ନେବେ ଦର୍ଶକ। ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଏଭଳି ବ୍ୟବସ୍ଥା କରାଯାଉଛି। ସେପଟେ ଯୁଦ୍ଧ କାଳୀନ ଭିତ୍ତିରେ ଉପର ଓ ତଳ ପଡିଆ ପ୍ଲଟ ମାର୍କିଂ ସହ ବିଦ୍ୟୁତକରଣ କାମ ଚାଲିଛି।

କଟକର ବାଲିଯାତ୍ରା ଦେବ ବ୍ୟାଙ୍କକର ଅନୁଭବ । ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ବୁଲି ଅଣ୍ଡର ଓ୍ବାଟର ଟନେଲର ମଜା ଉଠାଇବେ ପର୍ଯ୍ୟଟକ । ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଟନେଲ ଆକ୍ବାରିୟମ ।୨୦୦ ଫୁଟ ଲମ୍ବ, ୬୦ଫୁଟ ଚଉଡ଼ାର ଟନେଲ ଅକ୍ବାରିୟମରେ ଦେଖିବାକୁ ମିଳିବ ହଜାରରୁ ଅଧିକ ପ୍ରଜାତିର ସାମୁଦ୍ରିକ ମାଛ। ଛୋଟ ସାର୍କ, ଜେଲି ଫିସ ସହ ବିଭିନ୍ନ ପ୍ରକାର ରଙ୍ଗୀନ ମାଛ ଓ ଅକ୍ଟୋପସ  ଦେଖିବାକୁ ମିଳିବ।

ଟନେଲରେ ପ୍ରବେଶ କଲେ ଲାଗିବ ଯେପରି ସମୁଦ୍ର ଭିତରେ ଆପଣ ଚାଲି ଚାଲି ଯାଉଛନ୍ତି । ଆଉ ଆପଣଙ୍କ ଉଭୟ ପଟ ଓ ମୁଣ୍ଡ ଉପର ଦେଇ ଏହି ସାମୁଦ୍ରିକ ଜୀବ ମାନେ ବିଚରଣ କରୁଛନ୍ତି । ଚେନ୍ନାଇର ଏକ ସଂସ୍ଥା ଜରିଆରେ କଟକର ସିରିଡି ସାଇବାବା ଏଣ୍ଟରପ୍ରାଇଜର ଏ ପ୍ରକାର ବ୍ୟବସ୍ଥା କରିବାକୁ ଯାଉଛି । ଖୁବଶୀଘ୍ର ଏହାର କାମ ଆରମ୍ଭ ହେବାକୁ ଥିବାବେଳେ ଟିକେଟ ଦର ଶହେ ଟଙ୍କାରୁ ଦେଢ଼ ଶହ ରଖାଯିବ  ।

ଅନ୍ୟପଟେ ଉଭୟ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ଏବେ ଦ୍ରୁତ ଗତିରେ କାମ ଚାଲିଛି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ତଳ ପଡ଼ିଆରେ ପ୍ଲଟ ମାର୍କିଂ କାମ ବି ଆରମ୍ଭ ହୋଇଗଲାଣି । ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆଜି ସୁଦ୍ଧା ୪୫୦ରୁ ଅଧିକ ବ୍ୟବସାୟୀ ପ୍ଲଟ ନିଲାମ ପାଇଁ ପଞ୍ଜିକରଣ କରିସାରିଲେଣି ।