ଅଗ୍ନିପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗୋଟିଚାଳନା

1 min read

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଘଡ଼ିକେ ଛୁଟୁଛି ଘୋଡ଼ା । ଅଗ୍ନିପରୀକ୍ଷା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଗୋଟିଚାଳନା । ଅନାସ୍ଥା ଭୋଟରେ ଅନୁପସ୍ଥିତ ରହିବା ଲାଗି ପାକିସ୍ତାନ ତେହରିକ-ଇ-ଇନସାଫ ବା ପିଟିଆଇର ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇମ୍ରାନ । ଇମ୍ରାନଙ୍କ ବିରୋଧରେ ପାକ୍ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରଠାରୁ ଉଭୟ ସରକାର ଓ ବିରୋଧୀଙ୍କ ଜାରି ରହିଛି ଗେମପ୍ଲାନ ।

ଦୁଇ ଦିନ ତଳେ ବିରୋଧୀ ଦଳ ନେତା ତଥା ପିଏମଏଲ-ଏନ୍ ସଭାପତି ଶେହବାଜ ସରିଫଙ୍କ ଦ୍ବାରା ଏହି ପ୍ରସ୍ତାବ ଆଗତ ହୋଇଥିଲା । ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଂସଦକୁ ରଖାଯାଇଥିଲା ମୁଲତବୀ । ଆସନ୍ତା ଏପ୍ରିଲ ୩ ତାରିଖରେ ହିଁ ସଂସଦରେ ଅନାସ୍ଥା ଭୋଟ ହୋଇପାରେ ବୋଲି ଆଶା କରାଯାଉଛି । ୩୪୨ ସଦସ୍ୟ ବିଶିଷ୍ଟ ପାକ୍ ସାଂସଦରେ ମ୍ୟାଜିକ ନମ୍ବର ରହିଛି ୧୭୨ ।

ଏହାପୂର୍ବରୁ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ପାକିସ୍ତାନ-ତେହରିକ-ଇ-ଇନସାଫ ସଦସ୍ୟ ଉସମାନ ବଜାଦାର ଓ ଗୃହ ନିର୍ମାଣମନ୍ତ୍ରୀ ତଥା ସହଯୋଗୀ ପାକିସ୍ତାନ ମୁସଲିମ ଲିଗ କ୍ୟାଦର ନେତା ତାରିକ ବାସିର ସୀମା ଇସ୍ତଫା ଦେଇଛନ୍ତି । କୁହାଯାଉଛି ଇମ୍ରାନ ନିଜର ଗାଦି ବଞ୍ଚାଇବାକୁ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଳିଦାନ ଦେଇଛନ୍ତି ।