ସୁପରମୁନ୍ କ’ଣ: ଜାଣନ୍ତୁ ମେ’ ୨୬ କାହିଁକି ଦେଖାଯିବ ଚଳିତ ବର୍ଷର ଶେଷ ସୁପରମୁନ୍

ଭୁବନେଶ୍ୱର: ମେ’ ୨୬ ତାରିଖରେ ଚଳିତ ବର୍ଷର ଶେଷ ସୁପରମୁନ୍ ଦେଖାଯିବ । ସୁପରମୁନ୍ ଶଦ୍ଧଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ‘ସୁପରମୁନ୍’ ଶଦ୍ଦ ଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି । ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳେ ଏହା ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ।

The Science: The Earth and Moon

ଏବଂ ସବୁଠାରୁ ଦୂରରେ ରହିଥିବା ବେଳେ ଏହା ଆମଠାରୁ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ । ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ୍ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ । ତେବେ ତାହାକୁ ଆମେ ସୁପରମୁନ୍ କହିଥାଏ । ଅର୍ଥାତ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେହି ଚନ୍ଦ୍ରକୁ ‘ସୁପରମୁନ୍’ କୁହାଯାଏ ।  କାରଣ ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ  ।

Why all the super buzz about the supermoon?

୨୦୨୧ ମସିହାରେ ପ୍ରଥମ ସୁପରମୁନ୍ ଗତ ଏପ୍ରିଲ ମାସ ୨୬ ତାରିଖରେ ଦେଖାଯାଇଥିଲା ଓ ଏ ବର୍ଷର ଶେଷ ସୁପରମୁନ୍ ମେ ୨୬ ତାରିଖରେ ଦେଖାଯିବ । ଏପ୍ରିଲ ମାସ ୨୬ ତାରିଖ ପୂର୍ଣ୍ଣିମୀର ଚନ୍ଦ୍ର ଆମଠାରୁ ୩ ଲକ୍ଷ ୫୭ ହଜାର ୬୧୫ କିମି ଦୂରରେ ଥିଲା ଏବେ ମେ ୨୬  ତରିଖରେ ପୂର୍ଣ୍ଣିମୀରେ ଚନ୍ଦ୍ର ପ୍ରାୟ ୧୫୦ କିଲୋମିଟର ନିକଟ ଅର୍ଥାତ ଆମଠାରୁ ୩ ଲକ୍ଷ ୫୭ ହଜାର ୪୬୨ କିମି ଦୂରରେ ଦେଖାଯିବ । ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ସହ ୧୫ ପ୍ରତିଶତ ଉଜ୍ଜଳ ଦେଖାଯିବ । ତେବେ ସଂଯୋଗ ବଶତଃ ମେ ୨୬ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେ ଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୩.୧୪ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୬.୨୨ ସମୟରେ ଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ । ଚନ୍ଦ୍ରଟି ଛାୟା ମଧ୍ୟରେ ଥିବା ସମୟରେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ  । କିନ୍ତୁ ସେ ସମୟରେ ଭାରତ ତଥା ଓଡ଼ିଶାରେ ଦିନ ହୋଇଥିବା ଓ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଏଠାରେ ଗ୍ରହଣ ଦେଖିହେବ ନାହିଁ । ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଥିବା ବେଳେ  ଚନ୍ଦ୍ର ପୃଥିବୀ ଚାରିପଟେ ଏକ  ନିର୍ଦ୍ଧିଷ୍ଟ କକ୍ଷ ପଥରେ ଘୁରୁଛି । ଯେତେବେଳେ ଏହି ତିନୋଟି ପିଣ୍ଡ ଏକ ସରଳ ରେଖାରେ ରୁହନ୍ତି ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ସେତେବେଳେ ଚନ୍ଦ୍ର ଗ୍ରହଣ ହୋଇଥାଏ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗ ଧାରଣ କରେ । ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାର ପ୍ରକୃଷ୍ଠ ସମୟ ହେଉଛି ୪.୪୧ ମିନିଟରୁ ୪.୫୫ ମିନିଟ  ।

Leave a Reply