ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ

1 min read

ଭୁବନେଶ୍ୱର: ଶ୍ରୀମନ୍ଦିର ନିରାପତ୍ତା ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ସ୍ୱେଚ୍ଛାକୃତ ଭାବେ ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଲୋକଙ୍କ ଅଭୂତପୂର୍ବ ସମର୍ଥନ ମିଳିଛି ।

ଗତ ପବିତ୍ର ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ଗୋଟିଏ ଅନୁରୋଧ କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଅତ୍ୟନ୍ତ ମହାନ । ଶ୍ରୀମନ୍ଦିର ନିରାପତ୍ତା ପାଇଁ ମନ୍ଦିରର ୭୫ ମିଟର ପରିଧିରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ତାପରେ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ।୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରି-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି । ସାରା ଦେଶରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଏହା ଏକ ଅଭୂତପୂର୍ବ ସଫଳତା । ମହାପ୍ରଭୁଙ୍କ ପାଇଁ ଭିଟାମାଟି, ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ, ଲଜିଂ ଆଦି ତ୍ୟାଗ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ଅନେକ ମଠ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛା ଓ ତାଙ୍କ ପ୍ରେରଣାରେ ଏସବୁ ସମ୍ଭବ ହୋଇଥିବା ନବୀନ କହିଛନ୍ତି ।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଗର୍ବ । କାଞ୍ଚି ଅଭିଯାନ ସମୟରେ ସେ ନିଜେ ଯୁଦ୍ଧରେ ସାମଲ ହୋଇ ଓଡ଼ିଆ ଜାତିର ଗୌରବ ରକ୍ଷା କରିଥିଲେ । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ମହାନ ତ୍ୟାଗ ଜଗନ୍ନାଥ ସଂସ୍କୃତିକୁ ଆହୁରି ଗରୀଆନ କରିଛି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ମହାପ୍ରଭୁଙ୍କ ପାଇଁ ଆପଣ ମାନଙ୍କର ଏହି ଭଲ ପାଇବା, ଏହି ସମର୍ପଣ ଭାବ ଇତିହାସର ଏକ ଗୌରବୋଜ୍ୱଳ ଅଧ୍ୟାୟ ହୋଇରହିବ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ମୁଖ୍ୟମନ୍ତ୍ରୀ (ଫାଇଲ ଫଟୋ)

ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ଛୁଟି ଦିନ ମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Leave a Reply