ମୁଣ୍ଡ ନେଉଛି ଭାରତୀୟ ସଡ଼କ: ପ୍ରତିଦିନ ପ୍ରାଣ ହରାଉଛନ୍ତି ୪୦୬ ଜଣ

ନନ୍ଦିଘୋଷ ବ୍ୟୁରୋ: ଆତଙ୍କବାଦୀ ଆକ୍ରମଣରେ ଯେତିକି ବର୍ଷକୁ ମରନ୍ତି ନାହିଁ ତା’ଠାରୁ ଢେର ଅଧିକଙ୍କ ଜୀବନ ନିଏ ଭାରତୀୟ ସଡ଼କ । ଭାରତୀୟ ସଡ଼କ ହେଉଛି ମୃତ୍ୟୁର ରାଜପଥ । ଦୁନିଆର ଦୁର୍ଘଟଣା କ୍ୟାପିଟାଲ । ବିଶ୍ୱର ପଂଚମ ଆର୍ଥିକ ଶକ୍ତି କିନ୍ତୁ ସଡ଼କ ସୁରକ୍ଷା ମାମଲାରେ ରେକର୍ଡ୍ ଖରାପ । ଦୁନିଆର ସବୁଠାରୁ ଭୟଙ୍କର ଓ ଖରାପ ରାସ୍ତାର ଘର ହେଉଛି ଭାରତ । ଏଠି ରାସ୍ତାରେ ଖାଲ ଖୋଜା ଯାଏନି,ଖାଲରେ ରାସ୍ତା ଖୋଜା ଯାଏ । ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ରବିବାର ଦିନ ସଡ଼କ ଦୁର୍ଘଟଣାରେ ନିଧନ ହେବା ପରେ ଏହି ପ୍ରଶ୍ନ ଉଠିଛି ।

କାରଣ ସାଇରସ ଯାହି ତାହି କାରରେ ଯାତ୍ରା କରୁନଥିଲେ । ତାଙ୍କ କାର ଥିଲା ଗ୍ଲୋବାଲ ଏନସିଏପି ରେଟେଡ୍ । ତଥାପି ଦୁର୍ଘଟଣା ହୋଇଥିଲା । ଅବଶ୍ୟ ଏଥିରେ କାର ଚାଳକଙ୍କ ଦୋଷ ରହିଛି । କିନ୍ତୁ ଦୋଷ କେବଳ ଚାଳକଙ୍କର ନଥିଲା । ଦୋଷ ରାସ୍ତାର ବି ଥିଲା । କାହିଁକିନା ଭାରତର ରାସ୍ତା ଦୁନିଆର ସବୁଠାରୁ ଖରାପ ରାସ୍ତା । ଭାରତରେ ମାତ୍ର ୩ ପ୍ରତିଶତ ରାସ୍ତା ଜାତୀୟ ରାଜପଥ । ଅନ୍ୟପକ୍ଷରେ ୭୫ ପ୍ରତିଶତ ରାସ୍ତା ଦୁଇଲେନ୍ ବିଶିଷ୍ଟ । ଭାରତରେ ଗାଡି ଯେମିତି ଓଭରଲୋଡିଂ ରାସ୍ତା ମଧ୍ୟ ସେମିତି ଓଭର ଲୋଡିଂ । ଭାରତୀୟ ରାସ୍ତା ତା’ କ୍ଷମତାରୁ ଅଧିକ ବୋଝ ସହିଥାଏ ।

ଯାହାର ପ୍ରଭାବରେ ରାସ୍ତା ଶିଘ୍ର ଖରାପ ହୋଇଥାଏ । ଗତବର୍ଷ ବିଶ୍ୱବ୍ୟାଙ୍କର ସଡ଼କ ଦୁର୍ଘଟଣା ରିପୋର୍ଟ ଅନୁସାରେ ବିଶ୍ୱର ୧ ପ୍ରତିଶଥ ଗାଡ଼ି ଭାରତୀୟ ରାସ୍ତାରେ ଦୌଡନ୍ତି । କିନ୍ତୁ ଦୁନିଆର ମୋଟ ଦୁର୍ଘଟଣାର ୧୧ ପ୍ରତିଶତ ଭାରତରେ ଘଟିଥାଏ । ଅର୍ଥାତ ଦୁନିଆରେ ଯଦି ବର୍ଷକୁ ୧୦୦ଦୁର୍ଘଟଣା ହୁଏ ତେବେ ଭାରତରେ ତା ମଧ୍ୟରୁ ୧୧ଟି ଘଟିଥାଏ । ଏହି ରିପୋର୍ଟ ଅନୁସାରେ ଭାରତରେ ଦିନିକୁ ୪୦୬ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି । ବର୍ଷକୁ ଏହି ସଂଖ୍ୟା ଦେଢ ଲକ୍ଷରୁ ଅଧିକ । ପ୍ରତିବର୍ଷ ସାଢେ ୭ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣାରେ ବିକଳାଙ୍ଗ ହୋଇଯାଆନ୍ତି ।

ଏଇଠି ଗୋଟିଏ କଥା ଗୁରୁତ୍ୱପୂର୍ଣ୍ଣ । ତା’ ହେଉଛି ଯେ ଆମେରିକା ଓ ଜାପାନରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । କିନ୍ତୁ ସେଠାରେ ମୃତ୍ୟୁ ସଂଖ୍ୟା ଭାରତଠାରୁ କମ । ତାହାର କାରଣ ହେଉଛି ସେଠାରେ ତୁରନ୍ତ ଚିକିତ୍ସା ସୁବିଧା ମିଳିଥାଏ । ସଡ଼କ ଦୁର୍ଘଟଣା ପରେ ଆମେରିକା ଓ ଜାପାନରେ ତୁରନ୍ତ ପ୍ରତିକ୍ରିୟା ମିଳିଥାଏ । ଆମେରିକାରେ ୨୦୧୬ରେ ୨୨ ଲକ୍ଷ ଦୁର୍ଘଟଣା ହୋଇଥିଲା । କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ୩୭ ହଜାର । ଅନ୍ୟପକ୍ଷରେ ଭାରତରେ ଏହି ସମୟରେ ୫ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ଦେଢ ଲକ୍ଷ ।

ଏହାର କାରଣ ହେଉଛି ଆମେରିକା ଭଳି ଦେଶରେ ଉଦ୍ଧାରକାରୀ ଓ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଂଚିଥାନ୍ତି । ଅନ୍ୟପକ୍ଷରେ ଭାରତରେ ସେପରି ହୋଇନଥାଏ । ୨୦୧୧ରୁ ୨୦୨୦ ଭିତରେ ଭାରତରେ ସଡ଼କ ଦୁର୍ଘଟଣାରେ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ୫୦ ଲକ୍ଷ ଆହତ ହୋଇଛନ୍ତି । ସଡ଼କ ଦୁର୍ଘଟଣା କାରଣରୁ କେବଳ ଯେ, ଅପମୃତ୍ୟୁ ସଂଖ୍ୟା ବଢିଛି ତା’ ନୁହେଁ । ଏହାର ମଧ୍ୟ ଅର୍ଥନୀତି ଉପରେ ବିପରିତ ପ୍ରଭାବ ପଡିଛି । ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଦୁର୍ଘଟଣା କାରଣରୁ ଭରତ ତ’ ଜିଡିପିକୁ ୩ରୁ ୫ ପ୍ରତିଶତ କ୍ଷତି ହେଉଛି । ବର୍ଷକୁ ପ୍ରାୟ ୧ ଲକ୍ଷ ୪୭ ହଜାର କୋଟିର କ୍ଷତି ହେଉଥିବା ଅନୁମାନ କରାଯାଉଛି ।