spot_img
Home Blog Page 2571

ଗଜପତିରେ ଘୁରି ବୁଲୁଛି ମହାବଳ, ଭାଇରାଲ ହେଉଛି ଭିଡିଓ

ଗଜପତି: ଗଜପତିରେ ବାଘକୁ ନେଇ ଆତଙ୍କ। ବିଭିନ୍ନ ସ୍ଥାନରେ ଘୁରି ବୁଲୁଛି ମହାବଳ। ପ୍ରତିଦିନ ବାଘର ଏଭଳି କିଛି ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ଗଣ୍ଡାହାତୀ ନିକଟରୁ ଏବଂ ଦେବଗିର ବନାଞ୍ଚଳର କୁମୁଳାସିଂ ଅଞ୍ଚଳରୁ ଦୁଇଟି ଗାଈ ମାରି ଖାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ବାଘକୁ ସୁରକ୍ଷା ଦେବା ସହ ଜନଜୀବନର ଯେପରି କ୍ଷତି ନହୁଏ ଏଥିପାଇଁ ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି। ଏନେଇ ବାଘ ଚଳପ୍ରଚଳ ହେଉଥିବା ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯାଉଛି। ରାତିରେ ବନ କର୍ମଚାରୀମାନେ ଟ୍ରାପ କ୍ୟାମେରା ଲଗାଇବା ସହ ପାଟ୍ରୋଲିଂ ଜାରି ରଖିଛନ୍ତି। ବର୍ତ୍ତମାନ ମହାବଳ ବାଘ ଦେବଗିର ଅଞ୍ଚଳରେ ରହିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି। ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଜାତୀୟ ଓ୍ବାଇଲ୍ଡ ଲାଇଫ ବିଭାଗ ଡେରାଡୁନକୁ ପଠାଇବା ପରେ, ଏହା ଏକ ଅଣ୍ଡିରା ବାଘ ବୋଲି ଜଣାପଡିଛି।

ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଛି। ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା। ବାଘଟି ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି। ପ୍ରଥମେ ଛତିଶଗଡ଼, ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି।

ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ପାରଳାଖେମୁଣ୍ଡିରେ ଦେଖା ଦେଇଥିବା ବାଘ କେଉଁଠୁ ଆସିଛି ବୋଲି ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା। ଏହାର ଷ୍ଟ୍ରାଇପକୁ ଦେଖି ବାଘଟି ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୁନିଶ୍ଚିତ କରିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ କିମ୍ବା ସାଥୀ ଖୋଜିବାକୁ ଓଡ଼ିଶା ଆସି ଥାଇପାରେ। ଓଡ଼ିଶାରେ ଭଲ ପରିବେଶ ଥିବାରୁ ବାଘଟି ଆସିଥାଇପାରେ। ସେପଟେ ଓଡ଼ିଶାରେ ମହାବଳ ବଂଶ ବିସ୍ତାର ପାଇଁ ଏକ ଭଲ ଖବର ବୋଲି କହିଛନ୍ତି ବନ୍ୟା ପ୍ରାଣୀ ପିସିସିଏଫ୍।

କାହିଁକି ବିଳମ୍ବ ହେଉଛି ଉତ୍ତରକାଶୀ ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ?

ଉତ୍ତରକାଶୀ: ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକ ମାନେ ଆଜି ଉଦ୍ଧାର ହୋଇପାରନ୍ତି। ଉଦ୍ଧାର ପାଇଁ ପ୍ରାୟ ୯୦୦ ମିଲିମିଟରର ଯେଉଁ ପାଇପ ଖଞ୍ଜା ଯାଇଛି, ତା ମଧ୍ୟଦେଇ ଷ୍ଟ୍ରେଚରରେ ଶ୍ରମିକଙ୍କୁ ଦଉଡି ସାହାଯ୍ୟରେ ଟଣାଯିବ। ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇଥିବ। ସେପଟୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ଆଣିବେ।

ଏହି ପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଆଉ କେମିତି ଏହି ଷ୍ଟ୍ରେଚର ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ, ତାର ଏକ ପରୀକ୍ଷା ଏନଡିଆରଏଫ୍ ତରଫରୁ କରାଯାଇଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଶ୍ରମିକଙ୍କ ପରିବାର ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ମଝିରେ ମଝିରେ ଉଦ୍ଧାରକାରୀ ଦଳର ନେତୃତ୍ୱ ନେଉଥିବା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଅପରେସନ୍ ବାବଦରେ ତାଜା ତଥ୍ୟ ମଧ୍ୟ ରଖୁଛନ୍ତି।

ଉଦ୍ଧାରସ୍ଥଳରେ ନିୟୋଜିତ ଅଧିକାରୀମାନେ କହିଛନ୍ତି, ଡ୍ରିଲିଂ ବେଳେ ବାରମ୍ବାର ବାଧା ଆସୁଥିବାରୁ ଅଟକୁଛି କାମ। ଯେଉଁଥିପାଇଁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି। ଶୁକ୍ରବାର ଡ୍ରିଲିଂ କରି ପାଇପ ଖଞ୍ଜିବାବେଳେ ହଠାତ୍ ପଥର ଆସିଯିବାରୁ ପାଇପ୍ ମୋଡି ହୋଇଯାଇଥିଲା। ଫଳରେ ୧.୨ ମିଟରର ପାଇପକୁ କାଟିବାକୁ ପଡିଥିଲା। ଅନୁମାନ କରାଯାଉଛି ଆଗାମୀ ସାଢେ ୫ ମିଟର ଯାଏଁ କୌଣସି ବାଧା ଆସିବ ନାହିଁ। କୁହାଯାଉଛି ଶ୍ରମିକଙ୍କ ପାଖରେ ପହଂଚିବାକୁ ୬ ମିଟର ଲେଖାଏଁ ଆଉ ୨ଟି ପାଇପ ଖଞ୍ଜିବାକୁ ପଡିବ। ଯଦି ଆଉ କୌଣସି ବାଧା ନଆସେ ତେବେ ଆଜି ଶ୍ରମିକଙ୍କୁ ଉଦ୍ଧାର କରାଯିବ।

ଉତ୍ତରାଖଣ୍ଡ ଟନେଲ୍ ଟ୍ରାଜେଡି; 5T ଅଧ୍ୟକ୍ଷଙ୍କୁ ଭେଟିଲେ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର

ଭୁବନେଶ୍ୱର: 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟିଲେ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ। ନବୀନ ନିବାସ ଯାଇ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ପରିବାର ଲୋକେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେଇଛନ୍ତି।

ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ। ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତରକାଶୀରେ ପହଞ୍ଚି ସାରିଛନ୍ତି। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାର ବର୍ଗଙ୍କୁ ଭେଟି ପାରିବେ। ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି । ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି । ଏହି ଶ୍ରମିକ ମାନେ ହେଲେ, ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୁରଭଂଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ ।

ଶ୍ରମିକଙ୍କ ପରିବାର ସଦସ୍ୟ 5T ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ। 5T ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଅଫିସର ଓ ସ୍ବତନ୍ତ୍ର ଟିମ୍‌ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି । ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କହିଛନ୍ତି 5T ଅଧ୍ୟକ୍ଷ । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ ଖୁବଶୀଘ୍ର ସେମାନେ ପରିବାରକୁ ଫେରି ଆସିବେ ବୋଲି 5T ଅଧ୍ୟକ୍ଷ ଆଶ୍ବାସନା ଦେଇଥିଲେ ।

ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ତିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ପଞ୍ଚୁକ ବ୍ରତର ତୃତୀୟ ଦିନରେ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ରତ୍ନ ସିଂହାସନ ଉପରେ ମହାପ୍ରଭୁ ଅତ୍ୟନ୍ତ ଚିତାକର୍ଷକ ତିବିକ୍ରମ ବେଶ ଅନୁଷ୍ଠିତ ହେବ। ଏହି ବେଶରେ ଠାକୁର ମାନେ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହେବେ। ଦ୍ବାର ଫିଟା ପରେ ଅନ୍ୟାନ୍ୟ ନୀତି ବଢ଼ି ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହେବ।

ପୁଷ୍ପାଳକ ସେବକ ମାନେ ଏହି ବେଶ କରିବାକୁ ଥିବା ବେଳେ ଆଜିର ତିଥିରେ ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଯିଏ ଦର୍ଶନ କରିଥାନ୍ତି ତାଙ୍କୁ ଅପାର ଆନନ୍ଦ ଲାଭ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ।

ଆଜିଠୁ ରାୟଗଡ଼ାରେ ଗଡ଼ିବ ଲକ୍ଷ୍ମୀ ବସ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ଆଜିଠୁ ରାୟଗଡ଼ାରେ ଗଡ଼ିବ ଐତିହାସିକ ଲକ୍ଷ୍ମୀ ବସ୍ । ଗମନାଗମନ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ୧୧ଟି ବ୍ଲକ ମଧ୍ୟରେ ଲକ୍ଷ୍ମୀ ବସ ଚଳାଚଳ କରିବ।

ଯୋଗାଯୋଗ ବ୍ୟବସ୍ଥା ନଥିବା ୧୮୨ଟି ପଞ୍ଚାୟତର ୩୯ଟି ରୁଟରେ ୫୨ ଗୋଟି ଲକ୍ଷ୍ମୀ ବସ ଯାତାୟାତ କରିବ। ଏହାଦ୍ବାରା ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। କମ ଦାମରେ ଦୁଆରୁ ସହରକୁ ଯାଇପାରିବେ ଜନସାଧାରଣ। ଲକ୍ଷ୍ମୀ ବସ ପିଲାଙ୍କୁ ସ୍କୁଲ, ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ ମାନଙ୍କ ଗତିଶୀଳତା ବୃଦ୍ଧି ପାଇବ। ସବୁ ପଞ୍ଚାୟତକୁ ବସ୍ ଯିବ। ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବା ସହ ବିକାଶର ଗାଡିକୁ ଆହୁରି ଜୋରରେ ଆଗକୁ ନେବ।

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ହୋଇପାରେ ବାତ୍ୟା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ୍ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ରୂପ। ଦକ୍ଷିଣ ଆଣ୍ଡାମାନ୍ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପରେ ଲଘୁଚାପଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୯ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି। ବାତ୍ୟା ନେଇ ଆଇଏମଡି ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନଥିବା ବେଳେ କିଛି ମଡେଲ ବାତ୍ୟା ହେବା ନେଇ ପାଗ ଅନୁକୂଳ ଥିବା ଆକଳନ କରିଛନ୍ତି।

ଅବପାତ ପ୍ରଭାବରେ ଓଡ଼ିଶାର କେଉଁ ସ୍ଥାନରେ ବର୍ଷା ହେବ ସେନେଇ ମଧ୍ୟ ଆକଳନ କରାଯାଇ ନାହିଁ। ଲଘୁଚାପ ସୃଷ୍ଟି ହେବାପରେ ତାର ଗତି କେଉଁଆଡେ ରହୁଛି ଏବଂ କେଉଁ ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ ସେ ନେଇ ସ୍ପଷ୍ଟ ସୂଚନା ମିଳିବ। ଅକ୍ଟୋବର ନଭେମ୍ବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବାରୁ ସିଷ୍ଟମ ଉପରେ ସ୍ବତନ୍ତ୍ର ନଜର ରଖିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତ ମାସ ୧୭ ତାରିଖରେ ବଙ୍ଗୋପସାଗର ରେ ବାତ୍ୟା ମିଧିଲି ସୃଷ୍ଟି ହୋଇଥିଲା। ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲା। କିନ୍ତୁ ସାମ୍ଭାବ୍ୟ ଅବପାତ କେତେ ପ୍ରଭାବ ପକାଉଛି ତା ଉପରେ ସମସ୍ତଙ୍କ ନଜର ।

ବିଧାନସଭା ନିର୍ବାଚନ; ରାଜସ୍ଥାନରେ ମତଦାନ ଆରମ୍ଭ

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ମୋଟ ୨୦୦ ଆସନରୁ ୧୯୯ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି।

୧୮୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୨୫ ଲକ୍ଷ ଭୋଟର। ନିର୍ବାଚନରେ କଂଗ୍ରେସ ଓ ବିଜେପି ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଥିବାବେଳେ ବିଏସପି ଓ ଆପ୍ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ଶର୍ଦ୍ଦାରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନ ଲଢୁଛନ୍ତି। ଆମ ଆଦମୀ ପାର୍ଟି ନିର୍ବାଚନୀ ମୈଦାନରେ ୮୬ ଜଣ ପ୍ରାର୍ଥୀଙ୍କୁ ନେଇ ଓହ୍ଲାଇଥିଲା।

ଏଥିରୁ ତିନି ଜଣ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ନିଜ ନାଁ ଫେରାଇ ନେଇଛନ୍ତି। ବହୁଜନ ସମାଜବାଦୀ ପାର୍ଟି ୧୯୦ ଆସନରେ ନିଜ ପ୍ରାର୍ଥୀ ଦେଇଛି ଭାରତୀୟ ଟ୍ରାଇବଲ ପାର୍ଟି ୧୨, ଭାରତୀୟ ଆଦିବାସୀ ପାର୍ଟି ୨୧ ଓ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏବଂ ଆଜାଦ ସମାଜ ପାର୍ଟି ମେଣ୍ଟ ୬୦ ପ୍ରାର୍ଥୀଙ୍କୁ ନେଇ ମୈଦାନକୁ ଓହ୍ଲାଇଛି।

ଆଜି ବଡ଼ ଓଷା; ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ଼: ମହାକାର୍ତ୍ତିକ ମାସର ଆଜି ବଡ ପର୍ବ ବଡ଼ ଓଷା। ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ସକାଳୁ ନୀତିକାନ୍ତି ପରେ ମୁଖ୍ୟ ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ। ଗତକାଲି ପୂଜକ ସମିତି ଧାରଣା ଦେବା ଯୋଗୁ ଦର୍ଶନରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ। ରାତି ତମାମ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ଆଉ ଆଜି ମୁଖ୍ୟ ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ।

ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଶେଷ କରିଥାନ୍ତି। ଆଜି ରାତି ୩ଟାରେ ଦ୍ବାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା।

ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ବଣ୍ଟାଯାଏ। ଏଥିପାଇଁ ପ୍ରଶାସନ ତଥା ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ସହ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ, ନଦୀ ଘାଟରେ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ମେଡିକାଲ ଟିମ ନିୟୋଜିତ ଅଛନ୍ତି।

ଟନେଲରେ ଫସିଥିବା ଓଡିଶା ଶ୍ରମିକଙ୍କ ପରିବାରକୁ ଉତ୍ତରାଖଣ୍ଡ ପଠାଇଲେ ନବୀନ ସରକାର

ସମ୍ବଲପୁର: ଉତ୍ତରାଖଣ୍ଡ ଟନେଲରେ ଫସିଥିବା ଓଡିଶାର ୫ ଜଣ ଶ୍ରମିକଙ୍କ ପାଇଁ ତତ୍ପର ଅଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଏଠାରୁ ଯାଇଥିବା ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛନ୍ତି । ଉଦ୍ଧାର କାର୍ଯ୍ୟ ସରିଲା ମାତ୍ରେ ଶ୍ରମିକଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯିବ । ସବୁ ଶ୍ରମିକଙ୍କ ପାଇଁ ଗୋଟିଏ ଲେଖାଏଁ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଖୁବଶୀଘ୍ର ଭଲ ଖବର ଆସିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ ।

ଅନ୍ୟପଟେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନବରଙ୍ଗପୁରର ଶ୍ରମିକ ଭଗବାନ ଭତ୍ରାଙ୍କ ଭାଇ, ବାସୁଦେବପୁରର ତପନ ମଣ୍ଡଳଙ୍କ ସମ୍ପର୍କୀୟ ଏବଂ ମୟୁରଭଞ୍ଜର ଦୁଇ ଶ୍ରମିକଙ୍କ ସମ୍ପର୍କୀୟଙ୍କୁ ଉତ୍ତରକାଶୀ ପଠାଉଛି ଶ୍ରମ ବିଭାଗ ।

ସେପଟେ ଶ୍ରମିକଙ୍କୁ ଟନେଲରୁ ଉଦ୍ଧାର କରିବାକୁ ସମ୍ବଲପୁରରୁ ଗଲା ଅଗର ମେସିନ । ମେସିନଟି ଏକ ଘରୋଇ ସଂସ୍ଥାର ଯିଏ ହୀରାକୁଦ ହିଣ୍ଡଲକୋ କମ୍ପାନୀରେ କାମ କରୁଛି  । ଏହି ମେସିନ ହୀରାକୁଦରେ ଥିବା ଜଣାପଡିବା ପରେ ଉକ୍ତ ସଂସ୍ଥାର ମାଲିକଙ୍କୁ ଯୋଗାଯୋଗ କରି ମେସିନକୁ ହୀରାକୁଦରୁ ଟ୍ରେନ ଯୋଗେ ରାୟପୁରକୁ ନିଆଯାଇଥିଲା । ସେଠାରୁ ପୁଣି ଟ୍ରେଲର ସାହାଯ୍ୟରେ ମେସିନକୁ ଗୁୱାଲିୟର ଦେଇ ଗ୍ରୀନକରିଡରରେ ଟନେଲ ନିକଟକୁ ନିଆଯାଇଛି ।

ରାଜ୍ୟରେ ପୁଞ୍ଜିନିବେଶ କରିବ ୱେଲସ୍ପୁନ ଗ୍ରୁପ, ନିଯୁକ୍ତି ପାଇବେ ୨୦ ହଜାରରୁ ଅଧିକ ଯୁବପୀଢୀ

ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ କରିବ ୱେଲସ୍ପୁନ ଗ୍ରୁପ । କଟକ ଚୌଦ୍ବାରରେ ୱେଲସ୍ପୁନ ଗ୍ରୁପ ପ୍ରତିଷ୍ଠା କରିବ ସମନ୍ବିତ ଟେକ୍ସଟାଇଲ କାରଖାନା । ୩ହଜାର ୫୦ କୋଟି ଟଙ୍କାର ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ବାରା ୨୦ହଜାର ୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହ ୱେଲସ୍ପୁନ କର୍ପୋରେସନ ପକ୍ଷରୁ ସମ୍ବଲପୁରରେ ୩ହଜାର ୧୩୭ କୋଟି ଟଙ୍କା ବ୍ୟୟରେ ପାଇପ କୋଟିଂ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସିଧାସଳଖ ଭାବେ ୩ହଜାର ୮୩୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେନ୍ଦ୍ରାପଡାଠାରେ ମଧ୍ୟ ୱେଲସ୍ପୁନ ନ୍ୟୁ ଏନର୍ଜି ପକ୍ଷରୁ ୦.୭୦ ନିୟୁତ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।

କେନ୍ଦ୍ରାପଡାରେ ଏଥିପାଇଁ ୧୩ହଜାର ୮୬୦ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ଏବଂ ହଜାରେ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ୱେଲସ୍ପୁନ ଗ୍ରୁପ ସହ ଆଉ ୯ଟି ବୃହତ ପ୍ରକଳ୍ପକୁ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ମଂଜୁରୀ ଦେଇଛି । ଆଜି ମଂଜୁରୀ ପାଇଥିବା ୧୨ଟି ପ୍ରକଳ୍ପ ଦ୍ବାରା ରାଜ୍ୟରେ ୮୪ ହଜାର ୯୧୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଏହଦ୍ବାରା ୪୨ ହଜାର ୨୮୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବିଶେଷ କରି ଟେକ୍ସଟାଇଲ ଓ ପୋଷାକ, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ଇସ୍ପାତ, ଶକ୍ତି ଓ ଅକ୍ଷୟ ଶକ୍ତି, ରସାୟନ ଓ ପେଟ୍ରୋ କେମିକାଲ ଡାଉନଷ୍ଟ୍ରିମ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ହେବ । ଗଂଜାମର ଗୋପାଳପୁରଠାରେ ସେମ୍ବ କର୍ପୋରେସନ ହାଇଡ୍ରୋଜେନ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହେବ ୦.୭୨ ନିୟୁତ ମେଟ୍ରିକ ଗ୍ରୀନ ଆମୋନିଆ ପ୍ଲାଣ୍ଟ ।

ଏଥିପାଇଁ ୧୩ ହଜାର କୋଟିର ପୁଞ୍ଜିନିବେଶ କରାଯିବ । ରିନ୍ୟୁ ଇ-ଫୁଏଲ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମାଲକାନଗିରି ଓ ରାୟଗଡାରେ ପ୍ରତିଷ୍ଠା ହେବ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ମିଥାନଲ ପ୍ଲାଣ୍ଟ । ଟାଟା ଷ୍ଟିଲ ପକ୍ଷରୁ ଢେଙ୍କାନାଳରେ ୧୦ ହଜାର ୩୫୧ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବ କଏଲ ପ୍ଲାଣ୍ଟ । ସେହିଭଳି ଝାରସୁଗୁଡାରେ ଓଡିଶା ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରି ପକ୍ଷରୁ ପ୍ରତିଷ୍ଠା ହେବ ୨ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ, ୨୪୦ ମେଗାୱାଟ କ୍ଷମତା ସମ୍ପନ୍ନ ନିଜସ୍ବ ପାୱାର ପ୍ଲାଣ୍ଟ ଓ ଏକ ନିୟୁତ କ୍ଷମତା ସମ୍ପନ୍ନ ସିମେଣ୍ଟ ଗ୍ରାଇଣ୍ଡିଂ ପ୍ଲାଣ୍ଟ । ବିଏମଡବ୍ଲୁ ଇଣ୍ଡଷ୍ଟ୍ରିଜ ପକ୍ଷରୁ କଳିଙ୍ଗନଗରରେ ପ୍ରତିଷ୍ଠା ହେବ ୧୦ ଲକ୍ଷ ନିୟୁତ ଟନ କ୍ଷମତା ବିଶିଷ୍ଟ କଏଲ ପ୍ଲାଣ୍ଟ । ଏନଟିପିସି ପକ୍ଷରୁ ସୁନ୍ଦରଗଡରେ ପ୍ରତିଷ୍ଠା ହେବ ୮୦୦ ମେଗା ୱାଟ କ୍ଷମତା ସମ୍ପନ୍ନ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ । କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଗଂଜାମର ଗୋପାଳପୁର ଠାରେ ତରଳ ଆମୋନିଆ ସଂରକ୍ଷଣ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହିସବୁ ପ୍ରକଳ୍ପକୁ ଆଜି ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ମଂଜୁରୀ ମିଳିଛି ।