ଲିଭୁନି ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ, ଜଳିଗଲାଣି ୧୧୪୫ ହେକ୍ଟର ଜଙ୍ଗଲ

ଡେରାଡୁନ: ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଥମିବା ନାଁ ନେଉନି  । ଅଲମୋଡା ଓ ବାଗେଶ୍ବର ସମେତ ଅଧିକାଂଶ ଜିଲ୍ଲାରେ ଜଙ୍ଗଲ ଜଜୁଛି  । ଅଲମୋଡା ଜିଲ୍ଲା ଜଙ୍ଗଲ ନିଆଁ ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି  । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲାଧିକାରୀଙ୍କୁ ଏକ ସପ୍ତାହର ନୋଟିସ ଜାରି କରି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ।

ଗତ ବର୍ଷ ନଭେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡ ଜଙ୍ଗଲରେ ୯୧୦ଟି ଅଗ୍ନିକାଣ୍ଡ ଘଟଣା ଘଟିସାରିଛି  । ଏହାଦ୍ବାରା ୧୧୪୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି  । ମିଡିଆ ରିପୋର୍ଟ ଅନୁସାରେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଜଙ୍ଗଲ ଧୂଆଁ ଯୋଗୁଁ ଲୋକଙ୍କୁ ନିଶ୍ବାସ ନେବାରେ ସମସ୍ୟା ଉପୁଜୁଛି  ।

ଗୁରୁବାର ବାଡାହାଟ ରେଞ୍ଜ ଜଙ୍ଗଲରେ ଲାଗିଥିବା ନିଆଁ ରବିବାର ସୁଦ୍ଧା ନିୟନ୍ତ୍ରଣ ହୋଇପାରିନାହିଁ  । ଏହା ଛଡା ମୁଖେମ ରେଞ୍ଜର ଡାଙ୍ଗ, ପୋଖରୀ ଗାଁରେ ଲାଗିଥିବା ଡୁଣ୍ଡା ରେଞ୍ଜରେ ଚାମକୋଟ ଓ ଦିଲସୋଡ କ୍ଷେତ୍ରକୁ ବି ଜଙ୍ଗଲ ନିଆଁ ବ୍ୟାପିଛି  । ବନ ବିଭାଗ ରିପୋର୍ଟ ଅନୁସାରେ ବନାଗ୍ନି ଯୋଗୁଁ ଉତ୍ତରକାସୀ ବନ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି  ।