କାହାର ହେବ କାକଟପୁର?

1 min read

ନନ୍ଦିଘୋଷ ବ୍ୟୁରୋ: ସଭା ଓ ଶୋଭାଯାତ୍ରାରେ କମ୍ପୁଛି ମଇଦାନ । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଉଷ୍ମ ହେବାରେ ଲାଗିଛି ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ । କିଏ ପତାକା ଧରି ବୁଲୁଛନ୍ତି ତ କିଏ ବିକାଶକୁ ମୁଦ୍ଦା କରି ମଇଦାନକୁ ଓହ୍ଲାଇଛନ୍ତି । ତେବେ ଜନତାଙ୍କ ମତ ବିକାଶ ଯେଉଁଠି, ଭୋଟ ଦେବୁ ସେଇଠି ।

ପୁରୀ ଜିଲ୍ଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବଢ଼ି ଚାଲିଛି ରାଜନୈତିକ ଉଷ୍ମତା । କାହାକୁ ବାଛିବେ ଜନତା ? କାହାର ହେବ କାକଟପୁର ବିଧାନସଭା ଆସନ ? ଚାଲିଛି ଅଙ୍କକଷା। କାକଟପୁର ବ୍ଲକର ୧୬ଟି ପଞ୍ଚାୟତ, ଅସ୍ତରଙ୍ଗ ବ୍ଲକର ୧୫ ପଞ୍ଚାୟତ, ଗୋପ ବ୍ଲକର ୧୪ଟି ପଞ୍ଚାୟତ, ସମୁଦାୟ ୪୫ଟି ପଞ୍ଚାୟତ ଓ କୋଣାର୍କ ଏନଏସିର ୧୩ଟି ୱାର୍ଡକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ । ଏଠାରେ ଅଛନ୍ତି ୨ ଲକ୍ଷ ୩୯ ହଜାର ୯୮୩ ଜଣ ଭୋଟର । ପୁରୁଷ ୧ ଲକ୍ଷ ୨୪ ହଜାର ୧୩୦ , ମହିଳା ୧ ଲକ୍ଷ ୧୫ ହଜାର ୮୫୦ ଓ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୩ ଜଣ ଅଛନ୍ତି ।

ଏଠାରେ ହେଉଛି ତ୍ରିମୁଖୀ ଲଢ଼େଇ । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ତୁଷାରକାନ୍ତି ବେହେରା, ବିଜେପିରୁ ବାଇଧର ମଲ୍ଲିକ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ଵଭୂଷଣ ଦାସ । ତିନି ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ପ୍ରାର୍ଥୀମାନେ ନିଜ ନିଜ ପ୍ରସଙ୍ଗ ନେଇ ପ୍ରଚାର କରୁଛନ୍ତି।

କାକଟପୁର ୨ ହଜାର ହଜାର ମସିହାରୁ ରହିଆସିଛି ବିଜେଡିର ଗଡ଼ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ୯୧ ହଜାର ୮୯୭ ଭୋଟ ପାଇ ଜିତିଥିଲେ । କଂଗ୍ରେସର ବିଶ୍ୱଭୂଷଣ ଦାସ ୪୬ ହଜାର ୨୦୬  ଓ ବିଜେପିର ରବି ମଲ୍ଲିକଙ୍କୁ ୩୦ ହଜାର ୭୭୧ ଭୋଟ ମିଳିଥିଲା ।

କାକଟପୁରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଉନ୍ନତିମୂଳକ କାର୍ଯ୍ୟ  ହୋଇଛି । ନିର୍ବାଚନମଣ୍ଡଳୀର ଅଧିକାଂଶ ଉଚ୍ଚ ବିଦ୍ୟାଳୟକୁ  5T  ଅନ୍ତର୍ଭୁକ୍ତ କରି ରୂପାନ୍ତରଣ କରାଯାଇଛି। ନଦୀବନ୍ଧ ସୁଦୃଢ଼ୀକରଣ, ମେଗା-ପାନୀୟଜଳ ପ୍ରକଳ୍ପ, ମ୍ୟାନଗ୍ରୋଭ ରିଟ୍ରିଟ, ପୀରଜାହାନିଆ ପୀଠର ଉନ୍ନତି ସାଙ୍ଗକୁ ଅସ୍ତରଙ୍ଗରୁ ନିମାପଡ଼ାକୁ ପକ୍କା ରାସ୍ତା ହୋଇଛି।

ଏଥିସହିତ ଗୋପ ଓ କୋଣାର୍କ ଅଞ୍ଚଳରେ ଲକ୍ଷ୍ମୀ ବସ ଯାତାୟତ କରିବା ସାଙ୍ଗକୁ ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ମାଧ୍ଯମରେ ଋଣ ଯୋଗାଇ ଦିଆଯାଇଛି। କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ମନ୍ଦିର ଉନ୍ନତି ହୋଇଛି । ରାଜ୍ୟ ସରକାର ତରଫରୁ କାକଟପୁରକୁ ମିଳିଛି NAC ମାନ୍ୟତା । ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ବିକାଶର ଧାରା କାକଟପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛି । ବିକାଶ ହିଁ ହୋଇଛି ମୁଖ୍ଯ ପ୍ରସଙ୍ଗ।