ୟୁକ୍ରେନରେ ପ୍ରାଣ ବଞ୍ଚାଇବାକୁ ଚାଲିଛି ଅହରହ ପ୍ରୟାସ, ପ୍ରାଣ ହାରିଲେଣି ୫ହଜାର ନାଗରିକ

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଲଗାତାର ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାରେ ଲାଗିଛି ଋଷ । ମାରିୟୁପୋଲ ସହରର ସ୍ଥିତି ସବୁଠାରୁ ଖରାପ ହେବାରେ ଲାଗିଛି । ଋଷର ଲଗାତର ବୋମା ଓ ରକେଟ ମାଡରେ ମାରିୟୁପୋଲ ସହର ଛାରଖାର ହୋଇଯାଇଛି । ଏଯାଏଁ ପ୍ରାୟ ୫ ହଜାର ଲୋକ ପ୍ରାଣ ହରାଇସାରିଲେଣି ।

ଏବେ ଚାରିଆଡେ କେବଳ ଧ୍ବଂସର ତାଣ୍ଡବ । ଚାରିଆଡେ କୁଢ କୁଢ ମୃତଦେହ । ମାରିୟୁପୋଲ ସହର ଏତେମାତ୍ରାରେ ଧ୍ବଂସ ହୋଇଯାଇଛି ଯେ, ଏହାକୁ ସିରିଆର ଆଲେପ୍ପୋ ସହର ସହ ତୁଳନା କରାଯାଉଛି । ସହରରେ ଯୋଗଯୋଗ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ବଙ୍କରରେ ଆଶ୍ରୟ ନେଇଥିବା ଲୋକଙ୍କ ପାଖରେ ଖାଦ୍ୟପେୟ ପ୍ରାୟତଃ ସରିଆସିଲାଣି ।

ତେବେ ଏହି ଆକ୍ରମଣରୁ ବଂଚିଥିବା କେତକ ଲୋକଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଏଣେ ଅଭିଯୋଗ ହୋଇଛି ଯେ, ମାରିୟୁପୋଲ ସହର ଛାଡି ଅନ୍ୟଦେଶକୁ ଯିବା ଚାହୁଁଥିବା ଲୋକଙ୍କୁ ହଇରାଣ କରୁଛି ଋଷ ସେନା । ଋଷ ସେନା ସେମାନଙ୍କ ପାସପୋର୍ଟ ଛଡାଇ ନେଉଛନ୍ତି ଓ ଜବରଦସ୍ତି ଋଷ ସୀମାକୁ ପଠାଇ ଦେଉଛନ୍ତି । ଏହିପରି ପ୍ରାୟ ୩ ହଜାର ଲୋକଙ୍କୁ ଋଷ ପଠାଯାଇଛି ବୋଲି କୁହାଯାଇଛି ।