ବର୍ଷା ପରେ ଲେଉଟିଲା ଶୀତ, ଆହୁରି ୩ରୁ ୪ଂ କମିପାରେ ତାପମାତ୍ରା

ଭୁବନେଶ୍ୱର: ବର୍ଷା ପରେ ପୁଣି ଫେରିଛି ଶୀତ । ରାଜ୍ୟରେ ଦୁଇଦିନ ପାଗ କୋହଲା ସହ ବର୍ଷା ହେବା ପରେ ତାପମାତ୍ରା ପୁଣି କମିଛି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ।

ସର୍ବାଧିକ ବର୍ଷା ବାଲେଶ୍ୱର ଜିଲ୍ଲା ଭୋଗରାଇରେ ୫୫ ମିମି ରେକର୍ଡ ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୪୬.୪ ମିମି, ଢେଙ୍କାନାଳ ଭୁବନରେ ୪୪ମିମି ବର୍ଷା ହୋଇଛି। କେନ୍ଦୁଝର ଓ ଭଦ୍ରକର କିଛି ସ୍ଥାନରେ କୁଆପଥର ପଡ଼ିଥିବା ଜଣାଯାଇଛି। ତେବ‌େ ଆଉ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଫେବ୍ରୁଆରି ୯ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଆସନ୍ତାକାଲି କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେହିପରି ୭ ତାରିଖରେ ଉପକୂଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନ ସହ ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ପୁରୀ ଆଦି ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିପାରେ। ଏ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।  ୮ ତାରିଖ ଦିନ ଉପକୂଳ ଜିଲ୍ଲା ଓ ଅନୁଗୁଳ, ଢେଙ୍କାନାଳ ଏବଂ ୯ ତାରିଖରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

Leave a Reply