ଓଡ଼ିଆ ଭାଷା ଲାଗି ବିଜେପି କିଛି କରିନାହିଁ: କାର୍ତ୍ତିକ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ: ଯେ କୌଣସି ରାଜ୍ଯର ଭାଷା ହିଁ ଏହାର ଗର୍ବ। ଦ୍ବିତୀୟ ହେଉଛି ଏହାର ଦେବତା। ତୃତୀୟ ହେଉଛି ରାଜ୍ଯର ସଂସ୍କୃତି। ଚତୁର୍ଥ ହେଉଛି ଏହାର ଜନସାଧାରଣ। ଯେଉଁ ବିଜେପି ଓଡ଼ିଆ ଅସ୍ମିତା ବିଷୟ କଥା କହୁଛି ସେହି ଦଳ ଓଡ଼ିଆ ଭାଷା ଲାଗି କିଛି କରିନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଏଏନଆଇକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଆମକୁ ଦେଖିବାକୁ ପଡିବ ଗତ ୧୦ ବର୍ଷରେ ବିଜେପି କଣ କରିଛି। ଓଡ଼ିଆ ଭାଷାକୁ  ଶାସ୍ତ୍ରୀୟ ଭାଷାରେ ପରିଣତ କରିବା ଲାଗି ମୁଖ୍ଯମନ୍ତ୍ରୀ ସଂଗ୍ରାମ କରିଛନ୍ତି। ୨୦୧୪ ଫେବ୍ରୁଆରୀରେ ୟୁପିଏ ସରକାର ଅମଳରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ଯତା ଦିଆଯାଇଥିଲା। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ଯତା ପରଠାରୁ ୧୦ ବର୍ଷ ବିତିଗଲା। ମାତ୍ର କୌଣସି ଗୋଟିଏ ପଦକ୍ଷେପ ନିଆଯାଇନାହିଁ କିମ୍ବା ପଇସାଟିଏ କେନ୍ଦ୍ର ଖର୍ଚ୍ଚ କରିନାହିଁ। ମାତ୍ର ସଂସ୍କୃତି, ତେଲୁଗୁ, ତାମିଲ ଓ ମରାଠୀ ଭାଷା ଲାଗି କେନ୍ଦ୍ର ସହାୟତା ଦେଇଆସିଛି। ଯେଉଁ ସବୁ ଭାଷାକୁ ଶାସ୍ତ୍ରୀୟ ମାନ୍ଯତା ମିଳିଛି ସେହି ସବୁ ଭାଷାକୁ କେନ୍ଦ୍ରୀୟ ସହାୟତା ମିଳିଛି। ଏହା ହେଉଛି କେନ୍ଦ୍ର ସରକାରଙ୍କ ଭାଷାପ୍ରୀତିର ନମୁନା। ଦ୍ବିତୀୟରେ ଓଡ଼ିଶୀ ସଂଗୀତ। ଏହା ଅତି ପ୍ରସିଦ୍ଧ। ଓଡ଼ିଶୀ ସଂଗୀତକୁ ପ୍ରୋତ୍ସାହନ ଦେବା ସହ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପ୍ରସ୍ତାବ କେନ୍ଦ୍ରକୁ ପଠାଇଥିଲେ। ମାତ୍ର ଏହି ଦୁଇଟି ପ୍ରସ୍ତାବକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ସେମାନେ ଓଡ଼ିଆ ଭାଷା ନେଇ ଭାଷଣ ମାରୁଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।