ବିଞ୍ଝାରପୁରରେ ବିଗ୍ ଫାଇଟ୍, ସବୁଦଳ ଖେଳିଛନ୍ତି ମହିଳା କାର୍ଡ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲାର ପ୍ରମୁଖ ନିର୍ବାଚନମଣ୍ଡଳୀ ବିଞ୍ଝାରପୁର। ୨୦୦୦ ମସିହାରୁ ଏହା ରହିଆସଛି ବିଜେଡିର ଗଡ଼ । ଚଳିତ ନିର୍ବାଚନରେ ଫୋକସରେ ଅଛନ୍ତି ମହିଳା । ତିନି ପ୍ରମୁଖ ଦଳ ମହିଳା ପ୍ରାର୍ଥୀ ଦେଇଛନ୍ତି। ତେବେ ଚଳିତ ନିର୍ବାଚନରେ କିଏ ହାତେଇବ ବିଞ୍ଝାରପୁର ଆସନ ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ତେବେ ବିକାଶ ହିଁ ସାଜିଛି ପ୍ରମୁଖ ପ୍ରସଙ୍ଗ ।

ବିଞ୍ଝାରପୁର ସଂରକ୍ଷିତ ଆସନଟି ବିଞ୍ଝାରପୁର ବ୍ଲକର ୨୯ଟି ପଞ୍ଚାୟତ ଓ ଦଶରଥପୁର ବ୍ଲକର ୧୫ଟି ପଞ୍ଚାୟତକୁ ନେଇ ଗଠିତ । ଏଠାରେ ଅଛନ୍ତି ୨ ଲକ୍ଷ ୨୭ ହଜାର ୮୦୬ ଭୋଟର । ପୁରୁଷ ୧ ଲକ୍ଷ ୧୮ ହଜାର ୨ ଓ ମହିଳା ୧ ଲକ୍ଷ ୯ ହଜାର ୮୦୪। ଚଳିତ ନିର୍ବାଚନରେ ବିଞ୍ଝାରପୁରରେ ସବୁଦଳ ମହିଳା କାର୍ଡ ଖେଳିଛନ୍ତି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରମିଳା ମଲ୍ଲିକ, ବିଜେପିରୁ ବବିତା ମଲ୍ଲିକ ଓ କଂଗ୍ରେସରୁ ରଣାଙ୍ଗନକୁ ଓହ୍ଲାଇଛନ୍ତି କନକଲତା ମଲ୍ଲିକ । ପ୍ରମିଳା ରାଜ୍ଯ ସରକାରଙ୍କ ଉନ୍ନିତମୂଳକ କାର୍ଯ୍ଯକୁ ନେଇ ଲୋକଙ୍କ ପାଖକୁ ଯାଉଥିବା ବେଳେ  ବିଜେପିର ବବିତା ମଲ୍ଲିକ ମୋଦିଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ପ୍ରଚାର କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ କନକଲତା ଦଳର ଗ୍ଯାରେଣ୍ଟି କାର୍ଡ ଲୋକଙ୍କୁ ଦେଇ ପ୍ରଚାର ଚଲାଇଛନ୍ତି । ଏହାରି ଭିତରେ ରୋଚକ ହେବାରେ ଲାଗିଛି ରାଜନୀତି ।

୨୦୦୦ ମସିହା ନିର୍ବାଚନରେ ବିଜେଡିର ପ୍ରମିଳା ମଲ୍ଲିକ ୪୫ ହଜାର ୪୭୬ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସର ଅନାଦି ଚରଣ ଦାସ ୨୧ ହଜାର ୯୭୨ ଓ ସ୍ଵାଧୀନ ପ୍ରାର୍ଥୀ ସୁରେନ୍ଦ୍ର ମଲ୍ଲିକ ପାଇଥିଲେ ୧୩ ହଜାର ୨୫୧ ଭୋଟ । ୨୦୦୪ ନିର୍ବାଚନରେ ପୁଣି ବିଜେଡିରୁ ପ୍ରମିଳା ମଲ୍ଲିକ ୬୦ ହଜାର ୬୭୮ ଭୋଟ ପାଇ ଜିତିଥିଲେ । କଂଗ୍ରେସ ପ୍ରାର୍ଥୀ  ଅଶୋକ ଦାସଙ୍କୁ ମିଳିଥିଲା ୪୩ ହଜାର ୪୦୯ ଭୋଟ | ସ୍ୱାଧୀନ ପ୍ରାର୍ଥୀ ସୁରେନ୍ଦ୍ର ମଲ୍ଲିକ ୨ ହଜାର ୬୪୯ ଭୋଟ ପାଇଥିଲେ । ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ୬୬ ହଜାର ୫୦୭  ଭୋଟ ପାଇ ଜିତିଥିଲେ । କଂଗ୍ରେସର ବବିତା ମଲ୍ଲିକ ୩୪ ହଜାର ୬୪୬ ଓ ବିଜେପିର ମାନସ ରଞ୍ଜନ ମଲ୍ଲିକଙ୍କୁ ୪ ହଜାର ୧୫୯ ଭୋଟ  ମିଳିଥିଲା ।

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ୭୪ ହଜାର ୫୩୨ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସର ବବିତା ମଲ୍ଲିକ ୩୬ ହଜାର ୩୪୨ ଓ ବିଜେପିର ଦେବପ୍ରସାଦ ମଲ୍ଲିକଙ୍କୁ ୧୫ ହଜାର ୩୫୮ ଭୋଟ ମିଳିଥିଲା । ୨୦୧୯ ନିର୍ବାଚନରେ ପୂର୍ବପରି ବିଜେଡି ତାହାର ଆଧିପତ୍ଯ ବଜାୟ ରଖିଥିଲା । ବିଜେଡିରୁ ପ୍ରମିଳା ମଲ୍ଲିକ ୭୯ ହଜାର ୮୭ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିବା ବବିତା ମଲ୍ଲିକଙ୍କୁ ୫୭ ହଜାର ୮୬୧ ଖଣ୍ଡ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ମାତ୍ର ୩ ହଜାର ୯୯୭ ଭୋଟ ପାଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ଯରେ କଡା ଟକ୍କର ହେବ ବୋଲି ଭୋଟରମାନେ ଅନୁମାନ କରୁଛନ୍ତି।

ଗତ ଦୁଇ ଦଶନ୍ଧି ଭିତରେ ବିକାଶର ରଥ ଆଗକୁ ବଢୁଥିବା ବେଳେ ସୃଦୃଢ଼ ହୋଇଛି ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା | ଖରସ୍ରୋତା ନଦୀ ଉପରେ ନିର୍ମାଣ ହୋଇଛି ତିନିଟି ସୁଉଚ୍ଚ ସେତୁ। ଜରି, ବାଛଳ ଓ ଜଗନ୍ନାଥପୁର ଠାରେ ଆଉ ତିନିଟି ନୂଆ ସେତୁ ପାଇଁ ଶିଳାନ୍ୟାସ ହୋଇଛି । ଆହୁରି ଅନେକ ବିକାଶ କାର୍ଯ୍ୟ ନେଇ ବିଜେଡି ପ୍ରଚାର କରୁଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ଯ ଜୋରଦାର ଲାଗିଛନ୍ତି।