ହେବିଓ୍ବେଟ୍ ଭରିଲେ ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ: ହାଇଭୋଲଟେଜ ନୋମିନେସନ। ପ୍ରାର୍ଥିପତ୍ର ଦାଖଲ କଲେ ହେଭିଓ୍ବେଟ। ନିଆରା ଷ୍ଟାଇଲରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ଆର୍ମି ଅଫିସରରୁ ରାଜନେତା ବନିଥିବା ମନ୍ମଥଙ୍କ ନାମାଙ୍କନ ଦାଖଲ ବେଶ ଚର୍ଚ୍ଚା ସାଉଁଟିଛି। ସକାଳେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଏକଦମ ନିଆରା ଢଙ୍ଗରେ ସେ ନାମାଙ୍କନ ଭରିବାକୁ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସକୁ। ସେହିଭଳି ଘଣ୍ଚଘଣ୍ଟା, ସାହିଜାତ, ଗୋଟିପୁଅ ନୃତ୍ଯ ଆଉ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ବଡ଼ଦାଣ୍ଡରେ ବିରାଟ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅରୂପ।

ଏହି ସମୟରେ ଅରୂପଙ୍କ ସହ ସତ୍ଯବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାଶବର୍ମା, ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର ଓ ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଉପସ୍ଥିତ ଥିଲେ। କନ୍ଧମାଳ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଅଚ୍ଯୁତ ସାମନ୍ତ ଓ ଫୁଲବାଣୀ ବିଜେଡି ବିଧାନସଭା ପ୍ରାର୍ଥୀ ଜୟଶ୍ରୀ କହଁର ନାମାଙ୍କନ ଦାଖଲ କରିଛନ୍ତି। ବରଗଡ ବିଜେଡି ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ବି ବିରାଟ ରାଲିରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ମଧ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି।

ଶୋଭାଯାତ୍ରାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରିତା ସାହୁ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ୨୫ ହଜାରରୁ ଅଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ସେପଟେ ନାମାଙ୍କନ ଦାଖଲ କରିଛନ୍ତି ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ଙ୍କ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଥିଲେ ଧର୍ମେନ୍ଦ୍ର। ସେହିଭଳି ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।