ଆମେରିକାରେ ଚାକିରି ହରାଇବେ ଆଇଟି ପ୍ରଫେସ୍‌ନାଲସ୍‌, ଭାରତ ଉପରେ ପଡ଼ିପାରେ ପ୍ରଭାବ…!

1 min read

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଅର୍ଥନୀତି ଏବେ ରସାତଳେ ପହଞ୍ଚିଛି । କରୋନା ମହାମାରୀ ଯୋଗୁଁ ଆମେରିକାରେ ଏଭଳି ପରିସ୍ଥିତି ଉପୁଜିଛି । ଏହି ଭାଇରସ୍‌ କାରଣରୁ ଆମେରିକାରେ ହିଁ କେବଳ ୫୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ ବେକାରୀ ସମସ୍ୟା ୯୦ ବର୍ଷ ମଧ୍ୟରେ ଉଚ୍ଚତମ ସ୍ତରରେ ରହିଛି ।

ରିପୋର୍ଟ ଅନୁଯାୟୀ, ବର୍ଷ୨୦୨୦ ଆରମ୍ଭରୁ ହିଁ ଅର୍ଥାତ୍‌ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆମେରିକାର ମୁଣ୍ଡ ପିଛା ଅଭିବୃଦ୍ଧି ହାର ୪.୮କୁ ଖସି ଆସିଛି । ଏହା ପୂର୍ବରୁ ୨୦୧୯ର ଶେଷ ଆଡ଼କୁ ଏହାର ମୁଣ୍ଡ ପିଛା ଅଭିବୃଦ୍ଧି ହାର ୨.୧ରେ ରହିଥିଲା । ୨୦୧୪ ପରେ ଆମେରିକାରେ ଏଭଳି ପରିସ୍ଥିତି ପ୍ରଥମ ଥର ପାଇଁ ଦେଖାଦେଇଛି । ସେତେବେଳେ ମୁଣ୍ଡ ପିଛା ଅଭିବୃଦ୍ଧି ହାର ୧.୧ ରହିଥିଲା ।

ବର୍ଷ ୨୦୦୮-୦୯ରେ ଲଗାତର ମାନ୍ଦା ଅବସ୍ଥା ଯୋଗୁଁ ଅଭିବୃଦ୍ଧି ହାର ଚାରି ଚତୁର୍ଥାଂଶ ଖସି ମାଇନସରେ ରହିଥିଲା । ଏଠି ଆମେ କହି ରଖୁଛୁ ଯେ, ଆମେରିକାର କ୍ୟାଲେଣ୍ଡର ଇୟର ଓ ଫାଇନାନ୍‌ସିଆଲ ଇୟର ସମାନ ରହିଥାଏ ।

ଆମେରିକାର ଅର୍ଥନୀତି ପାଇଁ ଏହା ଏକ ଚିନ୍ତାର ଖବର । ଏହି ଆକଳନଗୁଡିକ ବିମୁଦ୍ରାକରଣ ଆଡ଼କୁ ସୂଚାଉଛି । ଆଗାମୀ ମାସରେ ଯଦି ପରିସ୍ଥିତିରେ ସୁଧାର ନଆସେ, ତେବେ ଏହା ବିଶ୍ୱବ୍ୟାପୀ ଚିନ୍ତାର ବିଷୟ ପାଲଟିବ । ବାସ୍ତବରେ ଆମେରିକା ସହ ଭାରତ ସମେତ ଅନେକ ଦେଶର ଅର୍ଥନୀତି ଯୋଡ଼ି ହୋଇ ରହିଛି । ଏହି ଦେଶରେ ପ୍ରଫେସ୍‌ନାଲ୍‌ ଚାକିରିଆଙ୍କ ପ୍ରତି ବିପଦ ଆସିପାରେ ବୋଲି କୁହାଯାଉଛି । ଯାହାକି ଏକ ଭଲ ଖବର ନୁହେଁ । ସୂଚନାଯୋଗ୍ୟ, ଭାରତର ଆଇଟି କମ୍ପାନୀଗୁଡିକର ୮୦ ପ୍ରତିଶତ ଆୟ ଆମେରିକା ଏବଂ ୟୁରୋପରୁ ଆସିଥାଏ ।

 ୧୯୩୦ ପରେ ସର୍ବାଧିକ ବେକାରୀ 

ପୂର୍ବରୁ ସରକାରୀ ଆକଳନରେ ଦର୍ଶାଇଥିଲା ଯେ, ଆମେରିକାରେ ବେକାରୀ ସମସ୍ୟା ଗତ ୯୦ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି । ୧୯୩୦ ର ମାନ୍ଦାବସ୍ଥା ପରେ ବର୍ତ୍ତମାନର ବେକାରୀ ହାର ସର୍ବାଧିକ ରହିଛି । ପରିସଂଖ୍ୟାନରୁ ଜଣାପଡିଛି ଯେ, କରୋନା ମହାମାରୀ ପାଇଁ ପ୍ରତି ୬ ଜଣରେ ଜଣେ ଶ୍ରମିକଙ୍କୁ ଚାକିରିକୁ ବିଦାକରଯାଉଛି । କେବଳ ଗୋଟିଏ ସପ୍ତାହରେ ୪୪ ଲକ୍ଷରୁ ଅଧିକ ଲୋକ ବେକାରୀ ସୁବିଧା ପାଇଁ ଆବେଦନ କରିଛନ୍ତି । ଏହା ସହିତ ପ୍ରାୟ ୨.୬ କୋଟି ଲୋକ ଗତ ପାଞ୍ଚ ସପ୍ତାହ ମଧ୍ୟରେ ବେକାରୀ ସୁବିଧା ପାଇଁ ଆବେଦନ କରିଛନ୍ତି ।

Leave a Reply