ସାମ୍ନାକୁ ଆସିଲା କେନ୍ଦ୍ରମନ୍ତ୍ରୀଙ୍କ ଅସଲ ଚିତ୍ର, ନିଜ ଗାଁ ପ୍ରତି କରୁଛନ୍ତି ଚରମ ଅବହେଳା

ନନ୍ଦିଘୋଷ ବ୍ୟୁରୋ: ଡବଲ ଇଞ୍ଜିନର ନାରା ଦେଇ ନିର୍ବାଚନ ପ୍ରଚାର କରୁଥିବା ବିଜେପି ନେତାଙ୍କ ଅସଲ ଚିତ୍ର ଦେଖିବା ତାଙ୍କ ନିଜ ଗାଁରୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଁ ତାଳଚେରର ବିକଳ କାହାଣୀ । ତାଳଚେରରୁ ବାହାରକୁ ବାହାରିବାକୁ ହେଲେ ରେଳ ଧାରଣା ପାର ହୋଇ ଯିବାକୁ ହୋଇଥାଏ । ରେଳଧାରଣା ସବୁବେଳେ ବିପଦ ସଂକୁଳ ହୋଇରହିଥିଲେ ମଧ୍ୟ, ଓଭର ବ୍ରିଜ ନଥିବାରୁ ପ୍ରତିଦିନ ଘଟୁଛି ଦୂର୍ଘଟଣା । ହେଲେ ଦିନେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଏ ସଂପର୍କରେ ଚିନ୍ତା କରିନାହାଁନ୍ତି । ଯଦି ନିଜ ଗାଁକୁ ଯିଏ ହତାଦର କରିଛି, ସିଏ ରାଜ୍ୟ ଓ ସମ୍ବଲପୁରର କଣ ବିକାଶ କରିବ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ସାଙ୍ଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଗାଁକୁ ଅବହେଳା ଏବେ ଲୋକଙ୍କ ପାଇଁ କାଳ ସାଜିଛି । ଗୋଟିଏ ପଟେ ଚରମ ପ୍ରଦୂଷଣ ଅନ୍ୟପଟେ ଯିବା ଆସିବା ପାଇଁ ରେଳଧାରଣା ପାଲଟିଛି ମୃତ୍ୟୁର ଯନ୍ତା । କଳାହୀରାର ସହର ତାଳଚେର ଏବେ ଅବହେଳିତ । ତାଳଚେରରୁ ଦୈନିକ ହଜାର ହଜାର ଟନ୍ କୋଇଲା ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ପରିବହନ ହେଉଛି ।

କେନ୍ଦ୍ର ସରକାର ଦୈନିକ କୋଟି କୋଟି ଟଙ୍କା ରାଜସ୍ବ ମଧ୍ୟ ପାଉଛନ୍ତି କିନ୍ତୁ, କୋଇଲା ପରିବହନ ପାଇଁ ପଡ଼ିଥିବା ରେଳ ଧାରଣା ଗୁଡିକ ତାଳଚେର ସହର ପାଇଁ ପାଲଟିଛି ଅଭିଶାପ । ବୁଢିଆଣୀ ଜାଲ ପରି ଛନ୍ଦି ହୋଇଥିବା ରେଳ ଧାରଣା ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଫଳରେ ଘରୁ ବାହାରିଲେ ରେଳ ଧାରଣା କଡରେ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଓଭରବ୍ରିଜ ପାଇଁ  ଲୋକଙ୍କ ଦାବି ପଡିଯାଇଛି ଶୀତଳ ଭଣ୍ଡାରରେ । ଲୋକଙ୍କ କହିବା ହେଲା, ଯଦି କେନ୍ଦ୍ରମନ୍ତ୍ରୀ ନିଜ ଭିଟାମାଟି ପାଇଁ କିଛି କରିପାରିନାହାଁନ୍ତି, ସେ ରାଜ୍ୟ ଓ ସମ୍ବଲପୁର ପାଇଁ କଣ କରିବେ ।

ତାଳଚେରରେ ଥିବା ରେଳ ଧାରଣା ଗୁଡ଼ିକୁ ଅତିକ୍ରମ କରିବା ପାଇଁ ପ୍ରାୟ ଅଧିକାଂଶ ସ୍ଥାନରେ ରେଲୱେ ଓଭରବ୍ରିଜର ଆବଶ୍ୟକତା ଥିବା ବେଳେ କେବଳ ଘଣ୍ଟପଡା ଠାରେ ଓଭରବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । କିନ୍ତୁ ତାହା ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ୨୦୧୨ ଜୁନ ପହିଲାରେ ତତ୍ କାଳୀନ କୋଇଲା ମନ୍ତ୍ରୀ ଶ୍ରୀପ୍ରକାଶ ଜେସ୍ୱାଲଙ୍କ ଦ୍ଵାରା ଏହି ବ୍ରିଜର ଶିଳାନ୍ୟାସ କରିଥିଲେ । ପ୍ରାୟ ୩୭ କୋଟି ୨୧ ଲକ୍ଷ ବ୍ୟୟ ଅଟକଳରେ ୨୦୧୬ ମସିହା ଅକ୍ଟୋବର ମାସରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟ ୨୦୧୮ ଅକ୍ଟୋବର ମାସରେ ଶେଷ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିଲା । ହେଲେ ଆଜିପର୍ଯ୍ୟନ୍ତ ୩୦ ପ୍ରତିଶତ କାର୍ଯ୍ୟ ବି ଶେଷ ହୋଇନାହିଁ ।

ଓଭରବ୍ରିଜ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନ୍ଦୋଳନାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଉଛି । ଆଗାମୀ ଦିନରେ ଭୋଟ ମାଧ୍ୟମରେ ଏହାର କଡା ଜବାବ ଦିଆଯିବା ନେଇ ତାଳଚେର ଭୋଟର ମତ ପ୍ରକାଶ କରିଛନ୍ତି । ଅପରପକ୍ଷେ ତାଳଚେର ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ଥାଇ ମଧ୍ୟ ତାଳଚେରରେ ମୁଖ୍ୟ ସମସ୍ୟା ପାଲଟିଥିବା ରେଳ ଧାରଣା ଏବଂ ରେଳ ଫାଟକ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବା ନିହାତି ନିନ୍ଦନୀୟ । ଏବେ ଶ୍ରୀ ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ଲୋକସଭା ଅନ୍ତର୍ଗତ ଭୋଟର ମାନେ  ଶ୍ରୀ ପ୍ରଧାନ ନିଜ ମାଟି ପାଇଁ କେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ସେ ବାବଦରେ ପ୍ରଶ୍ନ କରନ୍ତୁ ବୋଲି ତାଳଚେରର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

କଥାରେ ଅଛି ଯିଏ ନିଜ ମାଟିର ହେଲାନି, ସେ କାହାର ହେବନି । ୧୦ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ରାଜ୍ୟ କଥା ଛାଡ ,ଧର୍ମେନ୍ଦ୍ର ନିଜ ଭିଟାମାଟିର କିଛି ବି ଉନ୍ନତି କରିପାରିଲେ ନାହିଁ । ଖାଲି ମିଠି କଥା କହି ପ୍ରଚାର କଲେ, ସମ୍ବଲପୁରର ସ୍ବାଭିମାନୀ ଭୋଟର ତାର ନିଶ୍ଚିତ ଜବାବ ଦେବେ ।