ଏକମାତ୍ର ପ୍ରାର୍ଥୀ ଭାବେ ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ୍ବାଇନାଡ ଓ ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି । ସେ ଏକମାତ୍ର ନେତା ଯିଏକି ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଜଣେ ପ୍ରାର୍ଥୀ ବହୁ ଆସନରେ ଲଢିବାର ବ୍ଯବସ୍ଥା ଥିଲା । ମାତ୍ର ୧୯୯୬ ରେ ଜନ ପ୍ରତିନିଧି ଆଇନର ଧାରା ୩୩କୁ ସଂଶୋଧନ କରାଯିବା ପରେ ଏହି ସଂଖ୍ଯା ଦୁଇକୁ ହ୍ରାସ ପାଇଥିଲା ।

ସେହି ଅନୁସାରେ ବିଭିନ୍ନ ସମୟରେ ନେତାମାନେ କେବଳ ଦୁଇଟି ଆସନରେ ପ୍ରାର୍ଥୀ ହୋଇପାରୁଛନ୍ତି । ପୂର୍ବ ଆଇନ ଅନୁସାରେ ୧୯୫୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏକାଦିକ୍ରମେ ମଥୁରା, ଲକ୍ଷ୍ମୌ ଓ ବଳରାମପୁରରୁ ଠିଆ ହୋଇଥିଲା । ସେ କେବଳ ବଳରାମପୁରରୁ ନିର୍ବାଚିତ ହୋଇଥିଲେ । ୧୯୬୨ରେ ବି ସେ ବଳରାମପୁର ଓ ଲକ୍ଷ୍ମୌରୁ ଲଢି ଦୁଇଟିଯାକ ଆସନରୁ ହାରିଯାଇଥିଲେ । ୧୯୯୧ରେ ବାଜପାୟୀ ବିଦିଶା ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ ।

୧୯୯୬ରେ ସେ ଗାନ୍ଧୀନଗର ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରେ ବିଜୟୀ ହୋଇଥିବାବେଳେ ଲକ୍ଷ୍ମୌ ଆସନ ରଖି ଗାନ୍ଧୀନଗର ଛାଡିଦେଇଥିଲେ । ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ନୂଆଦିଲ୍ଲୀ ଓ ଗାନ୍ଧୀନଗରରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ । ୧୯୯୯ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଏବରେଲୀ ଓ ଆମେଥିରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଦୋଦରା ଓ ବାରାଣସୀରୁ ଲଢି ଦୁଇଟିଯାକରେ ବିଜୟୀ ହୋଇଥିଲେ । ତେବେ ସେ ବାରାଣସୀକୁ ରଖି ଭଦୋଦରା ଛାଡିଦେଇଥିଲେ । ୧୯୮୯ରେ ତତକାଳୀନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲ ରୋହତକ, ସିକାର ଓ ଫିରୋଜପୁରରୁ ଲଢି ରୋହତକ, ସିକାରରୁ ଜିତିଥିଲେ । ୧୯୯୧ରେ ବିଏସପି ନେତା ମାୟାବତୀ ବିଜନୋର, ବୁଲନ୍ଦସହର ଓ ହରିଦ୍ବାରରୁ ଲଢି ସମସ୍ତ ଆସନରେ ହାରିଥିଲେ ।