ନୂଆ ବର୍ଷରେ ନୂଆ ନିୟମ, ମନ୍ଦିରରେ ଆଉ ଚଳିବନି ଛୋଟ ଡ୍ରେସ୍

ନନ୍ଦିଘୋଷ ବ୍ୟୁରୋ: ମନ୍ଦିରକୁ ଆଧୁନିକ ଡ୍ରେସ୍ ପିନ୍ଧି ଯିବା ମନା । ମନ୍ଦିରକୁ ଯିବା ପାଇଁ ଡ୍ରେସ୍ କୋଡ୍ର ବ୍ୟବସ୍ଥା । ମନ୍ଦିର ଭିତରକୁ ଜିନସ୍, ଟପ୍, ମିନି ସ୍କଟ୍ ପରି ଆଧୁନିକ ପୋଷାକ ପିନ୍ଧି ଯିବା ମନା । ମନ୍ଦିରର ସାଜସଜ୍ଜା ଓ ପବିତ୍ରତା ବଜାୟ ରଖିବା ପାଇଁ ଗୋଆର  ଅଧିକାଶଂ ମନ୍ଦିର ଗୁଡିକରେ ୨୦୨୪  ଜାନୁୟାରୀରୁ ଡ୍ରେସ୍ କୋଡ୍ ର ବ୍ୟବସ୍ଥା କରାଯାଇଛି । ଉପଯୁକ୍ତ ଡ୍ରେସ୍ ପିନ୍ଧି ଆସି ନଥିଲେ ମନ୍ଦିରରେ ଲୁଙ୍ଗି ଦିଆଯିବ ବୋଲି ମଧ୍ୟ ମନ୍ଦିର କର୍ତୁପକ୍ଷ କହିଛନ୍ତି । ମନ୍ଦିର ପରିଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ବେଶ ପୋଷାକ ଉପଯୁକ୍ତ ନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ମନ୍ଦିର କର୍ତୁପକ୍ଷ । ଏହି ନିୟମ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଲାଗୁ ହୋଇଛି । ମନ୍ଦିର କର୍ତୁପକ୍ଷ ଏହା ମଧ୍ୟ କହିଛନ୍ତି ଯେ ମନ୍ଦିର ଫ୍ୟାଶନ୍ ପ୍ରଦର୍ଶନର ଉପଯୁକ୍ତ ସ୍ଥାନ ନୁହେଁ । ଏହା ହେଉଛି ଉପାସନା ଏବଂ ଭକ୍ତିର ସ୍ଥାନ ।

ତେଣୁ ମନ୍ଦିର ଭିତରକୁ କାହାରିକୁ ଛୋଟ ପୋଷାକରେ ଯିବାକୁ ଅନୁମତି ମିଳିବ ନାହିଁ । ମନ୍ଦିରର ପବିତ୍ରତା ଏବଂ ସମ୍ମାନ ବଜାୟ ରଖିବା ପାଇଁ ଜାନୁୟାରୀ ୨ ରୁ ସମସ୍ତ ପରିଦର୍ଶକଙ୍କ ପାଇଁ କଡା ଡ୍ରେସ୍ କୋଡ୍ ଲାଗୁ କରାଯିବ ବୋଲି ଗୋଆର  ଶ୍ରୀ ରାମନାଥ ପୋଣ୍ଡା କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଆଗରୁ ଏହି ନିୟମ ହୋଇଥିଲା କିନ୍ତୁ କଡା କଡି ଭାବରେ ହୋଇନଥିଲା କିନ୍ତୁ ଏବେ ଏହାକୁ ଆମେ କଡାକଡି ଭାବରେ କାର୍ଯ୍ୟକାରୀ କରିବୁ । ର୍ସ୍କଟ୍, ମିନି ସ୍କଟ୍, ମିଡିସ୍, ସ୍ଲିଭ୍ ଲେସ୍ ଟପ୍ , ଲୋ ଜିନସ୍ ଏବଂ ସର୍ଟ ଟି ସାର୍ଟ ପିନ୍ଧିଥିବା ଲୋକଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯିବ ନାହିଁ । ଯେଉଁମାନେ ଅନୁପଯୁକ୍ତ ପୋଷାକ ପିନ୍ଧି ମନ୍ଦିର  ଆସିବେ ତାଙ୍କ ପାଇଁ  ମନ୍ଦିର କମିଟି ଦ୍ବାରା ସେମାନଙ୍କର ଶରୀର ଲୁଚେଇବା ପାଇଁ ଲୁଙ୍ଗି କିମ୍ବା କପଡା ଦିଆଯିବ। ଯାହା ଫଳରେ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ  ।