ନୀତିଶଙ୍କୁ ବିଜେପିର ଡର,ଚିରାଗଙ୍କୁ ନିମନ୍ତ୍ରଣ ଦେଇ ଫେରାଇନେଲେ

ନୂଆଦିଲ୍ଲୀ: ଚିରାଗ ପାଶ୍ୱାନଙ୍କୁ ନେଇ ଏନଡିଏରେ ବିବାଦ ଥମିବାର ନାମ ନେଉନାହିଁ । ବିହାର ନିର୍ବାଚନରେ ଚିରାଗଙ୍କ ପାଇଁ ବେସ କିଛି ଆସନ ହରାଇଥିବା ଜେଡିୟୁ ଓ ଏହାର ସୁପ୍ରିମୋ ନୀତିଶ,ଚିରାଗଙ୍କୁ କ୍ଷମା ଦେବା ମୁଡରେ ନାହାନ୍ତି । ଏହାରି ଭିତରେ ବିଜେପି ଏମିତି କିଛି କରିଥିଲା ଯାହା ନୀତିଶଙ୍କୁ ରଗାଇ ଦେଇଥିଲା । ନୀତିଶଙ୍କ ମାନ ଭଞ୍ଜନ କରିବାକୁ ବିଜେପିକୁ ବେସ କିଛି କସରତ କରିବାକୁ ପଡିଛି ।

ଏନଡିଏ ବୈଠକକୁ ଏଲଜେପି ମୁଖ୍ୟ ଚିରାଗଙ୍କୁ ନିମନ୍ତ୍ରଣକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା । କେନ୍ଦ୍ର ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଚିରାଗଙ୍କୁ ଏନଡିଏ ବୈଠକକୁ ନିମନ୍ତ୍ରଣ କରିଥିଲେ । ତେବେ ଏହି ଖବର ଜେଡିୟୁ ପାଖରେ ପହଂଚିବା ପରେ ମାମଲା ବିଗିଡିବା ଆରମ୍ଭ କରିଥିଲା । ନୀତିଶ ଏହାକୁ ସହଜରେ ନେଇନଥିଲେ । ନୀତିଶଙ୍କ କ୍ରୋଧ ଶାନ୍ତ କରିବାକୁ ଶେଷରେ ବିଜେପିର ବରିଷ୍ଠ ନେତା ମୈଦାନକୁ ଓହ୍ଲାଇଥିଲେ ।
ବିଜେପି ପକ୍ଷରୁ ଚିରାଗଙ୍କୁ ଫୋନ୍ କରାଯାଇଥିଲା । ଫୋନରେ ତାଙ୍କୁ କୁହାଯାଇଥିଲା ଯେ, ଭୁଲରେ ତାଙ୍କ ପାଖକୁ ନିମନ୍ତ୍ରଣ ଯାଇଛି,ତେଣୁ ସେ ବୈଠକକୁ ଆସନ୍ତୁ ନାହିଁ ।

ବିହାର ନିର୍ବାଚନ କାଳରେ ଚିରାଗ ଓ ନୀତିଶଙ୍କ ମଧ୍ୟରେ ବୟାନ ଯୁଦ୍ଧ ଜୋରଦାର ହୋଇଥିଲା । ଜେଡିୟୁର ଅଭିଯୋଗ ଯେ, ଚିରାଗଙ୍କ ପାଇଁ ସେମାନଙ୍କୁ ଅନେକ ସିଟରେ ପରାଜୟ ବରଣ କରିବାକୁ ପଡିଥିଲା । ସୂଚନାଯୋଗ୍ୟ ଯେ, ଚିରାଗ ବିହାର ନିର୍ବାଚନ କାଳରେ ବଡଧରଣର ହଟଚମଟ ଦାବି କରୁଥିଲେ କିନ୍ତୁ ୨୪୩ ଆସନରୁ ଦଳ ମାତ୍ର ଗୋଟିଏ ଆସନ ଜିତିବାରେ ସଫଳ ହୋଇଥିଲା । ଅନ୍ୟପକ୍ଷରେ ଏଲଜେପିର ଏକମାତ୍ର ବିଧାୟକ ଏବେ ଜେଡିୟୁରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Leave a Reply