ପାଲଲହଡ଼ାରେ ସରଗରମ ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ପାଇଁ ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୈତିକ ପରିବେଶ। ଚାଲିଛି ଜୋରଦାର ପ୍ରଚାର । ହେଉଛି ତ୍ରିମୁଖୀ ଲଢ଼େଇ। ବିଗତ ୩ଟି ନିର୍ବାଚନରେ ବିଜେଡିର ଗଡ଼ ଥିବା ଏହି ନିର୍ବାଚନମଣ୍ଡଳୀରେ ଏଥର କିଏ ଜିତିବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା ।

୨୦୦୯ରୁ ବିଜେଡିର ଗଡ଼ ଭାବରେ ପରିଚିତ ଅନୁଗୁଳ ଜିଲ୍ଲା ପାଲଲହଡ଼ା  ବିଧାନସଭା ନିର୍ବାଚନମଣ୍ଡଳୀ । ପାଲଲହଡ଼ା ବ୍ଲକର ୨୭ଟି ପଞ୍ଚାୟତ ଓ କଣିହାଁ ବ୍ଲକର ୧୯ଟି ପଞ୍ଚାୟତକୁ ନେଇ ଏହା ଗଠିତ  । ଏଠାରେ ଅଛନ୍ତି ୧ ଲକ୍ଷ ୭୭ ହଜାର ୯୨୨ ଭୋଟର । ପୁରୁଷ  ୯୦ ହଜାର ୯୫୨, ମହିଳା ୮୬ ହଜାର ୯୫୫ ଏବଂ ତୃତୀୟ ଲିଙ୍ଗୀ ଭୋଟର ୧୫ ଜଣ ଅଛନ୍ତି । ନୂତନ ଭାବେ ମତଦାନ କରିବେ ୯ ହଜାର ୯୫୮ ଜଣ ଯୁବ ଭୋଟର । ଏଠାରେ ତ୍ରିମୁଖୀ ତ୍ରିମୁଖୀ ଲଢ଼େଇ ହେଉଛି  । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ମୁକେଶ କୁମାର ପାଲ । ବିଜେପିରୁ ଅଶୋକ ମହାନ୍ତି ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଫକୀର ସାମଲ । ତିନି ଦଳ ପକ୍ଷରୁ ଜୋରଦାର ଚାଲିଛି ପ୍ରଚାର ।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରବି ନାରାୟଣ ପାଣି ୪୦ ହଜାର ୯୮୦ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ୩୫ ହଜାର ୫୧୩ ଓ  କଂଗ୍ରେସରୁ ବିବୁଧେନ୍ଦ୍ର ପ୍ରତାପ ଦାଶ ପାଇଥିଲେ ୨୧ ହଜାର ୨୫୮ ଭୋଟ।  ୨୦୧୪ରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ୪୪ ହଜାର ୨୬୪  ଭୋଟ ପାଇ ଜିତିଥିଲେ । ବିଜେପିର ଅଶୋକ ମହାନ୍ତି  ୩୮ ହଜାର ୯୭୦ ଓ କଂଗ୍ରେସର ସୁବୋଧ ପାଣିଙ୍କୁ ୧୮ ହଜାର ୪୮୭ ଭୋଟ ମିଳିଥିଲା । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମୁକେଶ କୁମାର ପାଲ ୫୯ ହଜାର ୩୫୦ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଅଶୋକ ମହାନ୍ତି ୫୩ ହଜାର ୧୩୬ ଓ କଂଗ୍ରେସର ସୁବ୍ରତ ଗଡ଼ନାୟକଙ୍କୁ ୧୨ ହଜାର ୨୬୬ ଭୋଟ ମିଳିଥିଲା । ଏଥର ଭଲ ପ୍ରାର୍ଥୀ ଓ ଅଞ୍ଚଳର ବିକାଶକୁ ଦେଖି ଭୋଟ ଦେବେ ବୋଲି ଭୋଟରମାନେ କହିଛନ୍ତି ।

ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ ପାଲଲହଡ଼ା ଅଞ୍ଚଳ ବିକାଶର ଶୀର୍ଷ ଛୁଇଁଛି । ରାସ୍ତାଠାରୁ ଆରମ୍ଭ କରି, ଡାକ୍ତରଖାନା, ସ୍କୁଲ , ଖେଳ ପଡ଼ିଆ, ମନ୍ଦିର ଆଦିର ବିକାଶ ହୋଇଛି। ଏହା ହିଁ ପାଲଟିଛି ନିର୍ବାଚନର ମୁଖ୍ୟ ପ୍ରସଙ୍ଗ।