ଚିଠି ନେଇ ପହଞ୍ଚିଥିଲେ ରୋମାନ୍‌ ଅବ୍ରାମୋବିଚ୍, ପୁତିନ୍‌ କହିଲେ ବର୍ବାଦ କରିଦେବି

ନୂଆଦିଲ୍ଲୀ: ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ୩୪ ଦିନରେ ପହଞ୍ଚିଛି । ଏହି ମଧ୍ୟରେ ଏହାର କୁଟନୈତିକ ସମାଧାନ ମଧ୍ୟ ଖୋଜାଯାଉଛି । ଏହି ଘଟଣାକୁ ନଜରରେ ରଖି ଚେଲ୍ସି ଫୁଟବଲ କ୍ଲବର ମାଲିକ ରୋମନ ଅବ୍ରାମୋବିଚ୍‌ ୟୁକ୍ରେନର ରାଷ୍ଟ୍ରପତିଙ୍କ ଚିଠି ନେଇ ପୁତିନଙ୍କ ନିକଟରେ ପହଞ୍ଚିଥିଲେ । ଏଥିରେ ଯୁଦ୍ଧରେ ପୂର୍ଣ୍ଣଛେଦ ପକାଇବାର ସର୍ତ୍ତ ଉଲ୍ଲେଖ ଥିଲା । କିନ୍ତୁ ଏହା ପୁତିନଙ୍କର ହଜମ ହେଲା ନାହିଁ । ଉତକ୍ଷିପ୍ତ ପୁତିନ୍‌ ଲେଖିଲେ, ୟୁକ୍ରେନକୁ ବର୍ବାଦ କରିଦେବି ।

ନିକଟରେ ଯୁଦ୍ଧ ବନ୍ଦ କରିବାକୁ ଦୁଇ ଦେଶ ମଧ୍ୟରେ ଫେସ ଟୁ ଫେସ୍‌ ଆଲୋଚନା ହୋଇଥିଲା ।  କିନ୍ତୁ ଆମେରିକାର କହିବା ହେଉଛି ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ନାହାଁନ୍ତି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ।

ୟୁକ୍ରେନ୍‌ ଗଭର୍ଣ୍ଣରଙ୍କ କହିବା ହେଉଛି ଗତ କିଛି ଦିନ ମଧ୍ୟରେ ଋଷ୍ ୟୁକ୍ରେନର ୬ଟି ତୈଳ ଡିପୋକୁ ନଷ୍ଟ କରି ଦେଇଛି ।

କିବର ମେୟରଙ୍କ କହିବା ହେଉଛି ୟୁକ୍ରେନର ରାଜଧାନୀ କିଭରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।  ଏହାକୁ ବାଦ୍‌ ଦେଲା ୮୨ଟି ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶିଗଲାଣି ।

ଖାରକିବର ୩୦ ପ୍ରତିଶତରୁ ଅଧିକ ନାଗରିକ ଯୁଦ୍ଧ ପାଇଁ ସହର ଛାଡ଼ି ଚାଲିଗଲେଣି ।

ୟୁକ୍ରେନରେ ଏପର୍ଯ୍ୟନ୍ତ ୭୮ ହଜାର କୋଟି ଇନଫ୍ରାଷ୍ଟ୍ରକଚର ନଷ୍ଟ ହୋଇଗଲାଣି ।

ୟୁକ୍ରେନ ଫୋର୍ସେସର ଏକ ସ୍ପେଶାଲ ୟୁନିଟ୍‌ ଦାବି କରିଛିଯେ, ଏକାଧିକ ଯୁଦ୍ଧ ଗାଡ଼ିକୁ ମାଟିରେ ମିଶାଇ ଦେଇଛି । ଖାଲି ସେତିକି ନୁହେଁ ୟୁକ୍ରେନର ୩୦ ସୈନିକ ବିଶିଷ୍ଟ ଏକ ବିଶେଷ ୟୁନିଟ୍‌ ଡ୍ରୋନ ସାହାଯ୍ୟରେ ଋଷ୍‌ ସୈନିକଙ୍କ ଉପରେ ଆକ୍ରମଣ କରିଛନ୍ତି । ଆଜି ୩୪ ଦିନରେ ତୁର୍କୀର ଇସ୍ତାନବୁଲରେ ଉଭୟ ଦେଶର ପ୍ରତିନିଧି ବିନା କରମର୍ଦ୍ଦନରେ ଆଲୋଚନା ଆରମ୍ଭ କରିଛନ୍ତି  । ପରସ୍ପରକୁ ସ୍ବାଗତ କରିଥିବାବେଳେ ଉଭୟ ଦେଶର ପ୍ରତିନିଧି ହ୍ୟାଣ୍ଡସେକ କରିନଥିଲେ  । ଯୁଦ୍ଧ ତୁରନ୍ତ ବନ୍ଦ କରିବା ଲାଗି ଦୁଇ ଦେଶ ଆଲୋଚନା କରୁଛନ୍ତି  । ଯେଉଁଥିରେ ଏଯାଏଁ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ କୋଟି ଲୋକ ବେସାହାର ହୋଇପଡିଲେଣି  । ତୁର୍କୀ ମଧ୍ୟସ୍ଥତା କରୁଥିବାବେଳେ ସମାଧାନ ନେଇ ଆଶାବାଦୀ ହୋଇପଡିଛି  । ସେପଟେ ୱାରଜୋନ ରିପୋର୍ଟ ଅନୁସାରେ ଏଯାବତ ରୁଷ ୟୁକ୍ରେନର କୌଣସି ସହର ସଂପୂର୍ଣ୍ଣ କବଜା କରିପାରିନାହିଁ  । ଯେଉଁ କିଛି ସହର କବଜା କରୁଥିବା ରୁଷ ଦାବି କରୁଛି ସେଠାରେ .ୟୁକ୍ରେନ ସେନା ସହ ଘମାଘୋଟ ସଂଘର୍ଷ ଜାରି ରହିଛି  । ତେବେ ରୁଷ ଅଧିକାରୀ ସର୍ଗେଇ ରତ୍ସକାୟ କହିଛନ୍ତି, ୟୁକ୍ରେନ ବିରୋଧରେ ରୁଷର ସେନା ଅପରେସନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି  । ରୁଷ ସେନା ଡୋନବାସ ସହରକୁ ସ୍ବାଧୀନ କରିବାକୁ ଜୋରଦାର ଉଦ୍ୟମ ଚଳାଇଛି  । ସେପଟେ ୟୁକ୍ରେନ କହିଛି ରୁଷ କେବେ ବି ୟୁକ୍ରେନକୁ କବଜା କରିପାରିବ ନାହିଁ  । ରାଷ୍ଟ୍ରପତି ପୁଟିନ ଏବେ ୟୁକ୍ରେନକୁ ଦୁଇ ଭାଗ କରିବାକୁ ପ୍ଲାନ କରୁଛନ୍ତି  । ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପରି ଭାଗ ଭାଗ କରି ୟୁକ୍ରେନରେ ପୁଟିନ ସବୁଦିନ ପାଇଁ ଅଶାନ୍ତିର ମଞ୍ଜି ବୁଣିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ୟୁକ୍ରେନର ମିଲିଟାରି ଅଧିକାରୀ କିରୋଲ ବୁଡାନୋଭ  ।