ମହିଳାଙ୍କୁ ଏକତରଫା ପ୍ରେମ: ବିବାହ କରିବାକୁ ମନା କରିବାରୁ ଥାନାରେ ପଶି ନିଜକୁ ନିଆଁ ଲଗାଇଲା ଯୁବକ

ଶାମଲି: ଉତ୍ତର ପ୍ରଦେଶର ଶାମଲିରୁ ଆସିଛି ଏକ ହଇରାଣ କରି ଦେବା ଭଳି ମାମଲା । ପ୍ରେମିକା ବିବାହ କରିବାକୁ ମନା କରିବାକୁ ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ । ତାହା ପୁଣି ଥାନା ଭିତରେ । ମହିଳା ଥାନା ଗେଟ ଆଗରେ ନିଜ ଉପରେ ଡିଜେଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ତାଙ୍କ ଦେହର ୮୦ ପ୍ରତିଶତ ପୋଡି ଯାଇଥିବା ଜଣାପଡ଼ିଛି ।

ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ନିଆଁକୁ ଆୟତ୍ତ କରିବା ସହ ଯୁବକଙ୍କୁ ହସ୍ପିଟାଲ ନେଇଥିଲେ । ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେରଠ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ଅନୁସାରେ ଥାନାଭବନ ଅଞ୍ଚଳର ଉସମାନପୁର ଗାଁର ୨୭ ବର୍ଷିୟ ବିନୟ ଜଣେ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲେ । ମହିଳାଙ୍କୁ ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲେ । ହେଲେ ମହିଳା ଜଣଙ୍କ ତାଙ୍କ ପ୍ରେମ ନିବେଦନକୁ ଅସ୍ବୀକାର କରିବା ସହ ବିବାହ କରିବାକୁ ମନା କରି ଦେଇଥିଲେ । ସୋମବାର ବିନୟ ହଠାତ ମହିଳା ଥାନାରେ ପହଞ୍ଚି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ବିନୟ କହିଛି, ମହିଳା ଜଣଙ୍କ ଏକ ଶୋ’ରୁମରେ କାମ କରନ୍ତି । ସୋମବାର ତାଙ୍କୁ ଭେଟିବାକୁ ସେ ଆସିଥିଲା । ମହିଳା ଜଣଙ୍କ ବିବାହ ପ୍ରସ୍ତାବକୁ ଗ୍ରହଣ ନକରିବା ସହ ପୋଲିସ ସହ ତାଙ୍କର ଚିହ୍ନା ଥିବା କହିଥିଲା । ଯାହାକୁ ନେଇ ବିନୟ ଚିନ୍ତିତ ହୋଇ ପଡ଼ିବା ସହ ଥାନା ପାଖକୁ ଯାଇ ଦେହରେ ନିଆଁ ଲଗାଇ ଦେଇଥିଲା ।