ସ୍ବର୍ଗଦ୍ବାର ଅଭିମୁଖେ ମହେଶ୍ବର ମହାନ୍ତିଙ୍କ ମରଶରୀର

ପୁରୀ: ସ୍ବର୍ଗଦ୍ବାର ଅଭିମୁଖେ ମହେଶ୍ବର ମହାନ୍ତିଙ୍କ ମରଶରୀର । ପୁରୀ ବାସଭବନ ଓ ବିଜେଡି କାର୍ଯ୍ୟାଳୟରେ ଶେଷ ଦର୍ଶନ କଲେ ପରିବାର,  ନେତା ଓ କର୍ମୀ । ଶଙ୍ଖଭବନରେ ମୁଖ୍ୟମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି । ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ୬୭ ବର୍ଷ ବୟସରେ ମହେଶ୍ବରଙ୍କର ପରଲୋକ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କର ଦେହାନ୍ତ ହୋଇଛି । ଗତ ୧ ତାରିଖ ରାତିରେ ମହେଶ୍ବର ମହାନ୍ତି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ତାଙ୍କୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩ଟା ୨୫ରେ ତାଙ୍କର ପରଲୋକ ହୋଇଛି । ମହେଶ୍ବରଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ରାଜନେତା ।

ତାଙ୍କ ବିୟୋଗ ପୁରୀ ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି । ମହେଶ୍ବରଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ହସପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ବଶିଷ୍ଟ ବ୍ୟକ୍ତି ବିଶେଷ । ମେଡିକାଲରୁ ମହେଶ୍ବରଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହେଶ୍ବରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିପରି ଦଳୀୟ ନେତା ଓ କର୍ମୀ ମଧ୍ୟ ଶେଷ ଦର୍ଶନ କରିଥିଲେ । ଶଙ୍ଖ ଭବନ ପରେ ବିଧାନସଭାରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭାରେ ବହୁ ମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକଙ୍କ ସମେତ ସବୁ ଦଳର ବିଧାୟକ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚାରଣ କରିଥିଲେ । ଏହାପରେ ପିପିଲିରେ ଶେଷ ଦର୍ଶନ କରିଥିଲେ ସ୍ଥାନୀୟ ନେତା ଓ ଜନତା । ପରେ ସତ୍ୟବାଦୀ ସହ ଅନ୍ୟ ଅଞ୍ଚଳରେ ମଧ୍ୟ ଶେଷ ଦର୍ଶନ କରିଥିଲେ ଜନତା ।