ଲତାଙ୍କ ବିୟୋଗରେ ୨ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

1 min read

ମୁମ୍ୱାଇ: ଆଉନାହାନ୍ତି ସ୍ୱର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେସକର । ଦେଶର ସର୍ବୋଚ୍ଚ ସମ୍ମାନରେ ଭୂଷିତ ଲତାଙ୍କ ନିଧନରେ ୨ଦିନିଆ ଶୋକ ଘୋଷଣା କରିଛନ୍ତି ସରକାର । ଏହି ସମୟରେ ଅର୍ଦ୍ଦନମିତ ରହିବ ଜାତୀୟ ପତାକା । ଏହା ସହିତ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ହେବ ଶେଷକୃତ୍ୟ ।

୯୩ ବର୍ଷ ବୟସରେ ଦୁନିଆରୁ ମେଲାଣି ନେଇଛନ୍ତି ସ୍ୱର ସାମ୍ରାଜ୍ଞୀ । ଆଠ ଦଶକରେ ୨୫ ହଜାର ଗୀତ ଗାଇ ତିନି ପିଢ଼ିଙ୍କୁ ନିଜ ସ୍ୱରରେ ମତୁଆଲା କରିଛନ୍ତି  । ଶେଷରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୨୮ ଦିନ ଚିକିତ୍ସାଧିନ ରହିବା ପରେ ରବିବାର ଲତାଙ୍କର ଦେହାନ୍ତ ହୋଇଛି । ପୂରା ଦେଶ ତାଙ୍କୁ ଦେଉଛି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅପୂରଣୀୟ କ୍ଷତିରେ ଶୋକ ବ୍ୟକ୍ତ କରିଛନ୍ତି ।

ଭାରତର ସ୍ୱର ଭାରତ ରତ୍ନ ଲତାଙ୍କ ଜୀବନ ଆରମ୍ଭ ହୋଇଥିଲା ଇନ୍ଦୋର ସହରରୁ । ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତାଙ୍କ ଜନ୍ମ ହୁଏ । ପିତା ଥିଲେ ମହାନ ମରାଠୀ ସଂଗୀତ କାରଦିନାନାଥ ମଙ୍ଗେସକର । ପଣ୍ଡିତ ଦିନାନାଥଙ୍କ ମୂଳ ସାଙ୍ଗିଆ ଥିଲା ହାର୍ଡିକର । ଗୋଆର ମଙ୍ଗେସିରୁ ଆସିଥିବା ଦିନାନାଥ କିନ୍ତୁ ସ୍ଥାନ ନାମ ଅନୁସାରେ ନିଜ ସାଙ୍ଗିଆକୁ ମଙ୍ଗେସକର କରିଥିଲେ । ଏହାପରଠାରୁ ତାଙ୍କ ସନ୍ତାନ ମାନେ ମଧ୍ୟ ମଙ୍ଗେସକର ଭାବେ ପରିଚିତ ହୋଇଥିଲେ । ଲତାଙ୍କୁ ପ୍ରଥମେ ହେମା ନାମ ଦିଆଯାଇଥିଲା । କିନ୍ତୁ ପରେ ତାଙ୍କ ପିତା ନାମ ବଦଳାଇ ଲତା କରିଥିଲେ । ଦିନାନାଥଙ୍କ ଗୋଟିଏ ନାଟକ ହେମବନ୍ଧନ’ର ମୁଖ୍ୟନାୟିକା ଲତିକା ଅନୁସାରେ ଲତାଙ୍କ ନାମ କରଣ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ୧୩ ବର୍ଷ ବୟସରେ ଗାଇଥିଲେ ପ୍ରଥମ ଗୀତ, ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର

Leave a Reply