ସାଢେ଼ ତିନି ଫୁଟ ଉପରକୁ ଉଠିଲା ଘର

ନନ୍ଦିଘୋଷ ବ୍ୟୁରୋ: ସାଢେ଼ ତିନି ଫୁଟ ଉପରକୁ ଉଠିଲା ଘର। ବିନା କୌଣସି କ୍ଷୟକ୍ଷତିରେ ଘରକୁ ଟେକି ଦିଆଗଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଉନ୍ନତ ଜ୍ଞାନ କୌଶଳ ଜରିଆରେ ଘରକୁ ଟେକି ଦିଆଯାଇଛି। ଯାହାକୁ ଦେଖିବାକୁ ଲୋକଙ୍କ ଲାଗିଛି ଭିଡ।

ସାଢେ ତିନି ଫୁଟ ଉପରକୁ ଉଠିଲା ଘର । ଉନ୍ନତ ଜ୍ଞାନ କୌଶଳ ଜରିଆରେ ଘରକୁ ଟେକି ଦିଆଗଲା । ଏ ହେଉଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଶ୍ରୀଧର ନଗର ସ୍ଥିତ ରଞ୍ଜିତ ପ୍ରଧାନଙ୍କ ବାସଗୃହ। ପ୍ରାୟ ୨୦ ରୁ ୨୫ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା ଘରଟି। ତଳିଆ ଅଞ୍ଚଳ ହେତୁ ବର୍ଷା ଦିନେ ଘରେ ପଶୁଥିଲା ପାଣି । ଫଳରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ପରିବାର ଲୋକ ।

ତେବେ କିଛି ସ୍ଥାନରେ ଘରକୁ ଉପରକୁ ଉଠାଯାଇଥିବା ଖବର ଶୁଣି ନିର୍ମାଣକାରୀ ସଂସ୍ଥା ସହ ଯୋଗାଯୋଗ କରି ଘର ଉପରକୁ ଉଠାଇବା ନିଷ୍ପତ୍ତି ନେଇଥିଲେ ଘରର କର୍ତ୍ତୃପକ୍ଷ । ୯୦୦ ବର୍ଗ ଫୁଟ ବିଶିଷ୍ଟ ଘରକୁ ଉପରକୁ ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ସଫଳତାର ସହ ସାଢ଼େ ତିନି ଫୁଟ ଉପରକୁ ଉଠି ପାରିଛି ଘର। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଘର ଲୋକ।

ପାରଳାଖେମୁଣ୍ଡି ସହରରେ ପ୍ରଥମ କରି ଏଭଳି ଏକ ଅସମ୍ଭବ କାର୍ଯ୍ୟ ସମ୍ଭବ କରାଯାଇ ପାରିଛି। ବିନା କୌଣସି କ୍ଷୟକ୍ଷତିରେ ଘରଟିକୁ ଚାରିଫୁଟ ଉପରକୁ ଉଠାଇବାକୁ ଚୁକ୍ତି ସ୍ଵାକ୍ଷର କରିଥିଲେ ହରିୟାଣାର ଏକ ଗୃହ ନିର୍ମାଣ କାରୀ ସଂସ୍ଥା । ଏହି କାର୍ଯ୍ଯରେ ସାମିଲ ହୋଇଥିଲେ ୧୦ ଜଣ ଶ୍ରମିକ । ଅତ୍ଯାଧୁନିକ ଜ୍ଞାନ କୌଶଳ ଜରିଆରେ ବହୁ ପୁରୁଣା ଘରକୁ ସଫଳତାର ସହ ଉପରକୁ ଉଠାଯାଇପାରିଛି ।