ବିଦେଶ ମାଟିରେ ମନ ମୋହିଲେ ଓଡ଼ିଆ ମାଆ

1 min read

ଭୁବନେଶ୍ୱର : ବିଦେଶ ମାଟିରେ ସୁନ୍ଦରୀ ପ୍ରତିଯୋଗିତାରେ ମନ ମୋହିଲେ ଓଡ଼ିଆ ମାଆ । ମୟୂରଭଞ୍ଜର ମୟୂରୀ ହେଲେ ସିଙ୍ଗାପୁର ସୁନ୍ଦରୀ । ନିଜର ସୌନ୍ଦର୍ଯ୍ୟ ସାଙ୍ଗକୁ ଇର୍ଷଣୀୟ ଉପସ୍ଥାପନା ଯୋଗୁଁ ଜିତିଲେ ମିସେସ୍ ପପୁଲାର ଆଓ୍ବାର୍ଡ । ସିଙ୍ଗାପୁର ସୁନ୍ଦରୀ ପ୍ରତିଯୋଗିତାର ଏହି ସଫଳ ପ୍ରତିଯୋଗୀ ହେଲେ ଓଡ଼ିଆ ବିୟୁଟି ପାଜେଣ୍ଟ ରଶ୍ମୀ ମାନ୍ନା ଓରଫ୍ ରଶ୍ମୀରାଣୀ ପାତ୍ର। ସେଠାକାର ଏକ ଘରୋଇ କଂପାନୀରେ ଚାକିରି କରିଥିଲେ ହେଁ ଚମତ୍କାର ଅଭିନୟ, ନୃତ୍ୟ, ଗୀତ ଓ ମଡେଲିଂ ପାଇଁ ରଶ୍ମୀ ସାଉଣ୍ଟିଛନ୍ତି ଏହି ବିରଳ ସଫଳତା । ‘ମିସେସ୍ ସିଙ୍ଗାପୁର’ ଟାଇଟଲରୁ ଅଳ୍ପକେ ବଞ୍ଚିତ ହୋଇ ସେ ମିସେସ୍ ପପୁଲାର ଆଓ୍ବାର୍ଡ ଜିତିଛନ୍ତି। ଆଉ ‘ମିସେସ୍ ପପୁଲାର’ ଟାଇଟଲ ଜିତିବା ପରେ ସିଙ୍ଗାପୁରରେ ସତକୁସତ ପପୁଲାର ହୋଇଯାଇଛନ୍ତି ରଶ୍ମୀ ।

 

 

‘ମିସେସ୍ ସିଙ୍ଗାପୁର-୨୦୧୯’ ଟାଇଟଲ ପାଇଁ ଏଥର ଆଶାୟୀ ଥିଲେ ଶତାଧିକ ପ୍ରତିଯୋଗୀ । ସିଙ୍ଗାପୁର ବ୍ୟତୀତ ସେଠାରେ ଭିସାରେ ରହୁଥିବା ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଭାଗନେବାର ସୁଯୋଗ ଥିଲା । ବିଶେଷ କରି ଚୀନ, ମାଲୟେସିଆ, ଇଣ୍ଡୋନେସିଆ, ଭାରତ ଓ ଶ୍ରୀଲଙ୍କା ଆଦିରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ମାତ୍ର ୧୬ ଜଣ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ଆଉ ସେଥିରୁ ଫାଇନାଲିଷ୍ଟ ତାଲିକାରେ ରହିଥିଲେ ହାତଗଣତି କେତେଜଣ । ଫାଇନାଲିଷ୍ଟ ତାଲିକାରେ ରହି ମିସେସ୍ ସିଙ୍ଗାପୁର ଟାଇଟଲ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ରଶ୍ମୀ। ମାତ୍ର ଏହି ଇଭେଣ୍ଟର ଦ୍ବିତୀୟ ମର୍ଯ୍ୟଦାଜନକ ଟାଇଟଲ ‘ମିସେସ୍ ପପୁଲାର’ ଟାଇଟଲ ଜିତିବାକୁ ସକ୍ଷମ ହୋଇଥିଲେ ।

 

ରଶ୍ମୀଙ୍କ ଜନ୍ମ ବାରିପଦାରେ । ବାଣୀବିହାରରେ ପ୍ରାଣୀବିଜ୍ଞାନରେ ପିଜି କରିବା ପରେ ଏଠାରେ ପିଏଚଡି ବି କରିଥିଲେ । ତା ସହିତ ଭୁବନେଶ୍ବର ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟରୁ ମ୍ୟାନେଜମେଣ୍ଟରେ ଡିଗ୍ରୀ କରିଥିଲେ । ବାଲେଶ୍ବରରେ ବିବାହ କରିବା ପରେ ଗତ ୧୦ ବର୍ଷ ହେଲା ସେ ନିଜ ସ୍ବାମୀଙ୍କ ସହ ସିଙ୍ଗାପୁରରେ ରହୁଛନ୍ତି । ସିଙ୍ଗାପୁରରେ ସେ ଏକ ମଲଟିନାସନାଲ ଫାଇନାନ୍ସ କମ୍ପାନୀରେ କାମ କରନ୍ତି ।

କିନ୍ତୁ ବିଦେଶ ମାଟିରେ ପେଶାରେ ସେ ଯେତିକି ପରିଚୟ ପାଇନାହାନ୍ତି, ନିଶା ଜନିତ ପ୍ରତିଷ୍ଠା ତାକୁ ଟପିଯାଇଛି । କେବଳ ଅଭିନୟ ବା ମଡେଲିଂ ନୁହେଁ, ସିଙ୍ଗାପୁରରେ ଏବେ ସେ ସମାଜସେବା ବି କରନ୍ତି ରଶ୍ମୀ । ମୟୂରଭଞ୍ଜର ମୟୁରୀ ଏବେ ସିଙ୍ଗାପୁର ସୁନ୍ଦରୀ ହେବା ପରେ ଏହି ଓଡ଼ିଆ ମାଆଙ୍କୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Leave a Reply