ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଶ୍ବିନୀଙ୍କୁ କାହିଁକି ମିଳିଲାନି ସ୍ଥାନ?

ମୁମ୍ବାଇ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମ ପୁନେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତର ବୋଲରମାନେ ଦମଦାର ପ୍ରଦର୍ଶନ କରୁଛନ୍ତି । କଳାମାଟି ପିଚ୍ ସ୍ପିନରଙ୍କୁ ସୁହାଉଥିବାବେଳେ ଦଳରେ ସ୍ଥାନ ପାଇନାହାନ୍ତି ଅଭିଜ୍ଞ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀ । ଦଳରେ ଜାଡେଜା ଏବଂ କୁଲଦୀପ ଦୁଇ ସ୍ପିନର ଖେଳୁଥିବାବେଳେ ସେମାନେ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ଅଧିନାୟକ ଭୁଲ ନିଷ୍ପତି ନେଇଥିବା କୁହାଯାଉଛି ।

ଜଣେ ଦୃତ ବୋଲରଙ୍କ ସ୍ଥାନରେ ଅଶ୍ବିନୀ ଖେଳିଥିଲେ ଦଳ ପାଇଁ ଲାଭ ଦାୟକ ହୋଇଥାନ୍ତା । କିନ୍ତୁ ଦଳରେ ଚାରିଜଣ ଦୃତ ବୋଲର ଖେଳୁଛନ୍ତି । ବୁମରା, ସିରାଜ, ସାର୍ଦ୍ଧୁଲ ଠାକୁର ଏବଂ ପାଣ୍ଡ୍ୟା ଖେଳୁଛନ୍ତି । ୪ଜଣ ପେସର ବୋଲର ରହିଥିବାବେଳେ ମାତ୍ର ଦୁଇଜଣ ସ୍ପିନର ଖେଳୁଛନ୍ତି । ତେବେ ଜଣେ ପେସରଙ୍କ ସ୍ଥାନରେ ସ୍ପିନର ଖେଳିଥିଲେ ଦଳ ଭଲ ପ୍ରଦର୍ଶନ କରିଥାନ୍ତା । ଯାହାକି ଅେନକ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି । ବିଶ୍ବକପ ଦଳରେ ପ୍ରଥମେ ଅଶ୍ବିନୀଙ୍କୁ ସ୍ଥାନ ମିଳିନଥିଲା । ଅକ୍ଷର ପଟେଲ ଆହତ ହେବା ପରେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଅଶ୍ବିନୀ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ତାଙ୍କୁ ଦଳରେ ସ୍ଥାନ ମିଳିଥିଲା ।

ସେପଟେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଦୁଇ ସ୍ପିନର ପ୍ରଥମରୁ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ନଚାଉଥିବା ଦେଖିବାକୁ ମିଳିଛି । ବାଂଲାଦେଶ ୪ଟି ଓ୍ବିକେଟ ହରାଇଥିବାବେଳେ କେବଳ ସ୍ପିନର ୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ଜାଡେଜା ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ କୁଲଦୀପଙ୍କୁ ମିଳିଛି ଗୋଟିଏ ସଫଳତା । ସେପଟେ ସିରାଜ ଆଉ ଗୋଟିଏ ଓ୍ବିକେଟ ନେଇଛନ୍ତି । ବାଂଲାଦେଶର ଯଦିଓ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି ତଥାପି ସହଜ ମଣିବା ବୋକାମି ହେବ । ୨୦୦୭ ବିଶ୍ବକପରେ ଭାରତ ସୁପର ୮ରେ ପହଞ୍ଚିବା ପାଇଁ କାଳ ସାଜିଥିଲା ବାଂଲାଦେଶ । ବାଂଲାଦେଶ ଭାରତକୁ ହରାଇଥିବାବେଳେ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲା ।