ଆଜି ବିଶ୍ୱ ଏଡ୍ସ ଦିବସ, ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ

1 min read

ଭୁବନେଶ୍ୱର : ଡ଼ିସେମ୍ବର ୧, ବିଶ୍ୱ ଏଡ଼ସ୍ ଦିବସ । ଏଡ଼ସ୍ ଭଳି ଏକ ମାରାତ୍ମକ ରୋଗ କବଳରୁ ବର୍ତ୍ତିବା ପାଇଁ ଅନେକ ପ୍ରୟାସ, ଅନେକ ପଦକ୍ଷେପ ଏବଂ ଅନେକ ସକାରାତ୍ମକ କଥା ଚିନ୍ତା କରାଯାଉଛି । ୧୯୮୮ରୁ ଆଜି ପର୍ଯ୍ୟନ୍ତ ଏଡ଼ସକୁ ନେଇ ସଚେତନତା ପରିପ୍ରେକ୍ଷୀରେ ଏଭଳି ଏକ ଦିନକୁ ବଛାଯାଇଛି । ବିଶ୍ୱରେ ପ୍ରତି ୫ ଜଣରେ ଜଣେ ଏଚଆଇଭି ଆକ୍ରାନ୍ତ । ତେବେ ସଚେତନତା ଓ ଜ୍ଞାନ ବୃଦ୍ଧି ସହ ଯେଉଁମାନେ ଏଥିରେ ପୀଡିତ ସେମାନଙ୍କୁ ସାହସ ଦେବାକୁ ବିଭିନ୍ନ ସ୍ଥାନରେ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ।

୨୦୧୮ ଶେଷ ସୁଦ୍ଧା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ରିପୋର୍ଟ ଆଧାରରେ ବିଶ୍ୱର ୩୭.୯ ମିଲିଅନ ଲୋକ ଏଡ଼ସ୍ ଆକ୍ରାନ୍ତ ଅଛନ୍ତି । ସେ ମଧ୍ୟରୁ ୬୨ % ରୋଗୀ ଚିକିତ୍ସାର ସୁଯୋଗ ପାଇଥିବା ବେଳେ ୫୩ ପ୍ରତିଶତ ରୋଗୀ ଏଡ଼ସ୍ କୁ ହରାଇବାରେ ସକ୍ଷମ ହୋଇଛନ୍ତି । ଏ ସଫଳତାକୁ ଆହୁରି ଅଧିକ ଆଗକୁ ନେବା ଏବଂ ବିଶ୍ୱକୁ ଏଡ଼ସ୍ ମୁକ୍ତ କରିବା ଲକ୍ଷ୍ୟ ନେଇ ୨୦୧୯ରେ ନିଜ ପ୍ରଚେଷ୍ଟାକୁ ଦ୍ୱିଗୁଣିତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ସୂଚନା ଅନୁସାରେ ବିଶ୍ୱରେ ଏଡସ୍ ରୋଗୀଙ୍କ ତୁଳନାରେ ଭାରତରେ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ତୃତୀୟ ସର୍ବୋଚ୍ଚ । ଓଡ଼ିଶାରେ ଯଦଗି ଦେଖିବା ତେବେ ଦକ୍ଷିଣ ଓଡ଼ିଶାକୁ ଏଡ଼ସ୍ ରୋଗୀଙ୍କ ପେଣ୍ଠସ୍ଥଳୀ ବୋଲି କୁହାଯାଏ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ଏଡସ ରୋଗୀ ଅଛନ୍ତି । ତେବେ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ଫ୍ରି କ୍ଲିନିକ୍ ସହ ଏସଡର ନିରାକରଣ ପାଇଁ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହା ଖୁସିର କଥାଯେ ପ୍ରତି ବର୍ଷ ଏଡ଼ସ୍ ରୋଗୀଙ୍କ ସଂଖ୍ୟା ରାଜ୍ୟରେ କମିଚାଲିଛି । ୨୦୧୪-୧୫ ବର୍ଷରେ ଓଡ଼ିଶାରେଏଡ଼ସ୍ ରୋଗୀଙ୍କ ହାର ୦.୭% ଥିବାବେଳେ ବର୍ଷ ୨୦୧୮-୧୯ରେ ଏହା ୦.୩ % କୁ ହ୍ରାସପାଇଛି । ତେବେ ଏତିକିରେ ହାତରେ ହାତ ବାନ୍ଧି ବସିଗଲେ ସଚେତନତାରେ ସୃଷ୍ଟି ହେବ ପ୍ରତିବନ୍ଧକ ।

ଏଡ଼ସ୍ ମୁକ୍ତ ଓଡ଼ିଶା ପାଇଁ ଏଡ଼ସ୍ ସଚେତନତାର କିଛି ଉଚିତ ବାର୍ତ୍ତା ସଂପର୍କରେ ଅବଗତ ହେବା ଦରକାର । 

୧. ଏଡସ୍ ଏମିତି ଏକ ମାରାତ୍ମକ ରୋଗ, ଯାହା ଆପଣଙ୍କ ଭିତରେ ବର୍ଷ ବର୍ଷରୁ ରହିପାରେ । ଏଥିପାଇଁ ଉତ୍ତମ ଚିକିତ୍ସାର ପ୍ରୟୋଜନ ଅଛି ।
୨. HIV ପଜିଟିଭ୍ ଯେତେ ଶୀଘ୍ର ଷ୍ଟେଜରେ ଜଣାପଡ଼ିଯିବ, ସେତେ ଶୀଘ୍ର ଆପଣ ଏହାକୁ ଜିତିବାରେ ସଫଳ ହେବେ ।
୩.ଏହା ପରବର୍ତ୍ତୀ ମୂହୁର୍ତ୍ତରେ କର୍କଟକୁ ଜନ୍ମ ଦେଇପାରେ ।
୪. ଏଡ଼ସ୍ ଚିକିତ୍ସା ଜାରିରହିଥିବା ସମୟରେ ନିଶାସେବନ କରୁଥିବା ବ୍ୟକ୍ତି ସୁଫଳ ପାଇବା ଆଶା କ୍ଷୀଣ ।
୫. ଶରୀରରେ ଜ୍ୱର ଏବଂ ସଂକ୍ରମଣ ଲାଗିରହିଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୬. ହଠାତ ଓଜନ କମିଯାଇ ଶରୀର ଦୁର୍ବଳ ହେଲେ ରକ୍ତପରୀକ୍ଷା କରନ୍ତୁ ।
୭.ଶାରୀରିକ ସମ୍ପର୍କ ରଖିବାବେଳେ ସ୍ୱଚ୍ଛତା ପ୍ରତି ସତର୍କ ରୁହନ୍ତୁ ଏବଂ ନିରୋଧକ ବ୍ୟବହାର କରନ୍ତୁ ।
୮. ଏକାଧିକ ବ୍ୟକ୍ତିଙ୍କ ସହ ଶାରୀରିକ ଅନ୍ତରଙ୍ଗ ହେବା ଆପଣଙ୍କ ପାଇଁ ବିପଦ ସୃଷ୍ଟିକରିପାରେ ।

ରାଜ୍ୟରୁ ଏଡ଼ସ୍ ହଟାଇବା ପାଇଁ ଖାଲି ରାଜ୍ୟ ସରକାର ବା ଗଣମାଧ୍ୟମ ନୁହଁ ଅନେକ ସାମାଜିକ ସଂଗଠନ ଏବଂ ସ୍ୱେଚ୍ଛାସେବୀ ମଧ୍ୟ ଏ ଦିଗରେ ଆଗ୍ରହ ଦେଖାଇଛନ୍ତି ଯାହା ବାସ୍ତବିକ ରୂପେ ସ୍ୱଗତଯୋଗ୍ୟ ।

Leave a Reply