ଅସ୍ତ୍ରଶସ୍ତ୍ର ନୁହେଁ, ସୀମାରେ ଭାରତୀୟ ଯବାନଙ୍କ ପାଇଁ ସାହସ ପାଲଟିଥିଲା ଲତାଙ୍କ ଗୀତ

1 min read

“ଏ ମେରେ ଓ୍ବତନ୍ କି ଲୋଗୋ
ଜରା ଆଁଖ ମେଁ ଭରଲୋ ପାନି
ଜୋ ସହିଦ ହୁଏ ହେଁ ଉନକି
ଜରା ୟାଦ କରୋ କୁରଓ୍ବାନି”…

ଲତାଙ୍କର ଏହି ଗୀତ ସୀମାରେ ଥିବା ଭାରତୀୟ ଯବାନ ମାନଙ୍କ ପାଇଁ ପାଲଟିଥିଲା ସାହସ । କେବଳ ଯବାନ ନୁହଁ କି ଦେଶପ୍ରେମୀ ନୁହଁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଲତାଙ୍କର ଏହି ସଙ୍ଗୀତରେ ମ୍ରିୟମାଣ ହୋଇ କାନ୍ଦି ପକାଇଥିଲେ । ହିନ୍ଦୁସ୍ଥାନ ଓ ଚାଇନା ମଧ୍ୟରେ ଯୁଦ୍ଧ ସମୟରେ ଭାରତର ଅନେକ ସୈନିକ ପ୍ରାଣ ହରାଇଥିଲେ । ଯେଉଁ ସମୟରେ ଲତାଙ୍କର ଏହି ଗୀତ ସାରା ଦେଶବାସୀଙ୍କ ମନରେ ଆଣିଥିଲା ସାହସ ଓ ଦେଶଭକ୍ତି ।

ଜଣେ ଗାୟିକାରୁ ଦେଶର ଝିଅ । ପ୍ରକୃତ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରୁ ଜଣେ । ସଙ୍ଗୀତକୁ ପୂଜା କରୁଥିବା ବ୍ୟକ୍ତିତ୍ୱ ସେ । ଯାହାଙ୍କ କଣ୍ଠରେ ବାସ କରନ୍ତି ସ୍ୱୟଂ ମା’ ସରସ୍ୱତୀ । ଯାହାଙ୍କ କଣ୍ଠରେ ମତୁଆଲା ସାରା ଦେଶ । ହିନ୍ଦୀ ସିନେମାକୁ ଅନେକ ଗୀତ ଭେଟିଦେଇଛନ୍ତି ଦେଶର ମହାନ୍ ଗାୟିକା ଲତା ମଙ୍ଗେସକର । ସିନେମା ଜଗତକୁ ଏକ ନୂଆ ମୋଡ଼ ଦେଇଛନ୍ତି ସେ । ଆକ୍ଟିଙ୍ଗ୍ ଛାଡ଼ି ସଙ୍ଗୀତ ଜଗତରେ ପାଦ ଥାପିଥିଲେ ଲତା ।

 

ସେ ନୁରସାଦ ସାହେବ ହୁଅନ୍ତୁ କିମ୍ୱା ମାଷ୍ଟର ଗୁଲାମ ହାଇଦର, ଶଙ୍କର ଜ୍ୟାକିସେନଙ୍କ ଯୋଡ଼ି ହୁଅନ୍ତୁ ଅବା ମଦନମୋହନ ସାହେବ, ହିନ୍ଦୀ ସିନେମା ଜଗତର ବଡ଼ ବଡ଼ ସଙ୍ଗୀତକାରଙ୍କ ସହ କାମ କରିଛନ୍ତି ଲତା । ସଙ୍ଗୀତ ମାଲିକ ସଲିଲ୍ ଚୌଧୁରୀ ଓ ରୋଶନ ସାହେବଙ୍କ ସହ ମଧ୍ୟ ଅନେକ ଗୀତ ଗାଇଛନ୍ତି ସେ । ଲତା ମଙ୍ଗେସରକର ଏକମାତ୍ର ଜଣେ ବ୍ୟକ୍ତିତ୍ୱ ଯେ କି, ସଙ୍ଗୀତକାରଙ୍କ ଉଦ୍ଦେଶ୍ୟରେ କହିଥିବା କଥା ସମସ୍ତଙ୍କ ମନ ଜିଣିଥିଲା । ସେ କହିଥିଲେ ସଙ୍ଗୀତର ଶ୍ରେୟ ଗାୟକଙ୍କୁ ମଧ୍ୟ ମିଳିବା ଉଚିତ୍ । ଅର୍ଥାତ୍, କୌଣସି ଗୀତର ରେକର୍ଡିଂ ସରିବା ପରେ ଏହାର ଦେୟ ପ୍ରାପ୍ତି ହୋଇଥିଲେ ମଧ୍ୟ ଯେ ପର୍ଯ୍ୟନ୍ତ ଗୀତଟିର ରେକର୍ଡ ବିକ୍ରି ହେଉଛି ଆୟର କିଛି ଶତକଡ଼ା ଲାଭ କଣ୍ଠଶିଳ୍ପୀଙ୍କୁ ମଧ୍ୟ ମିଳିବା ଉଚିତ୍ ।

କଣ୍ଠଶିଳ୍ପୀ ବ୍ୟତୀତ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପାଇଁ ତାଙ୍କୁ ସଙ୍ଗୀତ ଜଗତରୁ ପ୍ରସ୍ତାବ ଆସୁଥିଲା । ଲତା ମଙ୍ଗେସକର ସଙ୍ଗୀତ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଥିବା କଥା ଖୁବ୍ କମ୍ ଲୋକ ଜାଣିଥିବେ । ମାତ୍ର ଜଣେ କଣ୍ଠଶିଳ୍ପୀ ଭାବେ ପରିଚିତ ହେବାକୁ ତାଙ୍କର ଇଚ୍ଛା ଥିଲା । କେବଳ ହିନ୍ଦୀ ଭାଷା ନୁହେଁ ମରାଠୀ, ତାମିଲ, ଭୋଜପୁରୀ, କନ୍ନଡ଼, ବଙ୍ଗାଳୀ, ଆସାମୀ ଏଭଳି ଅନେକ ଭାଷାରେ କଣ୍ଠ ଦେଇଛନ୍ତି ଲତା । ୬୦ ଦଶକରେ ଲତା ମଙ୍ଗେସକର ସଫଳତାର ଏକ ଭିନ୍ନ ସ୍ତରରେ ପହଁଞ୍ଚିସାରିଥିଲେ । ହିନ୍ଦୀ ସିନେମାର ହିଟ୍ ରୋମାଣ୍ଟିକ ଗୀତ ଲଗଜା ଗଲେ ସେ ଫିର , ତେରେ ବିନା ଜିନ୍ଦେଗି ସେ, କ୍ୟା ପ୍ୟାର ହେ, ତେରେ ବିନା ଜିୟା ଯାଏ ନା, ସଲମେ ଇସ୍କ, ଆଜା ପିୟା ତୋହେ ପ୍ୟାର ଦୁଁ ୮୦-୯୦ ଦଶକର ପ୍ରେମୀ ଯୁଗଳଙ୍କୁ ମତୁଆଲା କରିଥିଲା । ଯାହା ସବୁଦିନ ପାଇଁ ଏଭରଗ୍ରୀନ୍ ।

ପଦ୍ମବିଭୂଷଣ ହେଉ ବା ପଦ୍ମଭୂଷଣ ଅବା ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ନିଜ ସଙ୍ଗୀତ ପାଇଁ ଏଭଳି ଉଚ୍ଚ ସମ୍ମାନର ଅଧିକାରୀ ହୋଇଥିଲେ ସେ । ଫିଲ୍ମ ଫେୟାର ଆୱାର୍ଡ ମିଳିବା ପରେ ନୂତନ ଗାୟକ ଗାୟିକାଙ୍କୁ ମଧ୍ୟ ସୁଯୋଗ ମିଳିବା ଉଚିତ୍ ବୋଲି ସେ କହିଥିଲେ । ତେଣୁ ଏକ ସମୟରେ ସେ କୌଣସି ପୁରସ୍କାର ନେବାକୁ ମନା କରିଦେଇଥିଲେ । କେବଳ ସଙ୍ଗୀତ ନୁହେଁ ଫଟୋଗ୍ରାଫିରେ ମଧ୍ୟ ତାଙ୍କର ରୁଚି ରହିଥିଲା । ସିନେମା ଜଗତରେ ନୂଆ ଯୁଗ ଆରମ୍ଭ ହୋଇଛି ସତ ମାତ୍ର, ତାଙ୍କ ସ୍ଥାନ ସ୍ୱତନ୍ତ୍ର ।

ଲତା ମଙ୍ଗେସକର ଏକମାତ୍ର ଗାୟିକା ଯେ କି, ଗୀତର ସଂଳାପ ଶୁଣିସାରିବା ପରେ ହିଁ ଗୀତ ଗାଇବାକୁ ନିଷ୍ପତ୍ତି ନେଇଥାନ୍ତି । ଗୀତଟିରେ ଯଦି କୌଣସି ଆପତ୍ତିଜନକ ଶବ୍ଦ ରହିଥାଏ । ତେବେ ତାହା ରେକର୍ଡ କରିବାକୁ ମନା କରିଦିଅନ୍ତି । ଗଜଲ ହେଉ ଅବା ରୋମାଣ୍ଟିକ୍ ଗୀତ ଏ ସମସ୍ତ ଅନୁଭବକୁ ଲତା ନିଜ କଣ୍ଠରେ ସ୍ଥାନ ଦେଇଥିଲେ । ଦେଶ ବିଦେଶରେ ନାଇଟ୍ଏଙ୍ଗେଲ ନାମରେ ପରିଚିତ ଲତା ମଙ୍ଗେସକର ଯେ ନିଜ କଣ୍ଠ ପାଇଁ କେବେ ରିଜେକ୍ଟ ହୋଇଥିବେ ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିବେ । ମାତ୍ର ଏହା ସତ । ସିନେମା ଜଗତରେ ଆସିବା ପରେ ଜଣେ ବ୍ୟକ୍ତି ତାଙ୍କୁ କହିଥିଲେ ଯେ ତାଙ୍କ କଣ୍ଠ ବହୁତ ପତଳା ଯାହା ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗ୍ ପାଇଁ ଆଦୌ ଉଦିଷ୍ଟ ନୁହେଁ । ମାତ୍ର ପରବର୍ତ୍ତୀ ସମୟରେ ନିଜ ମଧୁର କଣ୍ଠରେ ସେ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇ ଥିଲେ । ଯାହାଙ୍କ କଣ୍ଠ ଆଗରେ ଫିକା ପଡ଼ିଥିଲା ସାରା ବିଶ୍ୱ ।

ନାମ ଗୁମଯାଏଗା
ଚେହେରା ୟେ ବଦଲ ଯାଏଗା
ମେରି ଆୱାଜ ହି ପେହେଚାନ ହେ
ଗର ୟାଦ ରହେ…

Leave a Reply