ବର୍ଷକୁ ୨ କୋଟି ନିଯୁକ୍ତି ଗଲା କୁଆଡ଼େ ?

1 min read

ନନ୍ଦିଘୋଷ ବ୍ୟୁରୋ: ବିଦ୍ୟୁତ ଚାଳିତ ଯାନ ବା ଇଭିର ଭବିଷ୍ୟତ ରହିଛି । କିନ୍ତୁ ଭାରତରେ ଏ ପର୍ଯ୍ୟନ୍ତ ଇଭି ଯାନ ସାଧାରଣ ଲୋକଙ୍କ ସାମର୍ଥ୍ୟ ବାହାରେ । ଦେଶର ଇଭି ଟେକ୍ନୋଲୋଜି ଏ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ ଷ୍ଟାଣ୍ଡାର୍ଡ ହାସଲ କରିପାରିନି । ହେଲେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟର ଦାବି, ୨୦୩୦ ସୁଦ୍ଧା ଇଭି ଶିଳ୍ପରେ ସୃଷ୍ଟି ହେବ ୫ କୋଟି ନିଯୁକ୍ତି । କେନ୍ଦ୍ର ସରକାରଙ୍କ ଏପରି ଦାବିକୁ ନାପସନ୍ଦ କରିଛନ୍ତି ପେଟ୍ରୋଲିୟମ୍ ଡିଲର୍ସ୍ ଆସୋସିଏସନ୍ ଓ ବିରୋଧୀ । ଗରିବ ଓ ମଧ୍ୟବିତ୍ତ ଯେପରି ଏହାକୁ ସୁଲଭ ଦରରେ ପାଇବେ ସେ ନେଇ ବ୍ୟବସ୍ଥା ହୋଇପାରିନି ।

ବର୍ଷକୁ ୨ କୋଟି ନିଯୁକ୍ତି ଗଲା କୁଆଡ଼େ ? ୨୦୧୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦାବି କେତେ ପୂରଣ ହୋଇଛି ? ବିରୋଧୀଙ୍କ ଅଭିଯୋଗ ଜୁମ୍ଲାବାଜିରେ ଏ କେନ୍ଦ୍ର ସରକାରଙ୍କୁ କେହି ପାରିନାହାଁନ୍ତି । ଏବେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟର ଦାବି, ଇଭି ଉତ୍ପାଦନରେ ଭାରତ ବିଶ୍ବରେ ହେବ ଏକ ନମ୍ବର । ୨୦୩୦ ବେଳକୁ ଦେଶର ଇଭି ଶିଳ୍ପ ୫ କୋଟି ଲୋକଙ୍କୁ ନିଯୁକ୍ତି ଦେବ । ପ୍ରଦୂଷଣ ହ୍ରାସ ପାଇଁ ଇଭି ଯାନ ବ୍ୟବହାର ସମସ୍ତେ ଚାହାଁନ୍ତି । କିନ୍ତୁ ଏବେସୁଦ୍ଧା ଇଭି ଯାନଟିଏ କିଣିବାକୁ ସାଧାରଣ ଲୋକଟିଏ ସକ୍ଷମ ହେଲାଣି କି?

ବାସ୍ତବତା ହେଉଛି, ଅନ୍ୟୁନ ଲକ୍ଷେ ଟଙ୍କା ତଳକୁ ଦୁଇଚକିଆ ଇଭି ଯାନଟିଏ ବଜାରରେ ମିଳୁନି । ନୂଆ ବ୍ୟାଟେରି କିଣିବାକୁ ହେଲେ ୪୦ ହଜାର ଟଙ୍କା ପଡ଼ୁଛି । ଯାହା ସାଧାରଣ ଲୋକଟି ପକ୍ଷେ ଖର୍ଚ୍ଚ କରିବା ସମ୍ଭବ ନୁହେଁ । ଇଭି ଯାନ ରିଚାର୍ଜ ପାଇଁ ଏ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହୋଇନି । ଶକ୍ତି ଉତ୍ପାଦନ ପାଇଁ ଏବେ ବି ତାପଜ ବିଦ୍ୟୁତ ଉତ୍ପାଦନ ଉପରେ ନିର୍ଭର କରିବାକୁ ପଡୁଛି । ଇଭି ଯାନ ପ୍ରଚଳନ ହେଲେ ବି ପେଟ୍ରୋଲ-ଡିଜେଲ ଚାଳିତ ଇଞ୍ଜିନ ପ୍ରସ୍ତୁତ କରୁଥିବା କମ୍ପାନୀ କେତେ ଉତ୍ପାଦନ ହ୍ରାସ କରିବେ ତାର ଆକଳନ ହୋଇନି । ପାରମ୍ପରିକ ଗାଡ଼ି ପ୍ରସ୍ତୁତ କରୁଥିବା କମ୍ପାନୀରୁ ନିଯୁକ୍ତି ହ୍ରାସ କଣ ବେକାରୀ ସୃଷ୍ଟି କରିବନି କି ? ଏପରି ବାସ୍ତବ ସମସ୍ୟାକୁ ଅନୁଧ୍ୟାନ ନ କରି ଇଭି ଶିଳ୍ପରେ ବ୍ୟାପକ ନିଯୁକ୍ତି ଦାବି କରିବା କେତେଦୂର ଯଥାର୍ଥ ?

ଦେଶରେ କାଁ ଭାଁ ଥିଲାବାଲା ଲୋକ ଇଭି ଯାନ କିଣିବାରେ ସମର୍ଥ ହୋଇପାରୁଛନ୍ତି । ଏତେବଡ଼ ଦେଶରେ ଏଯାଏଁ ମାତ୍ର ୩୪ ଲକ୍ଷ ୫୪ ହଜାର ଇଭି ଗାଡ଼ି ପଞ୍ଜୀକରଣ ହୋଇଛି । ୨୦୧୪ ମସିହାରୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରଠୁ ଦେଶରେ ବାର୍ଷିକ ୨ କୋଟି ନିଯୁକ୍ତି ମିଳିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବେରୋଜାଗାରୀ ରେକର୍ଡ ଛୁଇଁଛି । ଦରଦାମ ବୃଦ୍ଧିରେ ଖାଉଟି ଅଣନିଃଶ୍ବାସୀ । କେନ୍ଦ୍ର ସରକାର କାହିଁକି ଏପରି ଦାବି କରି ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ବାୟୁମଣ୍ଡଳରୁ ସବୁଜ ଗୃହ ବାଷ୍ପ ପ୍ରଭାବ କମ୍ କରିବାକୁ ହେଲେ ଆମକୁ ବହୁଳ ମାତ୍ରାରେ ଇଲେକ୍ଟ୍ରିକ୍ ଯାନ ଆପଣାଇବାକୁ ପଡ଼ିବ । ଗରିବ, ନିମ୍ନମଧ୍ୟବିତ୍ତ, ମଧ୍ୟବିତ୍ତ ଯେପରି ଇଭି ଯାନ କିଣିପାରିବେ ସେ ନେଇ କେନ୍ଦ୍ର ସରକାର ଗୁରୁତ୍ବ ଦେଲେ ଆଗାମୀ ଦିନରେ ଭାରତରେ ବାୟୁ ପ୍ରଦୂଷଣ ହ୍ରାସ ପାଇବ ସହ ପରୋକ୍ଷରେ ନିଯୁକ୍ତି ବଢିବ।