୧୩ ବର୍ଷ ବୟସରେ ଗାଇଥିଲେ ପ୍ରଥମ ଗୀତ, ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ଲତା ମଙ୍ଗେସକର । ଭାରତର ସ୍ୱର । ରବିବାର ଥମି ଯାଇଛି ସେଇ ସ୍ୱର । ୯୩ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ସ୍ୱର ସମ୍ରାଜ୍ଞୀ । ଆଠ ଦଶକରେ ୨୫ ହଜାର ଗୀତ ଗାଇ ତିନି ପିଢୀଙ୍କୁ ସ୍ୱରରେ ମତୁଆଲା କରିଛନ୍ତି  । ଶେଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅନେକ ଦିନ ଚିକିତ୍ସାଧିନ ରହିବା ପରେ ଶନିବାର ଲତାଙ୍କର ଦେହାନ୍ତ ହୋଇଯାଇଛି । ପୁରା ଦେଶ ତାଙ୍କୁ ଦେଉଛି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳୀ । ଭାରତର ସ୍ୱର ଭାରତ ରତ୍ନ ଲତାଙ୍କ ଜୀବନ ଆରମ୍ଭ ହୋଇଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତାଙ୍କ ଜନ୍ମ ହୁଏ । ପିତା ଥିଲେ ମହାନ ମରାଠୀ ସଂଗୀତ କାର ଦିନାନାଥ ମଙ୍ଗେସକର । ପଣ୍ଡିତ ଦିନାନାଥଙ୍କ ମୁଳ ସାଙ୍ଗିଆ ଥିଲା ହାର୍ଡିକର । ଗୋଆର ମଙ୍ଗେସିରୁ ଆସିଥିବା ଦିନାନାଥ କିନ୍ତୁ ସ୍ଥାନ ନାମ ଅନୁସାରେ ନିଜ ସାଙ୍ଗିଆକୁ ମଙ୍ଗେସକର କରିଥିଲେ । ଏହାପରଠାରୁ ତାଙ୍କ ସନ୍ତାନ ମାନେ ମଧ୍ୟ ମଙ୍ଗେସକର ଭାବେ ପରିଚିତ ହୋଇଥିଲେ । ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା କରିଥିଲେ । ଦିନାନାଥଙ୍କ ଗୋଟିଏ ନାଟକ ହେମବନ୍ଧନ’ର ମୁଖ୍ୟନାୟିକା ଲତିକା ଅନୁସାରେ ଲତାଙ୍କ ନାମ କରଣ ହୋଇଥିଲା ।

କାହିଁକି ସ୍କୁଲ ଯାଇନଥିଲେ ଲତା
ପିଲାଟି ଦିନରୁ ସଂଗୀତ ଗହଣରେ ଲତାଙ୍କ ଜୀବନ କଟିଥିଲା । ଘରେ ସଂଗୀତର ପରିବେଷ ଥିଲା । ଲତା ମଧ୍ୟ ସଂଗୀତ ଆଡକୁ ଆକୃଷ୍ଟ ହୋଇଥିଲେ । ୫ ବର୍ଷ ବୟସରେ ଲତା ପ୍ରଥମ ଥର ସ୍କୁଲ ଯାଇଥିଲେ । କିନ୍ତୁ ଗୋଟିଏ ଘଟଣା ପରେ ଲତା ସ୍କୁଲ ମାଟି ଆଉ ମାଡି ନଥିଲେ । ଥରେ ଲତା ନିଜ ସାନଭଉଣୀ ଉଷାଙ୍କୁ ନିଜ ସହ ସ୍କୁଲକୁ ନେଇଯାଇଥିଲେ. କିନ୍ତୁ ଶିକ୍ଷକ ଉଷାଙ୍କୁ କ୍ଲାସରେ ବସିବାକୁ ଅନୁମତି ଦେଇନଥିଲେ । ଏଥିରେ ରାଗିଯାଇ ଲତା ସ୍କୁଲରୁ ଚାଲି ଆସିଥିଲେ । ଆଉ ତା’ପରଠାରୁ କେବେ ମଧ୍ୟ ସ୍କୁଲ ଯାଇନଥିଲେ  ।

୧୩ ବର୍ଷ ବୟସରୁ ଗାୟନ
୧୯୪୨ ମସିହାର ମଙ୍ଗେସକର ପରିବାର ଉପରେ ହୋଇଥିଲା ଅକସ୍ମାତ ବଜ୍ରପାତ । ପିତା ଦୀନାନାଥଙ୍କ ଅକାଳ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଥିଲା । ଏହି ସମୟରେ ପରିବାର ବୋଝ ଲତାଙ୍କ ଉପରେ ପଡିଥିଲା । ମାତ୍ର ୧୩ ବର୍ଷ ବୟସରେ ଲତା ପରିବାର ପାଇଁ ରୋଜଗାରର ମାଧ୍ୟମ ସାଜିଥିଲେ । ଆରମ୍ଭ ହୋଇଥିଲା ସଂଘର୍ଷ ଓ ସଂଗୀତର ଗୋଟିଏ ଅଭୁଲା ଅଧ୍ୟାୟ । ନବଯୁଗ ଚିତ୍ରପଟ ମୁଭିଜର ମାଲିକ ତାଙ୍କୁ ଗୀତ ଗାଇବାକୁ ପ୍ରେରଣା ଦେଇଥିଲେ । କ୍ୟାରିୟରର ଆରମ୍ଭରେ ସେ କିଛି ହିନ୍ଦି ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ. କିନ୍ତୁ ପରେ ସେ ପୁରା ସମୟ ପ୍ରଛଦପଟ୍ଟ ସଂଗୀତ ଗାୟନକୁ ଦେଇଥିଲେ ।

୧୯୪୨ରେ ସେ ଗୋଟିଏ ମରାଠୀ ଫିଲ୍ମରେ ପ୍ରଥମ ଥର ପାଇଁ ମାତ୍ର ୧୩ ବର୍ଷ ବୟସରେ ଗୀତ ଗାଇଥିଲେ । କିନ୍ତୁ ପରେ କୌଣସି କାରଣରୁ ଏଡିଟିଂ ବେଳେ ଏହି ଗୀତକୁ ହଟାଇ ଦିଆଯାଇଥିଲା । ୧୯୪୨ରେ ରିଲିଜ୍ ହୋଇଥିଲା ମଙ୍ଗଲା ଗୌର ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଭାରତ ଲତାଙ୍କ ସ୍ୱରକୁ ଶୁଣିବାକୁ ପାଇଥିଲା ।
ତେବେ ଲତାଙ୍କ ସଂଗୀତ ଯାତ୍ରା ସହଜ ନଥିଲା । କ୍ୟାରିୟର ଆରମ୍ଭରେ ତାଙ୍କୁ ଅନେକ ଥର ପ୍ରତ୍ୟାଖାନର ସମ୍ମୁଖୀନ ହେବାକୁ ପଡିଥିଲା । ସ୍ୱର ପତଳା କହି ଅନେକ ସଂଗୀତକାର ତାଙ୍କୁ ରିଜେକ୍ଟ କରିଥିଲେ । କିନ୍ତୁ ଦିନେ ଲତା ପାଲଟିଯାଇଥିଲେ ଭାରତର ସ୍ୱର । ଭାରତର କୋକିଳକଣ୍ଠି ।
୧୯୪୮ ମସିହାରେ ଆସିଥିବା ଫିଲ୍ମ ମଜବୁରର ଗୀତ ଦିଲ୍ ମେରା ତୋଡା କାହିଁକା ନା ଛୋଡା ଥିଲା ଲତାଙ୍କ ପ୍ରଥମ ହିଟ୍ । ୧୯୪୯ ମସିହାରେ ଆସିଥିବା ମହଲ ଫିଲ୍ମର ’‘ଆୟେଗା ଆନେୱାଲା’ ପରଠାରୁ ଲତା ପଛକୁ ଫେରି ଚାହିଁନଥିଲେ । ଏହା ପରେ ପାଖାପାଖି ୬ ଦଶକ ପର୍ଯ୍ୟନ୍ତ ଭାରତୀୟ ସିନେମା ସଂଗୀତ ଜଗତରେ ଲତାଙ୍କ ରାଜୁତି ଚାଲିଥିଲା ।

୩୬ ଭାଷାରେ ଗୀତ ଗାଇଛନ୍ତି ଲତା
ଲତା ମଙ୍ଗେସକର ହିନ୍ଦି ସହିତ ୩୬ ଭାଷାରେ ଗୀତ ଗାଇଛନ୍ତି । ଓଡ଼ିଆରେ ମଧ୍ୟ ତାଙ୍କର ଗୀତ ରହିଛି । ଏଭଳି କୌଣସି ଭାରତୀୟ ଭାଷା ନାହିଁ ଯେଉଁଥିରେ ଲତା ଗୀତ ଗାଇନାହାନ୍ତି ।

ହତ୍ୟା ପାଇଁ ହୋଇଥିଲା ଉଦ୍ୟମ
ଲତା ଯେତେବେଳେ ନିଜ କ୍ୟାରିୟରର ଚରମରେ ଥିଲା ସେତେବେଳେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା । ଲତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏକଦା ତାଙ୍କ ହତ୍ୟା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ୧୯୬୨ ମସିହାରେ ଲତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିଲା । ଥରେ ନିଦରୁ ଉଠିବା ପରେ ତାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥିଲା । ପରେ ଡାକ୍ତରୀ ଯାଂଚରୁ ତାଙ୍କୁ ସ୍ଲୋ ପଏଜନ ଦିଆଯାଇଥିବା ଜଣା ପଡିଥିଲା । ତେବେ ଏହି ଷଡ଼ଯନ୍ତ୍ର କିଏ ରଚିଥିଲା ଓ କାହିଁକି ରଚିଥିଲା ତାହା ଆଜି ମଧ୍ୟ ଏକ ରହସ୍ୟ ।
ଚିରକୁମାରୀ ଲତା

ଲତା ବିବାହ କରିନଥିଲେ । ଭାଇ ଭଉଣୀ ଓ ସେମାନଙ୍କ ପିଲାଙ୍କୁ ନେଇଥିଲା ଲତାଙ୍କ ପରିବାର । ପିଲାଟି ଦିନରୁ ନିଜ ଭାଇ ଭଉଣୀଙ୍କୁ ମଣିଷ କରିବା ସଂଘର୍ଷ ଭିତରେ ଲତା ରହିଯାଇଥିଲା ଅବିବାହିତ । କୁହାଯାଏ ଯେ, ସଂଗୀତକାର ଭି.ରାମଚନ୍ଦ୍ରଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଲତା ପ୍ରଭାବିତ ଥିଲେ । ଏହା ମଧ୍ୟ କୁହାଯାଏ ଯେ, ଲତା ରାମଚନ୍ଦ୍ରଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଲତା କେବେ ମଧ୍ୟ ଏବାବଦରେ ମୁହଁ ଖୋଲିନଥିଲେ । ଲତାଙ୍କ ଆବର୍ତ୍ତମାନରେ ଭାରତୀୟ ସିନେ ସଂଗୀତ ଦୁନିଆ ତା’ର ସବୁଠାରୁ ପରିଚିତ ସ୍ୱରକୁ ହରାଇଛି । ଭାରତର ତିନି ପିଢି ଯେଉଁମାନେ ତାଙ୍କ ସଂଗୀତ ଶୁଣି ପିଲାରୁ ବଡ଼ ଓ ବଡରୁ ବୟୋବୃଦ୍ଧ ହୋଇଥିଲେ ସେମାନଙ୍କ ମନରେ ଚିର ଦିନ ପାଇଁ କିନ୍ତୁ ରହିବେ ଲତା ଏଥିରେ ସନ୍ଦେହ ନାହିଁ ।

Leave a Reply