କାବୁଲସ୍ଥିତ ଋଷ ଦୂତାବାସ ସାମ୍ନାରେ ବିସ୍ଫୋରଣ, ୨ କୂଟନୀତିଜ୍ଞଙ୍କ ସମେତ ୨୦ ନିହତ

1 min read

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଋଷ ଦୂତାବାସ ସମ୍ମୁଖରେ ସୋମବାର ଦିନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ଦୂତାବାସ ଅଧିକାରୀଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି । ବିସ୍ଫୋରଛଣ ପଛରେ କିଏ ଅଛି ଓ ଆକ୍ରମଣ ପଛରେ ଆତ୍ମଘାତୀ ଥିଲେ କି ନାହିଁ ସେବାବଦରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ ।

ତଥାପି ଆକ୍ରମଣ ପଛରେ ଇସଲାମିକ ଷ୍ଟେଟ୍-ଖୁରସାନର ହାତ ଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ କୁହାଯାଉଛି ଯେ, ଋଷ ଦୂତାବାସ ଗେଟ୍ ନିକଟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତାଲିବାନର ସୁରକ୍ଷାକର୍ମୀ ସନ୍ଦେହରେ ଗୁଳି କରିଥିଲେ । କିନ୍ତୁ ଆତ୍ମଘାତୀ ଆକ୍ରମଣକାରୀ ଜଣକ ମରିବା ପୂର୍ବରୁ ନିଜକୁ ଉଡ଼ାଇ ଦେଇଥିବା କୁହାଯାଉଛି । ତେବେ ଆଧିକାରିକ ଭାବେ ଏନେଇ କିଛି ମଧ୍ୟ କୁହାଯାଇ ନାହିଁ ।

ସୂଚନାଯୋଗ୍ୟ ଯେ, ତାଲିବାନ ସରକାର ପ୍ରତି ଋଷର ମନୋଭାବ ନରମ ଅଛି । ଗତବର୍ଷ ଅଗଷ୍ଟ ମାସରେ ତାଲିବାନ କ୍ଷମତାକୁ ପୁଣିଥରେ ଫେରିବା ପରେ ଋଷ ତାଲିବାନ ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା । ପ୍ରାୟ ସବୁ ଦେଶର ଦୂତାବାସ ଖାଲି ହୋଇଯାଇଥିବା ବେଳେ ଋଷୀୟ ଦୂତାବାସ କାବୁଲରେ କାର୍ଯ୍ୟକ୍ଷମ ଥିଲା । ତାଲିବାନକୁ ଋଷ ସମର୍ଥନରେ ଉତକ୍ଷିପ୍ତ ହୋଇ ଇସଲାମିକ ଷ୍ଟେଟ୍ ଏହି ଆକ୍ରମଣ କରିଥିବାର ଯଥେଷ୍ଟ ଆଶଙ୍କା ରହିଛି ।