ଭୁବନେଶ୍ବର: ବର୍ଷାରେ ଭିଜିବ ଦୁର୍ଗା ପୂଜା । ଭସାଣିରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ଘନୀଭୂତ ହେଉଛି ଘୂର୍ଣ୍ଣୀବଳୟ। ୨୧ ତାରିଖ ସକାଳ ସୁଦ୍ଧା ନେବ ଲଘୁଚାପର ରୂପ । ପରବର୍ତ୍ତୀ ୪୭ ଘଣ୍ଟାରେ ଅବପାତରେ ପରିଣତ ହେବ । ପ୍ରଭାବରେ ୨୩ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ବର୍ଷିବ । ତେବେ ୨୪ରେ ବଢିବ ବର୍ଷାର ପରିମାଣ ।

୨୫ ତାରିଖରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ ହୋଇଛି । ୨୩ ତାରିଖରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ। ଝଟକା ପବନ ଘଣ୍ଟାପ୍ରତି ୭୦ କିମି ଯାଇପାରେ। ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ।

୨୦ ତାରିଖ ବେଳକୁ ତାହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ସାରା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଉପରେ ରହୁଛି । ତେବେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, କେନ୍ଦୁଝର ଏବଂ ମୟରୁଭଞ୍ଜରେ ବର୍ଷା ହୋଇପାରେ ।

ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ । ତେବେ ୨୦ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢିପାରେ । କିନ୍ତୁ ଲଘୁଚାପଟିର କେନ୍ଦ୍ରସ୍ଥଳ ଏବଂ ତାହାର ଗତି କୁଆଡେ ହେବ ସେ ନେଇ ବର୍ତ୍ତମାନ ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ତାହା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମୁହାଁ ହେବ ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଯଦି ତାହା ପଶ୍ଚିମବଙ୍ଗ –ବାଂଲାଦେଶ ମୁହାଁ ହୁଏ ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ତେବେ ଲଘୁଚାପଟି ଅଧିକ ଘନୀଭୁତ ହୋଇ ଓ୍ବେଲମାର୍କ ଲୋପ୍ରେସର ଏବଂ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବପାତ ହେଲେ ମଧ୍ୟ ଓଡ଼ିଶାରେ ତାର ପ୍ରଭାବ ଅଧିକ ରହିବ ନାହିଁ । କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ସାମାନ୍ୟ ଶୀତ ଅନୁଭୁତ ହୋଇପାରେ ବୋଲି ଆକଳନ କରାଯାଇଛି ।