ଆଧୁନିକ ଓଡ଼ିଶାର ଆବିର୍ଭାବରେ ଓଡ଼ିଆ ଭାଷାର ଗୁରୁତ୍ବ

ଭୁବନେଶ୍ବର: ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା, ଏହାର ଇତିହାସ ସମୃଦ୍ଧ । ଓଡ଼ିଆ ଭାଷାର ପ୍ରସାର ତଥା ଭବିଷ୍ଯତର ଆହ୍ବାନର ସଫଳ ମୁକାବିଲା ପାଇଁ ପାଳନ ହେଉଛି ଭାଷା ଉତ୍ସବ । ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ସମ୍ମିଳନୀର ଦ୍ବିତୀୟ ଦିନରେ ଆଧୁନିକ ଓଡିଶାର ଉତ୍ପତ୍ତି, ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ, ଓଡ଼ିଶାର ପ୍ରତ୍ନତତ୍ତ୍ଵ, ଆଧୁନିକ ଭାଷା ସାହିତ୍ୟ, ସାମୁଦ୍ରିକ ଐତିହ୍ୟ ଓ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ, ଓଡ଼ିଶାର ଲୋକନୃତ୍ୟ, ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ ଓ ଓଡ଼ିଶାର ଭାଷା ବିବିଧତା ଉପରେ ଆଲୋଚନା କରାଯାଇଛି । ଏଥିସହ ପଦ୍ମ ପୁରସ୍କାର ଓ ଅନ୍ଯାନ୍ଯ ମର୍ଯ୍ୟାଦାଜନକ ପୁରସ୍କାରପ୍ରାପ୍ତ ବ୍ଯକ୍ତିବିଶେଷଙ୍କୁ କରାଯାଇଛି ସମ୍ବର୍ଦ୍ଧିତ ।

ଆଧୁନିକ ଓଡ଼ିଶାର ଆବିର୍ଭାବରେ ଓଡ଼ିଆ ଭାଷାର ଗୁରୁତ୍ବ କେତେ ? ଓଡ଼ିଶାର ପ୍ରତ୍ନତତ୍ତ୍ବକୁ କିଭଳି ସମୃଦ୍ଧ କରିଛି ଓଡ଼ିଆ ଭାଷା ? ଆଗାମୀ ପିଢିଙ୍କ ଉପରେ ଓଡ଼ିଆ ବ୍ୟାକରଣ ଓ ଭାଷା ବିଜ୍ଞାନ କେତେ ପ୍ରଭାବ ପକାଇବ ? ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଏଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ କିଭଳି ଅଙ୍ଗାଅଙ୍ଗୀ ଭାବେ ଜଡିତ ସେ ନେଇ ମାନସ ମନ୍ଥନ ହୋଇଛି । ଅଧିବେଶନ ଆରମ୍ଭରେ ଜର୍ମାନ ପ୍ରଫେସର ଉଇ ସ୍କଡା ଓଡ଼ିଆ ଭାଷାକୁ ନେଇ କିଭଳି ରିସର୍ଚ୍ଚ କରୁଛନ୍ତି, ସେନେଇ ବକ୍ତବ୍ୟ ରଖିଥିଲେ । ଗତ ୨୫ ବର୍ଷ ପୂର୍ବେ ସେ ଓଡ଼ିଶା ଆସି ଓଡ଼ିଆ ଭାଷା ଶିଖିଥିଲେ । ଦୁଇଟି ପର୍ଯ୍ୟାୟ ସେ ରିସର୍ଚ୍ଚ ସାରିଥିବା ବେଳେ ତୃତୀୟ ପର୍ଯ୍ୟାୟ ରିସର୍ଚ୍ଚ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଓଡ଼ିଆ ଭାଷା ମିଠା ଏବଂ ଓଡ଼ିଶାର ଆତିଥେୟତାକୁ ବେଶ୍ ପ୍ରସଂଶା କରିଛନ୍ତି ସ୍କଡା । ଆଗକୁ ଓଡ଼ିଶାର ପୌରାଣିକ କଥାବସ୍ତୁର ପ୍ରଚାର ପ୍ରସାର କରିବାକୁ ସେ ଅତିଥିଙ୍କୁ ପରାମର୍ଶ ଦେଇଛନ୍ତି ।

ଅଧିବେଶନର ଆରମ୍ଭରେ ୧୯୩୬ ମସିହାରୁ ଆଧୁନିକ ଓଡ଼ିଶାର ଆବିର୍ଭାବ ଉପରେ ଆଲୋଚନା ହୋଇଥିଲା । ଡକ୍ଟର ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଆଲୋଚନାରେ ପ୍ରଫେସର ପ୍ରତିଶ ଆଚାର୍ଯ୍ୟ, କୈଳାସ ଚନ୍ଦ୍ର ଦାଶ, ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ ଏବଂ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ଭାଷାକୁ ସମୃଦ୍ଧ କରିବା ସହ ଆଗକୁ ନେବାକୁ ହେଲେ କ’ଣ ଆବଶ୍ୟକ ସେ ନେଇ ପ୍ରସ୍ତାବ ମଧ୍ଯ ଦିଆଯାଇଛି । ସେହିଭଳି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ ନେଇ ସରଗରମ ଆଲୋଚନା କରାଯାଇଛି । ଏହାସହ ଓଡ଼ିଶାର ଭାଷା ବିବିଧତା, ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ଓଡ଼ିଶାର ଲୋକ ସଂସ୍କୃତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଆଲୋଚନାରେ ଭାଗ ନେବା ସହ ମ୍ୟୁଜିୟମ୍ ବୁଲିବା ପାଇଁ ବିଭାଗୀୟ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍ ଲୋକଙ୍କୁ ଅପିଲ କରିଛନ୍ତି ।

ଦ୍ବିତୀୟ ଦିନରେ ମୋଟ ଆଠଟି ଅଧିବେଶନରେ ଆଲୋଚନା ହୋଇଛି । ଆଜି ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପୁଣ୍ୟ ତିଥି ଅବସରରେ ମ୍ୟୁଜିୟମରେ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର କରିଡରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର, ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ଶାସନ ସଚିବ ।