ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦାର ହୋତାଙ୍କ ପରଲୋକ

ଭୁବନେଶ୍ୱର: ଆରପାରିରେ ପଣ୍ଡିତ ଦାମୋଦାର ହୋତା । ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଥିଲେ ଦାମୋଦର ହୋତା।  ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ  ହୋଇଥିଲା।

ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଠାରୁ ଆର୍ଥିକ ସହାୟତା ଲାଭକରି ସେ ପଣ୍ଡିତ ଓଁକାର ନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତ ରାୟଭଟ୍ଟଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟଳୟରୁ ସେ ଡକ୍ଟରେଟ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ତଥା ବାହାରେ ପଣ୍ଡିତ ହୋତା ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗବେଷକ, ବିଶେଷ କରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଗବେଷକ ଭାବରେ ବେଶ ଆଦୃତ । ତାଙ୍କଦ୍ୱାରା ରଚିତ ୧୭ଖଣ୍ଡ ପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଠ୍ୟପୁସ୍ତକ ଭାବରେ ମଧ୍ୟ ଆଦୃତ ହୋଇଛି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବର୍ଷା ପରେ ଲେଉଟିଲା ଶୀତ, ଆହୁରି ୩ରୁ ୪ଂ କମିପାରେ ତାପମାତ୍ରା

Leave a Reply